Unknown

 

 

 

 

 

 

 

 

 

 

ଲଙ୍କା ଯାତ୍ରୀ

ଡକ୍ଟର କୁଞ୍ଜବିହାରୀ ଦାଶ

 

ପୂଜ୍ୟପାଦ

 

ଅଧ୍ୟାପକ ଶ୍ରୀ ଘନଶ୍ୟାମ ଦାସ, ବି, ଏ (ଲଣ୍ଡନ)

 

ଆପଣଙ୍କ ପ୍ରେରଣାରେ ଯାଇଥିଲି ଲଙ୍କା । ସେହି ସ୍ନେହସ୍ମୃତିର ଏକ ‘ଲଙ୍କାଯାତ୍ରୀ’ ଆପଣଙ୍କ ହାତରେ ଦେଲି ।

 

କୁଞ୍ଜବିହାରୀ ଦାଶ

Image

 

ଭୂମିକା

(ପ୍ରଥମ ସଂସ୍କରଣ)

 

ଲଙ୍କାଯାତ୍ରା ମୋ ଜୀବନର ଏକ ପ୍ରଧାନ ଘଟଣା । ଏହି ଐତିହାସିକ ଦ୍ୱୀପର ଚମତ୍କାର ଦୃଶ୍ୟ ମୋତେ ଅଭିଭୂତ କରିଥିଲା ଏବଂ ଆଜୀବନ ମୋ ମନରେ ଜୀବନ୍ତ ହୋଇ ରହିଥିବ । ‘ଲଙ୍କାଯାତ୍ରୀ’ରେ ସେହି ସୁଖଦୁଃଖମୟ ଅନୁଭୂତିର ଏକ ବିଶ୍ୱସ୍ତ ଚିତ୍ର ଦିଆଯାଇଅଛି । ଏଥିରେ ଲଙ୍କାର ସଂକ୍ଷିପ୍ତ ଇତିହାସ, ସାହିତ୍ୟ, କଳା, ଭାସ୍କର୍ଯ୍ୟ ପ୍ରଭୃତି ବିବିଧ ଜ୍ଞାତବ୍ୟ ବିଷୟ ଆଲୋଚିତ ହୋଇଅଛି । ଏହି ପୁସ୍ତକ ରଚନାଲାଗି ମୁଁ ବହୁ ଗ୍ରନ୍ଥକର୍ତ୍ତାଙ୍କ ନିକଟରେ ଋଣୀ । ଶାନ୍ତିନିକେତନର ଲଙ୍କାଛାତ୍ର ଜୟତିଳକ ଓ ଛାତ୍ରୀ ଜୟନ୍ତୀ ଦେବୀ ଏ କାର୍ଯ୍ୟରେ ମୋତେ ବିଶେଷ ସାହାଯ୍ୟ କରିଅଛନ୍ତି । ଫକୀରମୋହନ କଲେଜର ତତ୍‍କାଳୀନ ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ଦାସ, ମୋ ସହକର୍ମୀ ଓ ସହଯାତ୍ରୀ ଅଧ୍ୟାପକ ମନ୍ମଥନାଥ ଦାସଙ୍କ ଉତ୍ସାହ ଏ ପୁସ୍ତକର ଆଶୁ ପ୍ରକାଶରେ ମୋତେ ସାହାଯ୍ୟ କରିଅଛି ।

 

ତା. ୦୧.୦୭.୫୦

ଶାନ୍ତି ନିକେତନ

Image

 

ଭୂମିକା

(ଦ୍ୱିତୀୟ ସଂସ୍କରଣ)

 

ମାତ୍ର ଚାରି ଦିନ ରହଣି; ମନରେ ଘୋର ଅତୃପ୍ତି ଓ ଅସନ୍ତୋଷ ଘେନି ଫେରିଥିଲି । ଦରଛୁଆଁ ଦୃଷ୍ଟି ମଧ୍ୟରେ ଦୃଶ୍ୟସବୁ ଲୁଚକାଳି ଖେଳୁ ଖେଳୁ ଲୁଚି ଯାଇଥିଲେ । କିନ୍ତୁ ଏଇ ଦରଦେଖାରେ ଅନୁଭବ ନିବିଡ଼ତର; ପହିଲି ପ୍ରୀତି ମୋର ପ୍ରସାରିତ ହୋଇଥିଲା ‘ମୋ ସ୍ୱପ୍ନର କାଶ୍ମୀର’, ‘ପଥ ଓ ପଥିକ’ ଓ ପରିଶେଷରେ ‘ଆମେରିକାରୁ ଇଉରୋପ ଓ ଆଫ୍ରିକା’ ଆଡ଼କୁ । ସପୁଷ୍ପ ସେଇ ମୁହୂର୍ତ୍ତଗୁଡ଼ିକ ମୋର ଫଳବାନ୍ ହୋଇଛି ଯଥାର୍ଥ ଭାବରେ ।

 

‘ଲଙ୍କାଯାତ୍ରୀ’ ମୋର ପ୍ରଥମ ଗଦ୍ୟ ରଚନା, ପ୍ରଥମ ଭ୍ରମଣ କାହାଣୀ । କଲେଜରେ ଏହା ପାଠ୍ୟ ରୂପେ ଚଳିଥିଲା । ବିକ୍ରୟ ମଧ୍ୟ ଆଶାନୁରୂପ ହୋଇଥିଲା । ଦ୍ୱିତୀୟ ସଂସ୍କରଣ ହେବାକୁ ଅଠର ବର୍ଷ ବିତିଗଲା କାହିଁକି ? ନବସୃଷ୍ଟି ଓ ସଂକଳନରେ ଉନ୍ମତ୍ତ ରହି ଭୁଲିଯାଇଥିଲି; ଯଦି ବା ପ୍ରଥମ ଗଦ୍ୟରଚନା ପ୍ରଥମ ସନ୍ତାନ ପରି ମୋର ପ୍ରିୟ ।

 

ଲଙ୍କା ମୋର ପିତୃପିତାମହଙ୍କ ଭୂମି–ସେମାନଙ୍କ ଗୌରବ ଗାଥାରେ ପରିପୂର୍ଣ୍ଣ । ଓଡ଼ିଶା ସହିତ ଗୌରବମୟ ସଂପର୍କ, ଯାହା କାଳକ୍ରମେ ଆମେ ବିସ୍ମୃତ ହୋଇଥିଲୁ, ତାକୁ ଯତ୍‍କିଞ୍ଚିତ୍‍ ପୁନରୁଜ୍ଜୀବିତ କରିବାକୁ ଚେଷ୍ଟା କରିଛି । ସ୍ନେହ, ପ୍ରୀତି, ମୈତ୍ରୀର ସେଇ ସଂପର୍କ ଉଜ୍ୱଳତର ହେବ ଏଇ ବିଶ୍ୱାସରେ ।

 

ଏ ମଧ୍ୟରେ ‘ଲଙ୍କାଯାତ୍ରୀ’ ସିଂହଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ସିଂହଳୀ ଶିକ୍ଷା ବିଭାଗର ଘରୋଇ ସେକ୍ରେଟାରୀ ସେ ସମ୍ପର୍କରେ ମୋ ନିକଟକୁ ପତ୍ର ଲେଖିଥିଲେ । କଲମ୍ୱୋରେ ଓଡ଼ିଆ ପାଠାଗାର ନିର୍ମାଣ, ଭାରତୀୟ ସାଂସ୍କୃତିକ ପ୍ରତିନିଧିଦଳଙ୍କ ସିଂହଳ ଯାତ୍ରା ଓ ତହିଁରେ ମୋର ଯୋଗଦାନ ବିଷୟ ପତ୍ରରେ ସେ ଉଲ୍ଲେଖ କରିଥିଲେ । ସିଂହଳ ସହିତ ଭାରତ ଓ ଓଡ଼ିଶାର ସଂପର୍କ ନିବିଡ଼ତର କରିବା ତାଙ୍କର ଇଚ୍ଛା ଥିଲା । କାହିଁକି ଏହା କାର୍ଯ୍ୟରେ ପରିଣତ ହେଲାନାହିଁ, ଜାଣେନା । ତା ପୂର୍ବରୁ ଦରଦେଖା ସିଂହଳର ଅପୂର୍ଣ୍ଣ ଭ୍ରମଣକାହାଣୀ ଟେକି ଦେଲି ସାଧାରଣଙ୍କ ହାତକୁ ।

 

୧୫-୦୮-୬୮

କୁଞ୍ଜବିହାରୀ ଦାଶ

Image

 

ଲଙ୍କାଯାତ୍ରୀ

 

ମଣିଷ ଚାଳିଛି, ଚାଲିବା ତାର ପ୍ରକୃତି; ଯୁଗ ଯୁଗ ଧରି ଅଗଣିତ ଢେଉ ଦୁନିଆର ବେଳାଭୂମିରେ ଭାଙ୍ଗି ଚୁନ୍‍ଚାନ୍‍ ହୋଇଯାଉଛି । ଫେର୍‍ ଧାଇଁଛି ଲହରୀ ତା’ ପଛକୁ ତା’ ପଛ, କେଉଁ ରହସ୍ୟାଚ୍ଛନ୍ନ ଦିଗ୍‍ବଳୟରୁ–ଫେନିଳ ଚଞ୍ଚଳ, ଗମ୍ଭୀର ପ୍ରଶାନ୍ତ, ଉନ୍ନତ ଉଦ୍ଧତ । ପ୍ରତ୍ୟେକ ପ୍ରତ୍ୟେକଠାରୁ ପୃଥକ୍‍, ଅଥଚ କି ନିବିଡ଼ ଐକ୍ୟର ବନ୍ଧନ ! କୋଟି କୋଟି ତରଙ୍ଗ ଅରଣ୍ୟ ମଧ୍ୟରେ ଆମର ଗତି; ଏଇ ଗତି ହିଁ ସତ୍ୟ, ଗତିରେ ହିଁ ଶକ୍ତିର ପ୍ରକାଶ–ଦ୍ରୂତରୁ ଦ୍ରୂତତମ ।

 

ଭ୍ରାମ୍ୟମାଣ ପୃଥିବୀ, ଭ୍ରାମ୍ୟମାଣ ଗ୍ରହନକ୍ଷତ୍ର, ଭ୍ରାମ୍ୟମାଣ ଜୀବଜନ୍ତୁ–ଚଞ୍ଚଳତାଠାରୁ ଚଞ୍ଚଳତର ହେବା ଲକ୍ଷ୍ୟ ଯେପରି ସମସ୍ତଙ୍କର । ଏକ ସ୍ଥିର ଗମ୍ଭୀର ସମୁଦ୍ର ମଧ୍ୟରେ ଭଙ୍ଗୁର ତରଙ୍ଗର ଏକ ଅଶାନ୍ତ ଉଦ୍ଦାମ ଚଞ୍ଚଳତା, ଏ ଲକ୍ଷ୍ୟହୀନ ସ୍ୱାର୍ଥନିବିଡ଼ ମୁଖରତା । କେବେ ଉଠିଥିଲା ସେଇ ଆଦି ତରଙ୍ଗ ? ଶେଷ ତରଙ୍ଗ ବା କେତେ ଦୂରରେ ? ଏକ ଅତୀତର କୁହୁଡ଼ି ମଧ୍ୟରେ, ଅନ୍ୟ ଭବିଷ୍ୟର ଅନ୍ଧକାର ମଧ୍ୟରେ; ମଝିରେ ଏଇ ଗତିଶୀଳ ବର୍ତ୍ତମାନ ଢଳି ଢଳି ଚାଲିଛି ଆଗକୁ–ଆହୁରି ଆଗକୁ । ଉଷାର ଉଦ୍‍ବୋଧନୀରେ ଖୋଲି ଖୋଲି ଆସୁଛି ଭବିଷ୍ୟର ରହସ୍ୟ ରାତ୍ରି–ବାଜୁଛି ତାର–ଐନ୍ଦ୍ରଜାଲିକ ପବନ ଶିଶୁକୁ କିଶୋର କରି, କିଶୋରକୁ ଯୁବକ କରି, ଯୁବକକୁ ବୃଦ୍ଧ କରି, ପକ୍ୱପତ୍ରକୁ ଫୁତ୍‍କାରରେ ଉଡ଼ାଇ ଉଡ଼ାଇ; ତଥାପି ଏଇ ଗତି ହିଁ ଜୀବନ । ନିଶ୍ଚଳତା ହିଁ ମୃତ୍ୟୁ-

 

ବାସ୍ତବିକ୍‍ ଜୀବନ ଏକ ଭ୍ରମଣ–ଅସରନ୍ତି ଭ୍ରମଣ–ଅଜଣା ଅଶୁଣା ଅସୀମ ରାଜ୍ୟକୁ ତାର ରାତି–ମୃତ୍ୟୁ ଜୀବନର ପୂର୍ଣ୍ଣଚ୍ଛେଦ ନୁହେଁ, ଅନନ୍ତ ଅଖଣ୍ଡ ଜୀବନର ଏକ କମା ମାତ୍ର ।

 

ପନ୍ଥା ଅନେକ, ଲକ୍ଷ୍ୟ ଏକ, ଚାଲିଛି ଦୁନିଆର ପରିବାର–କେଉଁ ଅଦୃଶ୍ୟ ହାତ ଘୂରାଇ ଦେଉଛି କାଳଚକ୍ର । ବସିଛନ୍ତି ଅଗଣିତ ମାନବ–ଶିଶୁବାଳକ, ବୁଦ୍ଧିଯୁବକ, କୃଷ୍ଣଗୌର, ସୁନ୍ଦର କୁତ୍ସିତ, ବ୍ରାହ୍ମଣ ଚଣ୍ଡାଳ, ଧନୀ ଦରିଦ୍ର–ଏଇ ଚକ୍ରରେ ବସି ଘୂରୁ ଘୂରୁ କିଏ କେତେବେଳେ ତଳେ ପଡ଼ି ଚିପି ଚକଟି ହୋଇଯାଇଛି–ହିସାବ ରଖିପାରୁନି ଇତିହାସ–ପୁରାତନ ଠେଲି ଠେଲି ହୋଇଯାଉଛି ପଛକୁ ପଛକୁ ନୂତନର ଚାପରେ ।

 

ଆମର ଆଜିର ଭ୍ରମଣ ସେଇ ଆଦିଅନ୍ତହୀନ, ଅପରିସୀମ, ଅପରିଶ୍ରାନ୍ତ ଭ୍ରମଣର ଏକ ଅଂଶ, ସେଇ ଭ୍ରମଣର ସୁଖ ଦୁଃଖର ଅନୁଭୂତି ନିବିଡ଼ ହୋଇଛି ଏଥିରେ ମଧ୍ୟ । ଏକ ତରଙ୍ଗରେ ବିପୁଳ ଅନୁଭବ, ଅସରନ୍ତି ଛନ୍ଦର ଆନନ୍ଦ ସ୍ପନ୍ଦନ–‘‘ଲଙ୍କା ଚଲୋ ।’’

 

ଏ ବର୍ଷ ଉତ୍ତର ଭାରତ ବା ପଶ୍ଚିମ ଭାରତ ଭ୍ରମଣ କଥା ସ୍ଥିର ହୋଇଥିଲା । ମୁଁ ଦୁଆ ଦେଲି ‘‘ଲଙ୍କା ଚଲୋ’’ ପାଗଳ କଳ୍ପନା, ଅନେକେ କଥାଟା ହସି ଉଡ଼େଇ ଦେଲେ । ମୁଁ ସହଜରେ ନିରାଶ ହୁଏ ନାହିଁ, ହେଲି ନାହିଁ । ଲଙ୍କା ନ ଗଲେ ଛାତ୍ରମାନଙ୍କ ସଙ୍ଗେ ଯିବି ନାହିଁ, କଲି ମନେ ମନେ ସଂକଳ୍ପ । ମନରେ ଆସିଥାଏ କିପରି ଏକ ପିଲାଳିଆ ଅଭିମାନ ।

 

ଆଜି ହଠାତ୍‍ ଏ କଣ ? ସମସ୍ତେ କହୁଛନ୍ତି ‘‘ଆମେ ଯିବୁ ସିଂହଳ ।’’ ଥଟ୍ଟା ? ନାଁ, ସତରେ ! ମୁଁ ଅବାକ୍‍; ଯାଦୁ ବିଦ୍ୟା ?

 

ଲଙ୍କା ! ଫକୀର ମୋହନ କଲେଜର ପିଲାମାନେ ଆଜି ଯେପରି ନାମଟା ନୂଆ କରି ଶୁଣିଲେ–ଏ ନିବୁଜ ପଥର ମନରେ ଏତେ ଆଗ୍ରହ, ଉତ୍ତେଜନା ପୋତା ମାରିଥିଲା କେଉଁଠି ? ଆକାଶ ମଲ୍ଲୀ ଫାଟିଲେ ଲାଲ୍‍ ନୀଳରଙ୍ଗର ଅଗ୍ନିବିନ୍ଦୁ ଯେପରି ଆକାଶରେ ବୁଣି ହୋଇଯାଏ, ସେହିପରି ଯୁବକମାନଙ୍କ ଅନ୍ତରର ଆନନ୍ଦ ଉତ୍ସାହ ବିଛୁଡ଼ି ହୋଇ ପଡ଼ିଲା ଚୌଦିଗକୁ ଆଲୋକିତ କରି । କେଉଁ ପୁରାଣ ଯୁଗର ସଂସ୍କୃତି ଭିତରେ କୁହାଟ ମାରିଲା–ଅତୀତ ଡାକିଲା ବର୍ତ୍ତମାନକୁ–ବର୍ତ୍ତମାନ ଅନ୍ତରରେ ସମସ୍ତ ଆଦର ଉତ୍ତେଜନା ଠୂଳ କରି ଅଭିନନ୍ଦିତ କଲା ଏଇ ନବୀନମାନଙ୍କୁ ।

ପୁରାଣ ପଣ୍ଡା କଥାଟା ହସରେ ଉଡ଼ାଇ ଦେଲା–‘‘ହେ, ୟାଙ୍କ ମୁହଁକୁ ଦେଖ, କଣ ନା ଇଏ ଯିବେ ଲଙ୍କା–ସାତ ସୋମୋଦ୍ର ଭିତରେ କୋଉଠି ସେ ଟାପୁ–ଅସୁରଙ୍କ ଘର–ବିଷ୍ଣୁ ଅବତାର ରାମ ଯାଇଥିଲେ ସେତୁ ବାନ୍ଧି–ପବନ ପୁଅ ହନୁ ଯାଇଥିଲା ଉଡ଼ି–ଆଉ ୟେ ? ହେଃ ! ଖାଲି ମାହାଳିଆ ପଡ଼ିଛି !’’

ରାକ୍ଷସମାନଙ୍କ ଦେଶ ଲଙ୍କା । ଭୀଷଣ ବିକୃତ ଅନାଚାରୀ ଅବିଚାରୀ ନରଭକ୍ଷସ ରାକ୍ଷସ ! ପୁରାଣ ପଢ଼ିଛୁ ଆମେ, ଇତିହାସ ପଢ଼ିନାହୁଁ; କାହାର କାହାର ମରହଟିଆ ବାପ ପ୍ରମାଦ ଗଣିଲେ, ମାଙ୍କ କଥା ଛାଡ଼ ! ଆସିଲା ଅଶ୍ରୁ ନିବେଦନ–କେହି କେହି ଅଟକି ବି ଗଲେ । ବାପା ମାଆଙ୍କୁ ନ କହି ଟଙ୍କା ପଇସା ଧାର ଉଧାର କରି ଅନେକେ ଲୁଚି ଚାଲି ଆସିଲେ । ଆଗ୍ରହ ସବୁ ବାଧାବିଘ୍ନ ଉପରେ ଜୟୀ ହେଲା ।

ଉଡ଼ରୋ ୱାଟ୍‍ କହିଛନ୍ତି, ‘‘ଭ୍ରମଣ ଚିତ୍ତ ପ୍ରଶସ୍ତ କରେ, କିନ୍ତୁ ଯେଉଁ ଭ୍ରମଣ ଅତି କ୍ଷିପ୍ର, ତାର ଉଦ୍ଦେଶ୍ୟ ପ୍ରାୟ ଚରିତାର୍ଥ ହୁଏ ନାହିଁ ।’’

ବାସ୍ତବିକ୍‍ ଦୁନିଆର ଅଜସ୍ର କ୍ଷିପ୍ରତା ମଧ୍ୟରେ ଆମର ଭ୍ରମଣ ଅତି କ୍ଷିପ୍ର, ପାଣ୍ଠି ଅଳ୍ପ, ସମୟ ସୀମାବଦ୍ଧ; ମାତ୍ର ୧୫ ଦିନ ମଧ୍ୟରେ ଭ୍ରମଣ ଶେଷ କରି ଫେରି ଆସିବାକୁ ହେବ । ବହୁ ମନୋହର ଦୃଶ୍ୟ, ଅନ୍ତର ବିନିମୟ କରିବାକୁ ଅବସର ନାହିଁ । ସ୍ୱପ୍ନାତୁର ଆଖିକି ବାଧ୍ୟ କରି ଓଟାରି ଆଣିଛି ନିଷ୍ଠୁର ବାସ୍ତବ ପରିସ୍ଥିତି । ସୁନ୍ଦର ପଦାର୍ଥରୁ ହଠାତ୍‍ ମନକୁ ଓଟାରି ନେଲେ, ତା ଭିତରେ ଖୋଳି ହୋଇଯାଏ କିପରି ଏକ କ୍ଷତ । ଲଙ୍କାରୁ ସେହି କ୍ଷତ ମନରେ ଘେନି ଫେରିଛୁ ଆମେ । ଆଜି ବର୍ଷକ ପରେ ବି ସେ ଦାଗ ନିଭି ନାହିଁ । ତା ସତ୍ତ୍ୱେ ଆମ ଭ୍ରମଣ ଯେ ଆଦୌ ବ୍ୟର୍ଥ ହୋଇନାହିଁ, ଏହା ନିଶ୍ଚିତ ।

୧୭/୦୨/୪୯ ସନ୍ଧ୍ୟା ଛ’ଟା, ମାଡ୍ରାସ୍ ମେଲ୍‍ ପହଞ୍ଚିଲା ବାଲେଶ୍ୱର ଷ୍ଟେସନରେ । ଆମରି ଲାଗି ସତେ କି ଅଣନିଶ୍ୱାସୀ ହୋଇ ଧାଇଁଛି । ତୃତୀୟ ଶ୍ରେଣୀ । ଭାଗ୍ୟକୁ ଗାଡ଼ି ଆଜି ବେଶୀ ଭିଡ଼ ନାହିଁ । ଗଣ୍ଠିଲି, ସୁଟକେସ୍‍ ସଜାସଜି କରି ଥୋଇ ବସି ପଡ଼ିଲୁ । କରୁଣ ମଧୁର ମୂର୍ଚ୍ଛନାରେ ଗାଡ଼ି ଷ୍ଟେସନଠାରୁ ବିଦାୟ ନେଇ ଚାଲିଲା । ନାନା ପ୍ରକାର ଗଳ୍ପ ଗୁଞ୍ଜନ ମଧ୍ୟରେ ଗୋଟିଏ ଛାତ୍ର ଗାଇଲା, ‘‘ଏକାକୀ ଆସିବ ନାହିଁ, ହେ ଋତୁରାଜ, ମଳୟକୁ ଆଣିଥିବ ସାଥେ ।’’ ଦୁଇଜଣ ଛାତ୍ରଙ୍କ ଭିତରେ ଚାଲିଥାଏ ଶୁଷ୍କ ଲାଭକ୍ଷତି ହିସାବ କିତାପ । ଜଣେ ଫେରିବାଲା ଡବା ଭିତରେ ଡାକ ପକାଉଥାଏ ମଝିରେ ମଝିରେ ‘‘ବାବୁ ବିସ୍‍କୁଟ୍‍ ।’’ ଅନ୍ଧ ପିଲାଟିଏ ଭିକ ମାଗୁଥାଏ, ‘‘ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ।’’ ଏ ସବୁ ଭିତରେ ଆଖିକି ଓହ୍ଲେଇ ଆସିଲା ନିଦ । ଶୀତ ଦିନ । ତଳେ ଉପରେ ଖୁନ୍ଦାଖୁନ୍ଦି ହୋଇ କୌଣସି ମତେ ଶୋଇ ପଡ଼ିଲୁ ।

ନିଜ ଭାଜିଲା ଚିଲିକାର ଚନ୍ଦ୍ରିକା ମଝିରେ–ଏକ ବିରାଟ ରୂପାର ମୂକୁର ପରି ମାଜି ହୋଇ ଚିଲିକା ଚନ୍ଦ୍ରିକାରେ ଚିକ୍‍ଚିକ୍‍ ଶୁଥାଏ । ଦ୍ୱୀପ ବନ ଗିରିମାଳାରେ କୁହୁଡ଼ି ଉଡ଼ି ବୁଲୁଥାଏ, ପ୍ରାଗ୍‍ଐତିହାସିକ ଯୁଗର ଏକ ଅଦ୍ଭୂତ ଜୀବ ପରି । ଆକାଶରେ ଛିଣ୍ଡଛିଣ୍ଡା ମେଘ ମଧ୍ୟରେ ଚୁନ୍‍ଚୁନ୍‍ ତାରା, ଢେଉରେ ତାରାର ଛାଇ, ଭସ୍ମରେ ଅଗ୍ନିବିନ୍ଦୁ ପରି କୁହୁଡ଼ିରେ ଖଦ୍ୟୋତ ମନକୁ କି ରହସ୍ୟମୟ ଭାବରେ ରସସିକ୍ତ କରି ଦେଉଥାଏ ।

ଦିନ ପ୍ରାୟ ୧୧ଟା ବେଳକୁ ଗାଡ଼ି ପହଞ୍ଚିଲା ବିଶାଖାପାଟଣା ଷ୍ଟେସନରେ । ବାଲେଶ୍ୱରରୁ ବିଶାଖାପାଟଣା ୪୦୩ ମାଇଲ୍‍ ଦୂର ।

 

ଜିନିଷପତ୍ର ଗୋଟିଏ ଝଟକାରେ ବୋଝେଇ କରି ସମସ୍ତେ ତା’ ପଛେ ପଛେ ଚାଲିଲୁ । ବିଶାଖାପାଟଣା ସହରର ଚତୁର୍ଦ୍ଦିଗରେ ପାହାଡ଼; ପାହାଡ଼ ଉପରେ ସୁନ୍ଦର ସୁନ୍ଦର କୋଠାଘର ତୋଳା ହୋଇଛି । ଧାଡ଼ିକି ଧାଡ଼ି ତାଳବଣ । ତାଳପତ୍ରର ଗୋଲେଇ ଘର, ତାଳ ରୁଅ, ତାଳ ଶେଣି ଓ ତାଳ ଓରାରେ ତିଆରି; ଉପରେ ବି ଛପର ହୋଇଥାଏ ତାଳପତ୍ର । ତାଳପତ୍ରରେ ମାଠିଆ କରି ଜଣେ ସ୍ତ୍ରୀଲୋକ କୂଅରୁ ପାଣି କାଢ଼ୁଥାଏ । ପାଣିକଳ ପାଖେ ଭାରି ଭିଡ଼ । ଶହ ଶହ ଗରା ଥୋଇ ମାଇପେ ଅପେକ୍ଷା କରିଥାନ୍ତି ପାଣି ନେବାକୁ । ବେଳେ ବେଳେ କିଏ ପଛରେ ଆସି ଆଗରେ ପାଣି ନେଲେ ଝଗଡ଼ା ବି ଜମି ଯାଉଥାଏ । ପ୍ରାୟ ସବୁ ସ୍ତ୍ରୀଙ୍କ ମୁଣ୍ଡରେ ପେନ୍ଥା ପେନ୍ଥା ଫୁଲ, ଗାଉଁଲୀମାନଙ୍କ ମୁହଁରେ ହଳଦି ଛାପ ।

 

ଛକ୍ରମରେ ଯାତ୍ରୀ ଭରା–ମାଲିମକଦମାବାଲା, ମାମଲତକାର ଟାଉଟର ସବୁ ଯୁଟିଛନ୍ତି ସେଠି; ଆଉ ଯେଉଁଠିକି ଯିବେ ଭଡ଼ା, ମାଲିମକଦମାରେ ଯେ କାହାଣ କାହାଣ ମିଛ ଅଭ୍ୟାସ କରିଛନ୍ତି, ଏଠି ଯାତ୍ରୀ ବୋଲି ପଦେ ମିଛ କହିବା କିବା କଥା । ସୁବିଧାବାଦୀ ମଣିଷ ଟିକିଏ ସୁବିଧା ପାଇଲେ ଆଉଜି ପଡ଼େ, ଭଲମନ୍ଦ ବାଛବିଚାର ନ ଥାଏ । ହା-ହତାଶ ! ଏଇ ଉଦ୍ଦେଶ୍ୟରେ ୩ ମାଇଲ ବାଟ ଚାଲି ଚାଲି ଆସିଥିଲୁ । ମନ୍ମଥବାବୁ ହୋଟେଲ ବୁଝି ଗଲେ; ଜଣେ ତେଲଙ୍ଗା ଭଦ୍ରଲୋକଙ୍କୁ ଦେଖି ପଚାରିଲି, ‘‘ଏଠି ରହିବା ସୁବିଧା କଣ ?’’

 

ଲୋକଟି ଦେଖିବାକୁ ମୋଟାସୋଟା–ଚିକ୍‍କଣ କଳାବର୍ଣ୍ଣ, ଚନ୍ଦାମୁଣ୍ଡ–ଚକା ଥାଳୀପଟପରି ମୁହଁ–ରୁକ୍ଷ ସୌନ୍ଦର୍ଯ୍ୟ ମଧ୍ୟରେ ସ୍ନେହସହାନୁଭୂତି ଯେପରିକି ଅନ୍ତଃସଳିଳା ଫଲ୍‍ଗୁ ପରି ପ୍ରବାହିତ । ଭଦ୍ରଲୋକ ପଦେ କଥାରେ ଆମକୁ ନିଜର କରିନେଲେ । ଆମ ପରିଚୟ ପାଇ ଆମକୁ ରଖିନେଲେ ଦୁଇ ମହଲା କୋଠାର ଏକ ବଡ଼ ହଲରେ । ଆମ ସକାଶେ ସ୍କୁଲ ହୋଇଗଲା ସହଳ ସହଳ ଛୁଟି । ନିଜ ଘର ପରି ରହିଲୁ ସେଠି ନିଃସଙ୍କୋଚରେ ।

 

ଭଦ୍ରଲୋକଙ୍କ ନାମ କେ.ଭି. ରାଓ । ବୟସ ୫୦ ପାଖାପାଖି । ପିଲାଦିନ ବଡ଼ ଦହଗଞ୍ଜରେ କଟିଛି–ସବୁ ଗରିବ ପିଲାଙ୍କର ଯେପରି ହୁଏ; ଟିଉସନ୍‍ ଭରସା କରି ବି.ଏ. ଓ ଓକିଲାତୀ ପାସ୍‍କଲେ; ଚାକିରୀ ଆଡ଼କୁ ମନ ବଳିଲା ନାହିଁ । ଅଳ୍ପ ମୂଳଧନରେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କଲେ, ଲହୁ ଲୁହାଣ ପରିଶ୍ରମ–ବଡ଼ ଉଠାଣି ପକାଣି ରାସ୍ତା–ଲୋଡ଼ା ସାହସ, କୌଶଳ, ଦୁରଦୃଷ୍ଟି । ମିଃ ରାଓଙ୍କର ସବୁ ଥିଲା । ତେଣୁ ଲକ୍ଷ୍ମୀ ଆସିଲେ ତାଙ୍କ ଘରକୁ–ସେ ହେଲେ ଲକ୍ଷପତି, ଭାଗ୍ୟ ଉପରେ ବିଶ୍ୱାସ କରି ନୁହଁ, ନିଜେ ନିଜର ଭାଗ୍ୟ ଗଢ଼ି । କୋଠାବାଡ଼ି ବହୁତ–ଚାରିଆଡ଼େ ହସୁଛନ୍ତି ଲକ୍ଷ୍ମୀ ।

 

ଲକ୍ଷ୍ମୀଙ୍କର ଏହି ବରପୁତ୍ର ବର୍ତ୍ତମାନ ଏହି ନିମ୍ନ ପ୍ରାଥମିକ ସ୍କୁଲର ଅବୈତନିକ ହେଡ଼ମାଷ୍ଟର–ସ୍କୁଲଟି ପ୍ରଥମେ ସେ ଆରମ୍ଭ କରି ନିଜ ଖର୍ଚ୍ଚରେ ଚଳାଉଥିଲେ; ବର୍ତ୍ତମାନ ଆଂଶିକ ସରକାରୀ ସାହାଯ୍ୟ ମିଳୁଛି । ବ୍ୟବସାୟ ଜଞ୍ଜାଳ ପୁଅମାନଙ୍କ ହାତରେ ଛାଡ଼ିଦେଇ ନିଜେ କେବଳ ହିସାବପତ୍ର ବୁଝନ୍ତି । ନିରାଡ଼ମ୍ୱର ଜୀବନ ଭିତରେ ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼େଇବା ତାଙ୍କର ଏକ ବିଳାସ । ଭଲ କାମରେ ପଇସା ଖର୍ଚ୍ଚ କରିବା ତାଙ୍କର ଏକ ଝୁଙ୍କ । ଏ ଦେଶରେ ଧନୀ ବୋଇଲେ ପ୍ରାୟ ଅଳସ, ବିଳାସୀ, ଗର୍ବୀ, ଅର୍ଥଲୋଭୀ, ସ୍ୱାର୍ଥପର ବ୍ୟକ୍ତିଙ୍କି ବୁଝାଇଥାଏ । ରାଓଙ୍କ ନିକଟରେ କୌଣସି ବିଶେଷଣଟି ପ୍ରଯୁଜ୍ୟ ନୁହେଁ । ତେଣୁ ସମଗ୍ର ବିଶାଖାପାଟଣାରେ ବର୍ତ୍ତମାନ ସେ ଜଣେ ସମ୍ମାନାର୍ହ ବ୍ୟକ୍ତି । ବିପଦରେ ପଡ଼ିବ ପରୁଆ ନାହିଁ, କିନ୍ତୁ ଏଇପରି ଲୋକଙ୍କର ହାବୁଡ଼ରେ ପଡ଼ିବ ।

 

ନିମ୍ନପ୍ରାଥମିକ ସ୍କୁଲ ବୋଇଲେ ଓଡ଼ିଶାରେ ଯାହା ବୁଝାଏ, ବିଶାଖାପାଟଣାରେ ପ୍ରାୟ ସେଇଆ ବୁଝାଇଲେ ବି ସ୍କୁଲର ବିରାଟତା ଦେଖି ଅବାକ୍‍ ହୋଇଗଲି; ସ୍କୁଲ ଗୃହ ଏକ ବିରାଟ ସୌଧ, ଛାତ୍ରଛାତ୍ରୀ ସଂଖ୍ୟା ୧୦୦୦, ଶିକ୍ଷକ ୩୦ ଜଣ । ପ୍ରତି ଶ୍ରେଣୀରେ ୪, ୫ଟି କରି ସେକ୍‍ସନ୍‍–ଆମ ପ୍ରଦେଶର ଯେ କୌଣସି ହାଇସ୍କୁଲ ଅପେକ୍ଷା ଉକ୍ତ ପ୍ରାଥମିକ ସ୍କୁଲ ବଡ଼ ।

 

ସ୍କଲୁରେ ଆମର ରହିବାର ବନ୍ଦୋବସ୍ତ କରି ବିଶାଖାପାଟଣା ସହର ଦେଖାଇବା ଲାଗି ରାଓ ଆମ ସଙ୍ଗରେ ଜଣେ ଲୋକ ପଠାଇଲେ । ପ୍ରଥମେ ବନ୍ଦର ଦେଖିଗଲୁ, ପିଚୁଢ଼ଳା ରାସ୍ତା ବଡ଼ ସଫା ସୁତୁରା, ଗାଡ଼ି ଘୋଡ଼ା ଗହଳ ନାହିଁ, ଲୋକ ଗହଳ ବି ନାହିଁ, ଦି ପାଖେ ସବୁଜ ଗଛଲତା, ବହଳ ଛାଇ, ଗଛ ଦେଉଛନ୍ତି ପତର ଝଡ଼ା–ଝରାପତ୍ରର ଖଳ ଖଳ, ଚୋରା ମଳୟର ମନଉଛୁଳା ମର୍ମର ଗଜେଇ ଦେଉଥାଏ କବିତା । ବାଜି ଉଠୁଥାଏ ହୃଦୟ କେତେ ସ୍ୱରରେ ଦୁନିଆର ଛନ୍ଦ ସଙ୍ଗେ ଛନ୍ଦ ମିଶାଇ, ରୋମାଞ୍ଚକର ମୁହୂର୍ତ୍ତରେ ସେହି ରାଗିଣୀ ଅତି ଅପୂର୍ବ, ଅତି ଅନବଦ୍ୟ ।

 

ବିଶାଖାପାଟଣା ସହରଟି ପ୍ରାଚୀନ ଧରଣର, ଗଛଲତାର ବହଳ ସବୁଜ ଭିତରେ ମୁଣ୍ଡ ଟେକିଚି ଗୋଟିଏ ଗୋଟିଏ ବଡ଼ ବଡ଼ କୋଠା–ଧଳା ବଉଦ ଓହ୍ଲେଇପଡ଼ି ଘମେଇ ପଡ଼ିଚି ଯେମିତି-

 

ତାଳପତ୍ର ଛପର ଛୋଟ ଛୋଟ ଘର ନଉ ବର୍ଷର ବୁଢ଼ା ପରି ନଇଁ ଆସିଚି ତଳକୁ ତଳକୁ–ବସି ବସି ପଶିବାକୁ ହୁଏ–ଦୁଆରେ ଲାଗିଚି ତାଳପତ୍ରର ତାଟି–ଭିତରେ ଅନ୍ଧାର ଗୁମସୁମ୍‍, ହାଉଆ ପଶିବା ମନା । ସର୍ବହରାର ନୀଡ଼ ଏ–ହାଡ଼ଭଙ୍ଗା କାମରୁ ଝାଳନାଳ ହୋଇ ଫେରି ଏଇଠି ମୁଣ୍ଡ ଗୁଞ୍ଜି ପଡ଼ିଯାଏ–ନିଦର ପରଦା ଖସିଆସେ । ତଟକା ଦେହରେ ଫୁଟା ମନରେ ଫେର୍‍ ଯାଏ କାମକୁ ନିତି ସକାଳୁ ।

 

ଅଫିସ ଡିରେକ୍‍ଟରଙ୍କଠାରୁ ଅନୁମତି ନେଇ ପୋତାଶ୍ରୟ ଦେଖିଗଲୁ । ବିଶାଖାପାଟଣା ବନ୍ଦର ପାଶ୍ଚାତ୍ୟ ସ୍ଥପତିବିଦ୍ୟାର ଏକ ଅପୂରବ ନିଦର୍ଶନ । ସମୁଦ୍ର ଗର୍ଭରୁ ଦୁଇଟି ପର୍ବତମାଳା କ୍ରମୋନ୍ନତ ଭାବେ ଭୂମିଆଡ଼କୁ ଲମ୍ୱିଯାଇଛି । ତା ମଧ୍ୟରେ କୃତ୍ରିମ ଉପାୟରେ ଜଳ ପ୍ରବେଶ କରା ହୋଇଛି । ଉପତ୍ୟକାର ପ୍ରସାର ୧୦୦ ରୁ ୧୫୦ ଫୁଟ ମାତ୍ର । ଲମ୍ୱ ପ୍ରାୟ ଅଧ ମାଇଲ୍‍ ହେବ । ଦୁଇ ପର୍ବତ ମଧ୍ୟରେ କାକଚକ୍ଷୁ ନିଥର ଜଳରାଶି–ଏଠି ତରଙ୍ଗର ଆଲୋଡ଼ନ ନାହିଁ । ନିର୍ବିଘ୍ନରେ ଜାହାଜମାନେ ଆଶ୍ରୟ ଗ୍ରହଣ କରନ୍ତି । ଏକ ସମୟରେ ୪/୫ ଜାହାଜରୁ ବେଶୀ ରହିପାରିବ ନାହିଁ-। କେଉଁଟିରେ ଜିନିଷପତ୍ର ଚଢ଼ା ହେଉଛି, କେଉଁଟିରୁ ମାଲ କଢ଼ା ହେଉଛି ।

 

ରେଳଗାଡ଼ି ଓ ଜାହାଜର ହର୍ଣ୍ଣ ଶବ୍ଦ, ଯାତ୍ରୀ ଓ ଖଲାସୀମାନଙ୍କ କୋଳାହଳରେ ଏହି ସ୍ଥାନ ମୁଖରିତ । ହାଲିଫାକ୍‍ସ ଜାହାଜରେ ଚଢ଼ି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କ ଯାତ୍ରା ବ୍ୟବସ୍ଥା, ସ୍ନାନାଗାର, ଡକ୍‍, ଜିନିଷପତ୍ର ଓହ୍ଲାଓହ୍ଲି କୌତୂହଳର ସହିତ ଦେଖିବାକୁ ଲାଗିଲୁ । ଅଦୂରରେ ସିନ୍ଧିଆ ଜାହାଜ ତିଆରି କାରଖାନା । ସ୍ୱାଧୀନ ଭାରତର ପ୍ରଥମ ଯାତ୍ରୀ ଜାହାଜ ‘ଜଳଉଷା’ ତିଆରି ସରିଥାଏ, ‘ଜଳପ୍ରଭା’ କାମ ଅଧାଅଧି ହୋଇଥାଏ । କେତେକ ଜାହାଜର ମରାମତି କାମ ଚାଲିଥାଏ, କେତେକ ଜାହାଜର ତଳେ ରଙ୍ଗ ଦିଆ ହେଉଥାଏ । ଆକାଶ ଫିକା ପଡ଼ି ଆସିଲାଣି । ସନ୍ଧ୍ୟାର ଅଭିନନ୍ଦନ ଲାଗି ଲାଗିଛି ଉଦଯୋଗୀ ବଉଦମାନଙ୍କର ଆୟୋଜନ ।

ବିଶାଖାପାଟଣା ପର୍ବତ ଶୀର୍ଷରେ ଗୋଟିଏ ମସ୍‍ଜିଦ୍‍–ତାଜ୍‍ଆକୃତି–ରକ୍ତାଭ କିରଣରେ ସେହି ପର୍ବତର ସୁବର୍ଣ୍ଣ ମୁକୁଟ ପରି ଶୋଭା ପାଉଥାଏ । ପାହାଡ଼ ଉପରକୁ ରକ୍ତବର୍ଣ୍ଣର ସର୍ପାକାର ବକ୍ରପଥ । ଖିଲାଣ ବୁଲା ପାହାଡ଼ମାଳାର ରଣ କୁହୁଡ଼ି ଭିତରେ ଦିହୁଡ଼ି ପରି ପହଁରି ଯାଉଥାଏ ଖିଆଲୀ ମେଘ, ତରୁଣ-ଜୀବନ ପ୍ରେମ-ସ୍ୱପ୍ନରେ ଆତ୍ମହରା ହୋଇ ଭାସିଗଲା ପରି । କ୍ଷଣକ ମଧ୍ୟରେ ଆକାଶର କେତେ ପରଦା ଉଠିଲା, ପଡ଼ିଲା–ପାହାଡ଼ୀ ରଙ୍ଗମଞ୍ଚରେ ହୋଇଗଲା କେତେପ୍ରକାର ଅଭିନୟ । ଦର୍ଶକ କାହାନ୍ତି ?

ଆଜିର ମଣିଷ ବଡ଼ ଜଞ୍ଜାଳୀ: ପେଟ ଆରାଧନା ମନ ଆରାଧନାକୁ ବଳି ପଡ଼ିଛି–ପ୍ରକୃତି ଦର୍ଶନ ହୋଇଛି କେତେଜଣ ଅଳସଲୋକଙ୍କର ସଉକ୍‍ । ପ୍ରକୃତିକୁ କରଛଡ଼ା ଦେଇ ଆଜିର ମଣିଷ ହୋଇଛି ବିକୃତ–ସେ ଯେପରିକି ବିଧାତାର ସୃଷ୍ଟି ନୁହେଁ, ଆପେ ସୃଷ୍ଟି କରିଛି ଆପଣାକୁ–ତେଣୁ ତାର କ୍ଷୁଦ୍ର ସଂସାର ନେଇ ସେ ରହିଛି ବ୍ୟସ୍ତ: ପ୍ରକୃତିର ସୌନ୍ଦର୍ଯ୍ୟ ସହିତ ତାର କି ସମ୍ପର୍କ ରହିଛି ?

କୋଟ୍‍ ପ୍ୟାଣ୍ଟ ପିନ୍ଧି କେତେ ବାବୁ ଚାଲିଛନ୍ତି । କେହି ଚାହୁଁ ନାହାନ୍ତି ଟିକିଏ ପର୍ବତମୟ ଦିଗ୍‍ବଳୟର ଗୋଧୂଳି ଶ୍ରୀକୁ । ନିଜ ଭିତରେ ନିଜକୁ ହଜାଇ ଆଜି ଲୋକେ ହୋଇଛନ୍ତି କ୍ଷୁଦ୍ର । କବିଙ୍କ ଭର୍ତ୍ସନା ଯଥାର୍ଥ–

‘‘What is life if full of care

There is no time to stand and stare’’

ଗ୍ରାହକ ଅଭାବରୁ ପ୍ରକୃତିର ଏତେବଡ଼ ସୌନ୍ଦର୍ଯ୍ୟ ଆଜି ଯେପରି ବ୍ୟର୍ଥ ହୋଇଗଲା । ସେଥିଲାଗି ଅନ୍ଧାର ଓଢ଼ଣା ଭିତରେ ଘୋଡ଼େଇ ଦେଲା ସେ ନିଜର ମୁହଁ–କାରଣ ‘ବେରସିକେଷୁ ରସସ୍ୟ ନିବେଦନଂ.......

ସମୁଦ୍ର କୂଳେ ବୁଲାବୁଲି କରି ରାତି ୯ଟା ବେଳେ ହୋଇଟେଲକୁ ଖାଇବାକୁ ଗଲୁ । ହୋଟେଲ ସାମ୍ନାରେ ସମୁଦ୍ର ଲହଡ଼ି ଉଛୁଳୁଥାଏ–ଖାଦ୍ୟ ରାଗୁଆ ହେଲେ ବି ରୁଚିକର । ଗୋଟିଏ ମିଲ୍‍କୁ ବାରଅଣା । ଭଲ ।

ସକାଳୁ ସିଂହାଚଳ ବା ସୀମାଚଳ ଦେଖିଯିବା କଥା ସ୍ଥିର ହୋଇଥାଏ । ବିଶାଖାପାଟଣା ସମୁଦ୍ର କୂଳରେ ସୂର୍ଯ୍ୟୋଦୟ ଦେଖିବା ଲାଗି ମନରେ ଜାଗିଲା ଆକାଂକ୍ଷା । ରାତି ୪ ଟାରୁ ଉଠି କେତେକ ଛାତ୍ରଙ୍କ ସହିତ ସମୁଦ୍ର କୂଳର ଗୋଟିଏ ବାଲିବନ୍ତ ଉପରେ ଆସି ବସିଲି । ପ୍ରଭାତି ଉଠି ଆସୁଥାଏ–ସୁଦୂର ଦିଗ୍‍ବଳୟର ଜାହାଜ ଆଲୋକ ଓ ତାରା ଦିଶୁଥାନ୍ତି ଠିକ୍‍ ଏକାପରି । ବନ୍ଦରରେ ସ୍ଥାନାଭାବରୁ ବୋଧେ ଜାହାଜଟି ଅପେକ୍ଷା କରି ରହିଥାଏ ଦୂରରେ । ବନ୍ଦର ଛାଡ଼ି ଗୋଟିଏ ଷ୍ଟିମାର୍‍ ଗୁମ୍‍ଗୁମ୍‍ ଶବ୍ଦ କରି ଧୀରେ ଧୀରେ ଗତି କରୁଥାଏ । ଗତିଶୀଳ ଆଲୋକମାଳା ନିଦ୍ରିତ ତରଙ୍ଗ ମଧ୍ୟରେ ବୁଣିଦେଇ ଯାଉଥାଏ ଲୋହିତ ସ୍ୱପ୍ନରାଶି । କୂଳରେ ବତୀଘର ଆଲୋକ ବୁଲୁଥାଏ–କୂଳରୁ ଅଳ୍ପଦୂର ଛାଡ଼ି ଗୋଟିଏ ପାର୍ବତୀୟ ଦ୍ୱୀପ–କୂଳର ଜଳ ଅଗଭୀର–ପ୍ରତି ମୁହୂର୍ତ୍ତରେ ବିପଦ ଆଶଙ୍କା–ଟିକିଏ ଅସାବଧାନ ହେଲେ ଜାହାଜ ପର୍ବତରେ ବାଜି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବ । ତେଣୁ ପ୍ରତି ପୋତର ଗତି ଏଠାରେ ମନ୍ଥର । ଦ୍ୱୀପର ଆଲୋକମାଳା ହଠାତ୍‍ ନିଭିଯାଉଛି, ନାବିକର ଦୃଷ୍ଟି ଆକର୍ଷଣ କରିବା ଲାଗି ଫେର୍‍ ଜଳି ଉଠୁଛି–ନିଭୁଛି ଜଳୁଛି–ପୁଣି ପୁଣି; ସାଗର ଢେଉରେ ସୁପ୍ତ ଶ୍ରାବଣ ବାଦଲର ବିଦ୍ୟୁତ୍‍ ଶିଖା ପରି ।

ସାମୁଦ୍ରିକ ପକ୍ଷୀର କୋଳାହଳ ଶୁଣାଗଲା । ଜାଙ୍ଗୁଲୁ ଜାଙ୍ଗୁଲୁ ରାତି । ଆକାଶରେ ଅଳ୍ପ ଅଳ୍ପ ପାଣ୍ଡୁର ରଙ୍ଗ ମୁରୁକି ହସିଲା–କ୍ରମେ ଉଜ୍ୱଳତର ହୋଇ ଆକାଶ ହେଲା ସିନ୍ଦୁରିତ । ପୋତମାଳାର ଆଲୋକ ନିଷ୍ପ୍ରଭ ହେଲା । ଅରୁଣ ସପ୍ତାଶ୍ୱରଥ ସମୁଦ୍ର ଢେଉରେ ଛୁଟାଇ ଆକାଶ ଆରୋହଣ କଲେ । ନୀଳାଭ ଦିକ୍‍ଚକ୍ରରେ ନିର୍ମିତ ଏକ ତେଜୋମୟ ପିଣ୍ଡ–ଏକ ଆଲୋକ ସ୍ତମ୍ଭ–ସଚଳ ଚଞ୍ଚଳ, ସମୁଦ୍ର ରକ୍ତାକ୍ତ, ଆକାଶ ରକ୍ତାକ୍ତ, ସୂର୍ଯ୍ୟ ମୁହୂର୍ତ୍ତେ ଉଭୟର ସଂଯୋଜକ ହୋଇ ରହିଲେ । ତାପରେ–

 

‘‘ଖୁରାରୁ ଚଷକ ଝଟତି ଅଲଗା

ହୋଇଗଲେ ଯଥା ଦିଶେ

ସେହିପରି ରବି ନୀର ଶଯ୍ୟା ତେଜି

ଉଠିଲେ ନଭେ ନିମିଷେ ।’’

 

ଶୀଘ୍ର ସିଂହାଚଳ ଯିବାକୁ ହେବ । ଝଟକାବାଲା କୁହାଟ ମାରୁଛି । ସ୍ୱପ୍ନ ଭାଙ୍ଗିଗଲା । ତିନୋଟି ଝଟକା । ପ୍ରତ୍ୟେକରେ ୫ ଜଣ କରି ବସିଲୁ । ତିନୋଟିଯାକ ଝଟକାବାଲା ନବ ଯବାନ–ମଦ ପିଇ ମସ୍‍ଗୁଲ୍‍–ଆଖି ଲାଲ୍‍ ଲାଲ୍‍, ଟୁଳୁଟୁଳୁ । ଲାଗିଲା ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା–ଜଣକୁ ଜଣେ ଟପିଯିବା ଲାଗି ଆପ୍ରାଣ ଉଦ୍ୟମ–ରା–ରା–ରା–ଖଳ୍–ଖଳ୍‍–ପିଚ୍‍–ପିଚ୍‍–ପିଚ୍‍ । ଯେତେ କହିଲେ ଶୁଣୁ ନାହାନ୍ତି–ଖାଲି ତୁହାକୁ ତୁହା ହସ । ଘଣ୍ଟାକେ ୨୦ ମାଇଲ୍‍ ସ୍ପିଡ୍‍; ଆକ୍‍ସିଡେଣ୍ଟ !

 

‘‘ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ।’’ କାଳତୁଣ୍ଡା ଆମେ, ଆକ୍‍ସିଡେଣ୍ଟକୁ ଡାକିଲୁ, ଆକ୍‍ସିଡେଣ୍ଟ ଆସିଲା । ଆବଖାବଡ଼ିଆ ରାସ୍ତାରେ ଗୋଟିଏ ଘୋଡ଼ା ଝୁଣ୍ଟି କଚାଡ଼ି ହୋଇ ପଡ଼ିଲା । ଥୋମଣି ମାଡ଼ିବସିଲେ; ଘୋଡ଼ା ଘଡ଼ିକେ ଝାଡ଼ିଝୁଡ଼ି ହୋଇ ଉଠିଲା । ଛାତ୍ରମାନେ ଛିନ୍‍ଛତର୍‍ ହୋଇ ପଡ଼ି ଖଣ୍ଡିଆଖାବରା ହେଲେ । ଝଟକାବାଲାକୁ ବହକ ଶୋଧୁଲୁ । ସେ ଆମ ଭାଷା ବୁଝୁ ନ ଥାଏ । ଖାଲି ନିର୍ବୋଧ ପରି ହସୁଥାଏ । ଗାଳି ଦେଇ କି ଲାଭ ?

 

କୋହଲା ପବନରେ ମଞ୍ଚ ଥରି ଉଠୁଥାଏ । ସିଂହାଚଳରେ ପ୍ରାୟ ୮ଟା ବେଳେ ପହଞ୍ଚିଲୁ-। ବିଶାଖାପାଟଣାରୁ ସିଂହାଚଳ ୭ ମାଇଲ୍‍ଦୂର । ପକ୍‍କା ପାହାଡ଼ିଆ ରାସ୍ତା । ଗଡାଣି ଉଠାଣି ବହୁତ । ପାହାଡ଼ ପାଖେ ପାଖେ ଝଟକା ଚାଲିଥାଏ । କଲ୍‍ମୀ ଆମ୍ୱ ଓ କମଳାର ତୋଟା । ପାହାଡ଼ ଉପରେ ସ୍ଥାନେ ସ୍ଥାନେ ‘ପୋଡ଼ୁ’ ଚାଷ ହୋଇଥାଏ–ତଳ ଉପତ୍ୟକାରେ ସବୁଜ ଡାଳୁଅ ଖେତ । ପ୍ରତି ଝଟକାକୁ ୩ ଟଙ୍କା କରି ଭଡ଼ା ପଡ଼ିଲା । ବିଶାଖାପାଟଣାରୁ ସିଂହାଚଳକୁ ରେଳରେ ଯିବାର ସୁବିଧା ଅଛି । ଷ୍ଟେସନ୍‍ରୁ ସିଂହାଚଳ ୩ ମାଇଲ ଦୂର; ଚାଲିବାକୁ ପଡ଼େ । ଏ ଯୁଗରେ ଚାଲୁଚି କିଏ ? ହାଟକୁ, ମେଳଣକୁ ଚାଲିଚି ଗାଡ଼ି; ତୀର୍ଥ ସ୍ଥାନକୁ ଚାଲିଯିବା କେହି ପୁଣ୍ୟ ମନେ କରୁ ନାହାନ୍ତି; ମାଇଲିଏ ଚାଲିଲେ ପାଦ ଥକି ଯାଉଛି, ବିଶେଷତଃ ଶ୍ରମକୁଣ୍ଠ ବାବୁମାନଙ୍କର; ତେଣୁ ବିଶାଖାପାଟଣାରୁ ଝଟକାରେ ଯିବା ବ୍ୟବସ୍ଥା ହୋଇଥିଲା ।

 

ସିଂହାଚଳ–

 

ସିଂହାଚଳ ପାର୍ଶ୍ୱବର୍ତ୍ତୀ ପର୍ବତମାନଙ୍କ ମଧ୍ୟରେ ଉଚ୍ଚତମ । ଏହାର ଉଚ୍ଚତା ୮୦୦ ଫୁଟ୍‍ । ଏଥିରେ ୧୨୨ଟି ସୋପାନ ଅଛି । ଧର୍ମପ୍ରାଣା ରାଣୀ ଅହଲ୍ୟା ବାଈ ବହୁ ଅର୍ଥ ବ୍ୟୟ କରି ପର୍ବତ ଆରୋହଣର ସୁବିଧା ଲାଗି ଏହି ସୋପାନଗୁଡ଼ିକ ନିର୍ମାଣ କରାଇଥିଲେ । ପ୍ରତ୍ୟେକ ସୋପାନ ଯଥେଷ୍ଟ ଦୀର୍ଘ ଓ ପ୍ରଶସ୍ତ । ୧୦/୧୨ଟି ସୋପାନ ଅତିକ୍ରମ କଲାପରେ ପଦ ସଳଖ କରି ଚାଲିବା ଲାଗି ଗୋଟିଏ ସୁପ୍ରଶସ୍ତ ସୋପାନ କରାଯାଇଅଛି । ଏହିଠାରେ ବିଶ୍ରାମ ନେବାକୁ ହୁଏ । ତେଣୁ ସିଂହାଚଳକୁ ଉଠିଲେ ବେଶୀ ବାଧେ ନାହିଁ । ସୋପାନର ପାଶେ ପାଶେ ଗୋଟିଏ ଝରଣା ପାହାଡ଼ ଶିଖରୁ କଳକଳନାଦରେ ଝରି ଆସୁଛି । ଝରଣା କୂଳେ କୂଳେ ଅନେକ ପିଜୁଳି, ଆତ, କଦଳୀ, ସପୁରୀ, ପଣସ, ନଡ଼ିଆ ଓ ଆମ୍ୱଗଛ । କୌଣସି କୌଣସି ସ୍ଥାନରେ ଝରଣା ସୃଷ୍ଟି କରିଛି ଛୋଟ ଜଳପ୍ରପାତ । ‘ପିଚିକା’ ଓ ‘ଆକାଶଧାରା’ ନାମରେ ଏଠାରେ ଦୁଇଟି ଝରଣା ପ୍ରବାହିତ; ପାହାଡ଼ର ଊର୍ଦ୍ଧ୍ୱଭାଗରେ ଏମାନଙ୍କର ନାମ ‘ବେକ୍ରବତୀ’ ଓ ‘ବେଗବତୀ’ । ଝରଣା ଏ ସ୍ଥାନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି ।

 

ହିନ୍ଦୁର ସବୁ ତୀର୍ଥ ପ୍ରାୟ ସୁଦୃଶ୍ୟ ସ୍ଥାନରେ ଅବସ୍ଥିତ; ପ୍ରାକୃତିକ ସୌନ୍ଦର୍ଯ୍ୟ ଯାତ୍ରୀମନରେ ନିର୍ମଳ ଭଗବତ୍‍ଭାବ ଜାଗ୍ରତ କରେ; ସୁନ୍ଦର ଦୃଶ୍ୟ ଦର୍ଶନ ଓ ଠାକୁର ଦର୍ଶନ ତୀର୍ଥ କ୍ଷେତ୍ରରେ ଏକାଧାରରେ ସାଧିତ ହୁଏ ।

 

ପାହାଡ଼ ଉପରେ ମନୋହର ଉଦ୍ୟାନ; ୨/୩ଟି ଧର୍ମଶାଳା ଛଡ଼ା ଅନେକ କୁଟୀର ଅଛି-। ଗୋଟିଏ ଛୋଟ ବଜାର ଅଛି । ଭୋଗରାଗ ଛଡ଼ା ମନୋହରୀ ଜିନିଷ ଓ ବହିପତ୍ର ବି ବିକ୍ରୀ ହୁଏ-। ସାଢ଼େ ନଅଟା ବେଳକୁ ଆମେ ସିଂହାଚଳ ମନ୍ଦିରରେ ପହଞ୍ଚିଲୁ ।

 

ମନ୍ଦିରର ଶୀର୍ଷଭାଗ ସୁବର୍ଣ୍ଣମଣ୍ଡିତ; ନୃସିଂହଦେବଙ୍କ ମୂର୍ତ୍ତି ମଧ୍ୟ ହିରଣ୍ମୟ, ସିଂହମୁଖ । ମୂର୍ତ୍ତି ପ୍ରାୟ ୪ ହାତ ଉଚ୍ଚ । ପଣ୍ଡା କାହାକୁ ଭିତରକୁ ଛାଡ଼ିଦିଏ ନାହିଁ । ଦେବ ଦର୍ଶନ ଲାଗି ରୀତିମତେ ପଇସା ଆଦାୟ ହୁଏ । ଦେବ ପ୍ରତିମାକୁ ସ୍ପର୍ଶ କରିବା ମନା । ସୁବର୍ଣ୍ଣମୟ ମୁଖ ବ୍ୟତୀତ ସମସ୍ତ ଅଙ୍ଗ ତାମ୍ରରେ ଆଚ୍ଛାଦିତ । ତାମ୍ର ଅଂଶ ଚନ୍ଦନରେ ଲୁକ୍‍କାୟିତ । ବର୍ଷକେ ଥରେ ଦେବତାଙ୍କ ସ୍ନାନ ହୁଏ । ଅକ୍ଷୟତୃତୀୟ ଦିନ ଏହି ସ୍ନାନୋତ୍ସବ ଦେଖିବା ଲାଗି ବହୁଲୋକ ରୁଣ୍ଡ ହୁଅନ୍ତି । ସେଦିନ ଆପାଦମସ୍ତକ ମୂର୍ତ୍ତି ଦର୍ଶନର ସୁଯୋଗ ମିଳେ ।

 

ସିଂହାଚଳ ଦିନେ ପ୍ରବଳପ୍ରତାପ ରାକ୍ଷସରାଜା ହିରଣ୍ୟକଶିପୁର ରାଜଧାନୀ ଥିଲା । ନୃସିଂହ ମୂର୍ତ୍ତି ଧାରଣ କରି ଭଗବାନ୍‍ ଅତ୍ୟାଚାରୀ ଦାନବକୁ ସଂହାର କରିଥିଲେ । ପ୍ରହ୍ଲାଦ ପିତୃସିଂହାସନରେ ଅଭିଷିକ୍ତ ହେଲାପରେ ନୃସିଂହ ଦେବ ଲକ୍ଷ୍ମୀଙ୍କ ସହିତ ଆସି ଏଠାରେ ବାସ କଲେ । ସେହି ଦିନଠାରୁ ଏହି ପର୍ବତର ନାମ ସିଂହାଚଳ ହେଲା । ଭଗବାନ୍‍ ନୃସିଂହ ଏଠାରେ ଆସି ରହିବା ପରେ ଗଙ୍ଗା, ଯମୂନା ଓ ସରସ୍ୱତୀଙ୍କର ଆବିର୍ଭାବ ହେଲା । ସେହିକାଳରୁ ଏହା ଅଦ୍ୟାପି ବହୁଧାରାରେ ପ୍ରବାହିତ ହେଉଅଛି । ପ୍ରହ୍ଳାଦ ପୁତ୍ର ହସ୍ତରେ, ରାଜ୍ୟଭାର ଦେଇ ଆସି ଏହି ପର୍ବତରେ ବହୁକାଳ ତପସ୍ୟା କରିଥିଲେ । ବରାହ ନୃସିଂହ ପୂଜାଲାଗି ସେ ବହୁ ବ୍ରାହ୍ମଣଶାସନ ବସାଇଥିଲେ । ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ଏ ସ୍ଥାନ ଛାଡ଼ି ଚାଲିଗଲେ । ଘୋର ଅରଣ୍ୟ ମଧ୍ୟରେ ଏକ ବଲ୍ମୀକ ତଳେ ଭଗବାନ୍‍ ନୃସିଂହ ମୂର୍ତ୍ତି ବହୁ ବର୍ଷ ଲୁକ୍‍କାୟିତ ରହିବା ପରେ ଚନ୍ଦ୍ରବଂଶୀୟ ରାଜା ପୁରୁରବା ଉର୍ବଶୀକୁ ସଙ୍ଗରେ ଘେନି ଏଠାରେ ଉପସ୍ଥିତ ହେଲେ । ସେହି ପର୍ବତରେ ଲକ୍ଷ୍ମୀ ନୃସିଂହଙ୍କ ଅବସ୍ଥାନ କଥା ଉର୍ବଶୀଠାରୁ ଶୁଣି ପୁରୁରବା ତାଙ୍କୁ ଦର୍ଶନ କରିବା ଲାଗି ବ୍ୟାକୁଳ ହେଲେ । ୩ ଦିନ ଅନଶନ ପରେ ଆକାଶବାଣୀ ହେଲା, ‘‘ମୁଁ ବଲ୍ମୀକ ତଳେ ଲୁକ୍‍କାୟିତ ରହିଅଛି, ଆଜି ଅକ୍ଷୟତୃତୀୟା, ମୋତେ ପଞ୍ଚାମୃତରେ ସ୍ନାନ କରାଇ ଦର୍ଶନ କର । ଅକ୍ଷୟତୃତୀୟାରେ ମୋତେ ଦର୍ଶନ କଲେ ସକଳ ପାପତାପ କ୍ଷୟ ହେବ ।’’

 

ପଞ୍ଚାମୃତ କେଉଁଠାରୁ ମିଳିବ ? ଭଗବାନଙ୍କ ମହିମାରୁ ଶତ ଶତ ଭାର ଦଧି, ଦୁଗ୍‍ଧ, ମଧୁ ଘେନି ଦେବତାମାନେ ସିଂହାଚଳରେ ପହଞ୍ଚିଲେ । ଅଭିଷେକ ପରେ ନୃସିଂହଙ୍କ ଆଦେଶ ହେଲା ଯେ କେବଳ ମୁଖ ଛଡ଼ା ତାଙ୍କର ସମସ୍ତ ଅଙ୍ଗ ଚନ୍ଦନରେ ଆବୃତ ହେବ । ଅକ୍ଷୟତୃତୀୟା ବ୍ୟତୀତ ଅନ୍ୟଦିନ କେହି ସମୁଦାୟ ପ୍ରତିମା ଦର୍ଶନ ଲାଗି ପ୍ରୟାସ କଲେ ତାର ବଂଶ ନାଶ ଘଟିବ-। ସେହିଦିନୁଁ ପୂଜାବିଧି ଚଳି ଆସୁଅଛି । ବିଜୟନଗର ମହାରାଜା ପୂଜାର ସମସ୍ତ ବ୍ୟୟ ବହନ କରନ୍ତି । ଦେବୋତ୍ତର ଆୟ ମଧ୍ୟ ଯଥେଷ୍ଟ । ଏଠାରେ ପ୍ରତ୍ୟହ ୩ ମହଣ ଚାଉଳର ଅନ୍ନ ମହାପ୍ରସାଦ ଭୋଗ ହୁଏ ।

 

ଏହି ମନ୍ଦିରର ଚତୁର୍ଦ୍ଦିଗରେ ବହୁ ଅଶ୍ଳୀଳ ମୂର୍ତ୍ତି ଥିଲା । ବିଜୟନଗର ରାଣୀଙ୍କ ଆଦେଶରେ ସେସବୁ ଚୂନ ପଲସ୍ତରା ଦ୍ୱାରା ଘୋଡ଼େଇ ଦିଆ ହୋଇଛି । ବର୍ତ୍ତମାନ ମନ୍ଦିରଟି ପୁରାତନ । ମନ୍ଦିରର ୩ ଦିଗରେ ଚତୁର୍ଭୁଜ ନାରାୟଣ, ବାମନ ଅବତାର ଓ କାଳୀୟ ଦମନ ମୂର୍ତ୍ତି ଭଗବାନଙ୍କ ଶକ୍ତିମତ୍ତାର ପରିଚୟ ପ୍ରଦାନ କରୁଅଛି । ମନ୍ଦିରର ଅଳିନ୍ଦ ଓ ମଣ୍ଡପ କଳା ମୁଗୁନି ପଥରରେ ନିର୍ମିତ, କାରୁକାର୍ଯ୍ୟ ଅତି ସୂକ୍ଷ୍ମ ।

 

ସିଂହାଚଳ ମନ୍ଦିରର ଈଶାଣ କୋଣରେ କୋଣାର୍କ ମନ୍ଦିରର ଅନୁକରଣରେ ଗୋଟିଏ ମନ୍ଦିର ନିର୍ମିତ ହୋଇଅଛି । କୋଣାର୍କ ଦେଉଳ ପରି ଏହା ରଥାକୃତି, ଚକ୍ରଗୁଡ଼ିକର କାରୁକାର୍ଯ୍ୟ ମନୋରମ । ଚୋଡ଼ଗଙ୍ଗଦେବ ଏହି ମନ୍ଦିର ନିର୍ମାଣ କରିଥିଲେ ବୋଲି ଜନଶ୍ରୁତି ରହିଛି । ଏହି ପର୍ବତ ଗଙ୍ଗ ଓ ସୂର୍ଯ୍ୟବଂଶ ସମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ଏହାର ବହୁ ସଂସ୍କାର ହୋଇଛି ।

 

ସିଂହାଚଳ ଶୃଙ୍ଗରେ ଉଭା ହୋଇ ଚତୁର୍ଦ୍ଦିଗରେ ଦୃଶ୍ୟ ନିରୀକ୍ଷଣ କଲେ ମନ ଭାବବିଭୋଳ ହୋଇଯାଏ । କବି, ଭାବୁକ, ଦାର୍ଶନିକମାନଙ୍କ ପାଇଁ ଉପଯୁ୍କ୍ତ ସ୍ଥାନ ଏ ।

 

କବିତାର ଭାବ ଅନେକ ସମୟରେ ବିଜୁଳି ପରି ମନରେ ଚମକି ଉଠେ; ସଙ୍ଗେ ସଙ୍ଗେ ନ ଲେଖିଲେ ଭାବଟି ଚିରଦିନ ହଜିଯାଏ; ପଛରେ ଯେତେ କାକୁତିମିନତି କରି ଡାକିଲେ ସେ ଭାବ ଆଉ ଫେରେ ନାହିଁ । ସିଂହାଚଳରେ ଯେଉଁ ଭାବଟି ଉଇଁଥିଲା, ତାକୁ ଟିପା ଖାତାରେ କବିତା ଆକାରରେ ଠାରି ଦେଇଥିଲି । ଟିକିଏ ବଦଳେଇ ଲେଖିଦେଇଛି ମାତ୍ର ।

 

ସଂସାର ଜଞ୍ଜାଳୁ ମୋତେ ମିଳେ ଯେବେ ତ୍ରାହି

ହେ ପ୍ରକୃତି, କୁଞ୍ଜେ କୁଞ୍ଜେ ଜୟଗାନ ଗାଇ

ଭ୍ରମେ ନିତ୍ୟ ଅବିରତ, ଆଜି ସିଂହାଚଳେ

ଦୃଶ୍ୟେ ଦୃଶ୍ୟେ ଆତ୍ମହରା, ଭାବେ ଭାବେ ଝରେ

ଝରଣାରେ, ସୁଗଭୀର ସ୍ନେହ ଦିଏ ମାଖି

ସୁଶ୍ୟାମଳ ଶସ୍ୟକ୍ଷେତ୍ରେ, ଚିତ୍ତ ରହେ ଲାଖି

କେଦାର କାନନେ ତୋର, ପୁଷ୍ପେ ପର୍ଣ୍ଣେ ପର୍ଣ୍ଣେ

ଉଡ଼େ ମନ-ପ୍ରଜାପତି ମିଶେ ବର୍ଣ୍ଣେ ବର୍ଣ୍ଣେ ।

ଘେନ ତୋର ସୁଧାଧାରେ ଅନ୍ତରେ ପୁଷ୍ପିତା

ଅର୍ଘ୍ୟ ମୋର ଅଶ୍ରୁ ମୋର ପ୍ରାଣର କବିତା ।

 

ପ୍ରସ୍ତର ସୋପାନେ ସୋପାନେ ବସିଥାନ୍ତି ଭିକାରୀ ଦଳ । ଜଣେ ବାବାଜି ଗୋଟିଏ ଫିରିକି କଣ୍ଟାଗଛ ଉପରେ ଶୋଇଥାଏ । କେଉଁ ବାବାଜିର ଦେହଯାକ କେତେ ହରିନାମ ଛାପ ଚିତାକୁଟା ହୋଇଥାଏ । କିଏ ଦେହଯାକ ପାଉଁଶ ବୋଳି ହୋଇଥାଏ । କେତେ ରକମର ଭେକ ! ପେଟ ଲାଗି କେତେ ନାଟ । ଆମ ଦେଶର ଦାରିଦ୍ର୍ୟ ତୀର୍ଥକ୍ଷେତ୍ରରେ ହିଁ ଫୁଟିଥାଏ । ଭିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ, ବୃଦ୍ଧ, ଖଞ୍ଜ, ଅନ୍ଧ, ପତିତ । ସମାଜରୁ ଯେଉଁମାନେ ବିତାଡ଼ିତ, ସେମାନଙ୍କ ଆଶ୍ରୟ ଏଇ ତୀର୍ଥକ୍ଷେତ୍ର, ଗୋଟିଏ ଯୁବତୀ ଓଢ଼ଣା ଦେଇ କାନିରେ ଶୁଆଇ ବସିଥାଏ । ଲୋକଙ୍କ ଧର୍ମବିଶ୍ୱାସ ଭିକାରୀମାନଙ୍କର ଜୀବନ । ଜାତୀୟ ସରକାର ଏ ନିରାଶ୍ରୟମାନଙ୍କ ଲାଗି କଣ କରିଛି-? ସେମାନେ କି ସ୍ୱାଧୀନତା ପାଇଲେ ?

 

ସଙ୍ଗୀମାନେ ତରବର ହେଉଥାନ୍ତି; କେତୋଟି ଫଟୋ ନେଇସାରି ଝଟକାରେ ଧାଇଁଲୁ ବିଶାଖାପାଟଣା ଷ୍ଟେସନକୁ । ଆଜି ମେଲ୍‍ରେ ମାନ୍ଦ୍ରାଜ ଯିବାକୁ ହେବ । ଆହା, ଗାଡ଼ି ଯେ ଆସିଗଲାଣି ! ଶ୍ରୀଯୁକ୍ତ ରାଓ ଆମ ଜିନିଷପତର ଷ୍ଟେସନକୁ ପଠାଇ ଦେଇଥାନ୍ତି । ଯେ ଯେଉଁଠି ପାରିଲା ଗାଡ଼ିରେ ଚଢ଼ିଲା । କାରଣ ଗାଡ଼ି ଜାମ୍‍ । ଉଦୁଉଦିଆ ଦିପହର ହେଲାଣି । ସକାଳେ କପେ ଚା, ଗୋଟିଏ ଦୋସି ମାତ୍ର ଖିଆ ହୋଇଛି । କୌଣସିମତେ ଗୋଡ଼ ଦି’ଟା ତଳେ ଗୁଞ୍ଜି ଗାଡ଼ିରେ ଉର୍ଦ୍ଧ୍ୱ ବାହୁ ହୋଇ ରହିଲି । ହଲଚଲ ହେବାର ଉପାୟ ନାହିଁ । ଗାଡ଼ି ଛାଡ଼ିଦେଲା । ଗୋଟିଏ ୧୦/୧୨ ବର୍ଷର ପିଲା ପାଖେ ଚାଖଣ୍ଡେ ଜାଗାଥାଏ, ଅଧାଅଧି ବସି ହେବ । ଯେତେ ପ୍ରକାରେ କହିଲେ ବି ସେ ଘୁଞ୍ଚିଲା ନାହିଁ । ଷ୍ଟେସନ ହେଲାମାତ୍ରେ କିଛି ପିଜୁଳି କିଣି ଖାଇଲି ଓ ନିଷ୍ଠୁର ପିଲାକୁ ଯାଚିଲି । ସେ ନିଃସଙ୍କୋଚରେ ନେଲା ଏବଂ ମୋତେ ପାଖରେ ବସାଇଲା । ଯେଉଁ ପିଲା ଲକ୍ଷେ ଖୋସାମତିରେ ଚଙ୍କୁ ନ ଥିଲା, ସେ ନଇଁଲା କିପରି ? କିଛିଦୂର ଗଲାପରେ ଜଣେ ଭଦ୍ରଲୋକ ପକେଟମାରୁ ଅପରାଧରେ ସେଇ ପିଲାକୁ ଗିରଫ୍‍ କଲେ; ଚଟକଣିଟିଏ ସଦ୍ୟ ଉପହାର ବି ମିଳିଗଲା । ଭଦ୍ରଲୋକ ତାକୁ ପୁଲିସିରେ ଦେବେ ବୋଲି ଧମକାଇଲେ । ଓକିଲାତି କରି କୌଣସିମତେ ଖଲାସ କରି ଆଣିଲି । ସେ ଦୋଷ ମାଗିଲା ଏବଂ ଭବିଷ୍ୟତରେ ଆଉ ଏପରି କରିବ ନାହିଁ ବୋଲି କାନ ମୋଡ଼ିହୋଇ ପ୍ରତିଜ୍ଞା କଲା । ପିଲାଟି ଅନାଥ–ନିତାନ୍ତ ଦରିଦ୍ର । ଶିକ୍ଷାର କୌଣସି ସୁବିଧା ପାଇନାହିଁ । ଅଭାବରୁ ସ୍ୱଭାବ ନଷ୍ଟ ହୋଇଛି । ଚୋର ଡକାଇତ ତିଆରି କରିବା ଲାଗି ଆମ ସମାଜ ସବୁପ୍ରକାର ସୁଯୋଗ ଦେଇଥାଏ । ବିଡ଼ି ଖାଇବା, ବଜାରୀ କଥା କହିବା, ତୁଚ୍ଛ କଥାରେ ଯା’ଛା ତା ଗାଳିଗୁଲଜ କରିବା ପିଲା ଆମ ଦେଶରେ ଖର୍ବ । ସାମାନ୍ୟ କଥାରେ ଏଇ ବଗୁଲିଆମାନଙ୍କର ଚାରିଖୁରା ବୋଲ କରେ । ଏଇମାନେ ବଡ଼ ହେଲେ ହୁଅନ୍ତି ଚୋର ଡକାଇତ । ଅଶିକ୍ଷା ଓ କୁସଙ୍ଗର ଫଳ ଏ । ଏ ପିଲାଟି ସେଇ ଦଳର ସର୍ବହରାଟିଏ । ଗାଁଗହଳରେ ଏମିତି କେତେ ଯେ ଜୀବନ ମାଟି ହୋଇଯାଉଛି, କିଏ କଳନା କରିବ ?

 

ମାଣ୍ଡିଆ, ଚଣା, ଲଙ୍କା, ଧୂଆଁପତ୍ର କ୍ଷେତ ମଧ୍ୟରେ ଛୁଟିଥାଏ ଆମର ଗାଡ଼ି । ପୂର୍ବଘାଟର ଅସଂଖ୍ୟ ଛୋଟବଡ଼ ପାହାଡ଼ ନାଚି ନାଚି ପଛେଇ ଯାଉଥାନ୍ତି । ତେଲେଙ୍ଗାମାନେ ଭାରି ପରିଶ୍ରମୀ । ପାଣିର ଟିକିଏ ସୁବିଧା ପାଇଲେ ସେମାନେ ନାନାପ୍ରକାର ଫସଲ କରନ୍ତି । ଗୋଟିଏ ତେଣ୍ଡାରେ ଦୁଇଜଣ ଓ ଗୋଟିଏ ଶେଣାରେ ଚାରିଜଣ ପାଣି ବୋହିବା ଦୃଶ୍ୟ ବଡ଼ ବିଚିତ୍ର ଲାଗିଲା ।

 

ଗାଡ଼ି ଆସି ପହଞ୍ଚିଲା ଗୋଦାବରୀ ଷ୍ଟେସନରେ–

 

‘‘ଏତେ ତେ କୁହରେକ୍ଷୁ ଗଦ୍‍ଗଦନଦତ୍‍ ଗୋଦାବରୀବାରୟୋ

ମେଘାଳଙ୍କୃତମୌଳି ନୀଳଶିଖରାଃ କ୍ଷୌଣୀଭୃତା ଦକ୍ଷିଣାଃ ।’’

 

-ଭବଭୂତି ।

 

ଗଦ୍‍ଗଦ ଶବଦେ ଗୋଦାବରୀ ଯହିଁ

କୁହରେ ପଡ଼ୁଚି ଭୃଗୁଦେହେ ଝରି

ତହିଁ କିଲୋ ତତେ ନ ଥିଲି ସୁମରି ?

 

-ରାଧାନାଥ ।

 

ଆଗରେ ସେହି ପୁଣ୍ୟସଲିଳା ଗୋଦାବରୀ–ଅଦୂରରେ ‘‘ଝିଲ୍ଲୀଝଙ୍କାରିତ ଅଟବୀ ଦଣ୍ଡକା’’ ।

 

‘‘ନୀପେ ନୃତ୍ୟକାରୀ ନୀଳକଣ୍ଠ କେକା

ଅଦ୍ୟାପି ସୃଜଇ ରାମାଶ୍ରମ ରେଖା ।’’

 

କେତେ କାବ୍ୟପୁରାଣ ଇତିହାସର ସ୍ମୃତି ଘେନି ବହିଚାଲିଛି ମୃଦୁମନ୍ଦ ଗତିରେ । କେତେ ତୀର୍ଥ, ମନ୍ଦିର, ଆଶ୍ରମ ଥିଲା ଏହାର ତଟଦେଶରେ । ସବୁ ଯାଇଛି, ମଣିଷ ଅଛି; ପୁଣି ନୂତନ ସୃଷ୍ଟି ଦେଖା ଦେଇଛି ତଟଦେଶରେ ଗୋଦାବରୀ ପ୍ରପାତର ବିଦ୍ୟୁତ କାରଖାନାରେ । ଯେଉଁଠାରେ ମନ୍ଦିର ଥିଲା, ସେଠାରେ ମୁଣ୍ଡ ଟେକିଛି ବିଦ୍ୟାଳୟ, ଆଶ୍ରମ ସ୍ଥାନରେ ଚଟକଳ ।

 

ଦକ୍ଷିଣ ଭାରତରେ ଗୋଦାବରୀ ସର୍ବପ୍ରଧାନ ନଦୀ–ହିନ୍ଦୁର ସାତୋଟି ତୀର୍ଥ ମଧ୍ୟରେ ଗୋଦାବରୀ ଅନ୍ୟତମ–ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ..., ଗାଂ ସ୍ୱର୍ଗଂ ଦଦାତି ଇତି ଗୋଦା, ତାସୁବରୀ ଶ୍ରେଷ୍ଠା–ଯେଉଁ ନଦୀରେ ସ୍ନାନ କଲେ ସ୍ୱର୍ଗଲାଭ ହୁଏ, ତାର ନାମ ଗୋଦାବରୀ । ଗଙ୍ଗା...ସାଗର ସଙ୍ଗମ ପରି ଗୋଦାବରୀ ସାଗର ସଙ୍ଗମ ହିନ୍ଦୁର ଏକ ପବିତ୍ର ତୀର୍ଥ । ଏହି ସଙ୍ଗମରେ ସ୍ନାନ କଲେ ମୁକ୍ତି ହୁଏ ବୋଲି କାଳିଦାସ ରଘୁବଂଶରେ ଉଲ୍ଲେଖ କରିଛନ୍ତି । ଭବଭୂତି ନିମ୍ନଲିଖିତ ପ୍ରକାରେ ଏହି ସଂଗମର ଦୃଶ୍ୟ ବର୍ଣ୍ଣନା କରିଛନ୍ତି–

 

‘‘ଅନ୍ୟୋନ୍ୟ ପ୍ରତିଘାତସଂକୁଳଚଳତ୍‍କଲ୍ଲୋଳ କୋଳାହଳୈଃ

ଉତ୍ତାଳାସ୍ତେ ଭୀମା ଗଭୀରପୟସଃ ପୁଣ୍ୟା ସରିତ୍‍ସଙ୍ଗମାଃ ।’’

 

ଉତ୍ତରଚରିତ ।

 

ଗୋଦାବରୀର ଦୈର୍ଘ୍ୟ ୮୯୮ ମାଇଲ । ଏହି ନଦୀ ସପ୍ତଧାରାରେ ସମୁଦ୍ରରେ ପତିତ ହୋଇଅଛି, ଯଥା–ତୁଲ୍ୟା, ଆକ୍ରେୟୀ, ଭାରଦ୍ୱାଜୀ, ଗୌତମୀ, ବୁଦ୍ଧଗୌତମୀ, କୌଶକୀ ଓ ବିଶିଷ୍ଟା-। ଗୌତମୀସଙ୍ଗମ ସବୁଠାରୁ ପବିତ୍ରତମ । ପ୍ରତି ୧୨ ବର୍ଷରେ ଥରେ ପୁଷ୍କର ଯୋଗ ପଡ଼େ-। ଭାରତର ପ୍ରାୟ ସବୁ ଅଞ୍ଚଳରୁ ଲକ୍ଷ ଲକ୍ଷ ଯାତ୍ରୀ ଗୋଦାବରୀ ସ୍ନାନଲାଗି ଆସନ୍ତି । ଗୋଦାବରୀ ସେତୁ ଭାରତର ଦ୍ୱିତୀୟ ବୃହତ୍ତମ ସେତୁ । ଏହାର ଲମ୍ୱ ୯୮୬୦ ଫୁଟ; ଶୋଣସେତୁ ବୃହତ୍ତମ; ଏହାର ଲମ୍ୱ ୧୦,୦୫୨ ଫୁଟ ।

 

ଇଂରେଜୀ ଅମଳରେ ମହାନଦୀ ପରି ଏହି ନଦୀରେ ଏକ ଆନିକଟ୍‍ ନିର୍ମିତ ହୋଇ ଜଳସେଚନର ସୁବ୍ୟବସ୍ଥା କରାଯାଇଛି ।

 

ଗୋଦାବରୀ ତଟରେ ଭଦ୍ରାଚଳମ୍‍; ରାମଚନ୍ଦ୍ର ଏହିଠାରେ ବନବାସ କରିଥିଲେ । ସେହି ସ୍ମୃତି ସଂକେତସ୍ୱରୂପ ଏଠାରେ ରାମଚନ୍ଦ୍ରଜୀଙ୍କର ମନ୍ଦିର ନିର୍ମିତ ହୋଇଅଛି ।

ଭଗୀରଥ ଯେପରି ଗଙ୍ଗାକୁ ଆଣିଥିଲେ, ସୁକାନ୍ତିଙ୍କ ତପଃ ପ୍ରଭାବରେ ଯେପରି ମହାନଦୀ ପ୍ରଭାବିତ ହୋଇଥିଲେ, ସେହିପରି ଗୌତମ ଋଷିଙ୍କ ତପସ୍ୟା ଫଳରେ ଗଙ୍ଗା ଗୋଦାବରୀ ରୂପରେ ଶିବଙ୍କ ଜଟାରୁ ନିଃସୃତ ହୋଇଥିଲା । ୧୨ ବର୍ଷକାଳ ଦେଶରେ ଅନାବୃଷ୍ଟି ହେଲା, ଗୌତମ ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଗୋଦାବରୀକି ପ୍ରବାହିତ କରାଇ ଲୋକଙ୍କୁ ଦୁର୍ଭିକ୍ଷ ଦାଉରୁ ରକ୍ଷା କରିଥିଲେ ବୋଲି ଜନଶ୍ରୁତି ଅଛି । ଗୋଦାବରୀର ଅନ୍ୟତମ ଗୌତମୀ ଗଙ୍ଗା-। ଶାସ୍ତ୍ରରେ ଅଛି–

‘‘ବ୍ରହ୍ମହତ୍ୟାଦି ପାପାନି ବହୁ ଜନ୍ମାର୍ଚ୍ଛିତାନ୍ୟପି

ସ୍ମାତ୍ୱା ତତ୍ର ବିମୁଚ୍ୟେତ ସଦୈବ ତୁ ନ ସଂଶୟଃ ।’’

ସେତେବେଳକୁ ଅନ୍ଧକାର ନିବିଡ଼ ହେଲାଣି । ପହଞ୍ଚିଲୁ ବେଜୱାଡ଼ା ଷ୍ଟେସନରେ; କେବେ ଗଜପତି ରାଜା ଦକ୍ଷିଣ ଦିଗ୍‍ବିଜୟରୁ ଫେରିଲାବେଳେ ଏହାର ନାମ ବିଜୟବାହୁଡ଼ା ଦେଇଥିଲେ । ଏବେ ହୁଏତ ଅପଭ୍ରଷ୍ଟ ହୋଇ ବେଜୱାଡ଼ା ହୋଇଛି । ଏଠି ପ୍ରାୟ ୨୦ ମିନିଟ୍‍ ଗାଡ଼ି ରହେ । ଯେଉଁ ପିଲାମାନେ ସୁବିଧାରେ ବସିଥିଲେ, ଓହ୍ଲେଇ ଗଲେ ଖାଇବାକୁ । ଆମ କମ୍ପାଟମେଣ୍ଟରେ ଭିଡ଼ ବେଶୀ; ଜାଗାଟି କିଏ ମାଡ଼ି ବସିବ ବୋଲି ମୁଁ ଗଲିନାହିଁ । ଗୋଟିଏ ଟିଫିନ୍‍ କ୍ୟାରିଅର୍‍ରେ ମୋ ଲାଗି ଆସିଥିଲା । ଗରମ ଭାତ, ଡାଲି, ତରକାରୀ । ଖାଉଁ ଖାଉଁ ଗାଡ଼ି ଛାଡ଼ିଦେଲା । ପାଣି ନାହିଁ, ପିଇବି କଣ ? ହାତ ଧୋଇବି କିପରି ? ପୂର୍ଣ୍ଣତୋୟା କୃଷ୍ଣାନଦୀ ଉପରେ ଚାଲିଛି ମୁଁ ଅଥଚ ପିଇବା ଲାଗି ଚଳେ ପାଣି ନାହିଁ । ରୁମାଲରେ ଅଇଁଠା ମୁହଁ ହାତ ପୋଛି ବସିଲି । ମନେ ପଡ଼ିଲା ‘‘କିସ ପୁଣି ଦେଖା ନ ଯାଏ ଜୀବ ଥିଲେ ଜୀବରେ ।’’ ବେଜୱାଡ଼ା କୃଷ୍ଣାନଦୀ କୂଳରେ । ମହାନଦୀ ପରି ଏହାର ବକ୍ଷ ବିସ୍ତୀର୍ଣ୍ଣ, ସ୍ରୋତ ପ୍ରଖର, ନୌକା ଷ୍ଟିମାର ବର୍ଷସାରା ଯାତାୟତ କରେ । ସ୍ଥାନୀୟ ଲୋକେ କୃଷ୍ଣାକୁ ଗଙ୍ଗା ବୋଲି କହନ୍ତି । କୃଷ୍ଣା ବିଷ୍ଣୁ ପାଦାଗ୍ରସମ୍ଭୁତା ବୋଲି ଶାସ୍ତ୍ର ପ୍ରସିଦ୍ଧ ।

‘‘ଆଦ୍ୟା ଗୋଦାବରୀ ଗଙ୍ଗା ଦ୍ୱିତିୟା ଚ ପୁନଃପୁନଃ

ତୃତୀୟା କଥିତା ରେବା ଚତୁର୍ଥୀ ଜାହ୍ନବୀ ସ୍ମୃତା

କାବେରୀ ଗୌତମୀ କୃଷ୍ଣା ବ୍ରାହ୍ମଣୀ ବୈତରଣୀ ତଥା

ବିଷ୍ଣୁ ପାଦାଗ୍ରସମ୍ଭୁତା ନବଧା ଭୁବି ସଂସ୍ଥିତା ।’’

କୃଷ୍ଣାନଦୀର ସେତୁ ୧୮୫୫ ଖ୍ରୀଷ୍ଟାବ୍ଦରେ ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । କୃଷ୍ଣା ବକ୍ଷ ବର୍ତ୍ତମାନ କୃଷ୍ଣ ତିମିରରେ ଆଚ୍ଛନ୍ନ, କେବଳ କଳକଳ ଢେଉରେ ନକ୍ଷତ୍ରମାନେ ଜିକ୍‍ଜିକ୍‍ କରୁଥାନ୍ତି । ଗାଡ଼ି ଘଡ଼ିକ ମଧ୍ୟରେ ସେତୁ ଲଙ୍ଘନ କରି ଚାଲିଗଲା । କୃଷ୍ଣା ରହିଲା ମୋ ମନରେ ଏକ ରହସ୍ୟମୟ ସ୍ୱପ୍ନ ପରି ।

୨୦ ତାରିଖ ସକାଳ ୮ ଟାରେ ମାନ୍ଦ୍ରାଜ ଷ୍ଟେସନରେ ପହଞ୍ଚିଲୁ । ବିଶାଖାପାଟଣାରୁ ମାନ୍ଦ୍ରାଜ ୪୮୫ ମାଇଲ୍‍ ଦୂର । ଷ୍ଟେସନ ନିକଟରେ, ଗୋଟାଏ ଛତ୍ରମ୍‍–ନାମ ରାମସ୍ୱାମୀ ମୁଦାଲିଅର୍ ଚାଉଲ୍‍ଟ୍ରି । ଗଣ୍ଠିଲିପତ୍ର ସବୁ ଚାଉଲ୍‍ଟ୍ରି ପାହାଚରେ ଗଦେଇଲୁ । ଅସଂଖ୍ୟ ଉତ୍ତର-ଭାରତୀୟ ଯାତ୍ରୀ ଭର୍ତ୍ତି । ବାରଣ୍ଡାରେ, ସାମ୍ନା ପଡ଼ିଆରେ, ଗଛମୂଳେ ଦଳ ଦଳ ହୋଇ ପଡ଼ିଥାନ୍ତି । ଏମାନେ ସମସ୍ତେ ପ୍ରାୟ ପୁରୀ ଫେରନ୍ତା, ଦକ୍ଷିଣ ଭାରତୀୟ ତୀର୍ଥ ଦର୍ଶନ ଲାଗି ଆସିଛନ୍ତି । ଚାଉଲ୍‍ଟ୍ରି ମ୍ୟାନେଜରଙ୍କ ସଙ୍ଗେ ସାକ୍ଷାତ କରି ବୁଝିଲି ଯେ ସସ୍ତ୍ରୀକ ନ ଆସିଲେ କେହି ଏଠି ରହିପାରିବ ନାହିଁ । ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିବାହିତ, ସେମାନେ ଅସ୍ତ୍ରୀକ, ଅବିବାହିତଙ୍କ କଥା ବା କି ବୋଲିବା ? ତେବେ ଅନ୍ୟତ୍ର ଜାଗା ଖୋଜି ପାଇବା ପର୍ଯ୍ୟନ୍ତ ୨ ଘଣ୍ଟା ଲାଗି ଆମକୁ ସେ ଅଗଣାରେ ଆଶ୍ରୟ ଦେଇପାରିବେ ବୋଲି କହିଲେ । ହଉ, ଚକେ ଗଲେ ବାର ହାତ ।

କଳରେ ଝଟପଟ ଗାଧୋଇ ପଡ଼ିଲୁ; ଅନିଦ୍ରାରେ ଦେହ ଗରମ, ଆଖି, ନାକ, କାନରେ କୋଇଲାଗୁଣ୍ଡ ଧୂଳି ଭର୍ତ୍ତି; ଲୁଗାପଟା କଥା ଅବା କଣ କହିବା ? କାରଖାନାରୁ ଫେରିଛନ୍ତି ଯେମିତି କୁଲି ! ସାବୁନ ଲଗାଇ ଥଣ୍ଡା ହୋଇ ମୁନ୍ଦିଏ ଗାଧୋଇ ପଡ଼ିଲି; ଦେହଟା ବେଶ୍‍ ହାଲୁକା ଲାଗିଲା । ଦର୍ପଣରେ ମୁହଁ ଦେଖିଲି–ରଙ୍ଗ ରଙ୍ଗ ଆଖି ଗାଡ଼େ ଗାଡ଼େ ପଶିଯାଇଛି । ଦିନକ ଅଖିଆ, ଅନିଦ୍ରାରେ ତ ଏପରି, ଆହୁରି ତ ଅଛି ।

 

ଚାଉଲ୍‍ଟ୍ରି ହୋଟେଲରେ ଖାଇବାକୁ ବସିଗଲୁ; ଗିନାଏ ଉଆଭାତ (ଅନ୍ଦାଜ୍‍ ଦେଢ଼ ଛଟାଙ୍କି ଚାଉଳର ହେବ), ପାଚ୍‍ଡି, ରସଂ, ଭାଜି, ସମ୍ୱର, ପେରୁଗୁ, ଘି, ଉପୁ (ଲୁଣ), ତନି (ପାଣି); ଉତ୍ତର ଭାରତର ବେଶୀ ଯାତ୍ରୀ ଏଠି ଖିଆପିଆ କରନ୍ତି; ତେଣୁ ତରକାରୀରେ ରାଗଭାଗ ବେଶୀ ନାହିଁ, ଗୋଟିଏ ମିଲ୍‍କୁ ଟ୦୫; ବେଶ୍‍ ଶସ୍ତା; ଯାହିତାହି ପୁଞ୍ଜିଏ ଖାଇ ହାଲିଆ ଦେହଟାକୁ ଲମ୍ବେଇ ଦେଲୁ ଶେଯରେ ।

 

ଚାଉଲଟ୍ରିଠାରୁ ଡାକେ ବାଟରେ ଏଭରେଷ୍ଟ ହୋଟେଲ୍‍; ତିନି ମହଲା କୋଠା; ଆଧୁନିକ ଚାକଚକ୍ୟ ବେଶ୍‍ ଅଛି । ମ୍ୟାନେଜର ଜଣେ ତାମିଲ ବୁଢ଼ା; ମୁଣ୍ଡବାଳଗୁଡ଼ିକ ବିଲକୁଲ ଧଳା ହୋଇଯାଇଛି–କେରାଏ ଚୁଟି; ମୁଖରେ ପରିଚିତ ହସ, ଆଖିରେ ବ୍ୟବସାୟୀ-ବୁଦ୍ଧି ଚକ୍‍ଚକ୍‍ କରୁଛି, କଥା କୃପଣ; ନିତାନ୍ତ ଦରକାର ହେଲେ ପଦେ ! ହିସାବ କିତାପସବୁ ଦୋରସ୍ତ; ଦାଢ଼େ ଛାଡ଼ିବା କଥା ଚଳେ ନାହିଁ ସେଠି; ଟଙ୍କା ନ ପାଇବା ପର୍ଯ୍ୟନ୍ତ ଦାର୍ଶନିକ ପରି ଗମ୍ଭୀର, ପାଇସାରିଲା ପରେ କବି ପରି ମେଳାପୀ ।

 

ଦୋମହଲାରେ ଆମକୁ ବୁଢ଼ା ଗୋଟିଏ ମଝାଳିଆ କୋଠରୀ ଦେଲେ; କେବଳ ରହିବା ଲାଗି ଦିନକୁ ଭଡ଼ା ଛିଡ଼ିଲା ୧୫ ଟଙ୍କା । ୧୫ ମିନିଟ୍‍ ନୂଆ ବସାରେ ବିଶ୍ରାମ ନେଲା ପରେ ମାନ୍ଦ୍ରାଜ ସହର ଦେଖି ବାହାରିଲୁ ।

 

ମାନ୍ଦ୍ରାଜ୍‍ ବସ୍‍ ସର୍ଭିସ୍‍ ବର୍ତ୍ତମାନ ସରକାରଙ୍କ ଦ୍ୱାରା ପରିଚାଳିତ; ସବୁ ବସ୍‍ଗୁଡ଼ିକ ପ୍ରାୟ ଏକା ଧରଣର; ସୁପ୍ରଶସ୍ତ ଓ ସୁନ୍ଦର । ପ୍ରଥମେ ଯାଦୁଘର ଦେଖିଗଲୁ । ଆକାର ଓ ପ୍ରକାରର ଠିକ୍‍ ଏହା କଲିକତା ଯାଦୁଘର ପରି । ଅସ୍ତ୍ର ବିଭାଗରେ ଖଣ୍ଡା, ତରବାରୀ, ଗୁପ୍ତି, ବାଘନଖୀ, ତୋପ, ବନ୍ଧୁକ, ପିସ୍ତଲ, ବର୍ଚ୍ଛା, ପରଶୁ, ଢାଳ, ମୋର୍ଟର ଭାରତୀୟ, ଜାର୍ମାନି, ସ୍ପାନିସ୍‍ ସାଞ୍ଜୁ, ମାନିଲାରୁ ଆନୀତ ଦୁଇଟି ଶିରସ୍ତ୍ରାଣ, କାନ୍‍ରୁଲର ଅଦ୍ଭୂତ ପିତ୍ତଳ କମାଣ (ଯେଉଁଥିରେ ଗୋଟିଏ ବିଶାଳ ମହାବଳ ବ୍ୟାଘ୍ରର ଚିତ୍ର ଅଛି), ଯଶୋବନ୍ତ ହୋଲ୍‍କାରଙ୍କ ବନ୍ଧୁକ ଦେଖିଲୁ । ଦିନେ ଏଇ ଅସ୍ତ୍ରମାନେ ଯୁଦ୍ଧରେ ପ୍ରଳୟ କାଣ୍ଡ ଘଟାଇଥିବେ, କାହାକୁ ଭ୍ରାତୃହୀନ, ପିତୃହୀନ ଓ ପୁତ୍ରହୀନ କରିଥିବେ, ନଗର ଜନପଦ ଧ୍ୱଂସ କରି ଧୂଳିରେ ମିଶାଇ ଦେଇଥିବେ, ଏଇମାନଙ୍କ ବଳରେ ବଳୀୟାନ୍ ହୋଇ ରାଜାମାନେ ଇନ୍ଦ୍ରଚନ୍ଦ୍ର ମାନି ନ ଥିବେ, ପ୍ରବଳ ବନ୍ୟା ପରି ଦୁର୍ବଳ ରାଜ୍ୟ ଉପରେ ମାଡ଼ି ଯାଇଥିବେ, ଅଶ୍ରୁ ଓ ରକ୍ତରେ ଖେଳି ଆନନ୍ଦ ଉପଭୋଗ କରିଥିବେ, ଆଜି ଯମର ସେଇ କିଂକରମାନେ ନିର୍ଜୀବ ନିସ୍ତେଜ ଭାବରେ ପଡ଼ିରହିଛନ୍ତି । କାହାନ୍ତି, ଆଜି ସେମାନଙ୍କ ପ୍ରଭୁ ? ଆହା ସେଇ କ୍ଷତବିକ୍ଷତ ଅକାରଣ ବିଧ୍ୱସ୍ତ, ସେମାନଙ୍କ ମର୍ମଦାହୀ ହାହାକାର !

 

ବାଦ୍ୟ ବିଭାଗରେ ସନାଇ, ଦୁନ୍ଦୁଭି, ଢୋଲ୍‍କି, ତେଲିଙ୍ଗିବାଜା, ପଞ୍ଚବାଦ୍ୟ, ଡୁଙ୍ଗ୍‍ଡ଼ୁଙ୍ଗା, ସୁବର୍ଣ୍ଣମଣ୍ଡିତ ବର୍ମୀୟ ବୀଣା, ପ୍ରାଣୀ ବିଭାଗରେ ୬୦ ଫୁଟ ଲମ୍ୱ ତିମିର ଅସ୍ଥି, ୨୨ ଫୁଟ୍‍ଲମ୍ୱ ଟାଇଫସ୍‍ ଏବଂ ଭାସ୍କର୍ଯ୍ୟ ବିଭାଗରେ ବିଭିନ୍ନ ସମୟର ମନୋହର କାରୁକାର୍ଯ୍ୟ ମଣ୍ଡିତ ମୂର୍ତ୍ତିସବୁ ଦେଖିଲୁ ।

 

ଯାଦୁଘର ସହିତ ଗୋଟିଏ ପାଠାଗାର ସଂଲଗ୍ନ, ବାୟୁମଣ୍ଡଳ ଗମ୍ଭୀର; କାହାକୁ ପଦେ ଫୁସ୍‍ଫାସ୍‍ କଥା ହେବାର ଦେଖିଲୁ ନାହିଁ; ଯେଉଁମାନେ ପାଠାଗାରରେ କାମ କରନ୍ତି, ସେମାନେ ବି ଠରାଠରି ହୋଇ କାମ ଚଳାଇଛନ୍ତି । ଚାଲିଲାବେଳେ ଜୋତା ଶବ୍ଦରେ ଗୋଳମାଳ ହେବ ବୋଲି ପାଠାଗାରର ସମସ୍ତ ପଥରେ ଗାଲିଚା ବିଛା ହୋଇଛି । ଲାଇବ୍ରେରିମାନଙ୍କ ନିକଟକୁ କେହି ପୁସ୍ତକ ଆଣିବାକୁ ଯାଉନାହିଁ । ପୁସ୍ତକ ତାଲିକାରୁ ବହି ନମ୍ୱରଟି ଟିପି ଛାଡ଼ିଦେଲେ ନିଃଶବ୍ଦ ବିଜୁଳିଯନ୍ତ୍ର ସାହାଯ୍ୟରେ ବହି ଆସି ପାଖରେ ପହଞ୍ଚିଯାଉଛି । ଗଦାଗଦା ପୁସ୍ତକ ମଧ୍ୟରେ ପୋତି ହୋଇ ବସିଛନ୍ତି ଜଣେ ଜଣେ ସାଧକ; ସେମାନଙ୍କ ଚିନ୍ତାଶୁଭ୍ରମୁଖମଣ୍ଡଳ ଦେଖି ମନରେ ଭକ୍ତିର ଉଦୟ ହେଲା । ବାସ୍ତବିକ୍‍ ଏଠି ଜଡ଼ପ୍ରାଣରେ ମଧ୍ୟ ବିଦ୍ୟାଚର୍ଚ୍ଚା କରିବାର ଇଚ୍ଛା ଜାଗ୍ରତ ହେବ । ଓଡ଼ିଆମାନେ ପ୍ରତିଭାରେ ଭାରତୀୟ କୌଣସି ଲୋକଙ୍କଠାରୁ ନ୍ୟୂନ ନୁହନ୍ତି, କିନ୍ତୁ ସୁଯୋଗ କାହିଁ ?

 

ଏ ପାଠାଗାରରେ ବର୍ତ୍ତମାନ କୋଡ଼ିଏ ହଜାରରୁ ଅଧିକ ବହି ଅଛି । ଏହା ଜନସାଧାରଣଙ୍କ ଲାଗି ଉନ୍ମୁକ୍ତ ।

 

ବନ୍ଦର–

 

୧୮୭୦, ୧୮୭୨ ଓ ୧୮୮୨ ଖ୍ରୀଷ୍ଟାବ୍ଦମାନଙ୍କରେ ମାନ୍ଦ୍ରାଜରେ ଭୀଷଣ ଝଡ଼ ହୋଇଥିଲା । ଏଥିରେ ଅନେକ ବଡ଼ ବଡ଼ ଜାହାଜ, ନୌକା ଜଳମଗ୍ନ ହେଲା । ପ୍ରାୟ ପ୍ରତି ୫/୭ ବର୍ଷରେ ମାନ୍ଦ୍ରାଜକୁ ଏହିଭଳି କ୍ଷତି ସହିବାକୁ ହେଉଥିଲା । ତା’ପରେ ଭାରତ ସରକାର ବିସ୍ତର ମୁଦ୍ରାବ୍ୟୟରେ ହାଇକୋର୍ଟ ସାମ୍ନାରେ ସମୁଦ୍ରର ଏକ ଅଂଶ ବନ୍ଧାଇ ଦେଲେ, ଏଇ ହେଲା କୃତ୍ରିମ ମାନ୍ଦ୍ରାଜ ହାର୍‍ବର୍‍; ବର୍ତ୍ତମାନ ତରଙ୍ଗସବୁ ପଥରବନ୍ଧରେ ଭାଙ୍ଗି ଚୂନା ହୋଇଯାଏ । ହାର୍‍ବାର୍‍ ଜଳ ନିଶ୍ଚଳ, ତେଣୁ ପୋତସବୁ ନିରାପଦରେ ରହିପାରନ୍ତି । ହାର୍‍ବର୍‍ ଦେଖିବା ଲାଗି ପୋଟ୍‍ କମିସନର୍‍ ଅଫିସ୍‍ରୁ ଅନୁମତି ଆଣିବାକୁ ପଡ଼େ । ହାର୍‍ବର୍‍ ନିକଟରେ ବିଦ୍ୟୁତ୍‍ ରେଲବାଇ ଷ୍ଟେସନ୍‍ ଅଛି । ରେଲଗାଡ଼ି ସବୁ ବିଜୁଳି ସାହାଯ୍ୟରେ ଚାଲେ । ଗତି ଦ୍ରୁତ, ଧୂଆଁ ଧୂଳି ନାହିଁ, ଭଡ଼ା କମ୍‍ ।

 

ଲାଇଟ୍‍ହାଉସ୍‍–

 

ବର୍ତ୍ତମାନ ହାଇକୋର୍ଟର ଗୋଟିଏ ଉଚ୍ଚ ଗମ୍ୱୁଜ ଲାଇଟ୍‍ହାଉସ୍‍ ରୂପେ ବ୍ୟବହାର କରାଯାଉଛି । ଲାଇଟ୍‍ହାଉସ୍‍ ଦେଖିବା ଲାଗି ପ୍ରତି ଦର୍ଶକକୁ ଦୁଇଅଣା ଦେଇ ଟିକେଟ୍‍ କରିବାକୁ ହୁଏ । ଦରୱାନ୍‍ ଓ ଲାଇଟ୍‍ହାଉସ୍‍ ପରିଚାଳକମାନଙ୍କ ବ୍ୟବହାର ଅତି ସୁନ୍ଦର; ପ୍ରତିଦିନ ଶତ ଶତ ଲୋକେ ନିତିଦିନିଆ ପୁରୁଣା ପ୍ରଶ୍ନରେ ସେମାନଙ୍କୁ ବିରକ୍ତ କରୁଥିବେ । ତଥାପି ଦୂର ବିଦେଶୀଙ୍କ ପ୍ରତି ଯେପରି ନୂତନ ଆଗ୍ରହ, ସହାନୁଭୂତି ଓ ସମ୍ମାନ ସେମାନେ ପ୍ରଦର୍ଶନ କରିଛନ୍ତି, ତାହା ପ୍ରଶଂସା ନ କରି ରହି ପାରୁନାହିଁ ।

 

ଲାଇଟ୍‍ହାଉସ୍‍ ଭିତରେ ଅଗଣିତ ପାହାଚ ମୋଡ଼ି ମୋଡ଼ି ହୋଇ ଭିତରକୁ ଉଠିଛି; ଉଠି ଉଠି ଅଣନିଃଶ୍ୱାସୀ ହୋଇଯିବ । ପାହାଚ ପାଖେ ପାଖେ ଆଲୋକର ବ୍ୟବସ୍ଥା ଅଛି ।

 

ଏହି ଲାଇଟ୍‍ହାଉସରେ ୪୦୦୦ କ୍ୟାଣ୍ଡଲ୍‍ ପାୱାରର ଆଲୋକ ଜଳେ; ଏହା ସମୁଦ୍ର ଭିତରେ ୪୫ ମାଇଲ୍‍ ଦୂରକୁ ଦେଖାଯାଏ । ଏହା ଉପରୁ ଚତୁର୍ଦ୍ଦିଗର ଦୃଶ୍ୟ ମନୋହର ଦିଶେ । ଏକ ଦିଗରେ ମାନ୍ଦ୍ରାଜର ବିବିଧ ସୌଧ ମନ୍ଦିରମୟ ଦୃଶ୍ୟ, ଅନ୍ୟ ଦିଗରେ ନୀଳ ସମୁଦ୍ର, ଏକ ଦିଗରେ ଯାନବାହାନ ଓ ଜନସମୁଦ୍ରର ଚହଳ, ଅନ୍ୟ ଦିଗରେ ପ୍ରଶାନ୍ତ ପ୍ରକୃତି ସ୍ଥିର, ଗମ୍ଭୀର; ସଂସାରର ଅସ୍ଥିରତା, ଜୀବନର ଭଙ୍ଗୁରତା ଅଙ୍ଗେ ନିଭାଇ ନିଭାଇ ସେ ଯେପରି ଆଜି ଅବିଚଳିତ !

 

ଫୋର୍ଟ ସେଣ୍ଟଜର୍ଜ–

 

ଏହା ଦେଖିବାକୁ ଠିକ୍‍ କଲିକତାର ଫୋର୍ଟ ଉଇଲିୟମ୍‍, ବମ୍ବେର ଫୋର୍ଟ ଆଲେକ୍‍ଜାଣ୍ଡାର ପରି । ୧୬୩୯ ଖ୍ରୀଷ୍ଟାବ୍ଦରେ ଚନ୍ଦ୍ରଗିରି ରାଜାଙ୍କଠାରୁ ଫ୍ୟାକ୍‍ଟରି କରିବା ଲାଗି ମି: ଫ୍ରାନସିସ୍‍ ଡେ ସାହେବ ୪୦୦ ଗଜ ଲମ୍ୱ, ୧୦୦ ଗଜ ପ୍ରସ୍ଥ ଖଣ୍ଡିଏ ଜମି ଖରିଦ୍‍ କରିଥିଲେ । ଏହି ସ୍ଥାନରେ ଫୋର୍ଟ ସେଣ୍ଟଜର୍ଜ ନିର୍ମିତ ହୋଇଅଛି । ଉକ୍ତ ୩ ଗୋଟି ଦୁର୍ଗ ବ୍ରିଟିଶ୍‍ ସାମ୍ରାଜ୍ୟ ବିସ୍ତାରର ପ୍ରଧାନ କେନ୍ଦ୍ର ହୋଇଥିଲା । ଏହିଠାରେ ଇଂରେଜୀମାନଙ୍କର ସୈନ୍ୟ ଚାଉଣି, ଅସ୍ତ୍ରଭବନ ଓ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଫିସ୍‍ ଥିଲା । ଦୁର୍ଗ ଓ ସାଗର ମଧ୍ୟରେ ଗୋଟିଏ ମାତ୍ର ସୁପ୍ରଶସ୍ତ ପଥ, ଦୁର୍ଗର ଚତୁର୍ଦ୍ଦିଗରେ ସୁଗଭୀର ଗଡ଼ଖାଇ, ଖାଇ ଉପରେ ଗୋଟିଏ ଟଣା ସେତୁ ଅଛି; ଶତ୍ରୁ ଆକ୍ରମଣ ସମୟରେ ଏହି ସେତୁ କାଢ଼ି ନିଆଯାଇ ପାରେ । ଏହି ଦୁର୍ଗରୁ ସସୈନ୍ୟ ଯାତ୍ରା କରି ଇଂରେଜୀ ସେନାପତି ବେୟର୍ଡ ଭାରତ ଗୌରବ ଟିପୁ ସୁଲତାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ, ତତ୍ପରେ ଦକ୍ଷିଣ ଭାରତରେ ବ୍ରିଟିଶ ସାମ୍ରାଜ୍ୟ ବିସ୍ତାର ପଥ ଉନ୍ମୁକ୍ତ ହୋଇଥିଲେ । ଫୋର୍ଟ ସେଣ୍ଟ ଜର୍ଜ ମଧ୍ୟରେ ଗୋଟିଏ ଗୀର୍ଜା ଅଛି । ୧୬୩୦ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏହା ଭାରତରେ ଇଂରେଜୀ ପ୍ରତିଷ୍ଠିତ ପ୍ରାଚୀନତମ ଗୀର୍ଜ୍ଜା । ଏହି ଗୀର୍ଜ୍ଜାରେ ଲର୍ଡ କ୍ଲାଇବ୍‍ଙ୍କର ବିବାହ ହୋଇଥିଲା । ବର୍ତ୍ତମାନ ଏହାର ଏକାଂଶରେ ମାନ୍ଦ୍ରାଜ୍‍ ସରକାରଙ୍କ ସେକ୍ରେଟେରିଏଟ୍‍ ବସୁଛି, ଅନ୍ୟାଂଶ ଯାଦୁଘରେ ପରିଣତ ହୋଇଅଛି । ଇଷ୍ଟଇଣ୍ଡିଆ କମ୍ପାନୀର ବହୁ ରେକର୍ଡ଼, ଚିଠିପତ୍ର, କମ୍ପାନୀ ସିଲ୍‍ ମୋହର, କମ୍ପାନୀକୁ ଉପହୃତ ବହୁ ତାମ୍ରଫଳକ, ଇଂରେଜୀ ସେନାପତିମାନଙ୍କ ଫଟୋ ଓ ଦକ୍ଷିଣ ଭାରତୀୟ ଭାସ୍କର୍ଯ୍ୟର ପ୍ରତୀକ ବହୁ ମୂର୍ତ୍ତି, ତୋପ ବନ୍ଧୁକାଦି ଏହି ଦୁର୍ଗରେ ବର୍ତ୍ତମାନ ଗଚ୍ଛିତ ଅଛି ।

 

ପୁଷ୍ପ ପ୍ରଦର୍ଶନୀ–

 

ସ୍ୱାଧୀନ ଭାରତର ପ୍ରଥମ ବଡଲାଟ୍‍ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ମାନ୍ଦ୍ରାଜ ଆସିବାର ଥାଏ । ସେଥିଲାଗି ହୋଇଥାଏ ଏକ ପୁଷ୍ପ ପ୍ରଦର୍ଶନୀ । ଦକ୍ଷିଣ ଭାରତରେ ଫୁଲର ଆଦର ବେଶୀ; ବଡ଼ ବଡ଼ ଷ୍ଟେସନରେ, ବଜାରରେ ଯଥେଷ୍ଟ ଫୁଲ ବିକ୍ରୀ ହୁଏ । ଓଡ଼ିଶାର କୌଣସି ଝିଅ ଫୁଲ ପିନ୍ଧିଲେ ତାକୁ ଅନ୍ୟ ଝିଅ ଛିଗୁଲାନ୍ତି ।

 

କିନ୍ତୁ ଦକ୍ଷିଣଭାରତରେ ଫୁଲ ନ ପିନ୍ଧିବା ଯେପରି ଏକ ଅପରାଧ ! ଜାପାନୀମାନଙ୍କ ପରି ଏହା ସେମାନଙ୍କର ଏକ ଜାତୀୟ ରୀତିରେ ପରିଣତ ହୋଇଗଲାଣି । ତେଣୁ ଓଡ଼ିଶାର ପୁଷ୍ପ ପ୍ରଦର୍ଶନୀ ପରି ଏଠାରେ ଦେଖେଇ ହେବା ଭାବ ଯେତେ ନ ଥାଏ, ଆନ୍ତରିକତା ସେତିକି ଥାଏ । ପୁଷ୍ପ ପ୍ରଦର୍ଶନୀକି ଆସି ଦେଖେ ଯେ ଏହା ଏକ ବିରାଟ ନାରୀର ମେଳା । ମାଳୟାଳୀ, ତାମିଲ୍‍, ତେଲୁଗୁ, କାନାରିଜ୍‍ ସ୍ତ୍ରୀ ଦଳ ଦଳ ହୋଇ ବୁଲୁଛନ୍ତି । ଏତେ ଭିଡ଼ ଯେ ବଡ଼ ସଂକୋଚରେ ସାବଧାନରେ ଗତି କରିବାକୁ ହୁଏ । ପ୍ରତି ନାରୀର କେଶରେ ଫୁଲ, ହାତରେ ଫୁଲ, ଫୁଲ ପରି ପ୍ରଫୁଲ୍ଲ ଟିକି ଟିକି ପିଲା କାଖରେ; ଚାରିଆଡ଼େ ଫୁଲ, ଫୁଲର ଦୁନିଆ–ସ୍ୱପ୍ନର ଦୁନିଆ ଏ–ସୌନ୍ଦର୍ଯ୍ୟ ପ୍ରଦର୍ଶନୀ ।

 

ପତ୍ର ଫୁଲରେ ତିଆରି ହୋଇଛି ଚୌକି ଟେବୁଲ, ଫୁଲରେ ଲେଖା ହୋଇଛି ‘‘Welcome to His Excellency’’; ଟିକି ଟିକି ଫୁଲ ଗଛର ଗୋଲେଇରେ ତିଆରି ହୋଇଛି ଚଉରା, ଫୁଲ ପାଖୁଡ଼ାପରି ଛିଟିକି ପଡ଼ୁଛି ତା ଉପରେ ଫୁଆରାର ଝୁରୁ ଝୁରୁ ବରଷା ପାଣି; ସେହି ପାଣିରେ ସୂର୍ଯ୍ୟକିରଣ ପଡ଼ି ଫୁଟି ଉଠିଛି ଗୋଲାପୀ ରଙ୍ଗ; ପାଣି କୁଣ୍ଡରେ ଗୋଟିଏ ହଳଦିଆ କଇଁଫୁଲ ଢଳଢଳ ହେଉଛି, ବଡ଼ ବିଚିତ୍ର ।

 

ଦେବଦାରୁ ବାଡ଼ ଏପରି ସୁନ୍ଦରଭାବରେ କଟା ହୋଇଛି ଯେ ମଶିଣା ପକାଇ ତା ଉପରେ ଶୋଇବାକୁ ମନ ହେବ । ଫୁଲର ଶ୍ରୀକୃଷ୍ଣଙ୍କ ପତ୍ରର ରଥ ଚଳେଇବା ଦୃଶ୍ୟ ଏବେ ବି ଆଖି ଆଗରେ ନାଚିଯାଉଛି । ଏହି ପୁଷ୍ପ ପ୍ରଦର୍ଶନୀ ଦେଖି ନିର୍ଦ୍ଦୋଷ ନିର୍ମଳ ଆନନ୍ଦରେ ପ୍ରାଣ ବିକଶିତ ହୋଇଗଲା ।

 

ବାସ୍ତବିକ୍‍ କତେ ଆନନ୍ଦ ଏଇ ଆକାଶ ପୃଥିବୀରେ ବୁଣି ହୋଇ ପଡ଼ିଛି । ଆମେ ଗ୍ରହଣ କରିପାରୁନି, ଗ୍ରହଣ କରି ଜାଣୁନି ବୋଲି; ଦରିଦ୍ର ମନେ କରେ ଯେ ସେ ଦୁଃଖୀ, ସୁଖ କେବଳ ଧନୀର ଏକଚାଟିଆ । କି ଦରିଦ୍ର ଧାରଣା ! ଆର୍ଥିକ ଦାରିଦ୍ର୍ୟ ଅପେକ୍ଷା ମାନସିକ ଦାରିଦ୍ର୍ୟ ହିଁ ତାର ବେଶୀ । ଧନ ଅଭାବ କେବଳ ଦୁଃଖର ହେତୁ ନୁହେଁ, ତାହା ହୋଇଥିଲେ ଭାରତୀୟ ଋଷି ମୁନି କବି ଶିଳ୍ପୀ ଚିର ଦୁଃଖୀ ହୋଇଥାନ୍ତେ !

 

ଚିଡ଼ିଆଖାନା–

 

ମାନ୍ଦ୍ରାଜ ଚିଡ଼ିଆଖାନା କଲିକତା ଚିଡ଼ିଆଖାନା ପରି ବୃକ୍ଷଲତା, ପଶୁପକ୍ଷୀ ଓ ଜଳଜନ୍ତୁରେ ସମୃଦ୍ଧ । ଧଳା ମୟୁର, ମୂଷିକହରିଣ (mouse deer), ଗିବନ୍‍, ସିଂହ ପ୍ରଭୃତି ଜୀବ ଏହାର ବିଶେଷତ୍ୱ ।

 

ୟାଡ଼ିଆର୍‍-

 

ଏହି ଅନୁଷ୍ଠାନରେ ପ୍ରାଚୀନ ଭାରତୀୟ ଗୁରୁକୁଳ ଆଶ୍ରମର ଆଦର୍ଶ ପ୍ରତିଷ୍ଠିତ । ଛାତ୍ରମାନେ ବିନୟୀ, ପରିଶ୍ରମୀ, ଦୃଢ଼ବ୍ରତ, ଆତ୍ମନିର୍ଭରଶୀଳ । ବେଶଭୂଷାରେ ସରଳତା, ବ୍ୟବହାରରେ ଆମାୟିକତା, କର୍ତ୍ତୃପକ୍ଷ, ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଆତ୍ମୀୟତା, ସ୍ୱ ସ୍ୱ କର୍ତ୍ତବ୍ୟପାଳନରେ ଆନ୍ତରିକତା ଏହି ଅନୁଷ୍ଠାନର ବିଶେଷତ୍ୱ । ବ୍ୟକ୍ତିତ୍ୱର ବିକାଶ ଲାଗି ଏ ଅନୁଷ୍ଠାନର ଯଥେଷ୍ଟ ସୁଯୋଗ ଅଛି । ଆଧ୍ୟାତ୍ମିକତା ଶିକ୍ଷାର ଭିତ୍ତି, ସତ୍ୟ ପାଳନ ଧର୍ମ, ସେବା କର୍ମ-। ଏହି ଅନୁଷ୍ଠାନକୁ ବିଶ୍ୱଭାରତୀ ଶାନ୍ତିନିକେତନ ସଙ୍ଗେ ତୁଳନା କରାଯାଇପାରେ ।

 

ୟାଡ଼ିଆର୍‍ ଏକ ଆତ୍ମନିର୍ଭରଶୀଳ ପଲ୍ଲୀ; ଏହାର ସ୍ୱତନ୍ତ୍ର ପାୱାର୍‍ ହାଉସ୍‍, ପାଣିକଳ, ଗୋଶାଳା, କୃଷିକ୍ଷେତ୍ର, ଶିଳ୍ପଭବନ, ସ୍କୁଲ କଲେଜ୍‍, ଚିତ୍ରଶାଳା,ପୁସ୍ତକାଳୟ, ରଙ୍ଗମଞ୍ଚ ଓ ଡାକ୍ତରଖାନା ଅଛି । ଏହା ଏକ ଦିଗରେ ସମୁଦ୍ର ଓ ଅନ୍ୟ ଦିଗରେ ୟାଡ଼ିଆର୍‍ ନଦୀ ମଧ୍ୟରେ ଅବସ୍ଥିତ ।

 

ଏହି ବିରାଟ ଗଗନସ୍ପର୍ଶୀ ସୌଧର ଏକ ଦୀର୍ଘ କକ୍ଷର ଭିତ୍ତିରେ କୃଷ୍ଣ, ଖ୍ରୀଷ୍ଟ, ବୌଦ୍ଧ ଓ ଜୋରାଷ୍ଟିଆନ୍‍ଙ୍କର ମନୋହର ମୂର୍ତ୍ତି ଖୋଦିତ ହୋଇଅଛି । ଧର୍ମଚର୍ଚ୍ଚା କରିବା ଲାଗି ପୃଥିବୀର ନାନା ସ୍ଥାନରୁ ଏଠାକୁ ଲୋକେ ଆସୁଛନ୍ତି । ନାନାଧର୍ମ ଓ ଶିକ୍ଷାର ଏହା ଏକ ସାଧନା ପୀଠ । ଏଠାରେ ଭାରତର ବୃହତ୍ତମ ଥିଓସଫିକାଲ୍‍ ସୋସାଇଟି ଅଛି । ବିଶ୍ୱମୈତ୍ରୀ ସ୍ଥାପନ ଏହାର ଲକ୍ଷ୍ୟ । ଭେଦର ପ୍ରାଚୀର ଭାଙ୍ଗୀ ଏକ ପ୍ରେମମୟ ରାଜ୍ୟ ପ୍ରତିଷ୍ଠା କରିବା ଲାଗି ଏହି ସମାଜ ସଚେଷ୍ଟ ।

 

ଏହାର ପ୍ରତିଷ୍ଠାତା ମାଡ୍ରାମ୍‍ ବ୍ଲାଭାସ୍କି, ପ୍ରଥମ ସଭାପତି କର୍ଣ୍ଣେଲ୍‍ ଅଲ୍‍କର୍ଟ, ରକ୍ଷାକର୍ତ୍ତୀ ଆନିବେଶାନ୍ତ । ମହାମତି କର୍ଣ୍ଣେଲ ଓ ମହୀୟସୀ ବେଶାନ୍ତଙ୍କର ସମାଧି ପବିତ୍ରସ୍ଥାନ ରୂପେ ସଂରକ୍ଷିତ ହୋଇଅଛି । ପୁସ୍ତକାଳୟରେ ୧୮୦୦୮ ତାଳପତ୍ର ଓ ଭୂର୍ଜ୍ଜପତ୍ରର ପୋଥି, ୩୬୬୫୧ ଖଣ୍ଡ ପୁସ୍ତକ ଅଛି । ସେଥିମଧ୍ୟରୁ ସାତ ହଜାର କେବଳ ଧର୍ମପୁସ୍ତକ । ନାନା ଐତିହାସିକ, ପ୍ରାଚୀନ ପତ୍ର, ଦଲୀଲ୍‍ ପ୍ରଭୃତି ସୁସଜ୍ଜିତ ହୋଇ ରହିଅଛି ।

 

କଲିକତା ବା ବମ୍ୱାଇ ପରି ଜନ ବା ଯାନବହୁଳ ନ ହେଲେ ବି ମାନ୍ଦ୍ରାଜ ଏକ ବିରାଟ ନଗର । ଏହା ଶ୍ୱେତ ସହର ଓ କୃଷ୍ଣ ସହର ବୋଲି ଆଗେ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଶ୍ୱେତ ସହରରେ ଶ୍ୱେତାଙ୍ଗ ଓ କୃଷ୍ଣ ସହରରେ ଭାରତୀୟମାନେ ବାସ କରୁଥିଲେ । ଶ୍ୱେତାଙ୍ଗମାନେ ଚାଲିଯିବା ପରେ ଏବେ ସେ ଅଞ୍ଚଳ କୃଷ୍ଣ ସହରର ସାମିଲ୍‍ ହୋଇଗଲାଣି ।

 

ମାନ୍ଦ୍ରାଜରେ ୱାସର ମାନପେଟ୍‍, ମେରିନା ବିଚ୍‍, ରାୟପୁର ଓ ଇଗ୍‍ମୁର୍‍ ବୋଲି ୪ ଗୋଟି ଛୋଟ ଷ୍ଟେସନ ଅଛି । ଏବେ କେନ୍ଦ୍ର ଷ୍ଟେସନ ବୋଲି ଏକ ବୃହତ ଷ୍ଟେସନ ନିର୍ମିତ ହୋଇଅଛି, ମାନ୍ଦ୍ରାଜର ରାସ୍ତାଘାଟ ପରିଚ୍ଛନ୍ନ, ଜଳବାୟୁ ସ୍ୱାସ୍ଥ୍ୟକର । ସମ୍ବାଦପତ୍ରମାନଙ୍କ ମଧ୍ୟରେ ‘ହିନ୍ଦୁ’ ସବୁଠାରୁ ଲୋକପ୍ରିୟ; ବର୍ତ୍ତମାନ ଏହାର ଦୈନିକ ମୁଦ୍ରଣ ଏକ ଲକ୍ଷରୁ ଅଧିକ । ମାନ୍ଦ୍ରାଜ ହାଇକୋର୍ଟ, ପ୍ରେସିଡ଼େନ୍‍ସି କଲେଜ୍‍, କ୍ୱିନ୍‍ମେରୀ ଉଇମେନ୍‍ କଲେଜ୍‍, ସେଣ୍ଟଜର୍ଜ କାଥେଡ୍ରେଲ୍‍, ଥମାସ୍‍ ମାଉଣ୍ଟ ଚର୍ଚ୍ଚ, ରୋମାନ୍‍ କାଥଲିକ୍‍ ଚର୍ଚ୍ଚ, ଆର୍ଟସ୍କୁଲ, ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ, ଲାଟ୍‍ଭବନ, ସିନେଟ୍‍ ହାଉସ୍‍, ଫୁଟ୍‍ବଲ୍‍ ଗ୍ରାଉଣ୍ଡ, ବଟାନିକାଲ୍‍ ଗାର୍ଡ଼ନ୍‍, ପାର୍ଥସାରଥି ମନ୍ଦିର, କପାଳେଶ୍ୱର ମନ୍ଦିର, ବିଭିନ୍ନ ପାର୍କ ଓ କ୍ଲବ୍‍ ବିଶେଷ ଦର୍ଶନୀୟ । ମାନ୍ଦ୍ରାଜ ସମୁଦ୍ରକୂଳ ପୁରୀ ସମୁଦ୍ର କୂଳ ପରି ଉପଭୋଗ୍ୟ ।

 

ଏକୁୟାରିଅମ୍‍-

 

ମାନ୍ଦ୍ରାଜ ସହରରେ ଜଳଜନ୍ତୁର ଗୋଟିଏ ବିରାଟ ସଂଗ୍ରହାଳୟ ଅଛି ବୋଲି ଆଗରୁ ଶୁଣିଥିଲୁ । କିଏ କହିଲା ଉଠିଗଲାଣି, କିଏ କହିଲା ଅଛି । ଯାହାହେଉ, ସହର ତ ବୁଲା ହେବ; ଚାଲ ଯିବା । ଚଢ଼ିଲୁ ବସ୍‍ରେ, ଓହ୍ଲେଇଲୁ ସେଇଠି, ଯାହା ଆଗକୁ ସର୍ଭିସ୍ ବସ୍‍ ଯାଏନାହିଁ । ଯାହାକୁ ପଚାରିଲୁ ଅଛି, ନାହିଁ; ଥାଇପାରେ, ଥିବା ସମ୍ଭବ, ଖୁବ୍‍ ସମ୍ଭବ ବୋଧେ ଅଛି, ନିଶ୍ଚୟ ଅଛି, ଏହିପରି ଉତ୍ତର ପାଇଲୁ ।

 

ଫୁଟ୍‍ପାଥରେ ଆଶା ନିରାଶା ମଧ୍ୟରେ ଗତି କରୁଥିବାବେଳେ ଜଣେ ସୁଟ ପିନ୍ଧା ଭଦ୍ରଲୋକଙ୍କ ସଙ୍ଗେ ଭେଟ ହେଲା । ଆମ ଢଙ୍ଗଢାଙ୍ଗରୁ କଣ ବାରିଲେ କେଜାଣି, ମନେ ମନେ ଠିକ୍‍ କରିନେଲେ ଯେ, ଆମେ ଓଡ଼ିଆ ପଚାରିଲେ, ‘‘କୁଆଡ଼େ ଯାଉଛନ୍ତି ଆପଣମାନେ ?’’ ‘‘ଏକୁୟାରିଅମ୍‍ ଦେଖି ।’’ ‘‘ହଁ, ଶାମୁକା, ଶଙ୍ଖ, ସର୍ପ, ସିନ୍ଧୁଘୋଟକ, ଭୂଲୋକ ମତ୍ସ୍ୟ (Global fish), ଭେଗାବନ୍‍ ମତ୍ସ୍ୟ ପ୍ରଭୃତି ସାମୁଦ୍ରିକ ଜୀବମାନଙ୍କର ଗୋଟିଏ ସଂଗ୍ରହାଳୟ ଆଗେ ଏଠି ଥିଲା ।’’ ‘‘ଥିଲା ? ଏବେ ନାହିଁ ।’’ ‘‘ନା, ଯୁଦ୍ଧ ସମୟରେ ଖାଦ୍ୟ ଯୋଗାଇ ନ ପାରି କର୍ତ୍ତୃପକ୍ଷ ଏବେ ସେମାନଙ୍କୁ ସମୁଦ୍ରରେ ଛାଡ଼ି ଦେଇଛନ୍ତି ।’’ ‘‘ଆମେ ବୃଥାରେ ତେବେ...’’ ‘‘ବୃଥା ନୁହେଁ, ଭୁଆଁ ନ ବୁଲିଥିଲେ ଆପଣମାନଙ୍କ ସଙ୍ଗେ ମୋର ଏ ମଧୁର ସାକ୍ଷାତ ବା କିପରି ହୋଇଥାନ୍ତା ? ତେଲେଙ୍ଗା ତାମିଲ୍‍ କଥା ଶୁଣି ଶୁଣି କାନ ଥାବଦା ହୋଇଗଲାଣି; ଓଡ଼ିଆ ଭାଷା ଶୁଣିବାକୁ ବଡ଼ ମଧୁର ଲାଗୁଛି-।’’

 

‘‘ଆପଣ ଏଠାରେ କଣ କରୁଛନ୍ତି ?’’ ‘‘ମୁଁ ପ୍ରେସିଡେନ୍‍ସି କଲେଜର ଅଙ୍କ ଅଧ୍ୟାପକ ।’’ ‘‘ଆମର ଧାରଣା ଥିଲା, କୌଣସି ଓଡ଼ିଆ ଏଠି ଉଚ୍ଚ ପଦବୀରେ ନାହାନ୍ତି ବୋଲି ।’’ ‘‘ଏଠାରେ ପ୍ରାୟ ୪୦ ଜଣ ଓଡ଼ିଆ ବଡ଼ ବଡ଼ ଚାକିରୀରେ ଅଛନ୍ତି । ମୋ ଭାଇ ମି: ପଟ୍ଟନାୟକ ମାନ୍ଦ୍ରାଜ କପୋରେସନର ଇଲେକ୍‍ଟ୍ରିକାଲ୍‍ ଇଞ୍ଜିନିୟର । ଆଚ୍ଛା, ଆପଣମାନେ ଏ ଉତ୍ତାରୁ କୁଆଡ଼େ ଯିବେ-?’’

 

ସିଂହଳ ।

 

ପାସପୋର୍ଟ ପାଇଲେଣି ?

 

ନା ।

 

ଏଠାରୁ ପାସ୍‍ପୋର୍ଟ ନ ନେଲେ ଯିବେ କିପରି ? ପ୍ରଧାନମନ୍ତ୍ରୀ ବା ଅନ୍ୟ କୌଣସି ବଡ଼ ଲୋକଠାରୁ ଚିଠିପତ୍ର ଆଣିଛନ୍ତି ?

 

ନା ।

 

ଡାକ୍ତର ସାର୍ଟିଫିକେଟ୍‍–ଅର୍ଥାତ୍‍ ଆପଣ ହଇଜା ଇଞ୍ଜେକ୍‍ସନ୍‍ ଓ ଟିକା ନେଇଛନ୍ତି ବୋଲି ପ୍ରମାଣପତ୍ର ଆଣିଛନ୍ତି କି ?

 

ଏ ସବୁ କ’ଣ ଦରକାର ହୁଏ ?

 

ଖୁବ୍‍ ଦରକାର–ନ ହେଲେ ପାସ୍‍ପୋର୍ଟ ମିଳିବ ନାହିଁ ।

 

ଆଚ୍ଛା, ଆପଣ ଟିକିଏ, ଆମ ଲାଗି ଚେଷ୍ଟା କରନ୍ତୁ ।

 

ହଉ, ମୁଁ ମୋ ଭାଇଙ୍କ ନିକଟକୁ ପତ୍ର ଲେଖିଦେଉଛି–ସେ କର୍ପୋରେସନ୍‍ ହେଲ୍‍ଥ ଅଫିସରଙ୍କ ସଙ୍ଗେ କଥାବାର୍ତ୍ତା କରିବେ । ଯଦି ଆପଣମାନଙ୍କୁ ଟିକା ଇଞ୍ଜେକ୍‍ସନ୍‍ ଦେଇ ଦିଅନ୍ତି, ଆପଣମାନେ ସେହି ସାର୍ଟିଫିକେଟ୍‍ ନେଇ Protector of Emigrants Office କୁ ପାସ୍‍ପୋର୍ଟ ଆଣିବାପାଇଁ ଯିବେ ।

 

ସହଜବିଶ୍ୱାସୀ ଆମେ; ହଁ, ଓଡ଼ିଆଭାଇ, ବଡ଼ ପାହ୍ୟାରେ ଅଛନ୍ତି; ଏତେ ଦୂରରୁ ଆସିଛୁ ଆମେ; ଆମ ଲାଗି ଅବଶ୍ୟ ଟିକିଏ କୁହାବୋଲା କରିବେ; ଉତ୍ସାହରେ ସମସ୍ତଙ୍କର ମୁହଁ ଉଜ୍ୱଳ; ପ୍ରଫେସର ଭକ୍ତବତ୍ସଳ ପଟ୍ଟନାୟକଙ୍କ ପତ୍ର ଘେନି ପଟାପଟ୍‍ ଚଢ଼ିଲୁ ବସ୍‍ । ଅଳ୍ପ ଆୟାସରେ ଇଞ୍ଜିନିଅରଙ୍କ ସଙ୍ଗେ ସାକ୍ଷାତ ହୋଇଗଲା; କାର୍ଯ୍ୟସିଦ୍ଧିର ଲକ୍ଷଣ ! ଏ ମୂଢ଼ ଉପସଂହାରରେ ଅସିଦ୍ଧି ଆମକୁ ଅଲକ୍ଷ୍ୟରେ ଉପହାସ କରୁଥିବ ପରା !

 

ମହାପ୍ରଭୁ ମୁଣ୍ଡ ଉପରେ ହେଲେଣି; ଅଖିଆ ଅପିଆ; କାର୍ଯ୍ୟ ସିଦ୍ଧି ହେଉ; ଭୁରିଭୋଜନ ହେବ । ଇନ୍‍ଜିନିଅର୍‍ ଆମ ପରିଚୟ ପାଇବା ସଙ୍ଗେ ସଙ୍ଗେ ଦୀର୍ଘ ବକ୍ତୃତା ଆରମ୍ଭ କରିଦେଲେ–ତାଙ୍କ କଲେଜ୍‍ ଜୀବନ, ବିଲାତ ଜୀବନ ଇତ୍ୟାଦି । ବଡ଼ ଶୁଷ୍କ । ଆମ ଉଦ୍ଦେଶ୍ୟ ବୁଝୁବୁଝୁ ଘଣ୍ଟାଏ ଅତୀତ ହେଲା; ଆମେ ମହାପୁରୁଷଙ୍କ ମୁଲ୍ୟବାନ୍‍ ସମୟ ନଷ୍ଟ ହୋଇଯିବ ବୋଲି ବଡ଼ ସଙ୍କୋଚରେ ଆସିଥିଲୁ ! ଏବେ ବୁଝିଲୁ, ମହାଶୟ ଆମରି ସମୟ ହିଁ ନଷ୍ଟ କଲେ ! ନିଜ ମୁହଁରେ ନିଜ ବାହାଦୂରୀ ଗୁଡ଼ାକ ଶୁଣିବା ଲୋକକୁ ବଡ଼ ଅଡ଼ୁଆ ଲାଗେ ।

 

ଜୀବନଯାକ ବକ୍ତୃତା ଦେଇ ଦେଇ ଯେ ଥେ, ତାରି ପ୍ରତି ଆଜି ସେ ଅସ୍ତ୍ର ପ୍ରୟୋଗ ହେଲା । ଆମେ ଆମ କଥା କହିଲାବେଳକୁ ସେ ତାଙ୍କ କଥା କହୁଥାନ୍ତି; ଘଡ଼ିଏଯାଏ ବକ୍ତୃତାରେ ଟଣାଓଟରା, ବଳ କଶାକଶି ଲାଗିଲା । ଶେଷକୁ ସୁଜ୍ଞଜନ ଆମ ଆଡ଼କୁ ମନକର୍ଣ୍ଣ ଦେଲେ ।

 

ଭାରି ବଡ଼ ବଡ଼ କଥା ଆକାଶରୁ ତୋଳିଆଣି କହୁଛନ୍ତି, ଲଙ୍କା କଥା ଶୁଣି ଆମକୁ ଭାରି ହୋବ୍‍ ଦେବେ ବୋଲି ବିଶ୍ୱାସ ହୋଇଗଲା; ପଦେ କଥା ତାଙ୍କ କାନରେ ବାଜୁ ନ ବାଜୁ ମୁହଁଟାକୁ ବିଚିକିଟିଆ କରିଦେଲେ; କିରେ, କଥା କଣ ? ଆମ କଥାକହିବା ଦମ୍‍ଟା ଦପ୍‍ କରି ପଡ଼ିଗଲା । ଆମ କଥା ଶୁଣିବା ଧୈର୍ଯ୍ୟ ତାଙ୍କର ନାହିଁ; ପାଲାଗାୟକ ପରି ସେ ଖାଲି ବକୁଥିବେ, ଆମେ ସୁଧାର ପିଲାପରି ଶୁଣୁଥିବୁ ! ଭୋକ କ୍ରୋଧକୁ ତାହି ଦେଉଛି । ଧୈର୍ଯ୍ୟଚ୍ୟୂତି ଘଟିଲାଣି ।

 

ଦୁଇ ପଦରୁ ଆଉ ତୃତୀୟ ପଦ କହି ହେଲାନି–ସେ କହିଲେ ‘‘ଥାଉ, ଥାଉ ମୁଁ ସବୁ ବୁଝିଗଲିଣି; ଲଙ୍କା ଯିବେ କଣ ମଦ ପିଇବାକୁ ? ଚରିତ୍ରହୀନ ହେବାକୁ ?’’ ଏସବୁ ହାଡ଼ଛିଣ୍ଡା କଥାରେ ଅନ୍ୟ ସମୟ ହୋଇଥିଲେ ଫାଉଁକରି ନିଆଁ ବାହାରି ପଡ଼ିଥାନ୍ତା, ମିଂଜାସ୍‍ଟାକୁ ଜାଣିଶୁଣି ବଡ଼ କାଲୁଆ ରଖିଥାଉ ।

 

ଆମର ବହୁ ଅନୁନୟରେ ଭଦ୍ରଲୋକ ଫୋନ୍‍ ଧରି ହେଲ୍‍ଥ ଅଫିସର୍‍ଙ୍କ ସଙ୍ଗେ କଥାବାର୍ତ୍ତା କଲେ; ହେଲ୍‍ଥ ଅଫିସର୍‍ ଆମକୁ ଡକାଇଲେ, ମି: ପଟ୍ଟନାୟକ ଗାଡ଼ି ଛୁଟାଇ ଚାଲିଲେ ଡିନରକୁ ।

 

ଡାକ୍ତରଙ୍କୁ ନମସ୍କାର କଲୁ; ବଡ଼ ଗମ୍ଭୀର, ସତେ ଯେମିତି ଚାକିରୀପ୍ରାର୍ଥୀ ହୋଇ ଆମେ ତାଙ୍କ ସଙ୍ଗେ ଦେଖା କରିବାକୁ ଆସିଛୁ ! ଡାକ୍ତର ଆରମ୍ଭିଲେ ‘‘ଅନେକ ଲୋକ ଟିକା ଇନ୍‍ଜେକ୍‍ସନ୍‍ ଅପେକ୍ଷାରେ ଅଛନ୍ତି; ସେମାନଙ୍କୁ ଆଗେ ନ ଦେଇ ଆପଣମାନଙ୍କୁ ଦେଲେ ଅନ୍ୟାୟ ହେବ ନାହିଁ କି-? କଂଗ୍ରେସ ରାଜୁତିରେ ଏପରି ଅବିଚାର ଶ୍ରେୟସ୍କର କି ? ଆପଣମାନେ ଶିକ୍ଷିତ ବୋଲି ସବୁ ସୁବିଧା ମାରି ନେଉଥିବେ, ମଳିମୁଣ୍ଡିଆମାନେ କେବଳ ଅତ୍ୟାଚାର ସହୁଥିବେ ?’’ ନେହୁରୁଙ୍କ ବକ୍ତୃତାକୁ ବଳିଗଲା । ଏଡ଼େବଡ଼ ମହାପୁରୁଷ ଏହି ସାହେବୀ ପୋଷାକ ତଳେ ପୋତା ମାରିଛନ୍ତି ବୋଲି ମୋଟେ ଜାଣିପାରି ନଥିଲୁ; ଡାକ୍ତରବାବୁ ଯାହା କହିଲେ ଖାଣ୍ଟି ସତ୍ୟ; ସେଥିରୁ ବିନ୍ଦୁ ବିସର୍ଗ ପାଳିତ ହେଉଥିଲେ ରାମରାଜ୍ୟ ଚାରିପଣରେ ଫେରିଆସନ୍ତାଣି । ତାଙ୍କର ଶେଷ ଉପଦେଶ–୭ ଦିନ ଅପେକ୍ଷା କରିବାକୁ ହେବ । ଅସମ୍ଭବ !

 

ବିପଦେ ବୁଦ୍ଧି ବାଉଳା । ମିଛେ ମିଛେ Protector of Emigrants officeକୁ ଯାଇ ନିରାଶ ହୋଇ ଫେରିଲୁ । ଶେଷରେ ଶିକ୍ଷାମନ୍ତ୍ରୀଙ୍କ ଷ୍ଟେନୋକୁ ଯାଇଁ ଧଇଲୁ, ବୁଡ଼ିଗଲା ଲୋକ କୁଟାଖିଅକୁ ଆଶ୍ରା କଲାପରି, ଆଶାର ବନ୍ଧ ଭୁସୁଡ଼ି ପଡ଼ିଲାଣି ସେତେବେଳକୁ; ଏ ଖାଲି ଅନ୍ଧାରକୁ ଟେକା ପକାଇବା କଥା । ଷ୍ଟେନୋ ଭରସା ଦେଲେ, ‘‘କାଲି ମୋ ସଙ୍ଗେ ଦେଖା କରିବେ-। ମୁଁ Passport ଲାଗି ଚେଷ୍ଟା କରିବି ।’’

 

ତହିଁ ଆରଦିନ ଗଲାବେଳକୁ ସେ ସରକାରୀ କାମରେ ଅନ୍ୟତ୍ର ଚାଲିଯାଇଛନ୍ତି; ଚାକିରିଆ ଲୋକ; ମୁଣ୍ଡ ବିକିଛନ୍ତି, ପତିଶ୍ରୁତି ରକ୍ଷା କରିବାର ସ୍ୱାଧୀନତା କାହିଁ ? ତାଙ୍କୁ ପଛରେ ଗାଳିଦେବା ଠିକ୍ ନୁହେଁ ।

 

ଏ ମଧ୍ୟରେ କେହି କେହି ଉଡ଼ାଜାହଜରେ ସିଂହଳ ଯିବାର କଳ୍ପନା-ଜାଲ ବୁଣୁଥାନ୍ତି; ଜଣପିଛା ଭଡ଼ା ଅଶୀ ଟଙ୍କା । ଏ ମନେ ମନେ ସ୍ୱର୍ଗ-ଇଣ୍ଡୁରି ଖାଇବା କଥା । ମୂଳରୁ ତ ଯିବା ହଉନି, ଯାନ ପସନ୍ଦ କରିବା ପ୍ରଶ୍ନ ଉଠୁଚି କୋଉଠି ?

 

ଶେଷରେ ରାମେଶ୍ୱର ଯିବା କଥା ସ୍ଥିର ହେଲା । ନିରାଶ ମନକୁ ବୁଝାବୁଝି କରି ଗୋଟାଏ ବାଗକୁ ଆଣିଲୁ; ଲଙ୍କା ନ ଦେଖିବା ନାଇଁ, ନାଆ କରି ଲଙ୍କା ସମୁଦ୍ରରେ ଥୋଡ଼ାଏ ବୁଲିଆସିବା; ସେଥିଲାଗି ବୋଧେ ପାସପୋର୍ଟ ଦରକାର ହେବନାହିଁ । ଲଙ୍କା ପାଣି ତ ଛୁଇଁଲେଇଁ, ଏଇ କଣ ହେଲାନି ?

 

ଇଗ୍‍ମୁର ଷ୍ଟେସନରେ ଗୋଟିଏ ତୃତୀୟ ଶ୍ରେଣୀ ଡବା ରିଜର୍ଭ କଲୁ । ବି.ଏନ୍‍. ଆର. ରେ ଏ ସୁବିଧା ନାହିଁ । ମନ ଖୁବ୍‍ଖୁସି । କିଛି ପାଉଁରୁଟି କମଳାଲେମ୍ୱୁ ଖାଇ ଶୋଇଲୁ । ଷ୍ଟେସନରେ ଯେତେ ଲୋକ ଆମ ଡବାରେ ଚଢ଼ିବାକୁ ଚେଷ୍ଟା କରୁଥାନ୍ତି, ଘଉଡ଼ି ଦେଉଥାଉ–ରିଜର୍ଭ, ରିଜର୍ଭ କହି । ଦରଜା କଡ଼ରେ ଲଢ଼ୁଆ ଛାତ୍ର ଫିଲ୍‍ଡ୍‍ ମାର୍ସାଲ୍‍ ଜଣେ ଥାନ୍ତି । ଭାରି କଡ଼ା ମେଜାଜ୍‍ବାଲା ।

 

ସମସ୍ତେ ଟିକିଏ ଜାଗା ଲାଗି ବ୍ୟାକୁଳ; ଆମ ରିଜର୍ଭ ରିଜର୍ଭ ଡାକ ଚଞ୍ଚଳମତି ଡଗରା ପିମ୍ପୁଡ଼ି ପରି ଲାଗିଥିବା ଯାତ୍ରୀମାନଙ୍କ କାନରେ ପଡ଼େନାହିଁ । ଠାଏ ଠାଏ ବଳ ପ୍ରୟୋଗ ହେଲେ ପୁଲିସ୍‍ର ଆଶ୍ରୟ ନେଉଥାଉ । ଦୀର୍ଘଯାତ୍ରା ପରେ ଟିକିଏ ଆରାମ କରିବା ମନୋବୃତ୍ତି ବଢ଼ିଯାଇଥାଏ । ଥରେ ଗାଡ଼ିରେ ସୁବିଧାରେ ବସିଗଲେ, ଲୋକ ବାହାର ଯାତ୍ରୀ ପ୍ରତି ଭଲ ବ୍ୟବହାର କରେନାହିଁ; ଦଖଲସତ୍ୱ ଅଛି ତାର । ନିଜକୁ ଅସୁବିଧାରେ ପକାଇ ସେ ଅନ୍ୟର ସତ୍ୱ ସ୍ୱୀକାର କରିବ କାହିଁକି ?

 

ବାହାରେ ଅଗଣିତ ଜନତା; ବଡ଼ ହେଲେ ଆମ ଡବାରେ ଆଉ ୨/୪ ଜଣ ବସି ପାରିବେ । କିନ୍ତୁ ସେ କଥା କଣ ସେମାନେ ବୁଝିବେ ? ଜଣେ ପଶିଲାକ୍ଷଣି ଧାର ଲାଗି ରହିଥିବ; ଚିପିଚାପି ହୋଇ ଗୋଟେ ଦିଟା ବେହୋସ୍‍ ହେଲେ ବି ବିରାମ ନାହିଁ । ଗଳି କନ୍ଦି ତଳ ଉପର ଖୁନ୍ଦାଖୁନ୍ଦି–ପାଇଖାନା ଦୁଆର ବନ୍ଦ, ଦରଜା ମେଲା କରିବା ସାଧ୍ୟ କାହାର ? ସେଥିରେ ଫେର୍‍ ଚାଖଣ୍ଡେ ଲମ୍ୱର ଧୂଆଁପତ୍ର ପିଙ୍କା; ଧୂଆଁ ନିଃଶ୍ୱାସ ରୁନ୍ଧି ଦେଉଥିବ ।

 

ଆମ ଭାଷା କିଏ ବୁଝୁଚି ? ଚାଲିଲୁ ନିର୍ମମ ନିଷ୍ଠୁର ସ୍ୱାର୍ଥପର ଭଳି; ଜାଣିଶୁଣି ଛାତିକି ପଥର କଲୁ; ଉଦାରତା ବେଡ଼ି କଡ଼ି ପିନ୍ଧି ସ୍ୱାର୍ଥର କାରାଗାରରେ ପଡ଼ି ରହିଲା । ଶୋଇଥିଲାବେଳେ ଘଡ଼ଘଡ଼ି ପରି ବାହାରୁ ଗୋଟିଏ ଗୋଟିଏ ଧକ୍‍କା ବାଜୁଥାଏ । ଜାଣୁ ଦୟାଟି ଭଲ ଗୁଣ, ସହାନୁଭୂତି ମନୁଷ୍ୟକୁ ଉନ୍ନତ କରେ; ଟିକିଏ ସୁବିଧା–ଟିକିଏ ସ୍ୱାର୍ଥ !

 

ମଣିଷ ଆମେ; ଗାଡ଼ି ଭିତରେ କେତେ ଦୁଃଖ କଷ୍ଟ ଅଙ୍ଗେ ନିଭେଇ ଆସିଛୁ । ଏତେ ବାଟ ଧକେଇ ଧକେଇ ଆସି ଏକାଠି ଟିକିଏ ସୁବିଧା ମିଳିଛି–ଛାଡ଼ିଦେଇ ବସିବୁ ।

 

ରିଜର୍ଭ ଲାଗି ଅଧିକ ପଇସା ବି ଦେଇଛୁ ! ପଥର ଛାତି ଲୁହା ହୋଇଗଲା ଏଇ ଯୁକ୍ତିରେ; ମଣିଷପଣିଆ ହାର ମାନିଲା ଏଇ ବାସ୍ତବ ପରିସ୍ଥିତିରେ ।

 

ନିରପରାଧୀ ଯାତ୍ରୀଦଳ ! ସେମାନେ ବି ଟିକଟ କରିଛନ୍ତି; ଝାଳବୁହା ପଇସା ଗଣିଛନ୍ତି; ତାଙ୍କପାଇଁ ଜାଗା ନାହିଁ, ଏ କଥା ବୁଝୁଛି କିଏ ? ଆହା ! କାହାର କେଉଁଠି ରୋଗୀ ପଡ଼ିଥିବ, କାହାର ହୁଏତ ଆତ୍ମୀୟସ୍ୱଜନଙ୍କ ସଙ୍ଗେ ବହୁକାଳ ପରେ ମିଳନ ହେବ ! କିଏ ଚାକିରିଆ ଗୋଟିଏ ଦିନ ଛୁଟି ନେଇ ହୁଏତ ଆସିଥିବ । ଓଃ, ମୁଁ କଣ ସେସବୁ ସମସ୍ୟାର ସମାଧାନ କରିପାରିବି ? କାହିଁକି ଏ ଦୁର୍ବଳତା ? ମଣିଷପଣିଆ କାନ୍ଦି ଉଠିଲା ଅନ୍ତରରେ ।

 

ନିଦ ଭାଜିଲା କାଞ୍ଚୀପୁର (Conjeeverum) ଷ୍ଟେସନରେ । ଏହି କାଞ୍ଚୀପୁରକୁ ଆଗେ ‘‘କଚ୍ଚିପେଡ୍‍ଡ଼ୁ’’, ‘କାଚ୍ଚି’, ‘କାଞ୍ଚିପୁରମ୍‍’ କହୁଥିଲେ । ହୁଏନ୍‍ସା ‘କି-ଞ୍ଚ-ପୁ-ଳୁ’ ବୋଲି ଲେଖିଯାଇଛନ୍ତି । ଏହା ଏକ ଐତିହାସିକ ସହର; ‘‘One of the most ancient cities of southern India which retains its past greatness is Conjeeverum.” (Historical sketches of ancient Deccan) କାଞ୍ଚୀ ଦ୍ରାବିଡ଼ ସଭ୍ୟତାର କେନ୍ଦ୍ର; ହିନ୍ଦୁ ସଂସ୍କୃତିର ବୈଶିଷ୍ଟ୍ୟ ଏହି ସହରରେ ବହୁ ପରିମାଣରେ ରକ୍ଷିତ ହୋଇଅଛି । ଏହା ଉଭୟ ଶୈବ ଓ ବୈଷ୍ଣବ ସମ୍ପ୍ରଦାୟମାନଙ୍କର ପ୍ରଧାନ ତୀର୍ଥକ୍ଷେତ୍ର !

 

‘‘ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚୀ ଅବନ୍ତିକା

ପୁରୀ ଦ୍ୱାରାବତୀ ଚୈବ ସପ୍ତୈତା ମୋକ୍ଷଦାୟିକାଃ ।’’

 

‘ନଗରେକ୍ଷୁ କାଞ୍ଚୀ’ ବୋଲି ପୂର୍ବ ପ୍ରସିଦ୍ଧି ବି ଅଛି । ଏଠାକାର ଏକାମ୍ରେଶ୍ୱରମନ୍ଦିର, କାମାକ୍ଷୀଦେବୀ ମନ୍ଦିର, ଶ୍ରୀ ବରଦରାଜମନ୍ଦିର ପ୍ରସିଦ୍ଧ । କାମାକ୍ଷୀଦେବୀଙ୍କ ମନ୍ଦିରରେ ଶଙ୍କରାଚାର୍ଯ୍ୟଙ୍କର ସମାଧି ଅଛି ।

 

ଆମ ହାତରେ ପାଣ୍ଠି ଅଳ୍ପ, ସମୟ ବି ଅଳ୍ପ, ଦେଖିବୁ କ’ଣ ? ଗାଡ଼ିର ଦରଜା ପାଖରେ ଛିଡ଼ାହୋଇ ଥରେ କାଞ୍ଚୀ ଆଡ଼କୁ ଦୃଷ୍ଟି ନିକ୍ଷେପ କଲି । ଏଇ ଦେଶର ରାଜା ପୁରୁଷୋତ୍ତମଦେବଙ୍କୁ ଚଣ୍ଡାଳ ବୋଲି ଅପମାନ ଦେଇଥିଲେ ? ବୀରାଧିବୀରବର ନବକୋଟି କର୍ଣ୍ଣାଟୋତ୍କଳେଶ୍ୱର ଗଜପତି ପୁରୁଷୋତ୍ତମଦେବ ନେଇଥିଲେ ଏଇ ଦେଶର ରାଜାଙ୍କ ଉପରେ ତୀବ୍ର ପ୍ରତିଶୋଧ ? ଏଇ ଦେଶର ସୁନ୍ଦରୀ ତାମିଲ୍‍ ରାଜକନ୍ୟା ବରଣ କରିଥିଲେ ପୁରୁଷୋତ୍ତମଦେବଙ୍କୁ ସ୍ୱାମୀରୂପେ ? ଏଇ ଗୋଦାବରୀ କୃଷ୍ଣା ପାରହୋଇ ଧାଇଁଥିବ ଦିନେ ଗଜପତି ବାହିନୀ–ଦେଖିଥିବେ ଆକାଶର ଗ୍ରହନକ୍ଷତ୍ର–ଯେଉଁମାନେ ଦେଖୁଛନ୍ତି ଆମେ କି ଗୌରବ ଘେନି ରେଲ୍‍ଗାଡ଼ି ୩ ଶ୍ରେଣୀ ଡବାରେ ଯାତ୍ରା କରୁଛୁ ।

 

ରାତି ୪ଟାବେଳେ ଗାଡ଼ି ପହଞ୍ଚିଲା ତାଞ୍ଜୋର ଷ୍ଟେସନରେ; କାଞ୍ଚୀପରି ତାଞ୍ଜୋର ମଧ୍ୟ ଦକ୍ଷିଣଭାରତୀୟ କୃଷ୍ଟିର ଏକ କେନ୍ଦ୍ର; ବୃହଦୀଶ୍ୱର ମନ୍ଦିର ଲାଗି ଏହା ପ୍ରସିଦ୍ଧ; ନନ୍ଦୀର ମୂର୍ତ୍ତି ଓଜନରେ ୨୫ ଟନ୍‍; ଏହା ଗୋଟିଏ ପଥରରେ ତିଆରି; କୋଣାର୍କର ନବଗ୍ରହ ମୂର୍ତ୍ତି ପରି ଏହା ମନରେ ବିସ୍ମୟ ସୃଷ୍ଟି କରେ । ଏ ସହରଟି ଦେଖିବାର ସୁବିଧା ବି ଆମର ହେଲାନି ।

 

ଷ୍ଟେସନରେ ଭାରି ଭିଡ଼; କୋଳାହଳମୟ ବିଶୃଙ୍ଖଳ ମଣିଷ ଢେଉର ଧକ୍‍କା ଆସି ବାଜିଲା ଆମ ଡବାରେ । ହୋ-ହାରେ ସମସ୍ତଙ୍କ ନିଦ ଭାଜିଗଲା । ଜନସମୁଦ୍ରକୁ ଏଡ଼ିବା ଲାଗି ପିଲାଏ ଝରକା ବନ୍ଦ କରିଦେଲେ; ହେଲା ତୀବ୍ର ପ୍ରତିକ୍ରିୟା; ପ୍ରଥମେ ଅସନ୍ତୋଷର ଗୁଞ୍ଜନ, ସମାଲୋଚନା ଗାଲିଗୁଲଜ, ତାପରେ ବୈପ୍ଲବିକ କୋଳାହଳ-ଭାଙ୍ଗ-ପଶ । ରିଜର୍ଭ, ରିଜର୍ଭ ! ଶୁଣୁଛି କିଏ ? ବୁଝୁଛୁ କିଏ ? ବିପ୍ଲବ ଥରେ ଆରମ୍ଭ ହୋଇଗଲେ ରୋକିବା ମୁଷ୍କିଲ; କୋଳାହଳ ମଧ୍ୟରେ ଆମର ନିରୂପାୟ ନିର୍ବଳ ନିବେଦନ ପାଣି ଫାଟିଯାଉଥାଏ । ଧକ୍‍କା ଉପରେ ବାଜିଲା ଧକ୍‍କା–ଗୋଇଠା ଠେଙ୍ଗାବାଡ଼ି ସବୁ ବୋଲ କଲା; ଭାଗ୍ୟକୁ ଆମେ ଥାଉ ଏକ ବାରବାଟୀ ଦୁର୍ଗରେ; ତୋପ ମାଡ଼ ପଡୁଥାଏ ତାରି ଉପରେ । ଯେତେ ଡାକିଲେ ବଧିର–ପୁଲିସ ଦେଖୁଥାଏ ଏ ତାମ୍‍ସା–ରାମ ବିଷ୍ଣୁ କିଛି କହୁ ନ ଥାଏ । ଯେମିତି ଏଠି ତାର କିଛି କର୍ତ୍ତବ୍ୟ ନାହିଁ ।

 

ଗୋଟିଏ କାଚ ଝରକା ମଡ୍‍ମାଡ୍‍ ଭାଙ୍ଗି ଚୁନ୍‍ଚାନ୍‍ ହୋଇଗଲା, ଦୁଇ ସେନା ଦଳରୁ କେହି କେହି ଖଣ୍ଡିଆ ଖାବରା ବି ହେଲେ, ଝରକା ଭାଙ୍ଗିଗଲେ ବି ଭଙ୍ଗା କାଚ ଭିତରେ ସେମାନେ ପଶିବାକୁ ଭରସି ପାରିଲେ ନାହିଁ, ଲଢ଼ାଇ ଲାଗିଥାଏ–ଆମେ ଲଢ଼ୁଥାଉ ଅଧିକାର ପାଇଁ, ସେମାନେ ଯୁଝୁଥାନ୍ତି ଆବଶ୍ୟକତା ଦୃଷ୍ଟିରୁ; କେତେ ଜଣଙ୍କୁ ଜାଗା ଦେବାକୁ କହିଲେ ବି ଆମକଥା ସେମାନେ ବୁଝିପାରି ନ ଥାନ୍ତି । ହିନ୍ଦୀ ବୃଥା–ଇଂରେଜୀ ବୃଥା, ସଂକେତ ବି ବୃଥା ।

 

Ref

ଦକ୍ଷିଣ ଭାରତ ପଥେ–ଜ୍ୟୋତିଷଚନ୍ଦ୍ର ଘୋଷ ।

 

 

ସେତୁବନ୍ଧ ଯାତ୍ରା–ଆଶୁତୋଷ ମୁଖୋପାଧ୍ୟାୟ ।

 

କେତେ ଧର୍ମଘଟ କରି ଶିଖିଛନ୍ତି ଏମାନେ । ମାଡ଼ଗୋଳରେ ଯୋଗଦେଇ ଅଭ୍ୟାସ ବି ହୋଇଗଲାଣି । ତେଣୁ ଯେତେ କହିଲେ ନିବର୍ତ୍ତିଲେ ନାହିଁ ।

 

ଭାଗ୍ୟକୁ ଗାଡ଼ି ଛାଡ଼ିଦେଲା । ଯେଉଁ କେତେଜଣ ବାଦୁଡ଼ି ପରି ଅଟକି ରହିଲେ, ସେମାନଙ୍କୁ ଆମେ ଭିତରକୁ ଡାକିନେଲୁ । ଏଥର କାଞ୍ଚୀଯୁଦ୍ଧଟା ତାଞ୍ଜୋରରେ ହୋଇଗଲା ପରା ! ଷୋଳଜଣଙ୍କ ସଙ୍ଗେ ଷୋଳଶହଙ୍କର ! ଏ ଅଭିନୟରେ ବହକ ହସିଲୁ ।

 

ଠେଙ୍ଗାବାଡ଼ି ଧରି ସେମାନେ ଯେପରି ଉତ୍ତ୍ୟକ୍ତ ହୋଇ ଉଠିଥିଲେ, ପୁଲିସି ଯେପରି ଋଷି ପାଲଟି ଯାଇଥିଲା, ସାମ୍ନାସାମ୍ନି ପଡ଼ିଥିଲେ ଆମ ଅବସ୍ଥା କଣ ହୋଇଥାନ୍ତା, କିଏ କହିବ ?

 

ଗାଡ଼ି ପହଞ୍ଚିଲା ତ୍ରିଚନାପଲ୍ଲୀରେ; ଏହିଠାରେ ବହୁତ କଳକାରଖାନା ଅଛି । କୁଲିମାନେ ଆମ ଆଡ଼କୁ ତେର୍ଚ୍ଛା ଦୃଷ୍ଟି ପକାଇ ଷ୍ଟେସନ ତୋରଣ ଆଡ଼େ ମୋହିଁଲେ । ମନରୁ କ୍ରୋଧ ନିଭିଆସିଲେ ବି ଆଖିର ଲାଲ୍‍ଗାରରେ ଦି କି ଦିକି ଜଳୁଥାଏ ।

 

ତ୍ରିଚନାପଲ୍ଲୀର ଅନ୍ୟ ନାମ ତ୍ରିଶିରାପଲ୍ଲୀ । ପୂର୍ବେ ନିକଟବର୍ତ୍ତୀ ପର୍ବତ କନ୍ଦରରେ ତ୍ରିଶିରା ବୋଲି ଗୋଟିଏ ଦୁର୍ଦ୍ଦାନ୍ତ ରାକ୍ଷସ ବାସ କରୁଥିଲା । ତାର ଉପଦ୍ରବରେ କ୍ରମେ ଏହି ସ୍ଥାନ ଜନଶୂନ୍ୟ ହେବାକୁ ଲାଗିଲା । ଶେଷରେ ସୁରବଦଭାନ ନାମକ ଜଣେ ବୀରପୁରୁଷ ଏହି ରାକ୍ଷସକୁ ବିନାଶ କରି ସେଠାରେ ରାଜତ୍ୱ କଲେ । ରାକ୍ଷସର ନାମାନୁସାରେ ଏହାର ନାମ ‘ତ୍ରିଶିରାପଲ୍ଲୀ’ ହୋଇଥିଲା । ମଥୁରା ‘ମୁତ୍ରା’ ହେଲାପରି ଇଂରେଜୀ ତୁଣ୍ଡରେ ତ୍ରିଶିରାପଲ୍ଲୀ ‘ତ୍ରିଚନାପଲ୍ଲୀ’ ହୋଇଗଲା । ସୁରବଦଭାନ କାବେରୀ ନଦୀର ଉତ୍ତର ତଟରେ ଏବେ ‘ସୁବ୍ରହ୍ମନ୍ୟ’ ନାମରେ ପୂଜିତ ହେଉଛନ୍ତି ।

 

ଏହି ସହର ଚୋଳମାନଙ୍କର ରାଜଧାନୀ ଥିଲା । ୧୮୦୧ରେ ଏହା ଇଂରେଜୀମାନଙ୍କର ହସ୍ତଗତ ହେଲା । ଫରାସୀମାନଙ୍କଠାରୁ ଛଡ଼ାଇ ନେଲାପରେ ଇଂରେଜୀମାନେ ଏହି ସହରର ଯଥେଷ୍ଟ ଉନ୍ନତି କରିଅଛନ୍ତି ତ୍ରିଚନାପଲ୍ଲୀ ବିରାଟ ଜମ୍ମୁକେଶ୍ୱର ଓ ଶ୍ରୀରଙ୍ଗଜି ମନ୍ଦିର ଲାଗି ବିଶେଷ ପ୍ରସିଦ୍ଧ । ମାନ୍ଦ୍ରାଜଠାରୁ ଏହି ସହରର ଦୂରତା ୨୫୩ ମାଇଲ୍‍ । ଏହା ମାନ୍ଦ୍ରାଜ ଓ ଧନୁସ୍ଫୋଟୀ ଲାଇନ୍‍ ମଧ୍ୟରେ ବୃହତ୍ତମ ଷ୍ଟେସନ ଏବଂ ଦକ୍ଷିଣ ଭାରତୀୟ ରେଳପଥର ଏକ ପ୍ରଧାନ କେନ୍ଦ୍ର ! ନିକଟରେ କାବେରୀ ନଦୀ ଆମେ ଏଠାରେ ଅବତରଣ ନ କରି ଚାଲିଲୁ ମଦୁରା ଅଭିମୁଖେ ।

 

ମଦୁରା–

 

ମଦୁରାରେ ପହଞ୍ଚିଲାବେଳକୁ ରାତି ଅଧ । ମନରେ ବଡ଼ ଉଦବେଗ ଥାଏ–ରହିବୁ କେଉଁଠି ? କୌଣସି ନୂଆ ଜାଗାକୁ ଗଲେ ସ୍ୱଭାବତଃ ମନରେ ଏଇ ଆଶଙ୍କା ଜାଗ୍ରତ ହୁଏ । ନୂଆ ଜାଗା ଦେଖିବା, ନୂଆ ମଣିଷଙ୍କ ସଙ୍ଗେ ମିଶିବା ଲାଗି ଆଗ୍ରହ ଯେତିକି, ସେମାନଙ୍କ ମଧ୍ୟରେ କେମିତି ଚଳିବୁ, ଆଶଙ୍କା ସେତିକି । ତେବେ ଦକ୍ଷିଣ-ଭାରତର ଛତ୍ରମ୍‍ ନୂଆ ଯାତ୍ରୀଙ୍କର ବଡ଼ ଭରସା । କେତେ ମହାପୁରୁଷଙ୍କ ତ୍ୟାଗ ନିଷ୍ଠାରେ ଏ ଅନୁଷ୍ଠାନ ଗଢ଼ି ଉଠିଚି ଭାବିଲେ ଚିତ୍ତ ଭକ୍ତିରେ ନଇଁଆସେ । ଉତ୍ତର-ଭାରତରେ ଏଭଳି ଅନୁଷ୍ଠାନ ନାହିଁ, ନୂଆ ଯାତ୍ରୀ ଗଲେ ହଠାତ୍‍ ହଡ଼ବଡ଼େଇ ଯାଏ, ହୁଏତ ଦଲାଲ୍‍ ହାବୁଡ଼ରେ ପଡ଼େ ।

 

ଛତ୍ରମ୍‍ ଷ୍ଟେସନଠାରୁ ଡାକେ ବାଟରେ, ଯାତ୍ରୀ ଭରପୂର; ଶୀତଦିନ; ବାରଣ୍ଡାରେ କୌଣସିମତେ ଶୋଇ ହେବନାହିଁ । ଭୋକ ପେଟରେ ନିଆଁ ହୁଳା ଜାଳୁଥାଏ । କଣ କରିବା ? ଦକ୍ଷିଣ-ଭାରତରେ ସମସ୍ତ ହୋଟେଲ୍‍ ଦଶଟାବେଳେ ବନ୍ଦ ହୋଇଯାଏ ବୋଲି ଶୁଣିଥିଲି । ଜଳଖିଆ ହୁଏତ କେଉଁଠି ମିଳିପାରେ, ଚାଲ ଯିବା ସହରକୁ ।

 

ଭାଗ୍ୟକୁ ଗୋଟିଏ ହୋଟେଲ ଖୋଲା ଥିଲା ।

 

‘ଖାଇବାକୁ ମିଳିବ ?’

 

‘କେତେ ଜଣ ?’

 

‘୧୬ ଜଣ ।’

 

‘ଆସନ୍ତୁ ।’

 

ଆନନ୍ଦରେ ଆତ୍ମହରା; ଅପ୍ରତ୍ୟାଶିତଭାବରେ ଆଶା ପୂର୍ଣ୍ଣ ହେଲେ ଯେ କିପରି ଆନନ୍ଦ ଆସେ, ତାହା ଅନୁଭବୀ ଜାଣେ । ଏ ଆଶା ଅସ୍ଥାୟୀ ଆମେ ଜାଣୁ । ତେବେ ସେ ମୁହୂର୍ତ୍ତରେ ସେଇ ଆଶାହିଁ ମନକୁ ଗଭୀର ଭାବରେ ଆଚ୍ଛନ୍ନ କରି ରଖେ ।

 

ହୋଟେଲ ଉପର ମହଲାରେ ଶୋଇବାଲାଗି ଗୋଟିଏ ବଖରା ମଧ୍ୟ ଜାଗା ମିଳିଗଲା । ଆନନ୍ଦ କହିଲେ ନ ସରେ; ଏହି ଅଭିଭୂତ ମୁହୂର୍ତ୍ତରେହିଁ ମଣିଷ ସବୁଠାରୁ ବଡ଼ ଭୁଲ୍‍ କରିବସେ । ଶରୀର ଅବସନ୍ନ; ଶେଯ ଶୁଙ୍ଘୁ ଶୁଙ୍ଘୁ ନିଦ ।

 

ହଠାତ୍‍ ଗୋଳ ଉଠିଲା–ଟଙ୍କ ବ୍ୟାଗ୍‍ କାହିଁ ? ଛାତି ଦମ୍‍ଦମ୍‍ ପଡ଼ିଲା; ବୁଦ୍ଧି ବାଉଳା । ନିଜକୁ ଭର୍ତ୍ସନା କଲି–ଏସବୁ କାହିଁକି ନିଜେ ନ ଦେଖିଲି ?

 

ଛାଟିପିଟି ହୋଇ ଦଉଡ଼ିଲି ହୋଟେଲକୁ; ମ୍ୟାନେଜରବାବୁ ସେତେବେଳକୁ ତାଲା ବନ୍ଦ କରୁଛନ୍ତି; ଆମକୁ ବ୍ୟତିବ୍ୟସ୍ତ ଦେଖି ହସି ପଚାରିଲେ, ‘‘କୁଆଡ଼େ ?’’ ଆମ ଭିତରେ ବୈପ୍ଲବିକ ବିଶୃଙ୍ଖଳା; ପିଲାଏ ପରସ୍ପର ମୁଣ୍ଡରେ ଦୋଷ ବୋଳିବାରେ ଲାଗିଛନ୍ତି ।

 

‘କୁଆଡ଼େ’ ଶୁଣି ଆମ ଛାତି ପାଣି ଫାଟିଗଲା । ଦରିଆ ମଝିରେ ଜାହାଜ ଫାଟିବା କଥା-। ତେବେ ମଧୁର ହସଟିକ ଆମର ବଡ଼ ଆଶ୍ୱାସନା । ସେଥିରେ ଅଭୟ ପୂରି ରହିଥିଲା । ଭଦ୍ରଲୋକ କହିଲେ, ‘‘ମୋ ଆଖିରେ ଜିନିଷ ପଡ଼ିଲେ ହଜିବାର ଆଶଙ୍କା ନାହିଁ, ତେବେ କେତେ ଲୋକ ଆସୁଛନ୍ତି, ଯାଉଛନ୍ତି, ହିସାବପତ୍ରରେ ବ୍ୟସ୍ତ; ସବୁବେଳେ ନିଘା ରଖିପାରେ ନାହିଁ । ଆପଣଙ୍କ ଭାଗ୍ୟକୁ ଯାତ୍ରୀ କେହି ଆସିନାହାନ୍ତି–ହେଇ ନିଅନ୍ତୁ ଆପଣଙ୍କ ବ୍ୟାଗ୍‍ ।’’

 

ଆମର ଜୀବନ-ନାଟି ସେ; ପ୍ରାୟ ଦୁଇ ହଜାର ଟଙ୍କା ଥାଏ ସେଥିରେ; ହଜିଲା ଧନ ମିଳିଗଲେ ଯେଉଁ ଆନନ୍ଦ ଆସେ, ସେ ଅନୁଭୂତି ଊଣା ଅଧିକେ ସମସ୍ତଙ୍କର ଅଛି । କାରଣ ଜୀବନରେ ଟଙ୍କା ବା ଜିନିଷପତ୍ର ହଜାଇନାହିଁ, ଏପରି ଲୋକ ବିରଳ । ଯେ ହଜାଇନାହିଁ, ସେ ଜିନିଷର ଯଥାର୍ଥ ମୂଲ୍ୟ ବୁଝିପାରେ ନାହିଁ । ଧନରତ୍ନ ବା ସ୍ନେହ ପ୍ରେମର ମୁଲ୍ୟବୋଧ ଯାହାର ନାହିଁ, ସେ ଦରିଦ୍ର । ସେଥିଲାଗି କବି କହିଛନ୍ତି–

 

‘‘ହଜିନାହିଁ ଯାର କେବେ କିଛିହିଁ ରତନ

ଏ ମର୍ତ୍ତ୍ୟ ସଂସାରେ ସେହି ଦୀନ ଅକିଞ୍ଚନ

ସେ ପୁଣି ଦରିଦ୍ରତର, ହରାଇ ରତନ

ଏ ଭବ ଭବନେ ତାହା ପାଶୋରେ ଯେ ଜନ’’

 

ମ୍ୟାନେଜର ସାହେବଙ୍କୁ ଏକସ୍ୱରରେ ବହୁ ଧନ୍ୟବାଦ ଦେଇ ଫେରିଲୁ । ପରସ୍ପର ପରସ୍ପରକୁ ଭବିଷ୍ୟତରେ ସାବଧାନ ହେବା ଲାଗି ବହୁ ତାଗିଦ୍‍ ଦେଲେ; କିନ୍ତୁ ଆହା ! ବିପଦ ମୁହୂର୍ତ୍ତରେ ସମସ୍ତେ ହିଁ ଅନ୍ଧ; ଏଇ ମୁହୂର୍ତ୍ତରେ ସମସ୍ତଙ୍କର ମତିଭ୍ରମ ହୁଏ; ସୁନାହରିଣ ମତିମାନ୍‍ ରାମଚନ୍ଦ୍ରଙ୍କୁ ବି ମାୟାରେ ଭୁଲାଇ ନେଲା ।

 

ଅସମ୍ଭବ ହେମ ମୃଗସ୍ୟ ଜନ୍ମ

ତଥାପି ରାମଃ ଲୁଲୁଭେ ମୃଗାୟ ।

 

ସୁନାର ଜୀବନ୍ତ ହରିଣ ସେବା ଅସମ୍ଭବ–ଏଇ ସାମାନ୍ୟ କଥାଟି ତାଙ୍କ ମୁଣ୍ଡରେ ଢୁକିଲା ନାହିଁ; ଯେଉଁ ସୀତା ପାଦରେ ସୁନାକୁ ଠେଲିଦେଇ ଆସିଥିଲେ, ରାଜକନ୍ୟା, ରାଜବଧୂ; ସେ ବା ସାମାନ୍ୟ ସନାକୁ କିପରି ଲୋଭ କଲେ ?

 

ମତିଭ୍ରମ ହେତୁରୁ ଭୁଲ୍‍ ଉପରେ ଭୁଲ୍‍ କରି ସେ ଆଜୀବନ ଦୁଃଖକଷ୍ଟ ଭୋଗକଲେ ? ‘‘ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ।’’ ସେଥିଲାଗି କବି କହିଛନ୍ତି–

 

‘‘ଶଶି ଦିବାକରୟୋଃ ଗ୍ରହପୀଡ଼ନମ୍‍

ଗଜଭୁଜଙ୍ଗମୟୋରପି ବନ୍ଧନମ୍‍

ମତିମତାଞ୍ଚ ବିଲୋକ୍ୟ ଦରିଦ୍ରତାମ୍‍

ବିଧିରହୋ ବଳବାନ୍‍ଇତି ମେ ମତିଃ ।’’

 

ଏ କ୍ଷେତ୍ରରେ ବିଧାତାହିଁ ବଳବାନ; ସବୁଗୁଡ଼ିକ ଦୁଃଖଭୋଗ ଯେ ସକାରଣ ତା ନୁହେଁ, ଅକାରଣରେ ‘‘ହାବୁଡ଼ିଯାଏ ଯେ ଆଚମ୍ୱିତେ ଆସି ।’’

 

‘‘ସେଥିପାଇଁ ପରା ସ୍ୱହସ୍ତେ ରଖନ୍ତି

ଅଜ୍ଞେୟ ଅଦୃଷ୍ଟ-କଞ୍ଚି

ଯା’ ଭେଦ ନ ପାଇ ଭ୍ରମି ଭ୍ରମି ବଣା

ହୁଅନ୍ତି ଶିବ ବିରଞ୍ଚି ।’’

 

Unknown

ଘମାଘୋଟ ନିଦ ହେଲା । ସକାଳୁ ଦୋସି, ଚଟଣି ଖାଇ ବାହାରିଲୁ ନଗର ପରିକ୍ରମା କରି ।

 

ମଦୁରାକୁ ସ୍ଥାନୀୟଲୋକେ ମଧୁରାପୁରୀ ବୋଲି କହନ୍ତି । ମଦୁରା ନ ଦେଖିଲେ ପରଜନ୍ମରେ ଗଧ ହୋଇ ଜନ୍ମ ହେବ ବୋଲି ତାମିଲ ଶାସ୍ତ୍ରରେ ଅଛି । ଗଧ ହେବୁ କି ମାକଡ଼ ହେବୁ ପରଜନ୍ମ କଥା କିଏ କହିବ ? ତୀର୍ଥକୁ ଲୋକ ଆକର୍ଷଣ କରିବାଲାଗି ତୀର୍ଥର ମାହାତ୍ମ୍ୟ ବଢ଼ାଇବା ଲାଗି ବ୍ରାହ୍ମଣମାନେ ଏସବୁ କଥା ଶାସ୍ତ୍ରରେ ଖଂଜିଛନ୍ତି; ନଇଲେ ପାଣ୍ଠି ବୁଡ଼ିବ ଯେ !

 

ମଦୁରା ଅତୀ ପ୍ରାଚୀନ ସହର; ଗ୍ରୀକ୍‍ମାନେ ଏହାକୁ Regio Pandionin ନାମ ଦେଇଥିଲେ ଖ୍ରୀ;ପୂ; ୨୭ରେ ମଦୁରାର କୌଣସି ରାଜା ରୋମ ସମ୍ରାଟ ଅଗଷ୍ଟସ୍‍ଙ୍କ ନିକଟକୁ ଦୂତ ପ୍ରେରଣ କରିଥିଲେ । ମଦୁରାର ପାଣ୍ଡୁ ରାଜବଂଶ ନିରବଚ୍ଛିନ୍ନଭାବରେ ପ୍ରାୟ ଦେଢ଼ହଜାର ବର୍ଷ ଶାସନ କରିଥିଲେ । ତାମିଲ୍‍ମାନଙ୍କ ଇତିହାସ ନାନା ଗୌରବଗାଥାରେ ପରିପୂର୍ଣ୍ଣ ।

 

୧୫୫୭ ଖ୍ରୀଷ୍ଟାବ୍ଦରେ ବିଜୟନଗର ସେନାପତି ଥୁରୁମଲଙ୍କ ଶାସନ କାଳରେ ଏ ରାଜ୍ୟର ଗୌରବ ଓ ପ୍ରତିପତ୍ତି ବିଶେଷ ବୃଦ୍ଧି ପାଇଥିଲା । ଥୁରୁମଲ ରାଜବଂଶ ନାୟକ ବଂଶ କହନ୍ତି । ଏହି ବଂଶର ରାଜତ୍ୱରେ ମଦୁରାର ଶିଳ୍ପଭାସ୍କର୍ଯ୍ୟର ବିକାଶ ସାଧିତ ହୋଇଥିଲା ।

 

ମୁସଲମାନମାନେ ଜାତୀୟ ଗୌରବର ପ୍ରତୀକ ଅଧିକାଂଶ ମନ୍ଦିର, ଦୁର୍ଗ ଧ୍ୱଂସ କରିଥିଲେ, ଦକ୍ଷିଣ-ଭାରତର କେତେକାଂଶ ରାଜଧାନୀ ଦିଲ୍ଲୀଠାରୁ ଦୂରରେ ଥିବାରୁ କିୟତ୍‍ ପରିମାଣରେ ଅବ୍ୟାହତି ପାଇଥିଲା । ସାମୟିକ ଆକ୍ରମଣରେ ଧ୍ୱସ୍ତ ହେଇ ବର୍ତ୍ତମାନ ଯାହା ଅଛି, ତାହାହିଁ ଦ୍ରାବିଡ଼ୀୟ ତଥା ଭାରତୀୟ ଭାସ୍କର୍ଯ୍ୟର ଶ୍ରେଷ୍ଠ ନମୁନା ।

 

ମଦୁରାରେ ୨ଟି ପ୍ରଧାନ ମନ୍ଦିର ଅଛି– (୧) ମୀନାକ୍ଷୀ ଦେବୀମନ୍ଦିର (୨) ସୁନ୍ଦରେଶ୍ୱର ମନ୍ଦିର ।

 

ମୀନାକ୍ଷୀ ଦେବୀ ମନ୍ଦିର–

 

ଦୂରରୁ ଏହି ବିଶାଳ ମନ୍ଦିର ଦେଖି ଆମେ ହଠାତ୍‍ ସ୍ତମ୍ଭିତ ହୋଇଗଲୁ । ଦକ୍ଷିଣ ଭାରତରେ ଗୋପୁରଗୁଡ଼ିକ କେନ୍ଦ୍ର ମନ୍ଦିର ଅପେକ୍ଷା ଉଚ୍ଚତର; ଏହି ବିଶେଷତ୍ୱ ଲକ୍ଷ୍ୟ କରିବାର କଥା । କାରଣ ଉତ୍ତରଭାରତରେ ବିମାନ ବୃହତ୍ତମ, ଜଗମୋହନ, ଭୋଗମଣ୍ଡପ ତା ତୁଳନାରେ କ୍ଷୁଦ୍ରତର । ଯାହା କଥାରେ କହନ୍ତି ‘ଦେଉଳକୁ ମୁକୁଶିଆଳି ବଳି ପଡ଼ିଛି,’ ସେ କଥା ଦକ୍ଷିଣ-ଭାରତରେ ଠିକ୍‍ ।

 

ହଠାତ୍‍ ମନ ଆକର୍ଷଣ କରିନେବା ଦକ୍ଷିଣ-ଭାରତୀୟ ମନ୍ଦିରର ଆଉ ଗୋଟିଏ ବିଶେଷତ୍ୱ ! କୋଣାର୍କ ଦୂରରୁ ଦରିଦ୍ର ଦିଶେ ।

 

ଏଭଳି ଏକ ବିରାଟ ମନ୍ଦିର ସହିତ ପରିଚୟ ଏଇ ମୋର ପ୍ରଥମ । ଉତ୍କଳୀୟ ମନ୍ଦିର ସୌନ୍ଦର୍ଯ୍ୟରେ ସାରା ପୃଥିବୀର ସର୍ବଶ୍ରେଷ୍ଠ ବୋଲି ମୁଁ ଗର୍ବ କରି ଆସିଥିଲି । ମୀନାକ୍ଷୀ ମନ୍ଦିର ଦେଖି ସେହି କୂପମଣ୍ଡୁକତା ଦୂର ହୋଇଗଲା । ଅଜ୍ଞାନତା ହିଁ ସଂକୀର୍ଣ୍ଣତାର ଏକ ପ୍ରଧାନ କାରଣ । ଏହି ସୁନ୍ଦର ନଗର ଦେଖି ମନେ ହେଲା–

 

‘‘ତ୍ରିଭୁବନ ଶୋଭାସ୍ୱପ୍ନ ଏ ମନ୍ଦିର ପରେ

ରାଶୀକୃତ, ପୁଞ୍ଜୀଭୂତ ନିଖିଳ ଉଲ୍ଲାସ

ସୃଷ୍ଟି ଆଦିକାଳୁ ମୂର୍ତ୍ତ ବିଶ୍ୱମୟ ହାସ ।

ଏ କି ଆନ ଶୋଭା-ବିଶ୍ୱ ପ୍ରାଣ ଦେବାପାଇଁ

ମର୍ତ୍ତ୍ୟ ବିଶ୍ୱକର୍ମା ଏକ ରଖିଛି ଗଢ଼ାଇ ?

ଏ କି ମାୟା ରୂପ ଧରି ଶୋଭା ଅପସରୀ

ବିଜେ ଚାରିଦିଗେ ରୂପେ ଆଲୋକିତ କରି ?

ଏ କି ଇନ୍ଦ୍ରଜାଲ କଳା ଦିବ୍ୟ ମନ୍ତ୍ର ବଳେ

ଉଭାଇ ନ ଯାଇ ଶୋଭା ଉଭା ମହୀତଳେ ?

ଯେତେ ଦେଖୁଥିଲେ ଦିଶେ ନ ଦେଖିଲା ପରି

ହାତ ନ ଲଗାଇ ସତେ କିଏ ଅଛି ଗଢ଼ି ?

କେବଳ ବା ଭାବି ଭାବି ଚିତ୍ତ ରସମୟ

ହେଲାକ୍ଷଣି ଢାଳିଛି କି ପାଷାଣେ ହୃଦୟ ?

ସ୍ନେହ ପ୍ରେମ ବାତ୍ସଲ୍ୟ ବା ଆଉଟି ଢାଳିଛି

ଆପେ ଆପେ ଲାବଣ୍ୟ ବା ଫୁଟିଛି ଫଳିଛି !

ପୂରି ପୂରି ଆସେ ବୁକୁ ଶୋଭାର ପ୍ଲାବନେ

ମଜ୍ଜି ମଜ୍ଜି ଯାଏ କାହିଁ ହୃଦୟ ସପନେ !

 

ଦକ୍ଷିଣ-ଭାରତୀୟ ଆଚାରବ୍ୟବହାର ସଙ୍ଗେ ଆମର ଶତ ପାର୍ଥକ୍ୟ ଥିଲେ ବି ଅନ୍ତରର ଯୋଗ ଏଇଠି; ଏଇ ସଂସ୍କୃତି ହିଁ ବହୁ ଅନୈକ୍ୟ ମଧ୍ୟରେ ଭାରତ-ଭୂମିକି ଏକ କରି ରଖିଛି ।

 

ସୌନ୍ଦର୍ଯ୍ୟର କି ମାୟା ! ସବୁ ଦେଖିସାରି ସବୁ ରହିଲା ଅଦେଖା । ଏହାହିଁ ସୌନ୍ଦର୍ଯ୍ୟର ସର୍ବଶ୍ରେଷ୍ଠ ନିକଷ-

 

True beauty is what, oft and oft beheld

Doth look us new and new as a first sight.

 

–Keats.

 

ଠିକ୍‍ ସେହି କଥା କହିଛନ୍ତି ସଂସ୍କୃତ କବି–

 

‘‘ଦିନେ ଦିନେ ଯା ନବତାମୁପୈତି ତଦେବ ରୂପଂ ରମଣୀୟତାୟାଃ’’

 

ମନ୍ଦିରର ଚାରି ତୋରଣରେ ୪ ଗୋଟି ଗୋପୁର ଅଛି । ଦେବାଳୟଟି ସମଚତୁଷ୍କୋଣ ପରି ଦେଖାଗଲେ ହେଁ ଉଚ୍ଚତାରେ ତାରତମ୍ୟ ଅଛି । ଉତ୍ତର ଦକ୍ଷିଣ ବାହୁ ଯଥାକ୍ରମେ ୮୩୪ ଓ ୮୫୨ ଫୁଟ୍‍ଏବଂ ପୂର୍ବ ପଶ୍ଚିମ ବାହୁ ୭୨୦ ଓ ୭୨୯ ଫୁଟ୍‍ଉଚ୍ଚ । ବୋଧହୁଏ ଭାରତର ଏହା ଉଚ୍ଚତମ ମନ୍ଦିର । ସମସ୍ତ ମନ୍ଦିରର ଗଠନ ପ୍ରାୟ ଏକପ୍ରକାର; ଏହାର ପ୍ରତ୍ୟେକ ସ୍ତରରେ ଗୋଟିଏ ଗୋଟିଏ ମହଲା ଅଛି । ଗୋଟିଏ ଗୋଟିଏ ଗୋପୁରରେ ପ୍ରାୟ ୨୦ ମହଲା ଅଛି । ଅଗ୍ରଭାଗ ନୌକାକାର ହୋଇଅଛି । ଦକ୍ଷିଣଭାରତୀୟ ମନ୍ଦିର ୪ ଭାଗରେ ବିଭକ୍ତ–ବିମାନ, ମଣ୍ଡପମ୍‍, ଗୋପୁରମ୍‍ ଓ ଚୌଦିସ୍‍ ।

 

ମଣ୍ଡପ ଗର୍ଭମନ୍ଦିର ସମ୍ମୁଖରେ ନିର୍ମିତ ହୁଏ । କୌଣସି କୌଣସି ଦେଉଳରେ ୭ଟି ପର୍ଯ୍ୟନ୍ତ ମଣ୍ଡପ ଅଛି । ଚୌଦିସ୍‍ ସ୍ତମ୍ଭ ଉପରେ ନିର୍ମିତ; ଗୋଟିଏ ଗୋଟିଏ ମନ୍ଦିରରେ ଶତ ବା ସହସ୍ର ସ୍ତମ୍ଭର ଚୌଦିସ୍‍ ଅଛି । ମନ୍ଦିର, ଗୋପୁର, ଭିତ୍ତି ଓ ସ୍ତମ୍ଭ ଗାତ୍ରରେ ଅସଂଖ୍ୟ ଦେବଦେବୀ, ଯକ୍ଷଗନ୍ଧର୍ଭକିନ୍ନର, ମୁନିଋଷି, ବ୍ୟାଘ୍ର ସିଂହ ପ୍ରଭୃତି ଜୀବଜନ୍ତୁମାନଙ୍କର ମୂର୍ତ୍ତି ଖୋଦିତ ହୋଇଅଛି ।

 

ଦକ୍ଷିଣ-ଭାରତୀୟ ମନ୍ଦିରର ଆକୃତି ବିଶାଳ; କିନ୍ତୁ ଭୁବନେଶ୍ୱର ବା କୋଣାର୍କ ପରି ସୂକ୍ଷ୍ମ କାରୁକାର୍ଯ୍ୟ ସେଥିରେ ନାହିଁ । ଦୂର ଆକର୍ଷଣର ପ୍ରଭାବ ନିକଟରେ ରହେ ନାହିଁ ।

 

ମୀନାକ୍ଷି ଦେବୀ ଭୁବନେଶ୍ୱରର ଗୌରୀ ମୂର୍ତ୍ତି ପରି ଅତ୍ୟନ୍ତ ମନୋରମ । ଦେବୀଙ୍କ ଅଙ୍ଗ ହୀରା ନୀଳା ମୋତି ମାଣିକ୍ୟରେ ଅଳଙ୍କୃତ; ଦେବୀଙ୍କ ସମ୍ମୁଖରେ ଗୋଟିଏ ସୁନାର ତାଳଗଛ-। ଦେବୀ ମନ୍ଦିର ଏକ ସୁନାର ପ୍ରଦର୍ଶନୀ କହିଲେ ଚଳେ ।

 

ସୁନାକୁ ଭୁଲି ମଣିଷ ଭକ୍ତିରେ ବୁଡ଼ିପାରିବ ନାହିଁ । ଦକ୍ଷିଣ ଭାରତର ପ୍ରତି ମନ୍ଦିରରେ ଏହି ସୁବର୍ଣ୍ଣ ସମୃଦ୍ଧି ମଧ୍ୟରେ ଲୁଚିଯାଇଛି ମଣିଷର ଆଧ୍ୟାତ୍ମିକ ଉଦ୍ଦେଶ୍ୟଟିକ । ସଂସାର ବଡ଼ ହୋଇ ଆଖିକି ଦିଶେ ଏଠି, ପରଲୋକ ନୁହେଁ, ଓଡ଼ିଶାରେ ଠିକ୍‍ ବିପରୀତ । ସୁବର୍ଣ୍ଣ ସଞ୍ଚୟ ପ୍ରତି ଦକ୍ଷିଣବାସୀର ଲକ୍ଷ୍ୟ । ନିତାନ୍ତ ଦରିଦ୍ର ଘରୁ ମଧ୍ୟ ୨/୩ ତୋଳା ସୁନା ବାହାରିବ । ସୁବର୍ଣ୍ଣକୁ ସେମାନେ ବଡ଼ ସମ୍ପଦ ବୋଲି ମନେ କରନ୍ତି । ତେଣୁ ଦକ୍ଷିଣବାସୀ ଦେବତାକୁ ଦେଇଛି ସର୍ବଶ୍ରେଷ୍ଠ ଅର୍ଘ୍ୟ ସୁବର୍ଣ୍ଣରେ । ଦେଉଳର ଅଗ୍ରଭାଗ ସୁନାରେ ଛାଆଣି ହୋଇଛି । ସୂର୍ଯ୍ୟକିରଣରେ ସୋରିଷଫୁଲର ଲହଡ଼ି ଉଠୁଚି; ଦରିଦ୍ରର କଳ୍ପିତ ସ୍ୱର୍ଗ ଏ ।

 

ଗୋଟାଏ ପ୍ରକାଣ୍ଡ ରଜତ ହସ୍ତୀର ଚକ୍ଷୁ ଓ ଦନ୍ତ ସୁବର୍ଣ୍ଣରେ ନିର୍ମିତ ହୋଇଛି । ଦେବତାଙ୍କର ଯାନବାହନାଦି ମଧ୍ୟରେ ଗୋଟିଏ ସୁନା ପାତଲଗା ପାଲିଙ୍କିର ଦାମ୍‍ କୋଡ଼ିଏ ହଜାର, ଛତି ଦୁଇଟିର ଦାମ୍‍ ଚବିଶ ହଜାର, ବାସନର ମୂଲ୍ୟ ଷାଠିଏ ହଜାର ଟଙ୍କା । ଭାରତୀୟ ମନ୍ଦିରର ଏହି ସମୃଦ୍ଧି ହିଁ ଅତୀତରେ ଶତ୍ରୁ ଆକ୍ରମଣକୁ ନିମନ୍ତ୍ରଣ କରି ଆଣିଥିଲା ।

 

ଦେବ ଦର୍ଶନ ଲାଗି ମ୍ୟାନେଜରଙ୍କଠାରୁ ଅନୁମତି ନେବାକୁ ହୁଏ, ଅନୁମତି ଖୁବ୍‍ ସହଜରେ ମିଳେ । ଧନସମ୍ପଦ ଥିବା ହେତୁରୁ ବୋଧେ ଏ କାଇଦା କରାହୋଇଛି; ଏଠାରେ ପଣ୍ଡାଙ୍କ ଜୁଲମ୍‍ ନାହିଁ । ଆମ ଆଡ଼ ପଣ୍ଡାମାନେ ଯାତ୍ରୀମାନଙ୍କୁ ଯେପରି ଝିଙ୍କାଓଟରା କରନ୍ତି, ସେଥିରେ ଯାତ୍ରୀର ଦେବ-ଦର୍ଶନ-ପିପାସା ଲୁପ୍ତ ହୋଇ ଯାଉଥିବ, ବୋଧହୁଏ ।

 

ସୁନ୍ଦରେଶ୍ୱର ମନ୍ଦିର–

 

ଅଧିକାଂଶ ଦକ୍ଷିଣ ଭାରତୀୟ ଶୈବ; ଦକ୍ଷିଣ ଭାରତରେ ଶିବ ମନ୍ଦିର ବେଶୀ, ବିଷ୍ଣୁ ମନ୍ଦିର କମ୍‍, ଶଙ୍କରାଚାର୍ଯ୍ୟଙ୍କ ପ୍ରଭାବ ଏପର୍ଯ୍ୟନ୍ତ ଲୋକଙ୍କ ମନରେ ଦୃଢ଼ ଆସନ ପାତି ବସିଛି । ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରଚାର ଫଳରେ ଅଳ୍ପ କେତୋଟି ବିଷ୍ଣୁ ମନ୍ଦିର ନିର୍ମିତ ହୋଇଅଛି ମାତ୍ର ।

 

ସୁନ୍ଦରେଶ୍ୱର (ଶିବ) ଓ ମୀନାକ୍ଷିଦେବୀ (ପାର୍ବତୀ) ଅତି ପ୍ରାଚୀନ ଦେବତା । ପୁରାଣରେ ସୁନ୍ଦରେଶ୍ୱରଙ୍କ ଉତ୍ପତ୍ତି ବିଷୟ ବର୍ଣ୍ଣିତ ଅଛି ।

 

ଇନ୍ଦ୍ରଥରେ ଉର୍ବଶୀ, ରମ୍ଭା, ତିଳୋତ୍ତମା ପ୍ରଭୃତି ଅପ୍‍ସରାମାନଙ୍କ ନୃତ୍ୟରେ ଏତେ ମଜ୍ଜି ଯାଇଥିଲେ ଯେ ବୃହସ୍ପତିଙ୍କ ଆଗମନ କଥା ଆଦୌ ଜାଣି ପାରିଲେ ନାହିଁ । ଦେବଗୁରୁଙ୍କୁ ବଡ଼ ଅପମାନ ଲାଗିଲା; ସେ ସେହି ମୁହୂର୍ତ୍ତରେ ଦେବଗୁରୁ ପଦ ତ୍ୟାଗ କଲେ । ଇନ୍ଦ୍ର ଏ ସମ୍ୱାଦରେ ବ୍ୟଥିତ ହୋଇ ବୃହସ୍ପତିଙ୍କ ସନ୍ଧାନ ଲାଗି ଚତୁର୍ଦ୍ଦିଗକୁ ଦୁତ ପ୍ରେରଣ କଲେ; କାର୍ଯ୍ୟ ଚଳାଇବା ଲାଗି ତ୍ୱଷ୍ଟାଙ୍କର ପୁତ୍ର ଦୈତପତି ତ୍ରିଶିରାଙ୍କୁ ଦେବଗୁରୁ ପଦରେ ବରଣ କଲେ । ତ୍ରିଶିରା ଯଜ୍ଞରେ ଆହୁତି ଦେଲାବେଳେ ପ୍ରକାଶ୍ୟରେ ଦେବତାମାନଙ୍କର ଓ ଗୋପନର ମାତାମହକୁଳର ଶୁଭକାମନା କରିଥିଲେ; ଇନ୍ଦ୍ର ଏହା ଜାଣିପାରି କ୍ରୋଧାନ୍ୱିତ ହୋଇ ତାଙ୍କର ଶିରଚ୍ଛେଦ କଲେ, ତ୍ରିଶିରା ବ୍ରାହ୍ମଣ; ତେଣୁ ଇନ୍ଦ୍ରଙ୍କୁ ବ୍ରହ୍ମପାପ ଲାଗିଲା । ସେ ସେହି ପାପକୁ ଦେବତାମାନଙ୍କ ସାହାଯ୍ୟରେ ଚାରି ଭାଗରେ ବିଭକ୍ତ କରି ଉଭିଦ, ସ୍ତ୍ରୀ, ଜଳ ଓ ପୃଥିବୀରେ ନିକ୍ଷେପ କଲେ । ସେହିଦିନଠାରୁ ଉଭିଦରେ ନିର୍ଯ୍ୟାସ, ସ୍ତ୍ରୀଠାରେ ରଜ, ଜଳରେ ଫେନ ଓ ପୃଥିବୀରେ କ୍ଷାର ଉତ୍ପନ୍ନ ହେଲା । ତତ୍ପରେ ଇନ୍ଦ୍ର ପାପରୁ ମୁକ୍ତ ହେଲେ ।

 

ତ୍ୱଷ୍ଟା ନିଜ ପୁତ୍ରର ମୃତ୍ୟୁରେ ଦୁଃଖିତ ହୋଇ ବଳବାନ୍‍ ପୁତ୍ର ଲାଭ ଲାଗି ପୁତ୍ରେଷ୍ଟି ଯଜ୍ଞ କଲେ । ସେହି ଯଜ୍ଞର ଫଳସ୍ୱରୂପ ବୃତ୍ରାସୁର ଜାତ ହେଲା । ବୃତ୍ର ଇନ୍ଦ୍ରଙ୍କୁ ସ୍ୱର୍ଗରୁ ତଡ଼ି ସିଂହାସନ ଅଧିକାର କଲା; ବିଷ୍ଣୁଙ୍କ ଉପଦେଶ ଅନୁସାରେ ଇନ୍ଦ୍ର ଦଧୀଚିଙ୍କ ଅସ୍ଥିରେ ବଜ୍ର ନିର୍ମାଣ କରି ବୃତ୍ରକୁ ବିନାଶ କଲେ । ବୃତ୍ର ବ୍ରାହ୍ମଣ ଥିବାରୁ ଇନ୍ଦ୍ରଙ୍କୁ ପୁଣି ବ୍ରହ୍ମହତ୍ୟା ଦୋଷ ଲାଗିଲା । ବୃହସ୍ପତି ଇନ୍ଦ୍ରଙ୍କର ସମସ୍ତ ଦୋଷ କ୍ଷମାକରି ମର୍ତ୍ତ୍ୟରେ ସମସ୍ତ ତୀର୍ଥ ପର୍ଯ୍ୟଟନ କରିବା ଲାଗି ତାଙ୍କୁ ଉପଦେଶ ଦେଲେ-

 

ଇନ୍ଦ୍ର ମଦୁରାର କଦମ୍ୱ ବନରେ ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୋଇଥିଲେ; ମୁକ୍ତିର କାରଣ ଅନୁସନ୍ଧାନ କରୁ କରୁ ସେ ଅନାଦି ଲିଙ୍ଗ ମୂର୍ତ୍ତି ଦର୍ଶନ କଲେ ଏବଂ ବିଶ୍ୱକର୍ମାଙ୍କୁ ଡକାଇ ସେଠାରେ ଗୋଟିଏ ବିରାଟ ମନ୍ଦିର ନିର୍ମାଣ କଲେ; ବୃହସ୍ପତିଙ୍କ ଦ୍ୱାରା ଅଭିଷେକ କରାଇ ସେହି ଲିଙ୍ଗର ନାମ ‘ସୁନ୍ଦର’ ରଖିଲେ । ସ୍ୱର୍ଗରେ ଅରାଜକତା ଉପସ୍ଥିତ ହେବାରୁ ଇନ୍ଦ୍ର ସବୁଦିନ ସୁନ୍ଦରେଶ୍ୱରଙ୍କ ଦର୍ଶନ ଲାଗି ଆସିପାରିଲେ ନାହିଁ; କେବଳ ବୈଶାଖ ପୂର୍ଣ୍ଣିମା ଦିନ ଆସିବା ଲାଗି ବୃହସ୍ପତି ତାଙ୍କୁ ଉପଦେଶ ଦେଲେ । ସେହିକାଳରୁ ପ୍ରତି ବୈଶାଖ ପୂର୍ଣ୍ଣିମାରେ ଏଠାରେ ମହୋତ୍ସବ ପାଳିତ ହୋଇଆସୁଛି ।

 

ବହୁ ବର୍ଷପରେ ସ୍ୱପ୍ନାଦିଷ୍ଟ ହୋଇ କୁଳଶେଖର ପାଣ୍ଡ୍ୟ ଏହି ସ୍ଥାନରେ ରାଜଧାନୀ ସ୍ଥାପନ କଲେ ଏବଂ ଏହାର ନାମ ମଧୁରାପୁରୀ ରଖିଲେ । ୧୬୨୩ ଖ୍ରୀଷ୍ଟାବ୍ଦରେ ତିରୁମଲ୍‍ ସବାରି ନାୟନି ଆୟାଳୁ ରାଜା ହୋଇ ତ୍ରିଚନାପଲ୍ଲୀରୁ ମଦୁରାଇ ରାଜଧାନୀ ଉଠାଇ ଆଣିଲେ ଏବଂ ଶିବ କୃପା ଫଳରେ ଯକ୍ଷ୍ମାରୋଗରୁ ମୁକ୍ତ ହେଲେ । ବର୍ତ୍ତମାନ ମନ୍ଦିର ତାଙ୍କର କୀର୍ତ୍ତି ।

 

ଏହି ମନ୍ଦିରରେ ଆଗେ ଦେବଦାସୀ ନୃତ୍ୟର ବ୍ୟବସ୍ଥା ଥିଲା । ଅପୁତ୍ରକ ଦମ୍ପତ୍ତି ପ୍ରଥମ କନ୍ୟା ଜାତହେଲେ ଦେବସେବାଲାଗି ଅର୍ପଣ କରିବେ ବୋଲି ମାନସିକ କରୁଥିଲେ । କନ୍ୟା ଦେବସେନାରେ ଜୀବନ ଉତ୍ସର୍ଗ କରୁଥିଲା ଏବଂ ସଂଯମ ଶିକ୍ଷା-ଦୀକ୍ଷାରେ ସେ ସମାଜର ଆଦର୍ଶସ୍ଥାନୀୟା ହେଉଥିଲା; କ୍ରମେ ନାନା ବ୍ୟଭିଚାର ଘଟିବାରୁ ଏହା ଏକ କୁପ୍ରଥାରେ ପରିଣତ ହେଲା । ମନ୍ଦିର ନିଷ୍କାମ ତ୍ୟାଗପୂତ ପୀଠ ନ ହୋଇ ଧନୀଲୋକମାନଙ୍କ କାମନାକଳୁଷିତ ଭୋଗବିଳାସର ଏକ ଆଡ଼୍‍ଡ଼ା ହେବାକୁ ଲାଗିଲା । ସେଥିଲାଗି ଏବେ ଦେବଦାସୀ ପ୍ରଥା ମନ୍ଦିରରୁ ଉଠାଇଦିଆ ହୋଇଛି ।

 

ତିରୁମଲ ନାୟକ ପ୍ରାସାଦ–

 

ଓଡ଼ିଶାରେ ପ୍ରାଚୀନ ଗୁମ୍ଫା, ପୋଲ, ବନ୍ଧ ଓ ମନ୍ଦିର ଥିଲେହେଁ କୌଣସି ଦୁର୍ଗ ବା ରାଜପ୍ରାସାଦ ଅକ୍ଷୂର୍ଣ୍ଣ ଅବସ୍ଥାରେ ନାହିଁ । ମୁସଲମାନ, ମରହଟ୍ଟା ଓ ଇଂରାଜୀ ଆକ୍ରମଣ ଫଳରେ ସମସ୍ତ ଦୁର୍ଗ ଓ ରାଜବାଟୀ ଧ୍ୱଂସ ପାଇଯାଇଅଛି । କିନ୍ତୁ ତିରୁମଲ ନାୟକଙ୍କର ରାଜବାଟୀ ଏପର୍ଯ୍ୟନ୍ତ ଦ୍ରାବିଡ଼ ସ୍ଥାପତ୍ୟର ଏକ ଉଜ୍ଜ୍ୱଳ ନିଦର୍ଶନ ହୋଇ ରହିଅଛି । ପ୍ରାସାଦ ଉପରେ ୩ ଗୋଟି ଗମ୍ୱୁଜ ଦେଖିଲେ ମସ୍‍ଜିଦ୍‍ ବୋଲି ଭ୍ରମ ହୁଏ ।

 

ବନ୍ଦିୟୁର ଟେପାକୁଲମ୍‍–

 

ବଜା ତିରୁମଲଙ୍କ ଦ୍ୱାରା ଖୋଦିତ ଏହି ସରୋବର ମୀନକ୍ଷି ମନ୍ଦିରର ୩ ମାଇଲ୍‍ ଦୂରରେ ଅବସ୍ଥିତ । ଦୂରରୁ ଏହା ଏକ ପ୍ରାକୃତିକ ହ୍ରଦ ପରି ଦେଖାଯାଏ । ଏହାର ଦୈର୍ଘ ୧୦୦୦ଫୁଟ୍‍, ପ୍ରସ୍ଥ ୯୫୦ଫୁଟ୍‍ । ଏହା ଦେଖିବାକୁ ନରେନ୍ଦ୍ର ପୁଷ୍କରିଣୀ ପରି । ଜଳମଧ୍ୟସ୍ଥ ଚତୁଃଷ୍କୋଣ ଦ୍ୱୀପ ଉପରେ ଗୋଟାଏ ମଣ୍ଡପ । ବୈଶାଖ ମାସରେ ମୀନାକ୍ଷିଦେବୀ ଏହି ପୁଷ୍କରିଣୀକି ଚାପ ଖେଳି ଆସନ୍ତି ।

 

ମଦୁରା ସହର ଜନାକୀର୍ଣ୍ଣ ନୁହେଁ, ଯାନଗହଳ ବି ନାହିଁ । ଚାଲି ଚାଲି ସମସ୍ତ ସହରଟି ଦେଖିନେଲୁ । ଲୋକେ କୃଷ୍ଣକାୟ, ବିଦେଶୀ ପୋଷାକ ପିନ୍ଧିବା ଲୋକ ବଡ଼ କମ୍‍ । କଲିକତା, ମାନ୍ଦ୍ରାଜ୍‍ପରି ଏଠାରେ ପାଶ୍ଚାତ୍ୟ ପ୍ରଭାବ ନାହିଁ । ସରଳ ଜୀବନ ଓ ଉଚ୍ଚ ଚିନ୍ତା ଏଠା ପଣ୍ଡିତମାନଙ୍କର ଭୂଷଣ ହୋଇଅଛି ।

 

ତାମିଲ୍‍ମାନେ ସର୍ବଦା ନିରଳସ, କର୍ମଦକ୍ଷ; ଭାରତର ପ୍ରାୟ ସବୁ ଅଞ୍ଚଳରେ ସେମାନଙ୍କର ହୋଟେଲ ଅଛି । ସୁଲଭ ମୂଲ୍ୟରେ ରୁଚିକର ଖାଦ୍ୟ ଯୋଗାଉଥିବାରୁ ସେଗୁଡ଼ିକ ଲୋକପ୍ରିୟ ହୋଇପାରିଛି ।

 

ରାମେଶ୍ୱର–

 

ସେତୁବନ୍ଧ ରାମେଶ୍ୱରର ନାମ ପିଲାଦିନରୁ ଶୁଣିଥିଲି । କେଉଁ ଅଦୃଶ୍ୟ ଶକ୍ତି ମୋତେ ଆଜି ଏଠାକୁ ଟାଣିଆଣିଲା ? ତୀର୍ଥକ୍ଷେତ୍ର ଦେଖି ଧର୍ମ ପୁଞ୍ଜି କରିବା ତ ଲକ୍ଷ୍ୟ ନୁହେଁ; କାରଣ ‘‘ଶୁଚିମନୋ ଯଦ୍ୟସ୍ତି ତୀର୍ଥେନ କିଂ’’ । ଅର୍ଥାତ୍‍ ମନ ପୂତ କଲେ ଗଡ଼ିଆ ଗଙ୍ଗା । ଭଗବାନଙ୍କ ଅପୂର୍ବ ମାହାତ୍ମ୍ୟ ହୃଦୟଙ୍ଗମ କରିବା ପାଇଁ ନୁହେଁ, ଭଙ୍ଗୁର ସଂସାରର ଅଶାନ୍ତିରୁ ତ୍ରାହି ପାଇବା ପାଇଁ ନୁହେଁ, ଦୂର ଦିଗ୍‍ବଳୟର କି ଏକ ଐନ୍ଦ୍ରଜାଲିକ ଆକର୍ଷଣରେ ମୁଁ ଯାଇଥିଲି ରାମେଶ୍ୱର; ପ୍ରାଣରେ ଶିଶୁର କୌତୁହଳ, ଯୁବକର ଉତ୍ସାହ, ବୃଦ୍ଧର ଧୈର୍ଯ୍ୟ, ଆଖିରେ ଦୂରତାର ନିଶା, ମନରେ ରଙ୍ଗୀନ ସ୍ୱପ୍ନ ଘେନି; ଜ୍ଞାନ ନୁହେଁ, ଧ୍ୟାନ ନୁହେଁ, ଭକ୍ତି ନୁହେଁ, କି ଏକ ମଧୁର ଭାବ ହୃଦୟରେ ଲଗାଇ ଦେଇଥାଏ କିମିଆଁ । ନିଜକୁ ଆଜି ଟିକିଟିକି ବୁଣି ଦେବାକୁ ଚାହେଁ ସମଗ୍ର ଭିତରେ । ଭୋଳ ମନରେ ଚାଲିଥାଏ; ସମୁଦ୍ରର ନୀଳାଭ ଜଳରାଶି, ବିସ୍ତୀର୍ଣ୍ଣ ବାଲୁକାପ୍ରାନ୍ତର, ନାରୀକେଳ ତାଳବିଥି, ଶ୍ୟାମଳ ଶସ୍ୟକ୍ଷେତ୍ର, ତରଙ୍ଗିତ ଶୈଳରାଜି ନାଚି ନାଚି ଲୁଚିଯାଉଥାଏ, ଅତୀତ ଜୀବନର ବହୁ ଭାବ ଅବଚେତନ ମନରେ ଲୁକ୍‍କାୟିତ ହେଲାପରି ।

 

ରାମେଶ୍ୱର ଦକ୍ଷିଣଭାରତର ପାଦଦେଶରେ ଗୋଟିଏ କ୍ଷୁଦ୍ର ଦ୍ୱୀପ; ଏହାର ଦୈର୍ଘ ୧୧ ମାଇଲ, ପ୍ରସ୍ଥ ୬ ମାଇଲ । ଭାରତୀୟ ରେଳ ଲାଇନ୍‍ର ଶେଷ ଷ୍ଟେସନ ହେଉଛି ମାଣ୍ଡାପମ୍‍ । ମାଣ୍ଡାପମ୍‍ ଓ ପାମ୍ୱାନ୍‍ ମଧ୍ୟରେ ୨ ମାଇଲ ବିସ୍ତୃତ ଗୋଟିଏ ସେତୁ ନିର୍ମିତ ହୋଇ ରେଳ ଯାତାୟାତରେ ସୁବିଧା ହୋଇଅଛି । ମାଣ୍ଡାପମ୍‍ ଷ୍ଟେସନର ଅପର କୂଳରେ ଥିବା ପ୍ରଥମ ଷ୍ଟେସନ ହେଉଛି ପାମ୍ୱାନ୍‍ । ଏହିଠାରୁ ଗୋଟିଏ ଶାଖା ଲାଇନ୍‍ରେ ୮ ମାଇଲ ଗଲେ ପଡ଼େ ରାମେଶ୍ୱର ସହର ଓ ମନ୍ଦିର ।

 

ଷ୍ଟେସନରୁ ସହରର ଦୂରତା ଏକ ମାଇଲ ମାତ୍ର । ଶ୍ରୀକ୍ଷେତ୍ର ସହିତ ଏହି ସହରର ଯଥେଷ୍ଟ ସାଦୃଶ୍ୟ ରହିଅଛି । ଉତ୍ତର ଭାରତର ଶତ ଶତ ଯାତ୍ରୀ ଚାଲିଛନ୍ତି, ଗୀତ ଗାଇ । କେତେ କାଳରୁ ଏଇ ଗୀତଧାରା ଚାଲିଛି କିଏ ଜାଣେ ? ମଣିଷ ଟଳିପଡ଼ି ମାଟି ହୋଇଯାଉଛି; ପୁଣି ନୂଆ ମଣିଷ, ନୂଆ ଉତ୍ସାହ; ଏଇ ସଙ୍ଗୀତ କେତେ କାଳରୁ ସଂସ୍କୃତିକୁ ଦେଇଛି ଜୀବନ୍ୟାସ । ମୃତ୍ୟୁ ଯାତ୍ରୀଦଳ ! ଜୀବନର ସମସ୍ତ ପୁଞ୍ଜି କାମନାର ମାୟାହାଟରେ ଶେଷ ହୋଇଯାଇଅଛି, ପରସେବାଲାଗି ବର୍ତ୍ତମାନ ସଂଗ୍ରହ କରୁଛ ନୂତନ ପୁଞ୍ଜି–ଧର୍ମ !

 

ରାମେଶ୍ୱର ବଡ଼ଦାଣ୍ଡ ବେଶ୍‍ ଓସାରିଆ; ଦୁଇ ପାଖେ ଛୋଟ ଛୋଟ କୋଠାବାଡ଼ି ଦୋକାନପତ୍ର । ଗୋଟିଏ ହୋଟେଲରେ ଖିଆପିଆ କଲୁ, ଟ ୦୪ ରେ ୨ । ୩ ପ୍ରକାର ମାଛ, ଡାଲି, ଚାରୁ, ତରକାରୀ ଦେଲା । ଭାତ ଯେ ଯେତେ ଖାଇବ, କଟକଣା ନାହିଁ ।

 

ଶଙ୍ଖ, ଶାମୁକା, କଉଡ଼ି ପ୍ରଭୃତି ସାମୁଦ୍ରିକ ଜିନିଷ ବେଶ୍‍ ଶସ୍ତା, ସେଥିରୁ କେତେକ କିଣି ଗଲୁ ରାମେଶ୍ୱର ମନ୍ଦିରକୁ ।

 

ରାମେଶ୍ୱର ମନ୍ଦିର–

 

ଭାରତବର୍ଷରେ ହିନ୍ଦୁର ଚାରୋଟି ଧାମ ପ୍ରସିଦ୍ଧ; ଉତ୍ତରରେ କେଦାର, ଦକ୍ଷିଣରେ ରାମେଶ୍ୱର, ପଶ୍ଚିମରେ ଦ୍ୱାରକା ଓ ପୂର୍ବରେ ପୁରୀ । ଯୋଗୀ, ସନ୍ନାସୀ, ଭକ୍ତ ଉକ୍ତ ୪ଗୋଟି ମହାତୀର୍ଥ ବୁଲିଆସିଲେ ନିଜକୁ କୃତାର୍ଥ ମନେକରନ୍ତି । ତୀର୍ଥାଟନ କଲେ ସ୍ୱର୍ଗଲାଭ ହୁଏ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ । ରାମେଶ୍ୱରର ଅନାଦି ଜ୍ୟୋତିଲିଙ୍ଗ ମୂର୍ତ୍ତି ଶାସ୍ତ୍ରସିଦ୍ଧ ଦ୍ୱାଦଶ ଲିଙ୍ଗର ଅନ୍ତର୍ଗତ-

 

‘‘ସୌରାଷ୍ଟ୍ରେ ସୋମନାଥଞ୍ଚ ଶ୍ରୀଶୈଳ ମଲ୍ଲିକାର୍ଜ୍ଜୁନମ୍‍

ଉଜ୍ଜୟିନ୍ୟାଂ ମହାକାଳ ମୋଙ୍କାରମମରେଶ୍ୱରମ୍‍

କେଦାରଂ ହିମବତ୍‍ପୃଷ୍ଠେ ଡାକିନ୍ୟାଂ ଭୀମଶଙ୍କରମ୍‍

ବାରାଣସ୍ୟାଞ୍ଚ ବିଶ୍ୱେଶଂ ତ୍ର୍ୟମ୍ୱକଂ ଗୌତମୀ ତଟେ

ବୈଦ୍ୟନାଥଂ ଚିତାଭୂମୌ ନାଗେଶଂ ଦାରୁକାବନେ

ସେତୁବନ୍ଧେ ତୁ ରାମେଶଂ.......

 

–ଶିବପୁରାଣ

 

ଯାତ୍ରୀ ନାଟମନ୍ଦିରରେ ଛିଡ଼ାହୋଇ ଦର୍ଶନ କରେ । ଶିବଲିଙ୍ଗ ସ୍ପର୍ଶ କରିବା ମନା ।

 

ଗୋଟିଏ ସ୍ୱର୍ଣ୍ଣବେଦୀ ଉପରେ ଅର୍ଦ୍ଧହସ୍ତପରିମିତ ରାମେଶ୍ୱର ମୂର୍ତ୍ତି ବିରାଜିତ । ଏହି ମୂର୍ତ୍ତି ସୁବର୍ଣ୍ଣସର୍ପମଣ୍ଡିତ ଗୋଟିଏ ଶିବମୁଖ ଆବରଣରେ ଆବୃତ ରହେ ।

 

ରାମେଶ୍ୱରଙ୍କ ପ୍ରତିଷ୍ଠା ବିଷୟରେ ନିମ୍ନୋକ୍ତ କିଂବଦନ୍ତୀ ପ୍ରଚଳିତ । ରାବଣକୁ ବିନାଶ କଲା ପରେ ରାମଚନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ପାପ ଲାଗିଲା । ସେତୁବନ୍ଧରେ ଶିବ ପ୍ରତିଷ୍ଠା କଲେ ସେହି ପାପ ଦୂର ହେବ ବୋଲି ତାଙ୍କର ଦୃଢ଼ବିଶ୍ୱାସ ହେଲା । କିନ୍ତୁ ସେତୁବନ୍ଧରେ ଶିବଲିଙ୍ଗ, ବିଲ୍ୱଦଳ ବା ଗଙ୍ଗାଜଳ କିଛି ପାଇଲେ ନାହିଁ । କୈଳାସରୁ ଶିବଲିଙ୍ଗ ଓ କାଶୀରୁ ଗଙ୍ଗାଜଳ ଆଣିବା ଲାଗି ସେ ହନୁମନ୍ତକୁ ପଠାଇଲେ । ଏଣେ ପୂଜାର ଲଗ୍ନ ଅତୀତ ହେବାକୁ ବସିଲା, ଅଥଚ ହନୁମନ୍ତ ଫେରିଲା ନାହିଁ । ତେଣୁ ରାମ ବାଲୁକାରେ ଏକ ଶିବଲିଙ୍ଗ ପ୍ରତିଷ୍ଠା କରି ଅଶ୍ରୁଜଳ ଓ ବନ୍ୟପତ୍ରରେ ପୂଜା ସମାପନ କଲେ । ହନୁମନ୍ତ ଶିବଲିଙ୍ଗ ପ୍ରତିଷ୍ଠା କରି ଅଶ୍ରୁଜଳ ଓ ବନ୍ୟପତ୍ରରେ ପୂଜା ସମାପନ କଲେ । ହନୁମନ୍ତ ଶିବଲିଙ୍ଗ ପ୍ରତିଷ୍ଠିତ ହେବାର ଦେଖି ବିଶେଷ କ୍ଷୁବ୍‍ଧ ହେଲା । ରାମ ହନୁର ମନକଥା ଜାଣିପାରି ବାଲୁକା ଲିଙ୍ଗ ଉତ୍ପାଟନ କରି ସେହି ସ୍ଥାନରେ ପାଷାଣ ଲିଙ୍ଗ ସ୍ଥାପନ କରିବା ଲାଗି ଆଦେଶ ଦେଲେ । ହନୁମନ୍ତ ଲାଙ୍ଗୁଳରେ ବାଲୁକାଲିଙ୍ଗ ଉତ୍ତୋଳନ କରିବାମାତ୍ରେ ଏକ ପାଷାଣଲିଙ୍ଗ ମୃତ୍ତିକା ଅଭ୍ୟନ୍ତରରୁ ଉତ୍‍ଥିତ ହେଲା ଏବଂ ହନୁ ରକ୍ତ ଉଦ୍‍ଗୀରଣପୂର୍ବକ ମୂର୍ଚ୍ଛିତ ଅବସ୍ଥାରେ ପଡ଼ିରହିଲା । ସେଇ ଲିଙ୍ଗ ହେଲେ ରାମ ପ୍ରତିଷ୍ଠିତ ରାମେଶ୍ୱର ।

 

ଭକ୍ତର ବାଞ୍ଛା ପୂର୍ଣ୍ଣ କରିବାଲାଗି ରାମଚନ୍ଦ୍ର ଅନୀତ ପାଷାଣ ଶିବଲିଙ୍ଗକୁ ରାମେଶ୍ୱରଙ୍କ ନିକଟରେ ସ୍ଥାପନ କଲେ; ଭକ୍ତର ମାନ ରକ୍ଷାଲାଗି ଏ ଶିବଙ୍କ ପୂଜା ପରେ ରାମେଶ୍ୱରଙ୍କୁ ପୂଜା କରାଯାଏ । ଏହି ବିଧି ରାମଙ୍କ ସମୟରୁ ଯୁଗ ଯୁଗ ଧରି ପାଳିତ ହୋଇ ଆସୁଅଛି ।

 

ରାମେଶ୍ୱର ମନ୍ଦିର ମଦୁରା ଓ ତାଞ୍ଜୋର ମନ୍ଦିର ପରି ବିଶାଳ । ଦେବଦେବୀ, ସାଧକଭକ୍ତ, ଯକ୍ଷରାକ୍ଷସ ଓ ଜୀବଜନ୍ତୁ ମୂର୍ତ୍ତିରେ ଏହି ମନ୍ଦିର ପରିପୂର୍ଣ୍ଣ । ମୂଳ ମନ୍ଦିର ଅପେକ୍ଷା ଗୋପୁରଗୁଡ଼ିକ ଦୀର୍ଘତର । ଗୋପପୁରର ସର୍ବୋଚ୍ଚ ତଳରେ ୭ଟି ପିତ୍ତଳ କଳସ ଦିଆଯାଇଛି ଅଳିନ୍ଦର ଦକ୍ଷିଣରେ ସୁବ୍ରହ୍ମଣ୍ୟ (କାର୍ତ୍ତିକ) ଓ ବାମରେ ଗଣେଷ ମୂର୍ତ୍ତି ଅଛନ୍ତି । ମାର୍ଗର ଦୁଇ ପାର୍ଶ୍ୱରେ ୨୦ ଟି କାରୁକାର୍ଯ୍ୟଖଚିତ ସ୍ତମ୍ଭ ଉପରେ ପଥର ଛାତ; ସ୍ତମ୍ଭରେ ତିନିମୁଖ ଅଶ୍ୱ ଓ ହସ୍ତୀର ମୁଖ ଖୋଦିତ ।

 

ମୂଳ ମନ୍ଦିର ସମ୍ମୁଖରେ ଗୋଟିଏ ପଥରରେ ନିର୍ମିତ ଏକ ବିରାଟ ବୃଷଭ ମୂର୍ତ୍ତି ଅଛି । ଏହାର ଦୈର୍ଘ୍ୟ ୧୬ ଫୁଟ୍‍, ଉଚ୍ଚତା ୧୫ ଫୁଟ୍‍ । ଦେବାଳୟ ଉଚ୍ଚ ପ୍ରାକାରଦ୍ୱାରା ବେଷ୍ଟିତ; ଏହାର ଦୈଘ୍ୟ ଏକ ହଜାର ଫୁଟ୍‍. ପ୍ରସ୍ଥ ଛଅଣ ସତଷଠି ଫୁଟ୍‍ । ମନ୍ଦିର ୨୧ ଟି କୂପ ଅଛି । ପ୍ରତ୍ୟେକ କୂପ ଗୋଟିଏ ଗୋଟିଏ ତୀର୍ଥ । ମଣ୍ଡପରେ ବିଶାଳ ପିତ୍ତଳ ଦରଜା, ସେଥିରେ ପିତ୍ତଳ ଦୀପଧାରଗୁଡ଼ିକରେ ଆଲୋକ ପ୍ରଜ୍ଜ୍ୱଳିତ ହେଲେ ଅତ୍ୟନ୍ତ ମନୋହର ଦେଖାଯାଏ ।

 

ଏହି ମନ୍ଦିର ବର୍ତ୍ତମାନ ଏକ ପଞ୍ଚାୟତଦ୍ୱାରା ପରିଚାଳିତ; ସେତୁପ୍ରତି ରାମନାଦର ରାଜା ପରିଚାଳକଙ୍କ ମଧ୍ୟରେ ସର୍ବପ୍ରଧାନ । ତାଙ୍କ ପୂର୍ବବର୍ତ୍ତୀ ରାଜାମାନେ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଲାଗି ବହୁ ଅର୍ଥ ଦାନ କରିଯାଇଛନ୍ତି । ଏହି ମନ୍ଦିରର ବାର୍ଷିକ ଆୟ ୨ ଲକ୍ଷ; ଉତ୍ସବ, ଦାତବ୍ୟ ଚିକିତ୍ସାଳୟ. ସଂସ୍କୃତ ପାଠଶାଳା, ପୂଜାଭୋଗ ଓ ପୂଜାହାରୀଙ୍କ ଦରମା ବାବତରେ ପ୍ରାୟ ସମସ୍ତ ଅର୍ଥ ବ୍ୟୟିତ ହୋଇଯାଏ ।

 

ରାମେଶ୍ୱର ମନ୍ଦିରରେ ବର୍ଷକେ ୧୦ ଟି ପ୍ରଧାନ ଉତ୍ସବ ଅନୁଷ୍ଠିତ ହୁଏ ।

 

୧)

ବୈଶାଖ ମାସ ଶୁକ୍ଳ ଷଷ୍ଠୀରୁ ୧୦ ଦିନ ବ୍ୟାପୀ ବସନ୍ତୋତ୍ସବ ।

 

 

୨)

ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ପ୍ରତିଷ୍ଠା ଉତ୍ସବ ।

 

 

୩)

ରାମେଶ୍ୱରୀଙ୍କ ଧ୍ୱଜୋତ୍ସବ ।

 

 

୪)

ଶ୍ରାମଣରେ ୫ ଦିନ ବ୍ୟାପୀ ବିବାହୋତ୍ସବ ।

 

 

୫)

ଆଶ୍ୱିନରେ ନବରାତ୍ରୋତ୍ସବ ।

 

 

୬)

କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରହ୍ମୋତ୍ସବ ।

 

 

୭)

ମାର୍ଗଶିର ମାସରେ ଲକ୍ଷେ ଦୀପୋତ୍ସବ ।

 

 

୮)

ପୌଷ ପୂର୍ଣ୍ଣିମାରେ ପୌଷୋତ୍ସବ ।

 

 

୯)

ମାଘରେ ମାଘୋତ୍ସବ ଓ ଶିବରାତ୍ରି ।

 

 

୧୦)

ଫୁାଲ୍‍ଗୁନରେ ମହା ଅଭିଷେକୋତ୍ସବ ।

 

ସେତୁବନ୍ଧ–

 

ରାମେଶ୍ୱର ସଙ୍ଗେ ସେତୁବନ୍ଧ ନାମ ଜଡ଼ିତ; ରାମାୟଣ ଆମ ନିକଟରେ ଏକ କାଳ୍ପନିକ କାବ୍ୟ ନୁହେଁ, ଏହା ଭାରତୀୟ ଜୀବନ ଓ ସଂସ୍କୃତିର ଇତିହାସ । ରାମ କେବଳ କାବ୍ୟର ନାୟକ ନୁହନ୍ତି, ସେ ଆଦର୍ଶ ପୁରୁଷ ରୂପରେ ଆମ ଭିତରେ ଯୁଗ ଯୁଗ ଧରି ଜୀବନ୍ତ ଥାଇ ଆମ ଜୀବନକୁ ନିୟନ୍ତ୍ରିତ କରି ଆସୁଛନ୍ତି । ରାମଙ୍କ ନାମରେ ଦକ୍ଷିଣ-ଭାରତରେ ଯେ କେତେ ଅନୁଷ୍ଠାନ ଅଛି, ତାର କଳନା ନାହିଁ । ଆମେ ରାମଚନ୍ଦ୍ରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଆସୁଛୁ ଏଇଭାବରେ । ଏଇ ସେତୁବନ୍ଧ ‘ରାମରାଜ୍ୟ’ ସ୍ଥାପତ୍ୟର ଏକ ଜ୍ୱଳନ୍ତ ସଂକେତ । ହନୁମନ୍ତ କିପରି ଲୋମେ ଲୋମେ ପର୍ବତ ବୋହିଆଣି ସମୁଦ୍ରରେ ନିକ୍ଷେପ କରିଥିଲା, ପର୍ବତ ନ ଭାସିବାରୁ କ୍ରୋଧାନ୍ୱିତ ହୋଇ ରାମଚନ୍ଦ୍ର କିପରି ଶର ମାରି ସମୁଦ୍ର ଶୁଖାଇ ଦେଇଥିଲେ, ବରୁଣ କିପରି ଶରଣାଗତ ହୋଇ ପାଷାଣ ଭସାଇ ରଖିବାର ପ୍ରତିଶ୍ରୁତି ଦେଇଥିଲା, ଶେଷରେ ମନୁଷ୍ୟ ଛଡ଼ା ସତ୍ୟ, ନ୍ୟାୟ ଓ ଧର୍ମର ପକ୍ଷପାତୀ ଜୀବଜନ୍ତୁ ବିଶେଷତଃ ଏକ ଗୁଣ୍ଡୁଚିମୂଷା ସେତୁ ନିର୍ମାଣରେ କିପରି ସାହାଯ୍ୟ କରିଥିଲା, ରାବଣ କିପରି ନିର୍ମିତ ସେତୁକୁ ବାରମ୍ୱାର ଭାଙ୍ଗି ଦେଇଥିଲା, ସେତୁରେ ରାବଣର ଇଷ୍ଟଦେବତା ଶିବଲିଙ୍ଗ ସ୍ଥାପନ କଲାରୁ କିପରି ନିରସ୍ତ ହେଲା ଇତ୍ୟାଦି କଥା ଆମେ ରାମାୟଣରେ ପଢ଼ୁ । ଏଥିରେ କାବ୍ୟିକ ଅତିରଞ୍ଜନ ଥିଲେ ବି ଐତିହାସିକ ସତ୍ୟ ଯେ ନିହତ ଅଛି, ସନ୍ଦେହ ନାହିଁ ।

 

ଭଗ୍ନସେତୁକୁ ପୁନଃନିର୍ମାଣ କରିବା ଯୋଜନା କମ୍‍ କୌତୁହଳୋଦ୍ଦୀପକ ହୋଇନାହିଁ; ହୁଏତ କେତେ ବର୍ଷ ପରେ ଏହି ସେତୁ ଉପରେ ରେଲ୍‍ଗାଡ଼ି ଚାଲିବ; ଗାନ୍ଧିଜୀ କଳ୍ପିତ ରାମରାଜ୍ୟ ଭାରତରେ ବାସ୍ତବ ରୂପ ନେବ ।

 

ଲଙ୍ଗାସାଗର ଓ ସେତୁର ଦୃଶ୍ୟ କାଳିଦାସଙ୍କ ରଘୁବଂଶରେ ବିସ୍ତୃତଭାବରେ ବର୍ଣ୍ଣିତ; ରାମଚନ୍ଦ୍ର ପୁଷ୍ପକଯାନରେ ଅଯୋଧ୍ୟା ଫେରିଲାବେଳେ ସମୁଦ୍ର ମଧ୍ୟରେ ସ୍ୱନିର୍ମିତ ସେତୁର ମନୋହର ଦୃଶ୍ୟ ଦେଖି ସୀତାଙ୍କୁ କହିଲେ–

 

‘‘ବୈଦେହି, ପଶ୍ୟାମଳୟାତ୍‍ ବିଭକ୍ତମ୍‍

ମତ୍‍ ସେତୁନା ଫେନିଳମମ୍ୱୁରାଶିମ୍‍

ଛାୟାପଥେନେବ ଶରତ ପ୍ରସନ୍ନମ୍‍

ଆକାଶମାବିଷ୍କୃତ-ଚାରୁତାରମ୍‍ ।’’

 

ଅନୁବାଦ–

 

ବିଦେହନନ୍ଦିନି, ଦେଖ ମଳୟ ପର୍ଯ୍ୟନ୍ତ

ବିଭକ୍ତ ସେତୁରେ ମୋର ସିନ୍ଧୁ ଫେନବନ୍ତ ।

ଯେସନେ ଶରଦେ ଚାରୁ ତାରା ବିମଣ୍ଡିତ

ଗଗନ ଦିଶଇ ଛାୟାପଥେ ଦ୍ୱିଖଣ୍ଡିତ ।

 

–ମଧୁସୂଦନ

 

ସ୍ଥିର ନିଥର ଲବଣାମ୍ୱୁରାଶି; ରାମଙ୍କ ମହିମାରେ ଲହରୀ ଉଦବେଳନ ନାହିଁ । ଏଇ ସମୁଦ୍ରରେ ଖଣ୍ଡବିଖଣ୍ଡିତ ଏକ ଅସ୍ପଷ୍ଟ ରେଖା ଦିଗ୍‍ବଳୟକୁ ଭେଦ କରିବାର ଦେଖାଯାଏ । ସେତୁର ପୂର୍ବ ଗୌରବ ବର୍ତ୍ତମାନ କ୍ଷୂର୍ଣ୍ଣ; ସୌନ୍ଦର୍ଯ୍ୟବ୍ୟାହତ । ଏହା ବର୍ତ୍ତମାନ ବହୁ କ୍ଷୁଦ୍ର ଦ୍ୱୀପରେ ବିଭକ୍ତ; ମଧ୍ୟ ମଧ୍ୟ ଗଭୀର ଜଳରାଶି । ରାମେଶ୍ୱରଠାରୁ ମାନ୍ନାର ସମେତ ଏହି ସେତୁର ଦୈର୍ଘ୍ୟ ୬୦ ମାଇଲ୍‍ । ମାଣ୍ଡାପମ୍‍ଠାରୁ ପାମ୍ୱାନ୍‍ପର୍ଯ୍ୟନ୍ତ ୨ ମାଇଲ୍‍ବିସ୍ତୃତ ଏକ ଜଳମଗ୍ନ ପାହାଡ଼–ଏହା ଗନ୍ଧମାଦନର ଅଂଶ ବୋଲି ଜନଶ୍ରୁତି ଅଛି । ଭଟ୍ଟା ସମୟରେ ଏହା ଉପରେ ଲୋକେ ଯାତାୟାତ କରୁଥିଲେ । ଷ୍ଟିମାର୍‍ ଚଳାଇବା ଲାଗି ଅସୁବିଧା ହେବାରୁ ଡିନାମାଇଟ୍‍ ସାହାଯ୍ୟରେ ଏହି ପାହଡ଼କୁ ଲଡ଼େଇ ଦିଆହୋଇଛି । ପାମ୍ୱାନ୍‍ରୁ ୨ ମାଇଲ୍‍ ଦୂରରେ ୧୧ ମାଇଲ୍‍ ଦୀର୍ଘ ଓ ୬ ମାଇଲ୍‍ ପ୍ରସ୍ଥବିଶିଷ୍ଟ ରାମେଶ୍ୱର ଦ୍ୱୀପ, ତା’ପରେ ୧୬ ମାଇଲ୍‍ ଭଗ୍ନସେତୁ–ଭଟ୍ଟା ସମୟରେ ବାଲି ଓ ପଥର ଦେଖାଯାଏ । ତତ୍ପରେ ୧୮ ମାଇଲ୍‍ ଦୀର୍ଘ ଓ ୨ ୧/୨ ମାଇଲ୍‍ ବିସ୍ତୃତ ମାନ୍ନାର ଦ୍ୱୀପ; ଏହା ବର୍ତ୍ତମାନ ଜନବସତି ପୂର୍ଣ୍ଣ । ଏହାପରେ ୨ ମାଇଲ୍‍ ଭଗ୍ନପଥ । ଏଠି ପାଣି ଅଛି ଅଳ୍ପ; ଭଟ୍ଟା ସମୟରେ ମଣିଷ, ଗୋରୁ ଯିବାଆସିବା କରିପାରନ୍ତି; ଏହି ମାନ୍ନାର ଦ୍ୱୀପରୁ ଲଙ୍କା ଆରମ୍ଭ । ପୂର୍ବେ ଏହି ସେତୁ ଉପରେ ଭାରତରୁ ଲଙ୍କା ପର୍ଯ୍ୟନ୍ତ ଲୋକେ ଯିବା ଆସିବା କରି ପାରୁଥିଲେ; ଏଇ ପଥରେ ସୈନ୍ୟ ଚାଳନ କରି ତାମିଲ୍‍ମାନେ ବହୁବାର ଲଙ୍କା ଆକ୍ରମଣ କରିଅଛନ୍ତି ଓ ଲଙ୍କାବାସୀ ଭାରତ ଆକ୍ରମଣ କରିଅଛନ୍ତି । ୧୪୮୪ ଖ୍ରୀଷ୍ଟାବ୍ଦରେ ଭୀଷଣ ଝଞ୍ଜାଜନିତ ପ୍ରଳୟ ତରଙ୍ଗଘାତରେ ଏହି ସେତୁ ଭଗ୍ନ ହେଲା । ସେହିଦିନଠାରୁ ଭାରତ ଲଙ୍କାରୁ ବିଚ୍ଛିନ୍ନ ହେଲା ।

 

ଜନଶ୍ରୃତି ଅଛି ଯେ ଲଙ୍କା ଯୁଦ୍ଧର ଅବସାନ ପରେ କୁକୁରାଦି ଜୀବ ଏହି ସେତୁ ଉପରେ ଗମନାଗମନ କରି ମହା ତୀର୍ଥ ସମୁଦ୍ରରେ ଜଳ ଅପବିତ୍ର କରିବାରୁ ବରୁଣ ରାମଚନ୍ଦ୍ରଙ୍କର ନିକଟରେ ଗୁହାରି କଲେ । ରାମଚନ୍ଦ୍ର ପ୍ରତିକାରସ୍ୱରୂପ ଏହି ସେତୁକୁ ଶରାଘାତରେ ଛିନ୍ନ କରିବାଲାଗି ଲକ୍ଷ୍ମଣଙ୍କୁ ଆଦେଶ ଦେଇଥିଲେ ।

 

ଏହାକୁ ଇଂରେଜୀମାନେ Adam’s bridge ନାମ ଦେଇଥିଲେ । ଭାରତରୁ ଲଙ୍କା ପର୍ଯ୍ୟନ୍ତ ସେତୁ ମଧ୍ୟରେ ୨୪ ଟି ତୀର୍ଥ ଅଛି ।

 

୧) ଚକ୍ରତୀର୍ଥ, ୨) ବେତାଳ ବରଦ ତୀର୍ଥ, ୩) ପାପବିନାଶନ ତୀର୍ଥ, ୪) ସୀତାସର ତୀର୍ଥ, ୫) ହନୁମତ୍‍ ତୀର୍ଥ, ୬) ଅଗସ୍ତ୍ୟ ତୀର୍ଥ, ୭) ଶ୍ରୀରାମ ତୀର୍ଥ, ୮) ଶ୍ରୀ ଲକ୍ଷ୍ମଣ ତୀର୍ଥ, ୯) ଜଟା ତୀର୍ଥ, ୧୦) ଚକ୍ର ତୀର୍ଥ, ୧୧) ଗଙ୍ଗା ତୀର୍ଥ, ୧୨) ଗୟା ତୀର୍ଥ, ୧୩) ଯମୁନା ତୀର୍ଥ, ୧୪) କୋଟି ତୀର୍ଥ, ୧୫) ଧନୁଷ୍କୋଟୀ ତୀର୍ଥ ଇତ୍ୟାଦି ।

 

ସବୁ ତୀର୍ଥର ଉତ୍ପତ୍ତି ବିଷୟରେ ଗୋଟିଏ ଗୋଟିଏ କିମ୍ୱଦନ୍ତୀ ପ୍ରଚଳିତ ଅଛି । ଉକ୍ତ ତୀର୍ଥ ଛଡ଼ା ସେତୁରେ ୧୭ଟି ଉପତୀର୍ଥ ମଧ୍ୟ ଅଛି । ରାମଙ୍କର ବିଭିନ୍ନ ସେନାପତି ଓ ସୈନ୍ୟମାନଙ୍କ ନାମରେ ଅନେକ ତୀର୍ଥ ଅଛି । ଏସବୁ ଦେଖିବାଲାଗି ଆମର ଆଗ୍ରହ କିମ୍ୱା ଅବସର ନ ଥିଲା ।

 

ବର୍ତ୍ତମାନ ରାମନାଦ ରାଜା ସେତୁର ଅଧିକାରୀ । ସେତୁର ଯାବତୀୟ ଦେବଦେବୀଙ୍କର ପୂଜାର ବ୍ୟବସ୍ଥା ବଂଶାନୁକ୍ରମେ ରାଜାମାନେ କରି ଆସୁଅଛନ୍ତି । କେବଳ ରାମେଶ୍ୱର ମନ୍ଦିର ପରିଚାଳନା ଲାଗି କୌଣସି ସେତୁପତିରାଜା ୯୬ ଖଣ୍ଡ ଗ୍ରାମ ଦାନ କରିଅଛନ୍ତି । ଯାତ୍ରୀମାନଙ୍କ ଲାଗି ରାଜା ୨୦ ଟି ଛତ୍ରମ୍‍ ମଧ୍ୟ ନିର୍ମାଣ କରିଅଛନ୍ତି ।

 

ରାମେଶ୍ୱରରେ କୌଣସି ଫସଲ ଉତ୍ପନ୍ନ ହୁଏ ନାହିଁ । ହଳକର୍ଷଣ ଲାଗି ରାମ ନିଷେଧ କରିଅଛନ୍ତି ବୋଲି କିଂବଦନ୍ତୀ ଅଛି; କର୍ମବୀର ରାମଚନ୍ଦ୍ର କଦାପି ଏଭଳି ଆଳସ୍ୟକୁ ପ୍ରଶ୍ରୟ ଦେଇ ନ ଥିବେ । ଅଧିକ ଶସ୍ୟ ଉତ୍ପାଦନ ଯୁଗରେ ଏପରି ଏକ କଳଙ୍କିତ କିଂବଦନ୍ତୀକି ଭିତ୍ତି କରି ଅଭାବଗ୍ରସ୍ତ ଲୋକେ କେତେକାଳ ଚଳିପାରିବେ ? ଲଙ୍ଗଳେଶ୍ୱର ଶିବ କୃଷିର ଦେବତା; ତାଙ୍କ କ୍ଷେତ୍ରରେ ଏପରି ଏକ କିଂବଦନ୍ତୀ ନିତାନ୍ତ ଅସଂଗତ ।

 

ଅସଲ କଥା, ରାମେଶ୍ୱରର ମୃତ୍ତିକା ଉର୍ବର ନୁହେଁ, ଲବଣାକ୍ତ; ତେଣୁ ତାଳ, ନରୀକେଳ ତିନ୍ତୁଳି ଛଡ଼ା ବୋଧେ ଅନ୍ୟ କିଛି ଉତ୍ପନ୍ନ ହୁଏହାହିଁ । ଭାରତ ଓ ସିଂହଳରୁ ଖାଦ୍ୟଶସ୍ୟ ଆମଦାନୀ ହୁଏ ।

 

ରାମେଶ୍ୱର ମାଣ୍ଡାପମ୍‍ ଗାଡ଼ିରେ ଦେଖାହେଲା ପୁରୀର ଜଣେ ପଣ୍ଡା ସହିତ; କ୍ରୋଧରେ ଗର୍ଜନ କରୁଥାଏ; କଥା କଣ ? ସେ ରାମେଶ୍ୱର ପୁଲିସ୍‍ ଅତ୍ୟାଚାରର କରୁଣ କହାଣୀ ବର୍ଣ୍ଣନା କଲା । ମାନ୍ଦ୍ରାଜରେ ନିଶା ନିବାରଣ ଆଇନ୍‍ଜାରୀ ହୋଇଥାଏ । ମାଦକଦ୍ରବ୍ୟ ଥିବାର ସନ୍ଦେହ କରି ପୁଲିସ ପ୍ରତି ଯାତ୍ରୀର ଟ୍ରଙ୍କ, ସୁଟ୍‍କେଶ ଗଣ୍ଠିଲି ଏପରିକି ଅଣ୍ଟା ଦରାଣ୍ଡୁଥାଏ । ସ୍ତ୍ରୀ ଲୋକେ ବି ଏହି ଅଣ୍ଟାଦରଣ୍ଡାରୁ ରକ୍ଷା ପାଉ ନ ଥାନ୍ତି । କଡ଼ା ଆଇନ୍‍ ପ୍ରୟୋଗ ନାମରେ ଆଇନ୍‍ର ବିସ୍ତାର ଅପବ୍ୟବହାର ହେଉଥାଏ । ପୁଲିସ୍‍ ତ ନିଜେ ଅତ୍ୟାଚାରୀ, ଥାନାରେ ଜଣାଇଲେ କିଏ ପ୍ରତିକାର କରିବ ? ସ୍ୱାଧୀନ ଭାରତରେ ଏ ଅତ୍ୟାଚାର ବାସ୍ତବିକ୍‍ ଶୋଚନୀୟ । ପଣ୍ଡା ପୁରୀରେ ରାମେଶ୍ୱରବାସୀଙ୍କ ଉପରେ ତୀବ୍ର ପ୍ରତିଶୋଧ ନେବ ବୋଲି ଧମକାଉଥାଏ । ମୁଁ କହିଲି ‘‘ରାମେଶ୍ୱରବାସୀଙ୍କ ଦୋଷ କଣ ? ଭାରତ ସ୍ୱାଧୀନ ହେବା ସଙ୍ଗେ ସଙ୍ଗେ ପୁଲିସ ମନୋବୃତ୍ତିର ବିଶେଷ ପରିବର୍ତ୍ତନ ହୋଇନାହିଁ । ସେମାନେ ମାନ୍ଧାତା ଅମଳର ଅତ୍ୟାଚାରୀ ମନୋଭାବ ଧରି ଚାଲିଛନ୍ତି । ହିନ୍ଦୁ ଯଦି ହିନ୍ଦୁ ଉପରେ ଏପରି ଅତ୍ୟାଚାର କରେ, ପାକିସ୍ଥାନୀ ମୁସଲମାନମାନଙ୍କୁ ଦୋଷ ଦେବାରେ କି ଯୁକ୍ତି ଅଛି ? ତୁମେ ନିର୍ଦ୍ଦୋଷଙ୍କ ଉପରେ ଅତ୍ୟାଚାର କରି ଓଡ଼ିଶାର ଦୁର୍ନାମ ରେଟେଇବ ନାହିଁ । ଆମେ ଏ ବିଷୟରେ ସମ୍ୱାଦପତ୍ରରେ ଲେଖି ଯଥାର୍ଥ ପ୍ରତିକାର ବିଧାନ କରିବୁ-।’’

 

ମାଣ୍ଡାପମ୍‍ ପଥରେ କିଛି ବିରିଆନୀ କିଣି ଖାଇଲୁ–କଦଳୀପତ୍ରର ଗୋଟିଏ ଗୋଟିଏ ପୁଟୁଳା । କେତେକରେ ଘୋଳଦହି, ସଫା ଅରୁଆଭାତ, ଅଦା ଗୋଳାଗୋଳି, ଚିରୁଡ଼ାଏ ଲେମ୍ୱୁ ଆଚାର; ଅନ୍ୟ କେତେକରେ ହଳଦିଆ ଅରୁଆଭାତ ମାଂସ ମିଶାମିଶି–ପଲାଉ ! ଦହିଭାତ ବେଶ୍‍ ରୁଚିକର; ପୁଡ଼ାକୁ ଟ ୩୬ । ମାହାର୍ଦ୍ଦ ପରି ଟୁକିଦେଲୁ; ତଳିପେଟ ପଡ଼ିଗଲା । ସାଢ଼େ ଏଗାରଟା ବେଳେ ଗାଡ଼ି ପହଞ୍ଚିଲା ମାଣ୍ଡାପମ୍‍ ଷ୍ଟେସନରେ ।

 

ଷ୍ଟେସନରେ ଲେଖା ହୋଇଛି, ‘‘ସିଂହଳ ଯାତ୍ରୀମାନେ ଏଇଠି ଓହ୍ଲାଇ ସ୍ୱତନ୍ତ୍ର ଗାଡ଼ି ଧରିବେ ।’’ ସିଂହଳଯାତ୍ରା ସ୍ୱପ୍ନ ତ ଆମର ମିଳେଇ ଯାଇଥିଲା; ହଠାତ୍‍ ସେ ନାମଟା ଶୁଣି ଚମକି ପଡ଼ିଲୁ ।

 

ଓହ୍ଲାଇପଡ଼ି ଜଣେ ଡାକ୍ତରାଣୀଙ୍କି ପଚାରିଲି, ‘‘ସିଂହଳ ଯିବାଲାଗି ଆମକୁ ଏଠି ପାସପୋର୍ଟ ମିଳିବ କି ?’’

 

‘‘ନିଶ୍ଚୟ’’ ଡାକ୍ତରାଣୀ କହିଲେ । ଏ ଶୁଭ ସମ୍ୱାଦ ବନ୍ଧୁମାନଙ୍କୁ ଜଣାଇବା ମାତ୍ରେ ଲଜ୍ଜାସଙ୍କୋଚ ଭୁଲି ସେମାନେ ୫ ମିନିଟ କାଳ ନୃତ୍ୟ କରିବାକୁ ଲାଗିଲେ । ସେ ଆନନ୍ଦ ଅପୂର୍ବ, ଅନବଦ୍ୟ । ଷ୍ଟେସନ ଲୋକେ କାବାହୋଇ ଚାହିଁଥାନ୍ତି ‘‘କଣ ହେଲା ଏମାନଙ୍କର ? କୋର୍ଟପ୍ୟାଣ୍ଟପିନ୍ଧା ଭଦ୍ରଲୋକଗୁଡ଼ାକ ଲମ୍ଫ ଦେଉଛନ୍ତି କାହିଁକି ? ଭୁତ ଲାଗିଛି ନା କଣ ?’’

 

ଆମ ଭିତରର ପିଲା ଘଡ଼ିଏ ପାଲା କଲାପରେ ପ୍ରକୃତିସ୍ଥ ହେଲେ । ଲଙ୍କାର ପ୍ରଥମ ମନୁଷ୍ୟ ସଙ୍ଗେ ଦେଖା ହେଲା ମାଣ୍ଡାପମ୍‍ କ୍ୟାମ୍ପରେ ଗୋରା, ଦେଖିବାକୁ ବେଶ୍‍ ଡଉଲଡାଉଲ । ସୁଟ୍‍ଟିଏ ମଡ଼ାଇଛି । ଆରେ, ଠିକ୍‍ତ ଆମରି ଲୋକ ପରି, ଆଉ ରାକ୍ଷସ କଣ ?

 

ସେ ଜଣେ ଡାକ୍ତର–ସେ ଆମ ପରିଚୟ ପାଇ ଭଦ୍ରଭାବରେ ଆଳାପ କଲେ ଏବଂ ଟିକା, ଇନଜେକ୍‍ସନ୍‍ ନେବା ଲାଗି ପାଖ ଘରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ।

 

କ୍ୟାମ୍ପର ଅଧିକାଂଶ ଘର ଏକାପରି; ଲମ୍ୱା ଲମ୍ୱା ଅଧାକାନ୍ଥୀ ହଲ୍‍; ଖପରୁଲୀ ଛପର । ଘରେ ଦୁଇଖଣ୍ଡ ସିମେଟ୍‍ ବେଞ୍ଚ୍‍ । ସଫାସୁତୁରିଆ ବସନ୍ତି ଏଥିରେ । ବାକୀ ସମସ୍ତେ ତଳେ । ସେ ଘରେ ପ୍ରାୟ ୭।୮ ଶହ ଲୋକ; ଟିକ୍‍କା, ଇନ୍‍ଜେକସନ୍‍ ଦେବାକୁ ମାତ୍ର ଦୁଇଜଣ ଡାକ୍ତର । ଲୋକେ ୫।୭ ଦିନକାଳ ଚୂଡ଼ା ମୁଢ଼ି ଖାଇ ଗଛମୂଳେ ଗଡ଼ୁଥାନ୍ତି; ପାସ୍‍ପୋର୍ଟ ମିଳିନାହିଁ । ପାଠୁଆ ଲୋକ ତ ଏଠି ହଡ଼ବଡ଼େଇ ଯିବେ; ମଳିଆ ମୁରୁଖଙ୍କ କଥା କଣ କହିବା ? ସବୁଠି ଏଇ ଲୋକଙ୍କର ଦୁର୍ଦ୍ଦଶା । ପାଟିରେ କଥା ନାହିଁ । ବାବୁ ‘ହେ’ ବୋଲି କହିଲେ ଚମକି ପଡ଼ିବେ । ପଡ଼ିଛନ୍ତି ଯେ ପଡ଼ିଛନ୍ତ; କିଏ ତାଙ୍କ ଦୁଃଖ ଗୁହାରି ବୁଝୁଚି ? ନିତାନ୍ତ ପିଅନ ମଧ୍ୟ ଏଇ ନିରୀହଙ୍କ ଉପରେ ଅଦଉତି ସାଧିବାକୁ ଛାଡ଼ୁନାହିଁ; ସେମାନଙ୍କ ଆଖିରେ ସେ ଜଣେ ଧୋବଧବଳିଆ ଅର୍ଥାତ୍‍ ବାବୁ । ଟିକିଏ ଗମ୍ଭୀର ହୋଇ ଚିତ୍କାର କଲେ ହାତ ଚିକ୍‍କଣ ହେଲା ।

 

ଡାକ୍ତରବାବୁ ଆମକୁ ଆଜି ଟିକ୍‍କା ଓ ଇନ୍‍ଜେକ୍‍ସନ୍‍ ଦେବେ ବୋଲି ଠିକ୍‍ ହୋଇଥାଏ । ଭାରି ଭିଡ଼; ଲୋକେ ତା ଉପରେ ବା ଉପରେ ଆଉଜି ପଡ଼ୁଥାନ୍ତି; ଏଇ ନିରୀହମାନଙ୍କ ସଙ୍ଗେ ପ୍ରତିଯୋଗିତା କରିବାକୁ ଲଜ୍ଜା ଲାଗିଲା । ଆମ କଥା ଉଠୁ ଉଠୁ ଦିନ ଚାରିଟା; ଭୋକ ହୋଇ ମଲାଣି । ଆଖି ପଶିଗଲାଣି ଗାଡ଼େ ଗାଡ଼େ; ତଥାପି ଉତ୍ସାହ ଦିକ୍‍ଦିକ୍‍ ଜଳୁଛି ମନରେ ।

 

ଭାରତରୁ କାଳେ ଏଇ ଲୋକଙ୍କ ଜରିଆରେ ସିଂହଳରେ ହଇଜା, ବସନ୍ତ ପଶିଯିବ ! ସେଇ ଭୟରେ ଏ ପ୍ରତିଷେଧକ ବ୍ୟବସ୍ଥା; କାହାରିକି ଛାଡ଼ ନାହିଁ । ଛୋଟ ଛୋଟ ଛୁଆମାନେ ଫୋଡ଼ିଲାବେଳେ କେଁ କାଁ ହେଉଥାନ୍ତି । ଗୋଟିଏ ବର୍ଷକିଆ ଦୁର୍ବଳ ଛୁଆକୁ ମାଆର ଶତ କାକୁତିମିନତି ସତ୍ତ୍ୱେ ଛାଡ଼ ମିଳିଲା ନାହିଁ । ଡାକ୍ତରଙ୍କର ଏଥିରୁ ବେଶ୍‍ ଦି ପଇସା ଆୟ ହୁଏ । ପ୍ରତି ଯାତ୍ରୀଠାରୁ ସେମାନେ ଟ୧୧ଙ୍କା କରି ପି ନିଅନ୍ତି । ଟିକ୍‍କା, ଇନ୍‍ଜେକ୍‍ସନ୍‍ ପରେ ଗାଧୋଇବାକୁ ହୁକୁମ୍‍ ମିଳିଗଲା ।

 

ଦରଜ ହାତରେ ଗଣ୍ଠିଲିପତ୍ର ବୋହି ଚାଲିଲୁ କ୍ୱାଟରେ ବାଟ: ଗାଧୁଆଘର; ପାଇପ୍‍ ବସିଛି, ଠିଆହୋଇ ଗାଧୋଇବାର ସୁବିଧା । ଆହା, ଖାଲି ଲୁଣିପାଣି ଗୁଡ଼ାକରେ ! ଗାଧୋଇବା ମଉଜ ଆଉ ରହିଲା ନାହିଁ । ସହଜେ ତ ଅବେଳା, ଭୋକ । କେତେକ ମୁଣ୍ଡରେ ତେଲ ମାଖି ଗାଧୋଇଥିବା ଲୋକ ପରି ସୁନ୍ଥା ସାଉଁଳି ବସିଲେ ।

 

ଗଣ୍ଠିଲିପତ୍ର ଉଠାଅ, ଉଠାଅ । ରହିବା ଘରକୁ ଯିବାକୁ ହେବ । ଫେର୍‍ କ୍ୱାଟରେ ବାଟ ! ହରଡ଼ଘଣାରେ ତ ପଡ଼ିଚୁ, ହଉ ଚାଲ । ସେମିତି ଅଧାକାନ୍ଥି ଖପରୁଲୀ ଘର; ୟାକୁ କହନ୍ତି Quarantine–ଅର୍ଥାତ୍‍ ଜିହଲ ! ଆମର ଅପରାଧ ? ଏ ରାକ୍ଷସଗୁଡ଼ାକ ନିର୍ଦ୍ଦୋଷକୁ ଯଦି ଜେଲ୍ ଦେଉଥାନ୍ତି, ଅପରାଧୀକି ନିଶ୍ଚୟ ଛାଡ଼ି ଦେଉଥିବେ ।

 

ଚାରିଆଡ଼େ ପୁଲିସ୍‍ ପହରା । ଆମ ଭିତରେ କମ୍ୟୁନିଷ୍ଟ ଥିବେ କାଳେ କଣ ପ୍ରଚାର କରିଦେବେ; ଅସୁରଙ୍କୁ ମଣିଷର ଯେତିକି ଭୟ ମଣିଷଙ୍କୁ ଅସୁରଙ୍କର ସେତିକି ଭୟ । ପେଡ଼ିସାପ ପରି ମୋଡ଼ି ମୋଡ଼ି ହୋଇ ରହିଲୁ ।

 

ଆରେ ଯାହା ହେବାର ହେଲା, ଖାଇବାକୁ ଭଲା ଆଣ । କିନ୍ତୁ ଶୁଣୁଚି କିଏ ? ମିଛରେ ଫାଜ୍‍ଲାମି କରି ଦିପାହୁଣ୍ଡ ଆଗେଇ ଗଲେ ପୁଲିସ୍‍ ଚମକି ଆସୁଚି–ହୋସିଆର୍‍–ପୁଲିସକୁ କିଛି ପଚାରିବାକୁ ଥିଲେ ଏଇ ସୁବିଧା ବାଟ ।

 

ଟିକିଏ ଆଇନ୍‍ ଭାଙ୍ଗିଲେ ୬ ମାସ ଜେଲ୍‍, ହଜାରେ ଟଙ୍କା ଜରୀମାନା । ବଡ଼ କଡ଼ା ଆଇନ୍‍ । ତେଣୁ ସାବଧାନରେ ଚଳୁଥାଉ । ପୁଲିସ୍‍କୁ ଅବସ୍ଥା ବୁଝାଇବାରୁ ସେ ଖଣ୍ଡେ ଖଣ୍ଡେ ଦୋସିର ବରାଦ୍‍ କଲା । ସେ ଖଣ୍ଡିକ ପେଟରେ ଯେମିତି ପଡ଼ିଚି, ଭୋକରେ ପେଟ ହାଉ ହାଉ ଜଳିଲା । ସନ୍ଧ୍ୟା ୭ଟା ବେଳକୁ ଆରମ୍ଭ ହେଲା ପତଙ୍ଗ; ଦିନଯାକ ଓପାସ ରହି ୪ଟାବେଳେ ଗାଧୋଇ ତା ପରେ ଖାଇବା ଲାଗି ୩ଘଣ୍ଟା ଅପେକ୍ଷା କରିବା କି କଷ୍ଟକର ଅନୁଭବୀ ବୁଝୁଥିବେ ।

 

ଷଣ୍ଢା ଷଣ୍ଢା କାଳିଆ କାଳିଆ କୁଣ୍ଡଳପିନ୍ଧା ଜୁଆନ୍‍–ଗୋଟିଏ ଗୋଟିଏ ବୀର ବୃକୋଦର-! ଗଦା ପରି ହାତରେ କରଚୂଲି । ତାଙ୍କ ନିଜ ନିଜ ଆକୃତିର ହାଉଁଆ କରେଇ, ହାଉଁଆ ପିତ୍ତଳହଣ୍ଡା ଉଠେଇଆଣି ଥୋଇଦେଲେ ଆମ ଆଗରେ । ସତକୁ ସତ, ରାକ୍ଷସ ପରି କେଡ଼େ ଭୟଙ୍କର ଦିଶୁଛନ୍ତି ଏମାନେ; ୟାଙ୍କରି ହାତରେ ଆଜି ଆମର ଜୀବନ-ନାଟି ।

 

ହଉ, କଣ ଦଉଛି, ଦିଅ; ଖଲି ପକେଇ ବସିପଡ଼ିଲୁ; ପରଷା ହେଲା ନାଲି ନାଲି ଦୋ ଉସୁଆଁ ବଗଡ଼ା ଭାତ ଟିଙ୍କ ପରି ଚାହିଁଚି; କାନ୍ଦୁଲ ଡାଲି, ରାଗୁଆ ଶିମ୍ୱ ତରକାରୀ, ସମ୍ୱର, ଦହି । ହୁ–ହୁ କରି ଆଖି ବୁଜି ଆଗେ ୨।୪ ଗୁଣ୍ଡା ମାରିଦେଲୁ–ତୋଟିରେ ଲାଗିଲା ! ଢୋକେ ପାଣି–ଓହୋ ! ଖାଇଲା ଲୋକ ଦିନକର ଓପାସରେ ତ ଏମିତି; ନଅଙ୍କର ଲୋକେ କଣ ନ ହୋଇଥିବେ ! ଭ୍ରମଣରେ ବିଭିନ୍ନ ଧରଣର ଅନୁଭୂତି ହିଁ ବଡ଼ ସମୃଦ୍ଧି । ବିସ୍ତୃତଭାବରେ ଜୀବନକୁ ବୁଝିବାର ସୁବିଧା ମିଳେ । ନିରାଟ କଠୋର ବାସ୍ତବ ପରିସ୍ଥିତର ସମ୍ମୁଖୀନ ହୋଇ ନିଜ ବୁଦ୍ଧି ବିବେକର ପରୀକ୍ଷା ଦେବାକୁ ହୁଏ । ବ୍ୟକ୍ତିତ୍ୱ ବିକାଶ ଲାଗି ଏହି ପରିସ୍ଥିତ ହିଁ ଅନୁକୂଳ; ଯାହାର ଯାହା ଦୁର୍ବଳତା ଥାଏ ସବୁ ଧରାପଡ଼ିଯାଏ; ଏତେ ଆଖି ଏଡ଼ି ନିଜକୁ ଲୁଚେଇବାର ଉପାୟ ନ ଥାଏ । ବିଦ୍ୟାଳୟରେ ବର୍ଷ ବର୍ଷ ଧରି ଯେଉଁ ଶିକ୍ଷା ହୋଇ ନ ପାରେ, ଭ୍ରମଣରେ ଗୋଟିଏ ସପ୍ତାହ ମଧ୍ୟରେ ତାହା ହୋଇଯାଏ-। ଯେଉଁମାନେ ଭ୍ରମଣ କେବଳ କଳ୍ପନାବିଳାସୀ କବି ବା ଦର୍ଶନିକମାନଙ୍କ ପ୍ରତି ଉପଯୋଗୀ ବୋଲି ଭାବନ୍ତି, ସେମାନେ ଯଥାର୍ଥରେ ଭ୍ରମଣର ଉପାଦେୟତା ହୃଦୟଙ୍ଗମ କରିନାହାନ୍ତି ।

 

ବାସ୍ତବିକ୍‍ ଆମେ ଗୋଟିଏ ପରିବାର ପରି ଚଳୁଥାଉ; ପରସ୍ପର ମୁହଁକୁ ଅନାଇ ଦୁଃଖକୁ ସୁଖ ପରି ଉପଭୋଗ କରୁଥାଉ । ପରିହାସରସିକ, ଗାୟକ ଏ ସମୟରେ ବଡ଼ କାମ ଦିଏ, ଜୀବନର ଶୁଷ୍କତିକ୍ତ ମୁହୂର୍ତ୍ତଗୁଡ଼ିକ ଏଇ ଲୋକେ ହିଁ ମଧୁରରସରେ ପୂର୍ଣ୍ଣ କରିଦିଅନ୍ତି ।

 

ଆଜି ଯେଉଁ ସନ୍ଧ୍ୟାଧୂପ ହେଲା, ସେ ଦିନକୁ ରାତିକି ଦିଆଡ଼କୁ ପାଇଲା । ଖାଇସାରି ଶେଯ ମେଲାଇ ଆଲିଜା ହୋଇ ପଡ଼ିଗଲୁ । ଆରେ ଆରେ, ଏମିତି ଶୋଇଲେ ତ ହେବ ନାହିଁ, ଚୋର ଥିବେ, ଡକାୟତ ଥିବେ; ଜିନିଷତକ ମାରି ଛୁ’ କରିଦେବେ; ମେଲାଘର–ନାହିଁ ଝରକା, ନାହିଁ କବାଟ । ତିନୋଟି ଦଳରେ ସମସ୍ତଙ୍କୁ ବିଭକ୍ତ କରିଦେଲୁ–ପହରେ ରାତି ବର୍ତ୍ତମାନ ଅତୀତ ହେଲାଣି; ବାକୀ ତିନି ପହରକୁ ତିନିଦଳ । ତାସମୁଠାଟି ବଡ଼ କାମ ଦେଲା । ପହରେ ପୂର୍ଣ୍ଣ ହେଲାକ୍ଷଣି ଦଳେ ଆଉ ଦଳକୁ ଉଠାନ୍ତି–ଏମିତି ଚାଲେ ।

 

ରାତି ଦିଟାବେଳକୁ ଲାଗିଲା ଶୋଷ । ଆରେ ପାଣି କାହିଁ ? କାହିଁ-କାହିଁ-କାହିଁ–ସମସ୍ତଙ୍କ ମୁହଁରେ ସେହି ପ୍ରଶ୍ନ । ଦେଖ କଳ; ଆହା, କଳ ବନ୍ଦ ! ନୃଶଂସଗୁଡ଼ାକ ମାଠିଆଏ ପାଣି ଦେଲେନି ? ବହକ ଶୋଧିଲୁ; କିନ୍ତୁ ଶୋଧିବାରେ କି ସରବତର ଗୁଣ ଅଛି ଯେ ଶୋଷ ମରିଯିବ ! ଚିତ୍କାରରେ ଶୋଷ ଆହୁରି ତାହି ହୋଇଗଲା ।

 

ଜଳ ଅଭିଯାନରେ ୨ ଜଣ ବାହାରିଲେ; ଅବୋଧ୍ୟ ଚିତ୍କାର ! ଦଉଡ଼ିଆସି ଧରି ପକାଇଲା ପହରାବାଲା ପୁଲିସ୍‍–‘‘ଆରେ ଆମ ପାଟି ଶୁଖିଯାଉଛି, ଆରେଷ୍ଟ କରୁଛୁ କଣ ?’’ ଲୋକଟା ହୃଦୟରେ ବୋଧେ ନରମ କଣ ଟିକିଏ ଥିଲା; ଅଠାଅଠା ପାଟିରେ ଶୁଖିଲା ଜିଭ ଚଟାଚଟିରୁ ବୁଝିପାରିଲା ସେ; ଆଣିଲା ଏକ କଣା ଟିଣ ଢାଳରେ ଢାଳେ ପାଣି–ଅନ୍ଦାଜ ସେରେ ହେବ । କଣ୍ଟ୍ରୋଲ୍ ! ଅର୍ଡ଼ିନାନ୍‍ସ–ଛଟାଙ୍କିଏରୁ କେହି ବେଶୀ ପିଇପାରିବ ନାହିଁ । ୧୬ ଜଣକୁ ୧୬ ଛଟାଙ୍କି–ହିସାବ ପକ୍‍କା–ଜିଭ ତଳଉପର, ଓଠ ଏପିଠି ସେପିଠି ଓଦା ହୋଇ ତୋଟି ଭିତରକୁ ଚାଲିଗଲା ସେ ଅମୃତବିନ୍ଦୁ ।

 

ପାଣିର ମୂଲ୍ୟ ବୁଝିଲୁ ଆମେ, ଯେମିତି ଯୁଗ ଯୁଗ ଧରି ବୁଝି ଆସିଛନ୍ତି ଆରବ ଓ ସାହାରାର ଲୋକେ । ଆଜି ପ୍ରକୃତି କାନ ଧରି ଶିଖେଇ ଦେଲା ‘‘ପାଣି ପ୍ରାଣ’’

 

ସକାଳୁ ପଟେ ପଟେ ଦୋସି ଖାଇ ନୋଟ୍‍ ଲେଖାଲେଖି କରୁଛୁ, ଡାକ୍ତର ଆସି ପହଞ୍ଚିଲେ । ପୁଣି ଥରେ ଦେହ ପରୀକ୍ଷା କରାଯିବ; ଅଧଘଣ୍ଟାକ ମଧ୍ୟରେ ପରୀକ୍ଷା ଶେଷ ହୋଇଗଲା । ଭାଗ୍ୟକୁ ସମସ୍ତେ ପାସ୍‍କଲେ, ଛାତି ଧୂଡୁ ଧୂଡୁ, କାଳେ କିଏ ଫେଲ୍‍ ହେବ । କି ଅସୁବିଧା !

 

ପରୀକ୍ଷା ପରେ କ୍ୟାମ୍ପ୍‍ ଆଗରେ ସମସ୍ତଙ୍କ ଫଟୋ ନିଆଗଲା । ଖାଇପିଇ ଗଣ୍ଠିଲି ସୁଟକେସ୍‍ ଧରି ଚାଲିଲୁ ଷ୍ଟେସନ୍‍ ଅଭିମୁଖେ । ଦିନକର ଅଟକବନ୍ଦୀ ହାଜତରୁ ଖଲାସ !

 

ହଠାତ୍‍ ହାବୁଡ଼ିଗଲା ଦରୱାନ୍‍ । ଅର୍ଡ଼ର-ଗାଡ଼ି ନ ପହଞ୍ଚିଲେ କେହି ଷ୍ଟେସନକୁ ଯାଇପାରିବ ନାହିଁ । ବିଶୃଙ୍ଖଳ ହୋଇ ଯିବା ବେଆଇନ୍‍ । ଦୁଇ ହଜାର ଲୋକ ପଡ଼ିଥାନ୍ତି ବାଲିପଦାରେ–ସମସ୍ତଙ୍କୁ ଡ୍ରିଲ୍‍ କରି ଯିବାକୁ ହେବ । ଜଣେ ସର୍ଦ୍ଦାର ହୁଇସିଲ୍‍ ମାରି ଧାଡ଼ି କରି ଚଳାଇ ନେବ । ଗୋଟିଏ ଦଳ ପରେ ଆଉ ଗୋଟିଏ ଦଳ; ଜିନିଷପତ୍ର ହାତରେ ଧରି ଖରାରେ ଠିଆ ହୋଇଥାଅ । କେବେ କେଉଁ କୁଲିକି ବୋଝ ବୁହାଇ କଷ୍ଟ ଦେଇଥିଲି; ତାରି ଫଳ କି ଇଏ ? ମନକୁ ଦୁର୍ବଳତା ଛୁଇଁଲା । ଧାଡ଼ିଟା ଟିକିଏ ବଙ୍କା ହେଲେ ସର୍ଦ୍ଦାରଟା ଗାଳି ଦେଉଥାଏ । ଆମେ ଭାଷା ନ ବୁଝିଲେ ବି ତା ମୁଖଭଙ୍ଗୀରୁ କିଛି କିଛି ଠଉରେଇ ନେଉଥାଉ । ଛି–ଛି–ଖରାରେ ଶିଝି ଶିଝି ମଣ ହୋଇ ଶେଷରେ ପହଞ୍ଚିଲୁ ଷ୍ଟେସନରେ ।

 

ଆରେ ବାଃ-ଗାଡ଼ି ବେଶ୍‍ ଫାଙ୍କା–ବସିଯାଅ, ବସିଯାଅ, ବସିଗଲୁ ।

 

ଗାଡ଼ି ଛାଡ଼ିବାକୁ ୫ ମିନିଟ୍‍ ବାକୀ ଅଛି । ଚେକର୍‍ ମାଗିଲା ପାସପୋର୍ଟ, ଦେଖାଇଲୁ; ମୁଣ୍ଡ ହଲେଇଲା–ଏ ହବନାହିଁ; ହଲକ୍‍ ଶୁଖିଗଲା–ଫେର୍‍ କଣରେ !

 

‘‘ଆଜି ସକାଳେ ଯେଉଁ ଡାକ୍ତର ପରୀକ୍ଷା କଲା, ତା ସାର୍ଟିଫିକେଟ୍‍ କାହିଁ ? ଆରେ, ସେ ଭଦ୍ରଲୋକ (ଡାକ୍ତର) ତ ସାର୍ଟଫିକେଟ୍‍ କଥା ରାମ କି ବିଷ୍ଣୁ କିଛି କହିଲେ ନାହିଁ । ଏ ଦୁର୍ବଳ ଯୁକ୍ତି ଶୁଣିବ କିଏ ? ଓହ୍ଲାଅ–ଓହ୍ଲାଅ; ମନ ମରିଗଲା । ଫେର୍‍ ଦୌଡ଼ିଲୁ କ୍ୟାମ୍ପ୍‍ ଅଫିସକୁ । ଖବର ପାଇଲୁ ଯେ ଡାକ୍ତର ସେଦିନ ବଦଳି ହୋଇ ଯାଉଛନ୍ତି । ଜିନିଷପତ୍ର ସଜଡ଼ାରେ ବ୍ୟସ୍ତ; ଆମକୁ ସାର୍ଟିଫିକେଟ୍‍ ଦେବାକୁ ଖିଆଲ ନାହିଁ । ଆମେ ବି ସେଇଟା ଦରକାର ହେବ ବୋଲି ଜାଣିନୁ । ମନେ ମନେ ଡାକ୍ତର ଉପରେ ଓ ନିଜ ଉପରେ ବହେ ରାଗିଲୁ । ତା ପରେ ପୋର୍ଟ ଅଫିସରଙ୍କୁ ସବୁ କଥା ବୁଝାଇ ଅପିଲ୍‍ କଲୁ ।

 

ତାଙ୍କର ମନରେ ଟିକିଏ ଦୟା ହେଲା, ସେ ଖଣ୍ଡିଏ ଚିଠି ଲେଖିଦେଲେ; ସେଇ ହେଲା ଆମ ଡାକ୍ତର ସାର୍ଟିଫିକେଟ୍‍ । ତା’ପରେ ମେଲ୍‍ ଆସିଲା, ବସିଲୁ, ‘‘ଆଉ ଓହ୍ଲାଇବାକୁ ହେବନାହିଁ ତ-?’’ ପଚାରିଲେ ପିଲାଏ । ‘‘ହଁ ଗାଡ଼ିରୁ ଜାହାଜକୁ’’ କହିଲି । ହସିଲେ ସେମାନେ ।

 

ରଡ଼ି ଦେଇ ଗାଡ଼ି ଯେମିତି ଛାଡ଼ିଛି, ଲାଗିଗଲା ଆମର ମଉଜ ଗପ; ପୋଛି ପକେଇଲୁ ମାଣ୍ଡାପମ୍‍ର ସ୍ମୃତି । ସମୁଦ୍ର କୂଳେ କୂଳେ ଆମର ଯାତ୍ରା; ଅସଂଖ୍ୟ ବାଲିକୁଦ, କୋଣାର୍କ ଉପକୂଳର ଦୃଶ୍ୟ ମନେ ପକାଇଦେଲା । ମଝିରେ ନାରୀକେଳ ତାଳବୃକ୍ଷ, ଛୋଟ ଛୋଟ ପଲ୍ଲୀ; ଗୋଟିଏ ଭଙ୍ଗା ଜାହାଜ ଉପକୂଳ ବାଲିରେ ପୋତି ହୋଇ ପଡ଼ିଥିବାର ଦେଖିଲୁ ।

 

ମାଣ୍ଡାପମ୍‍ଠାରୁ ଧନୁଷ୍କୋଟୀ ୧୨ ମାଇଲ୍‍ ମାତ୍ର । ତୃତୀୟ ଶ୍ରେଣୀ ଭଡ଼ା ପାଞ୍ଚଅଣା । ସମୁଦ୍ର ଉପରେ ୪ଫରଲଙ୍ଗ୍‍ ବ୍ୟାପୀ ସେତୁ; ତା ଉପରେ ଗାଡ଼ି ବଡ଼ ଧୀରେ ଧୀରେ ଚାଲେ । ଜଳ ଏତେ ନିର୍ମଳ ଯେ ୧୮ ଫୁଟ୍‍ ଗଭୀର ତଳ ଦେଖାଯାଉଥାଏ । ଫେନଚୂଡ଼ ଲହରୀ ପରେ ଲହରୀ ପିଟି ହେଉଥାଏ ରେଲ ପୋଲ ସ୍ତମ୍ଭରେ । ତାର ଅପୂର୍ବ ଖେଳା ନିତ୍ୟ ଲାଗି ରହିଛି । ଟିକିଟିକି ବୁଦୁବୁଦିକିଆ ପାହାଡ଼ ଛୋଟ ଛୋଟ ବନ୍ୟଗୁଳ୍ମରେ ଭରା । ଗୋଲ ଗୋଲ ପଥର–ଢେଉ ସଙ୍ଗେ ଯୁଗ ଯୁଗବ୍ୟାପୀ ସଂଗ୍ରାମର ଇତିହାସ ବ୍ୟାଖାନ କରୁଛି । ଇଆରି ମଝିରେ ଆମେ–ଆହା ଗୋଟିଏ ମୁହୂର୍ତ୍ତ–ବେଶୀ ନ ହେଉ ପଛକେ, ଏଇ ପରିପୂର୍ଣ୍ଣ ଜୀବନ୍ତ ମୁହୂର୍ତ୍ତଟି ଗୋଟିଏ ନିର୍ଜୀବ ଦୀର୍ଘ ବର୍ଷ ଅପେକ୍ଷା ଅଧିକ ମୂଲ୍ୟବାନ୍‍ । ସୌନ୍ଦର୍ଯ୍ୟର ଏଇ କ୍ଷଣିକ ଦର୍ଶନରେ ହିଁ ମାଦକତା ବେଶୀ । କେତେ ସୌନ୍ଦର୍ଯ୍ୟ ସ୍ମୃତି ହୋଇ ମନରେ ଦି ଦିନ ମାତ୍ର ଫୁଟି ଝଡ଼ିପଡ଼ୁଛି; କିନ୍ତୁ ଏ ଦୃଶ୍ୟ ଯେ ଛାପି ହୋଇଗଲା ବୁକୁରେ ।

 

ଦିନ ୨ଟାବେଳେ ଗାଡ଼ି ପହଞ୍ଚିଲା ଧନୁଷ୍କୋଟୀରେ ଭାରତଭୂମିର ଶେଷ ବିନ୍ଦୁରେ; ସମୁଦ୍ର ଢେଉ କୁଢ଼େଇ ହୋଇ ପଡ଼ୁଛି କୂଳରେ; ଅଜସ୍ର ବ୍ୟୟରେ ସମୁଦ୍ର ମଧ୍ୟରେ ହୋଇଛି ଲୁହା ଓ କାଠର ପୋଲ । ଗଳି ଗଳି ଏ ପାଖ ଢେଉ ସେ ପାଖକୁ ଯାଉଛି–ଲାପ୍‍–ଲାପ୍‍–ଲାପ୍‍ । ଗୋଟିଏ ଦିଗରେ ଖାଲି ବାଲି, ବାଲିକୁଦ; କୁଞ୍ଚିକୁଞ୍ଚି ହୋଇ ଦିଶୁଛି ମିଛିମିଛିକା ପାଣି–ଲହଡ଼ି ମରୀଚିକା । କେତୋଟି କେଉଟବସ୍ତି ଛଡ଼ା ଘରଦ୍ୱାର ନାହିଁ । ଏଇ ବାଲିବନ୍ତ ପଛରେ କେତେ ମାନବ, କେତେ ତାଙ୍କର ସମସ୍ୟା ! ଉତ୍କଟ ବିକଟ, ସୁନ୍ଦର–ମଧୁର ଦୁନିଆ । ଅନ୍ୟ ଦିଗରେ ଅନନ୍ତ ନୀଳାମ୍ୱୁରାଶି–ତା ମଧ୍ୟରେ ଖଣ୍ଡେ ଖଣ୍ଡେ ଭୂଇଁ ଭାସୁଛି, ସେଥିରେ କେତେ ଲୋକ, କେତେ ସମସ୍ୟା ! ଉଭୟ ମଝିରେ ଆମେ । ଗୋଟିଏ ଦିଗରେ ଭାରତମହାସାଗର ଅସ୍ଥିର, ଚଞ୍ଚଳ, ଅନ୍ୟ ଦିଗରେ ବଙ୍ଗୋପସାଗର ସ୍ଥିର ଗମ୍ଭୀର ।

 

ଜିନିଷପତ୍ର ଷ୍ଟେସନରେ ଚେକ୍‍ ହେଲା । ପରିଚୟ ପାଇ ଆମ ଜିନିଷ ଚେକର୍‍ ଖୋଲିଲେ ନାହିଁ; ଚକ୍‍ଖଡ଼ି ଗାର ମାରି ଦେଇଗଲେ ।

 

ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ଆଦେଶରେ ସେତୁବନ୍ଧର ଏହି ସ୍ଥାନ ଧନୁର କୋଟୀରେ କିର୍ତ୍ତନ କରିଥିଲେ ବୋଲି ଏହାକୁ ଧନୁଷ୍କୋଟୀ କହନ୍ତି । ରାବଣ ବଧ ପରେ ରାକ୍ଷସମାନେ ଭାରତକୁ ଆସି ଅତ୍ୟାଚାର କରିପାରନ୍ତି, ଏଇ ଆଶଙ୍କାରେ ସେତୁବନ୍ଧ କର୍ତ୍ତିତ ହେଲା ବୋଲି କିମ୍ୱଦନ୍ତୀ ପ୍ରଚଳିତ ।

 

ରାମଚନ୍ଦ୍ର ଏଠାରେ ପ୍ରସିଦ୍ଧ ତୀର୍ଥ ପ୍ରତିଷ୍ଠା କରି ଯାଇଅଛନ୍ତି ।

 

ପିତୃଣାଂ ତୃପ୍ତିଦଂ ସ୍ଥାନତ୍ରୟଂ ରାମେଣ ନିର୍ମିତମ୍‍

ସେତୁମୂଳେ ଧନୁଷ୍କୋଟ୍ୟାଂ ଗନ୍ଧମାର୍ଦ୍ଦନ ପର୍ବତେ ।

 

ଉକ୍ତ ତୀର୍ଥମାନଙ୍କ ମଧ୍ୟରେ ଧନୁଷ୍କୋଟୀ ପ୍ରଧାନ । ଏଠାରେ ତୀର୍ଥଯାତ୍ରୀମାନେ ରଜତଧନୁ ଦାନ କରିବାର ବିଧି ଚଳି ଆସୁଅଛି । ରାମଝଗଡ଼ା ସ୍ତମ୍ଭ ଉପରେ ଛିଡ଼ାହୋଇ ଅନାଇଲେ ନୀଳ ସମୁଦ୍ରରେ ସେତୁବନ୍ଧର ଛିନ୍ନବିଚ୍ଛିନ୍ନ କୃଷ୍ଣରେଖା ଦେଖାଯାଏ ।

 

ସ୍ୱର୍ଣ୍ଣମୟୀ ସ୍ୱପ୍ନମୟୀ ଲଙ୍କା ! ଇତିହାସ ପୁରାଣର ଭୂମି ଲଙ୍କା ! ପ୍ରଳୟ ପୟୋଧିରେ ବଟପୁଟ ସମ ଭାସମାନ ଲଙ୍କା ! କଳ୍ପନା–ପକ୍ଷୀ କେତେଥର ଏଇ ଭୂମିର ସୁବର୍ଣ୍ଣମୟ ବେଳାରେ ଉଡ଼ି ବୁଲୁଥିଲା ! ଆଜି ସ୍ୱପ୍ନ ଦେଖୁନାହିଁ ତ ?

 

ଏଇ ଯେ ଧନୁଷ୍କୋଟୀର ସମୁଦ୍ରରେ ମୁଁ–ବସିଛି ଗୋଶ୍ଚିନ ଜାହାଜରେ, ବେଳାଭୂମି ଉପରେ ଧାବମାନ ଗୁଡ଼ିକଙ୍କ ଉପରେ ଦୃଷ୍ଟି ରଖି–ଢେଉ ଉପରେ ଢେଉ ମାଡ଼ିପଡ଼ୁଛି କାନ୍ତ କବିତାର କମନୀୟ ଭାବ ପରି । ରେଲବାଇ ପଥ ସମୁଦ୍ର ଭିତରକୁ ପଶିଯାଇଛି ପୃଥିବୀର ଗୋଟିଏ ଜିଭପରି–ଢେଉ ସହିତ ଢେଉର ପ୍ରତିଯୋଗିତା ଲାଗିଛି ଏଇ ଭୂଇଁ ଟିକକ ସ୍ପର୍ଶ କରିବା ଲାଗି–ଏଇ ବୁଢ଼ୀଆଣୀକି ଛୁଇଁଦେଲାକ୍ଷଣି କି କୌତୁକପୂର୍ଣ୍ଣ କୋଳାହଳ ! ଏଇଥିପାଇଁ ସତେ କି ମାଇଲ୍‍ମାଇଲ୍‍ ପଥ ଧାଇଁ ଆସିଥିଲା ସେ ! ମୃତ୍ୟୁ ହିଁ ତାର ଆନନ୍ଦ, ଜୀବନ ହିଁ ତାର ଆନନ୍ଦ । ବିରାଟ ସାଗର ମସ୍ତିଷ୍କର ବିରାଟ ଚିନ୍ତା ସେ–ଫେନିଳ ହୋଇ ଉଠିଛି ହାର୍ଦ୍ଦିକ ପୂର୍ଣ୍ଣତାରେ । କଳକଳ ଧ୍ୱନିରେ କହୁଛି ‘‘ଜୀବନ ଏଇଆରେ, ଜୀବନ ଏଇଆ ।’’

 

ରେଳପଥକୁ ଲାଗିଛି ଆମ ଜାହାଜ । ଦିକ୍‍ଦିକ୍‍ ଇଞ୍ଜିନ୍‍ ଧୂଆଁ ଉଠୁଛି ଗାଡ଼ିରୁ ଆଉ ଜାହାଜରୁ; ଗାଡ଼ିର ସୀମା ଏତିକି–ସେଠୁଁ ଜାହାଜର ସୀମା । ଦୁଇଟି ଜନ୍ତୁ–ଗୋଟିଏ ସ୍ଥଳଚର–ଆଉ ଗୋଟିଏ ଜଳଚର–ଯାହା ଗାଡ଼ି ପାଟିରୁ କାଢ଼ିଦେଲା, ଜାହାଜ ଗିଳିଦେଲା–ଓଲଟା ମଧ୍ୟ ।

 

ଲାଇନରୁ ଗୋଟିଏ ଆବଖାବଡ଼ିଆ ପଟା ପଡ଼ିଛି ଜାହାଜ ଭିତରକୁ–ଗୋଡ଼ ଯେପରି କାହାର ଖସିବ ନାହିଁ । ଗଣ୍ଠିଲିପତ୍ର ଧରି ଚଢ଼ିଲୁ ଜାହାଜରେ । ବସିବୁ କିପରି ? ଉତ୍କଣ୍ଠା, ଆବେଗ ମନରେ ଜାଗା ହେଉ ନ ଥାଏ । ଗତିରେ ଚଞ୍ଚଳତା, ଆଖିରେ ଅସ୍ଥିରତା, ଚାରିପାଖର ସମୁଦାୟ ଦୃଶ୍ୟ ଏକାଦମ୍‍କେ ଆଖିରେ ଶୋଷି ନେବାର ବିଫଳ ପ୍ରୟାସ ! ଆଖି କୌଣସି ଦୃଶ୍ୟ ଉପରେ ସ୍ଥିରହୋଇ ରହୁ ନ ଥାଏ । ସେ ଯେପରି ଆଜି ଉଡ଼ି ବୁଲିବାକୁ ଚାହେଁ ନୂଆ ଡେଣାଲଗା ପକ୍ଷୀ ପରି–ସାଗରପାର ଦ୍ୱୀପକୁ ।

 

ଜାହାଜର ଚାରିପାଖେ ବୁଲି ଦେଖୁଥାଉଁ ଗଭୀର ନୀଳିମାମୟ ସମୁଦ୍ରକୁ । କେତେ ସ୍ଥାନରେ କେତେ ତ ସମୁଦ୍ର ଦେଖିଛି; ଆଜି ଏ କି ଅନୁଭୂତି ? ପ୍ରାଣ ତରଳି ଝରି ମିଶିଯିବାକୁ ଚାହେଁ ଏଇ ଅନନ୍ତ ତରଳତାରେ; ଲହରୀ କରୁଣସ୍ୱରରେ ଆଳାପ କରିଯାଉଛି କେତେ ଯୁଗର ଜୀବନ୍ତ ଇତିହାସ ଅବୋଧ୍ୟ ଭାଷାରେ । ସବୁ ଭୁଲିଛୁ ଆମେ । ସେ ଭୁଲିନି କିଛି । ଓଡ଼ିଆ ବଣିକ୍‍ ଢେଉ ଜଙ୍ଗଲରୁ ଡକା ପାକାଉଛି, ‘‘ଜାହାଜ ଚଢ଼ି ଗୌରବ ଅନୁଭବ କରୁଛୁ, ଲଜ୍ଜା ଲାଗୁନାହିଁ ତୋତେ ?

 

ମତ୍ସ ସଙ୍ଗେ ମତ୍ସ୍ୟ ପରି ସନ୍ତରଣ କରୁଥାନ୍ତି ଦୁଇ ଚାରୋଟି ମାଳୟାଳୀ ନୋଳିଆ ପିଲା-। ପଇସା ପକାଇଲେ ବଡ଼ କୌଶଳରେ ଧରି ନେଉଥାନ୍ତି । ଲୁଣୀ ପାଣି ଓଜନ ଥିବାରୁ କୌଣସି ଜିନିଷ ଶୀଘ୍ର ବୁଡ଼ିଯାଏ ନାହିଁ; ଜାହାଜ ଚାରିପଟେ ଢେଉସବୁ ଉହୁଙ୍କୁଥାନ୍ତି, ଯାତ୍ରୀ ଦର୍ଶନର କୌତୂହଳ ହୃଦୟରେ ରଖି ।

 

ତୃତୀୟ ଶ୍ରେଣୀର ଯାତ୍ରୀ ଆମେ । ଜାହାଜ ଚାରିକଣରେ ପାଣିକଳ ବସିଛି–ପଛରେ ବିଦ୍ୟୁତକଳ । ମଝିରେ ଗୋଟିଏ ପିଣ୍ଡି । ତା’ ଉପରେ ବସିଥାନ୍ତି ଉତ୍ତର ଓ ଦକ୍ଷିଣ ଭାରତର ଅନେକ ଯାତ୍ରୀ, ଗଦା ଗଦା ଗଣ୍ଠିଲି ସୁଟ୍‍କେଶ ରଖି । ଧୂଙ୍ଗିଆ ଗନ୍ଧରେ ନାକ ଫାଟି ପଡ଼ୁଥାଏ । ଏମାନଙ୍କ ମଧ୍ୟରୁ ଅଧିକାଂଶ ସିଂହଳର କଳକାରଖାନା ଓ ବନ୍ଦରରେ କାମ କରନ୍ତି; ଛୁଟି ନେଇ ଘରକୁ ଯାଇଥିଲେ; ଏବେ ଫେରୁଛନ୍ତି । ସେମାନଙ୍କ ପ୍ରତି ଆମର ଗଭୀର ସହନୁଭୂତି ଥାଏ । କାରଣ ଆମପରି କି ଆମଠାରୁ ବଳି ମାଣ୍ଡାପମ୍‍ କ୍ୟାମ୍ପରେ ସେମାନେ ଦହଗଞ୍ଜ ହୋଇଛନ୍ତି ।

 

ଜାହାଜର ଲୁହା ଦଉଡ଼ି ଫିଟିଲା । ନଙ୍ଗର ଟେକା ହେଲା । ହୃଦୟେ ହୃଦୟେ ଆନନ୍ଦର ସ୍ପନ୍ଦନ ଭରିଦେଇ ବଂଶୀ ବାଜିଉଠିଲା । ଗୁମ୍‍ ଗୁମ୍‍–ଗୁମ୍‍ । ଧୀରେ ଧୀରେ ଜାହାଜ ଭୂମି ଛାଡ଼ିଲା । ଧରଣୀର ନିବିଡ଼ ଆଲିଙ୍ଗନରୁ ମୁକୁଳିବାକୁ ସତେ ଯେପରିକି ନାରାଜ । ତା’ପରେ ସମୁଦ୍ର ପାଣି ଫେଣରେ ଯେପରି କି କ୍ଷୀର ପାଲଟି ଉତୁରି ପଶିଲା ।

 

ସମୁଦ୍ରର ନୀଳ ଯୌବନ ଅସୀମ ପ୍ରେମର ଉନ୍ମାଦନାରେ ଉଠିଚି ଆଜି ମାତି । ସେହି ଯୌବନର ଗଭୀରତମ ସ୍ପନ୍ଦନ ପରି ଚାଲିଲା ଆମର ଜାହାଜ । ଶିଶିର ଶେଷରେ ନାଳୀ କୁହେଳୀ ଦିଗନ୍ତର ଲଲାଟପଟରେ ମାଖି ଦେଇଛି ରହସ୍ୟ–ତାରି ମଧ୍ୟରୁ କ୍ରମେ ସ୍ପଷ୍ଟତର ହୋଇଆସୁଛି ବସନ୍ତର ନବୀନ ସୃଷ୍ଟି; ଧୀବର କୁଟୀର, ତାଳୀବନ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇ କ୍ରମେ ହେଲା ଝାପ୍‍ସା-। ମନେପଡ଼ିଲା ରଘୁବଂଶର ଗୋଟିଏ ଶ୍ଳୋକ–

 

ଦୂରାଦୟଶ୍ଚତ୍ର ନିଭସ୍ୟ ତନ୍ୱି, ତମାଳତାଳୀବନରାଜିନୀଳା

ଆଭାତି ବେଳା ଲବଣାମ୍ୱୁରାଶେଃ, ଧାରାନିବଦ୍ଧେକ କଳଙ୍କରେଖା ।

 

କାଳିଦାସଙ୍କ ଚିତ୍ର କି ବାସ୍ତବ, ଅନୁଭବ କଲି ।

 

ଜାହାଜର କପ୍ତାନ ଜଣେ ଇଂରେଜୀ । ଆମ ପରିଚୟ ପାଇ ବିଶେଷ ସୌଜନ୍ୟ ଦେଖାଇଲେ । ଭାରତ ସ୍ୱାଧୀନ ହୋଇଥିବାରୁ ଭାରତବାସୀଙ୍କର ବୋଧେ ସମ୍ମାନ ବଢ଼ିଛି । ଆମକୁ ଜାହାଜ କଳକବ୍‍ଜା ଦେଖିବାଲାଗି ଉପରକୁ ଡାକିନେଲେ ଓ ବିନା ଭଡ଼ାରେ ଦ୍ୱିତୀୟ ଶ୍ରେଣୀରେ ବସାଇଲେ । ଅଧ୍ୟାପକ ଓ ଛାତ୍ରମାନଙ୍କ ପ୍ରତି କି ସୁନ୍ଦର ବ୍ୟବହାର !

 

ଦ୍ୱତୀୟଶ୍ରେଣୀର ଡେକ୍‍ରେ ବସି ବର୍ତ୍ତମାନର ବାସ୍ତବତା ଅତୀତର ସ୍ୱପ୍ନର ପରିଣତ ହେଲାପରି ଦୂରେଇ ଯାଉଥିବା ବେଳାଭୂମିକି ଲକ୍ଷ୍ୟ କରୁଥାଏ । କ୍ରମେ ଜଳମୟ ଜଳ ଜଳ ହିଁ କେବଳ ବାସ୍ତବ, ଦୁନିଆର ଆଉସବୁ କୁହେଳିମୟ ସ୍ୱପ୍ନପରି ଅସ୍ପଷ୍ଟ ହେଲା ।

 

ସୂର୍ଯ୍ୟାସ୍ତ ! ପ୍ରଶସ୍ତ ସାଗର ଓ ପ୍ରଶାନ୍ତ ଆକାଶର ରକ୍ତାଧର ଯେପରିକି ଅସୀମ ପ୍ରେମରେ ମିଳିଯାଇଛି ! ଅଳତା ସମୁଦ୍ରରେ ସୁବର୍ଣ୍ଣ ଗୋଲକ ପରି ଭାସୁଥାଏ ସୂର୍ଯ୍ୟ, ଆଲୋକ ମୁଲକର ଶେଷ ବିବୃତି କରୁଣ ମୂର୍ଚ୍ଛନାରେ ଢାଳିଯାଉଥାଏ ରକ୍ତ କିରଣରେ, ସ୍ୱପ୍ନଦେଶର ରାଜକୁମାର ପରି ବୁଲୁଥାନ୍ତି ସୁବର୍ଣ୍ଣ ମେଘଖଣ୍ଡମାନ । ହଠାତ୍‍ ଖଣ୍ଡେ କଳାମେଘ ରକ୍ତାଭ ସୂର୍ଯ୍ୟକୁ ଦୁଇଭାଗ କରି କାଟିଦେଲା–ତା’ପରେ ନିଜେ ସେଇ ଫଗୁଳ କିରଣରେ ଆଉଟି ହୋଇଗଲା । ଗୋଧୂଳି-ରବି ଅଧେ ଆକାଶରେ ଓ ଅଧେ ଜଳରେ ଡୁବି ଦେଖାଦେଲେ । ତୁହାକୁ ତୁହା ଜ୍ୟୋତି ଛୁଟିଲା ଆମ ଆଡ଼େ; ପହଁରି ପହଁରି ଆସ୍ତେ ଆସ୍ତେ ପରିଧି ଡୁବି ଶେଷରେ ଲୁପ୍ତ ହୋଇଗଲା ଅନନ୍ତ ନୀଳାବ୍‍ଧି ମଧ୍ୟରେ । ସୂର୍ଯ୍ୟର ସମାଧି ସ୍ତମ୍ଭ ଫୁଟି ଦିଶିଲା ସାଗରର ଅନ୍ତସ୍ଥଳରୁ ଆକାଶ ପର୍ଯ୍ୟନ୍ତ । ଗୋଧୁଳି ମାଧୁରୀ ପାନ କରିବା ଲାଗି ସମସ୍ତ ସାଗର ଯେପରିକି ଅସ୍ଥିର, ଚଞ୍ଚଳ । ପ୍ରକୃତି ସଙ୍ଗରେ ସିଧା ସଳଖ ଆଳାପ ଆଜି–ନାହିଁ ଲଜ୍ଜା, ନାହି ସଂକୋଚ ।

 

ହଠାତ୍‍ ଜଣେ ପୂର୍ବଦିଗକୁ ଅନାଇ ପାଟିକରି ଉଠିଲା ‘Land ho’ ! ସତେ ଯେପରି ଏ ଯୁଗର ନୂତନ କଲମ୍ୱସ୍‍ ନୂତନ ଆମେରିକା ଆବିଷ୍କାର କଲେ । ଶିଶୁର ଗର୍ଭଜୀବନ ସ୍ମୃତିପରି ନିତାନ୍ତ ଅସ୍ପଷ୍ଟ କିଛି ସୁଦୂର ଦିଗ୍‍ବଳୟରେ ଦେଖାଗଲା, ଯାହା କ୍ରମୋଜ୍ଜ୍ୱଳ ଶତସହସ୍ର ତାର ଆଲୋକରେ ସ୍ପଷ୍ଟତର ହେବାକୁ ଲାଗିଲା । ଆମେ ସିଂହଳ ଆଡ଼କୁ ଗତି କରୁଛୁ କି ସିଂହଳ ସ୍ନେହାର୍ଦ୍ରଚିତ୍ତରେ ଆମକୁ ଆଲିଙ୍ଗନ କରିବାକୁ ଆସୁଛି, ହଠାତ୍‍ ବାରି ହେଲାନାହିଁ । ଧନୁଷ୍ଟୋଟୀଠାରୁ ତଲାଇମାନାର ବେଳାର ଦୂରତା ୩୦ ମାଇଲ । ଜାହାଜରେ ଆସି ପହଞ୍ଚିବାକୁ ୨ ଘଣ୍ଟା ଲାଗିଲା । ତୃତୀୟ ଶ୍ରେଣୀ ଭଡ଼ା ଏକଟଙ୍କା ପନ୍ଦରଅଣା ମାତ୍ର ।

 

ଜାହାଜର ଗତି କ୍ରମେ ମନ୍ଥର ହୋଇ ଶେଷରେ ବନ୍ଦ ହୋଇଗଲା । ସିଂହଳଭୂମିର ପ୍ରଥମ ସ୍ପର୍ଶରେ ଦେହରେ ରୋମାଞ୍ଚ ଜାତ ହେଲା । ମନ ହେଉଥାଏ, ହଠାତ୍‍ ଡେଇଁପଡ଼ି ବେଳାବାଲିରେ ଗଡ଼ିଯିବାକୁ । ଏତିକିବେଳେ ଭଞ୍ଜକବିଙ୍କ ଲାବଣ୍ୟବତୀରୁ ପଦେ ମନେ ପଡ଼ିଗଲା-

 

ବୋଇତ ଲାଗିଲା ଯାଇ ସିଂହଳଦ୍ୱୀପରେ

ସାଧବ ଯୁବତୀମାନେ ଅତି ପ୍ରମୋଦରେ

ଗଲେ ବୋଇତ ବନ୍ଦାଇ

ଅର୍ଘ୍ୟସ୍ଥାଳୀମାନ କରେ ହୁଳହୁଳି ଦେଇ ।

ରତ୍ନାକର ସାଧୁତ ଭଗିନୀ ମେଘମାଳା

X X X

 

ଆମକୁ ବନ୍ଦେଇବାକୁ ଆସିଲେ କେତେକ ଖଦ୍ୟୋତ–ସାଧବ ବେହୂ ନୁହେଁ । ଘୋର ଅନ୍ଧାରେ ଚିକି ଚିକି ଦିଶୁଥିଲା ଲହଡ଼ି ଫେଣ, ତା’ଉପରେ ରତ୍ନାକରର ରତ୍ନରେଣୁ ଉଠି ଉଡ଼ିଗଲା ପରି ଖଦ୍ୟୋତ–ତା’ପରେ ତାରା । ଜଙ୍ଗଲରେ ଅନ୍ଧାର ଦିଶୁଛି ଆହୁରି ବହଳ । କଲମ୍ୱୋ ମେଲ୍‍ ଛିଡ଼ା ହୋଇଥାଏ ସମୁଦ୍ର ସେତୁ ଉପରେ । ଆମକୁ ସାତଖୁଣ୍‍ ମାଫ୍‍ । ଯାତ୍ରୀଙ୍କ ବିଛଣାପତ୍ର ଖୋଲାଖୋଲି ଲାଗିଥାଏ–ତା ଭିତରେ ଜିନିଷ ଧରାପଡ଼ିଲେ କାକୁତିମିନତି ଧମକଚମକ–ଅଣ୍ଟାଗୁଞ୍ଜା–ସବୁ ଚୁପ୍‍ । ଖାଲି ଗାଡ଼ିରେ ବିଛଣାଟିମାନ ପାରି ବସିପଡ଼ିଲୁ । ସିଂହଳ ଗାଡ଼ି ଭାରତୀୟ ଗାଡ଼ି ଅପେକ୍ଷା ପ୍ରଶସ୍ତତର ମନେ ହେଲା । କିନ୍ତୁ ଉପରେ ଜିନିଷପତ୍ର ରଖିବାର ସୁବିଧା ନାହିଁ । ତଲାଇମାନାରରେ ଦୋକାନ ବଜାର କିଛି ନାହିଁ । ଦି-ଦିଓଟି ଚୂଡ଼ା ପାଟିରେ ପକାଇ ବିଛଣାରେ ପଡ଼ିଲୁ ।

 

ଦଶଟା ରାତିକି ଗାଡ଼ି ଛାଡ଼ିଲା । ସିଂହଳ ଭୂଇଁ ଦେଖିବାକୁ କେଡ଼େ ଇଚ୍ଛା, ଅଥଚ କିଛି ଦିଶୁନାହିଁ–ଆଖି ନିଷ୍ଫଳ । ଗାଡ଼ି ଝରକା ଖୋଲି ନିରାଶଭାବରେ ଚାହିଁଥାଏ–ଖାଲି ସବୁଠି ମରମର ଶବ୍ଦ; ସିଂହଳ ତାର ପୌରାଣିକ ଐତିହାସିକ ରହସ୍ୟରାଜି ଉନ୍ମୂକ୍ତ କରିବାଲାଗି ଯେପରିକି ନାରାଜ-! ଉଦ୍ଦେଶ୍ୟବିହୀନ ଆଖିଡ଼ୋଳା ଉପରେ ନଇଁଆସିଲା ନିଦ୍ରାର ଯବନିକା ।

 

ସିଂହଳୀ ପିକର ପହିଲି ସଙ୍ଗୀତରେ ଭାଙ୍ଗିଲା ଆମର ନିଦ୍ରା । ସିଂହଳୀ ସୂର୍ଯ୍ୟର ପ୍ରଥମ ରଶ୍ମି ଆମକୁ ସ୍ୱାଗତ ଜଣାଇଲା । ଗାଡ଼ି ଦ୍ରୂତଗତିରେ ଛୁଟିଥାଏ, ନାରୀକେଳ, ଗୁବାକ, ରବର, ଚା ଜଙ୍ଗଲ ଅତିକ୍ରମ କରି । ମଝିରେ ମଝିରେ ବହୁଥାଏ ସାନ ସାନ ଗିରିଝରଣା–ସିଂଳଳୀ ବଧୂର ନୀଳକୁଞ୍ଚିତ ବେଣୀ ସମ ମନୋହର । ସିଂହଳର ଅଧିକାଂଶ ଭାଗ ପାହାଡ଼ ପର୍ବତର ବନ ଉଦ୍ୟାନଭରା । ମଝିରେ ମଝିରେ ବଡ଼ ବଡ଼ ପୋଖରୀ–ନଦୀ; ଆମ ପୁରୀ ଶାସନବାଡ଼ି ପରି ବଡ଼ ବଡ଼ ଗାଁ କାହିଁ ତ ଦେଖିଲି ନାହିଁ । ଗୋଟିଗୋଟିକିଆ ଖପରୁଲୀ ଘର; ଚାରିପାଖରେ ନଡ଼ିଆ ଗୁଆ ଜଙ୍ଗଲ । ପ୍ରକୃତି କୋଳରେ ସିଂହଳୀ ଶିଶୁ ଆଜନ୍ମ ଲାଳିତ ।

 

ଷ୍ଟେସନ ହେଲାକ୍ଷଣି ‘ତାବିଲ୍‍’, ‘ତାବିଲ୍‍’ ଡାକ ପଡ଼ିଲା । ତାବିଲ୍‍ ମାନେ ପଇଡ଼ । ଆମ ଦେଶପରି ଏଠି ନଡ଼ିଆ ତାଡ଼ ଖୁବ୍‍ କମ୍‍ ପଡ଼େ । ନଡ଼ିଆ ଝଡ଼ି ଗଛ ଉଠିଥାଏ; ଶାସନବାଡ଼ି ନିଡ଼ିଆ ଗୁଆବାଡ଼ିରୁ ଆହୁରି ଗହଳି । ଏତେ ନଡ଼ିଆ ଥାଇ ଦାମ୍‍ତ କିଛି କମ୍‍ ନୁହେଁ । ଗୋଟାକୁ ୨୫ ସେଣ୍ଟ ଟ ୦ । (ଟଙ୍କାର ୧୦୦ ପଏଣ୍ଟ) ପଇଡ଼ ପିଇବା ପାଇଁ ନୁହେଁ, ସିଂହଳୀ ପଇଡ଼ର ରୋମାଞ୍ଚକର ଆସ୍ୱାଦ ଅନୁଭବ କରିବା ଲାଗି ଗୋଟିଏ କିଣି ପିଇଲି । କି ତୃପ୍ତି ! ମୋ ଆଗ୍ରହ ଓ ଉତ୍କଣ୍ଠା ଏଇ ପଇଡ଼ର ସ୍ୱାଦୁତାକୁ ଯେପରି ଶତଗୁଣିତ କରିଦେଲା ।

 

ହାତରେ ଗୋଟିଏ ଗୋଟିଏ ବ୍ୟାଗ୍‍; ପିନ୍ଧା ଘେର, ଦେହରେ ସେମିଜ, ସିଂହଳୀବାଳିକା ଇସ୍କୁଲକୁ ଯାଉଥାନ୍ତି । ବଡ଼ ସଫା ସୁତୁରା । ଆଧୁନିକ ବେଶଭୂଷାରେ ବିଭୂଷିତା ମାଷ୍ଟରାଣୀ ସେମାନଙ୍କ ପଛରେ । ଲଙ୍କାରେ ଅସୁର ଅସୁରୁଣୀ ବାସ କରୁଛିନ୍ତ, ବିଭୀଷଣ ଅମର ହୋଇ ରାଜୁତି ଚଳାଉଛି ବୋଲି ଗାଉଁଲୀ ଲୋକଙ୍କର ବିଶ୍ୱାସ । ଆମେ ବି ଏ ଦିଗର ସେ ପୁରାଣ ଯୁଗରେ ଅଛୁ । ପିଲାଦିନର ନରମ ମନରେ ଅସୁର ରୂପର ଯେଉଁ ଛାଇ ଆଙ୍କ ହୋଇଯାଇଥିଲା, ତାହା ଏବେ ବି ନିଭିନାହିଁ । ଅସୁର କାହାନ୍ତି ?

 

ବେଶ୍‍ ଆମରି ପରି ଲୋକଗୁଡ଼ିଏ ଚାଲବୁଲ୍‍ କରୁଚନ୍ତି, ଚାଷବାସ କରୁଚନ୍ତି । ଗାଁ ମାଇପେ ଯାଉଛନ୍ତି ଗାଧେଇ । କାହିଁ ନିକଷା ? କାହିଁ ତ୍ରୀଜଟା ? ଛୋଟ ଛୋଟ ଗରିବାନୀ ଘର, ‘ଭୂଇଁଛୁଆଁ ଚାଳ. କଉପୁନୀ ପିନ୍ଧା ଆଦିବାସୀ । କରିଆପିନ୍ଧା ମଫସଲୀ, ନଡ଼ିଆ ଗୋରଡ଼ା, ଆମ୍ୱତୋଟା, ଶାଳବଣ, ପୋଖରୀରେ ପଦ୍ମ ନୂଆ ପତର ପକଉଛି । ହେଇ ବାଛୁରୀ ଛୁଆଟି ଦଉଡ଼ିଚି କାହା ଦାଣ୍ଡରେ ଲାଙ୍ଗୁଡ଼ ଟେକି, ହମା ହମା ଡାକି ।

 

କାଲି ରାତି ୧୦ଟାରେ ତଲାଇମାନରେ ବସିଥିଲୁ, କଲମ୍ୱୋରେ ପହଞ୍ଚିଲୁ ଆଜି ସକାଳ ସାଢ଼େ ୭ ଟାରେ । ହାବଡ଼ା ଷ୍ଟେସନଠାରୁ କଲମ୍ୱୋ ଷ୍ଟେସନ ଅନେକ ଛୋଟ ।

 

ହାତେ ହାତେ ଜିନିଷ ବୋହିନେଇ ଚାଲିଲୁ ଷ୍ଟେସନ ତୋରଣ ପାରିହୋଇ । ଜୁଟିଗଲେ ଆସି ଦଲାଲ । ସତେ କେଉଁ ଯୁଗର ଅତି ଚିହ୍ନା ମଣିଷ ପରି । ଭିତରେ କପଟ, ଉପରେ ହସ । ଯାତ୍ରୀଙ୍କି ଭୁଲେଇ ପଇସାକ ଜାଗାରେ ୩ ପଇସା ମାରିନେଇ ଜୀବନ ଚଳାଇବା ସେମାନଙ୍କର ବୃତ୍ତି । ପେଟ ପୋଷ, ନାହିଁ ଦୋଷ । ଆମେ ବାହାରୁ ସେମାନଙ୍କ ଭିତରଟା ପଢ଼ିନେଲୁ । ‘‘ତୁମେ ଯହିଁପାଇଁ ନସର ପସର ଆମେ ସେ କଥାଟି ଜାଣି ।’’ ଜଣେ ଦୋସ୍ତ ବି ଜୁଟି ଆମକୁ ଆଖି ଠାରି ସାବଧାନ କରିଦେଲେ; ଅର୍ଥ– ସେମାନଙ୍କ ପାଲରେ ପଡ଼ୁନାହିଁ । Indian Commissioner’s Office କଲମ୍ୱୋ ଷ୍ଟେସନରୁ ୧ ଫର୍‍ଲଙ୍ଗ ଦୂର । ସେମାନେ ୨।୩ ମାଇଲ୍‍ଦୂର ହେବ ବୋଲି କହି ଟ ୫ଙ୍କା ଦାବୀ କଲେ । ଜିନିଷ ପତର ଧରି ବାଟ ପଚାରି ପଚାରି ଚାଲିଲୁ । ଦଲାଲ୍‍ମାନେ ନୂତନ ଶିକାର ଖୋଜି ବୁଲିଲେ ।

 

ଆମେ ପହଞ୍ଚିଲାବେଳକୁ ଅଫିସ୍‍କୁ କେହି ଆସି ନ ଥାନ୍ତି । ଗଣ୍ଠିଲି ସୁଟକେସ ଅଫିସ ଦୁଆରେ ରଖି ମୁଁ ଓ ଆଉ ଗୋଟିଏ ପିଲା ଜଗି ବସିଲୁ । ଆଉମାନେ ଜଳଖିଆ କରିଗଲେ । ଆମ ପାଇଁ ବରା, ଦୋସି ଓ ରାଗୁଆ ନଡ଼ିଆ ଚଟଣି ଆଣିଥିଲେ । ଫେରିବାଲା ପାଚିଲା ସପୁରି ବିକି ଆଣିଲା । ଆରେ, ମାଘମାସରେ ପାଚିଲା ସପୁରି କାହୁଁ ଆସିଲା ? ସିଂହଳ ସପୁରିରେ ଟିକିଏ ବୋଲି ଟିକିଏ ଖଟା ନାହିଁ, ଶସ୍ତା ମଧ୍ୟ । କିଛି କିଣି ଖାଇଲୁ । କଲମ୍ୱୋରେ କଲିକତା ପରି ଭାରି ଚୋର । ଟିକିଏ ଅସାବଧାନ ହେଲେ ‘ନେଲାରେ’ ‘ନେଲାରେ’ ବୋଲି କହି ନିଜେ ଜିନିଷ ଭିଡ଼ି ଘେନି ଚାଲିଯିବେ । ଆମେ ବେଶ୍‍ ହୁସିଆର ଥାଉ ।

 

ଅଫିସ୍‍ ଖୋଲିଲାକ୍ଷଣି ବୁଝିଲୁ ଯେ ଭାରତୀୟ କମିସନର ଭି.ଗି ଗିରି ଅନୁପସ୍ଥିତ । ଆମ ସାହସ ଉଡ଼ିଗଲା । ଗିରିଙ୍କ ସେକ୍ରେଟରୀ ଆମକୁ ଭରସା ଦେଲେ । ଏଠାରେ ଧର୍ମଶାଳା ବା ଛତ୍ରମ୍‍ ନାହିଁ । ଅସମୟରେ ଜଣେ ଭାରତୀୟ ପହଞିଲେ ବଡ଼ ହରବରରେ ପଡ଼ିଯିବ କିଛି ସମୟ (ଅନ୍ୟତ୍ର ରହିବା ସ୍ଥାନ ସ୍ଥିର କରିବା ପର୍ଯ୍ୟନ୍ତ) ଅଫିସ୍‍ରେ ରହିଲୁ । ଅଫିସ ଏକ ବିରାଟ ଦ୍ୱିତଳ ପ୍ରସାଦ । ଭାରତର ସବୁ ଅଞ୍ଚଳରୁ ବହୁ ପତ୍ରପତ୍ରିକା ଆସେ । ଓଡ଼ିଶାରୁ କେବଳ Progress ଛଡ଼ା ଆଉ ଅନ୍ୟ କୌଣସି ପତ୍ରିକା ଆସେ ନାହିଁ ।

 

ରହିବା ଓ ଖାଇବା ଲାଗି ହୋଟେଲ୍‍ରେ ବୁଝିଲୁ । ଦିନକୁ ଜଣପିଛା ୧୫।୨୦ ଟଙ୍କା କରି ଘରଭଡ଼ା ପଡ଼େ । ତା ବାଦ୍‍ ଖାଇବା ଖର୍ଚ୍ଚ ତ ଅଛି । ଏସବୁ ବଡ଼ଲୋକଙ୍କ ପାଇଁ; ଏମିତି ଯାହାଖର୍ଚ୍ଚ ହେଲେ ଆମ ପାଣ୍ଠି ଦିନକୁ ବି କୁଳେଇବ ନାହିଁ । ଏସବୁ ହାଲ୍‍ ଦେଖି ନିରାଶରେ କେତେ ପିଲା ଶୋଇ ପଡ଼ିଲେ । କେତେକ ଫେରିଯିବାର ପ୍ରସ୍ତାବ ବି କଲେ; ଏତେ ଦୁଃଖ କଷ୍ଟ ସହି ଆସିଛୁ କଣ ଫେରିଯିବା ପାଇଁ ?

 

ବାଧା ମନର ଜିଦ୍‍ ବଢ଼ାଇଦେଲା । ଯାହା ହେବାର ହେଉପଛକେ ଲଙ୍କା ଭଲ କରି ଦେଖି ଫେରିବା । ସେକ୍ରେଟରୀ ମହୋଦୟ ଆମର ଅବସ୍ଥା ବୁଝିପାରି Y.M.C.A ମ୍ୟାନେଜର୍‍ଙ୍କ ସହିତ ଫୋନ୍‍ରେ କଥାଭାଷା କଲେ । ଭାଗ୍ୟକୁ ସବୁ ଠିକ୍‍ ହୋଇଗଲା ।

 

ମ୍ୟାନେଜର୍‍ଙ୍କ ନାମ ବିଜୟ ସିଂହ । ଭାରତରେ ରାମ, କୃଷ୍ଣ, ହରି ନାମ ପରି ସିଂହଳରେ ବିଜୟ ସିଂହ ନାମ ଅତି ପ୍ରଚଳିତ । ଓଡ଼ିଆପୁଅ ସିଂହପୁର ରାଜକୁମାର ବିଜୟ ସିଂହ ଦିନେ ସିଂହଳ ଜୟ କରିଥିଲା । ବର୍ତ୍ତମାନ ସିଂହଳବାସୀ ବିଜୟସିଂହ ଓ ତାଙ୍କର ଅନୁଚରମାନଙ୍କର ବଂଶଧର । ତେଣୁ ବିଜୟ ସିଂହ ନାମ ଉଚ୍ଚାରଣରେ ସିଂହଳବାସୀ ନିଜକୁ ଅତି ଗୌରବାନ୍ୱିତ ମନେ କରନ୍ତି । ସେନାନାୟକ, ପଟ୍ଟନାୟକ, ରଣସିଂହ ପ୍ରଭୃତି ଓଡ଼ିଆସଂଜ୍ଞା ଅଦ୍ୟାପି ସେଠାରେ ପ୍ରଚଳିତ-। ବର୍ତ୍ତମାନ ସିଂହଳବାସୀ କାହିଁକି ପୃଥିବୀର ଯେକୌଣସି ଦେଶର ଅଧିବାସୀ ଭାରତର କୌଣସି ପ୍ରଦେଶର ଅଧିବାସୀଙ୍କି ସ୍ୱତନ୍ତ୍ର ଗୌରବ ଦିଅନ୍ତି ନାହିଁ । ସେମାନଙ୍କ ନିକଟରେ ସମସ୍ତେ ଭାରତୀୟ-। ଆମେ ସିଂହଳର ପିତୃପିତାମହ ଦେଶବାସୀ ହିସାବରେ କିଛି ଅଧିକ ଗୌରବ ପାଇନାହୁଁ । ସେପରି ଦାବୀ ମଧ୍ୟ ଅଯଥାର୍ଥ । ବିଦେଶ ଭ୍ରମଣରେ ଏଇ ପ୍ରାଦେଶିକ କୂପମଣ୍ଡୁକତା ଦୂର ହୋଇଯାଏ ଓ ସମଗ୍ର ଭାରତରେ ଉଦାର ଐକ୍ୟ ଅନୁଭୂତି ଜାଗ୍ରତ ହୁଏ ।

 

Y.M.C.A ରେ ଖାଇବା ରୀତି ସଂପୂର୍ଣ୍ଣ ଭିନ୍ନ ପ୍ରକାରର । ଗୋଟିଏ ଜାଗାରେ କେତେକ ଲୁହା ଜାଲି କଡ଼ା ଗଦା ହୋଇଥାଏ । ଧାଡ଼ିରେ ଛିଡ଼ାହୋଇ କଡ଼ା ଗଦା ପାଖକୁ ଆସି ସେଥିରୁ ଗୋଟିଏ ହାତରେ ଧରିବାକୁ ହୁଏ । ପରଶୁଣି ବରାଦ ମୁତାବକ ପ୍ରାୟ ୨ ମିନିଟ୍‍ ଭିତରେ ଖାଇବା ଜିନିଷ ବାଢ଼ିଦିଏ । ସେହି କଡ଼ା ଉପରେ ଭାତତିଅଣ ଥାଳୀଟି ରଖି ନିଜେ ଗିଲାସରେ ପାଣି ଗଡ଼େଇ ତା ଉପରେ ରଖି ଖାଇବା ଟେବୁଲକୁ ଆସିବାକୁ ହୁଏ । ଦ୍ୱିତୀୟ ଥର ଦେବା ଲାଗି କେହି ଆସେ ନାହିଁ । ପ୍ରଥମ ଥର ବରାଦ୍‍, ବାସ୍‍ ସେତିକି । ପେଟ ପୂରୁ ନ ପୂରୁ ଗୋସେଇଁଙ୍କର କି ଯାଏ ? ନ ଜାଣିଥିବା ଲୋକକୁ ଭାରି ଅସୁବିଧା । ଆମେ ତ ଗୋଟିଏ ମିଲ୍‍କୁ ବାଣଣାରୁ ବେଶୀ ଦେବାକୁ ପ୍ରସ୍ତୁତ ନୋହୁଁ, ଭଲ ଖାଇବୁ କିପରି ? ଗିନାଏ ଭାତ, ୪।୬ ପଳା ହରଡ଼ ଡାଲି, ଚାମୁଚେ ଦେଢ଼ ଚାମୁଚ ବିଶିଲଙ୍କା ତରକାରୀ, ୨।୪ ଖଣ୍ଡ ଶିମ୍ୱଭଜା । ବାସ୍‍ । କାଲି ସକାଳ ୧୧ଟା ବେଳେ ଗଣ୍ଡେ ଭାତ ଖିଆ ହୋଇଥିଲା । ଆଜି ହେଲାଣି ଦିନ ୧୨ଟା । ସକାଳେ ଜଳଖିଆ ଚଢ଼େଇର ଆହାର । ଏସବୁ ଦେଖି ଭୋକ ପେଟରେ ରଡ଼ି ଛାଡ଼ିଲା ।

 

ଯାହିତାହି ଚଳାଇ ନିଅ । କଣ କରିବା ? ‘ଆଉ ଦିଓଟି ଦିଏଁ’ ବୋଲି ରାଣ ନିଅମ ପକାଇ ପୂରା ପେଟ ଉପରେ ଯେ ଦୁଇ ଚାରି ଗୁଣ୍ଡା ଖୁଆଇଦିଏ, ସେଇ ବୋଉ ଏଠି ମନେ ପଡ଼ିଲା-। ଆଖି ଟିକିଏ ଜକେଇ ଆସିଲା । ଘର, ବାହାର ଭିତରେ କେତେ ତଫାତ୍‍ !

 

କିଏ କାହାକୁ ପଚାରୁଛି ? ଏଠି ପଇସା ଅଛି ତ ସବୁ ଆଦର ସମ୍ମାନ; ନୋହିଲେ ବାପା, ମହତ ଜଗି ଗୋଟିଏ ଗୋଟିଏ ଯାଅ । ବ୍ୟବସାୟୀ ସହର ଏ । ମଣିଷର ବ୍ୟବହାର ଭଦ୍ର, କିନ୍ତୁ ବଡ଼ କୃତ୍ରିମ । ହିସାବୀ ମନୋବୃତ୍ତି, କାରବାରିଆ ଭାବ ! ହସ ନ ମାଡ଼ିଲେ ବି ହସିବାକୁ ହୁଏ । ଆଦବକାଇଦା ଜଗି ଚଳିବାକୁ ହୁଏ । ଆନ୍ତରିକତା ନାହିଁ । ବାହାର ସଫାସଫି, ଆଡ଼ାଚୌଡ଼ା ହେଲେ ହେଲା । ମଣିଷର ଏତିକି ଦେଖନ୍ତି ସେମାନେ । ଗହୀର ଚାଷରେ ପଶେ କିଏ ?

 

ଲଙ୍କା ତରକାରୀ ! ପାଟିରେ ଟିକିଏ ମାରିଲାକ୍ଷଣି ପାଟି ହାଉ ହାଉ ପୋଡ଼ିଲା । ଏଇ ଲଙ୍କା ଖିଆରୁ ଏ ଦେଶର ନାମ ଲଙ୍କା ହୋଇଛି ପରା ! ଦକ୍ଷିଣ ଦେଶ ସହିତ ଏହି ଜିନିଷର ଲଙ୍କାର ନାମ ଯୋଡ଼ାଯାଇଛି–ଦକ୍ଷିଣି ଲଙ୍କା !

 

ଖାଦ୍ୟପେୟରେ ନିତ୍ୟ ଏହି ନାମର ବ୍ୟବହାର । ରାମଙ୍କୁ ରାବଣକୁ ଭୁଲିଛୁ, କିନ୍ତୁ ଲଙ୍କାକୁ ନୁହେଁ ।

 

ଏ ଖାଦ୍ୟତକ ଉଦରର କେଉଁ କଣରେ ପଡ଼ିଲା, ଜାଣିହେଲା ନାହିଁ । ପାଣି ସଫା ଥଣ୍ଡା ପାଣି–ବେଶ୍‍ ଶସ୍ତା । ପିଅ-ପିଅ-ପିଅ । ବେଶ୍‍ ପେଟ ପୂରିଗଲା । ଘଣ୍ଟାକ ପରେ ଚାଲିଲା ଓଡ଼ିଶୀ ଚୂଡ଼ା କଦମ୍ୱା । ଚୂଡ଼ା ଯାଉଁଳିଏ ଲେଖାଏଁ ନ ନେଇଥିଲେ ଆମ ଅବସ୍ଥା ବାରଗଣ୍ଡା ଦିକଡ଼ା ହୋଇଥାନ୍ତା । ସବୁ ଜିନିଷ ମହଙ୍ଗା । ଗୋଟିଏ ସିଗାରେଟର ଦାମ୍‍ ଟ୦୨, ପାନ ଖିଲକର ଦାମ୍‍ ଟ୦୩, ଗିଲାସେ ମାମୁଲି ସରବତର ଦାମ୍‍ ଟ୦୪; ସିଂହଳର ଆୟ ୩୦ କୋଟି ଟଙ୍କା; ସେଥିରୁ ୨୮କୋଟି ଟଙ୍କା କେବଳ ସରକାରୀ ଚାକିରିଆଙ୍କ ଦରମାର ଖର୍ଚ୍ଚ ହୁଏ । ଜଣେ ପିଅନ୍‍ର ମାସିକ ଦରମା ଟ୧୦୦ଙ୍କା । ମାଟ୍ରିକୁଲେସନ୍‍ ପାସ୍‍ କିରାନୀର ଦରମା ଟ ୨୫୦ଙ୍କା । ଉଭୟଙ୍କ ପ୍ରାରମ୍ଭିକ ଦରମାକୁ ଚାହିଁ ଅନ୍ୟମାନଙ୍କର ଦରମା କଳି ହେବ । ଏ ଉପରେ ମହଙ୍ଗାଭତ୍ତା ଅଛି । ତେଣୁ ଚାକିରିଆ ଶ୍ରେଣୀକି ଲଙ୍କା ଠାକୁରାଣୀ ବେଶ୍‍ ଘଣ୍ଟ ଘୋଡ଼ାଇ ରଖିଛି । ସରକାରୀ ଚାକିରୀ ପାଇବା ଏବେ ବି ପ୍ରତି ସିଂହଳୀର ଏକ ଉଚ୍ଚାକାଙ୍‍କ୍ଷା ହୋଇଅଛି । ଇଂରେଜୀ ଶିକ୍ଷା ଫଳରେ ଭାରତୀୟଙ୍କ ପରି ସେମାନେ ବି ଅପଦାର୍ଥ ହୋଇ ଯାଇଛନ୍ତି । ବାଣିଜ୍ୟବ୍ୟବସାୟ ଏପର୍ଯ୍ୟନ୍ତ ଇଉରୋପୀୟ ଓ ଦକ୍ଷିଣ ଭାରତୀୟଙ୍କ ହାତରେ ।

 

କଲମ୍ବୋରେ ପହଞ୍ଚିବା ମାତ୍ରେ ଡାକ୍ତରଖାନାରେ ଯାଇ ହାଜରା ପକାଇବା ଦରକାର । ଯେତେଦିନ ରହିବ, ସବୁଦିନ ଥରେ ଥରେ ଡାକ୍ତରଙ୍କ ମୁହଁ ଦେଖି ଆସିବା ଆବଶ୍ୟକ । ନୋହିଲେ ୧୦୦୦ଟଙ୍କା ଜରୀମାନା, ୬ମାସ ଜେଲ । ବିଦେଶୀମାନଙ୍କ ପ୍ରତି ଏଇ ଆଇନ୍‍ ପ୍ରଯୁଜ୍ୟ । ଟ୍ରାମ୍‍ରେ ଗଲୁ । ଭାରି ଭିଡ଼ । ଠିଆ ହେବାଛଡ଼ା ଉପାୟ ନାହିଁ । ଭଡ଼ା କଲିକତା ଟ୍ରାମ୍‍ ଠାରୁ ୫ଗୁଣ ବେଶୀ । ପ୍ରତି ସେକେଣ୍ଡରେ ମଟର ଚାଲିଥାଏ । କଲିକତା ପରି କଲମ୍ବୋ ଗାଡ଼ିବହୁଳ । କଲମ୍ୱୋ ବସ୍‍ ଓ ଟ୍ରାମରେ ବସିବା ବେଶ୍‍ ସୁଖକର କିନ୍ତୁ ଭଡ଼ାଟା ଅତି ବେଶୀ । ଅଧ୍ୟାପକ ଓ ଛାତ୍ରମାନଙ୍କୁ ଡାକ୍ତରବାବୁ ଯଥେଷ୍ଟ ସହାନୁଭୂତି ଦେଖାଇଲେ । ପ୍ରତିଦିନ ଡାକ୍ତରଖାନା ଦୌଡ଼ରୁ ଅବ୍ୟାହତି ମିଳିଲା । ଡାକ୍ତରଖାନାରେ ହାଜରା ପକାଇ ଭଲଭାବରେ ସହରଟି ଦେଖିନେବା ଲାଗି ଚାଲି ଚାଲି ଆସିଲୁ ।

 

ଭାରି ଖରା । ମୁଣ୍ଡ ଫାଟିଗଲାପରି ଲାଗୁଥାଏ । ଶୀତଦିନ, ଫେର୍‍ ସମୁଦ୍ରକୂଳ । ତା ସତ୍ୱେ ଏତେ ଖରା । ଖରାଦିନେ କଣ ହେଉ ନଥିବ ? ସିଂହଳ ଇକ୍ୱେଟର୍‍ରେ ଅବସ୍ଥିତ । ତେଣୁ ଖରା ଯେପରି ବର୍ଷା ବି ସେହିପରି । ଏବେ ୮।୧୦ ଦିନ ହେଲା ବର୍ଷା ହୋଇନାହିଁ, ତେଣୁ ଭାରି ଗରମ ।

 

ଭାରତରେ ବର୍ତ୍ତମାନ ବସନ୍ତ ଆରମ୍ଭ ହୋଇନି । ଏଠୁଁ ବସନ୍ତ ଅଳ୍ପ କିଛିଦିନ ହେଲା ଚାଲିଯାଇଛି । ଆମ୍ୱ ପାଚିଲାଣି, ସପୁରି, ପଣସ ପାଚିଲାଣି । ଉଦୁଉଦିଆ ଦିପହରେ ଦୂର ଦୂରାନ୍ତରେ ମରୀଚିକା ନୃତ୍ୟ କଲେଣି ।

 

ରାସ୍ତା ଦିକଡ଼ରେ କେଡ଼େ ସୁନ୍ଦର କୋଠା; ବଗିଚାରେ ଡାଲଚିନି ଗଛ । ରାସ୍ତାକୁ ମହକି ଉଠୁଥାଏ । ଏହାର ଚେରରେ କର୍ପୂର ତେଲ ହୁଏ, ପତ୍ରରେ ଲବଙ୍ଗ ତେଲ ହୁଏ ଓ ଡାଳରୁ ଡାଳଚିନି ଖୋଳପା ବାହାରେ ।

 

ଏ ଆଗରେ କିଏ ? ପିନ୍ଧା ହଳଦିଆ ଲୁଗା, ଘୋଡ଼ି ହୋଇଛନ୍ତି ହଳଦିଆ ଚାଦର, ହାତରେ ଧରିଛନ୍ତି ଗୋଟିଏ ପୋଥି, ମସ୍ତକ ମୁଣ୍ଡିତ; ସଂସାର ପ୍ରତି ଯେପରି ମୋଟେ ଆସନ୍ତି ନାହିଁ-। ବୌଦ୍ଧଭିକ୍ଷୁ ! ହଜାର ହଜାର ବର୍ଷ ଧରି ସେ କାଳର ସଂସ୍କୃତି ବୋହି ଚାଲିଛି–ଭେକରେ ଟିକିଏ ହେଲେ ପରିବର୍ତ୍ତନ ନାହିଁ । ଅତୀତର କେତେ ଶତାବ୍ଦୀ ଡେଇଁ ମନ ଚାଲିଗଲା ବୌଦ୍ଧଯୁଗକୁ–‘ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମ୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି । ’ ବୌଦ୍ଧ ସନ୍ନ୍ୟାସୀମାନେ ଏବେ ବି ଅହିଂସା ଧର୍ମ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ଜୀବହିଂସା କରନ୍ତି ନାହିଁ, କିନ୍ତୁ ଅନ୍ୟ କିଏ ପଶୁବଧ କରି ମାଂସ ଦେଲେ ଖାନ୍ତି ।

 

ତା’ପରେ ରକ୍ତକଟିବସ୍ତ୍ର, ନଗ୍ନ ଦେହ, ସାବନାରଙ୍ଗ, ବୋଧେ ସିଂହଳୀ ଚାଷୀଟିଏ । ୟା ଦେହରେ ଆଧୁନିକ ଯୁଗର ହାଓ୍ୱା ଲାଗିନି । କିଛି ଜିନିଷପତ୍ର ଖର୍ଦ୍ଦି ଉଦ୍ଦେଶ୍ୟରେ ବୋଧେ ମଫସଲରୁ ଆସିଛି ।

 

ଧଳା ଲୁଗାକୁ ଫାଲ୍‍ଟା ମାରିଛି–କାନ୍ଧର ଚାଦର; ଭାରି ଛାପ ଚିକ୍‍କଣିଆ, ମଫସଲୀ ଲୋକ ସହରରେ କିଛିଦିନ ରହିଗଲାଣି ପରା ! ଲମ୍ୱା ଲମ୍ୱା ବାଳରେ ବହଳ ମାଲପା ଲଗେଇ ପଛକୁ କୁଣ୍ଡେଇଛି; ମଝିରେ ସୁନ୍ଥାର ସିଧାସଳଖ ସଡ଼କ । କଇଁର ଖୋଳପା ପାନିଆ ବାଳରେ ଖୋସା ହୋଇଛି–ମୁଣ୍ଡରେ ଶିଙ୍ଘ ଉଠିଲା ପରି ଦିଶୁଛି । ବୋଧେ ଲୋକଟି ଚାକିରୀ କରିଛି କାହା ଘରେ ।

 

ତା’ପରେ ଚାଲିଛନ୍ତି ଜଣେ ତାମିଲ୍‍ ଚେଟି–ମୁଣ୍ଡରେ ଚଉରସ ପଗଡ଼ି, କପାଳରେ ଲମ୍ୱା ଚିତାଗାର; ମଝିରେ ଟଙ୍କାପରି ଟୋପାଟାଏ । ବର୍ଣ୍ଣ ଶ୍ୟାମଳ । କଳରେ ପାନଖିଲ ଗାଲକୁ ଟିକିଏ ଉପରକୁ ଠେଲି ଦେଇଛି । ଏ ଭାରି ଛଉକା ବ୍ୟବସାୟୀ । ଆଖିରେ ଜଳୁଛି ଲୋଭ ।

 

ଜଣେ ସାହେବ- ସୁଟ, ଟେନିସ ଜୋତା, ଓଠରେ ସିଗାରେଟ୍‍; ତାଙ୍କ ଆଗରେ ଜଣେ ଇଂରେଜ ସ୍ତ୍ରୀ । ଏଠି ସାହେବମାନେ ଚାରିଭାଗରେ ବିଭକ୍ତ –ଅଫିସର, ବ୍ୟବସାୟୀ, ଚା’ବଗିଚା ମାଲିକ୍‍ ଓ ଆଙ୍ଗଲୋସିଂହଳୀ । ଶାସକ ହିସାବରେ ଇଂରେଜୀମାନେ ଅପସୃତ ହେଲେହେଁ ବ୍ୟବସାୟୀ ଭାବରେ ବହୁ ସଂଖ୍ୟାରେ କଲମ୍ୱୋ ସହରରେ ଅଛନ୍ତି । ପର୍ତ୍ତୁଗିଜ୍‍, ଦିନାମାର ଓ ମୁର୍‍ମାନେ ମଧ୍ୟ ନାନା ଗୋଦାମ ଖୋଲିଛନ୍ତି ।

 

ସିଂହଳରେ ସିଂହଳୀଙ୍କୁ ଛାଡ଼ିଦେଲେ ତାମିଲମନେ ସଂଖ୍ୟାଗରିଷ୍ଠ । ସେମାନେ ବ୍ୟବସାୟୀ, ସବୁ କ୍ଷେତ୍ରରେ ଅଗ୍ରଗାମୀ । ବଡ଼ ବଡ଼ ଚାକିରୀ ମଧ୍ୟ ସେମାନେ ଦଖଲ କରି ବସିଛନ୍ତି-। ତା’ଛଡ଼ା ଅସଂଖ୍ୟ କୁଲି ଚା’ବଗିଚାରେ ଡକ୍‍ମାନଙ୍କରେ କାମ କରୁଛନ୍ତି । ଉତ୍ତର ସିଂହଳରେ ତାମିଲ୍‍ ସଂଖ୍ୟା ସବୁଠାରୁ ବେଶୀ ଓ ଦକ୍ଷିଣରେ ସିଂହଳୀ ସଂଖ୍ୟାଧିକ ଜାତି ।

 

ସିଂହଳିଙ୍କୁ ଓଡ଼ିଆମାନଙ୍କ ସଙ୍ଗେ ତୁଳନା କରାଯାଇପାରେ । ସେମାନେ ବେଶୀ କଷ୍ଟ ପଡ଼ି କାମ କରିବାକୁ ଇଚ୍ଛା କରନ୍ତି ନାହିଁ । ଅଳ୍ପକେ ସନ୍ତୁଷ୍ଟ, ପଛବୁଦ୍ଧିଆ, ଧର୍ମପ୍ରାଣ, ସରଳ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବୌଦ୍ଧ, ତାମିଲ୍‍ମାନେ ହିନ୍ଦୁ ।

 

ଚାଲି ଚାଲି ଦିନ ୪ଟାବେଳେ କଲମ୍ୱୋ ବନ୍ଦରରେ ପହଞ୍ଚିଲୁ । ସମୁଦ୍ର ଲଙ୍କାର ତଟଭୂମି ଭିତରକୁ ଗୋଟିଏ ନୀଳଜଳା ନଦୀ ପରି ପ୍ରବେଶ କରିଛି । ସମୁଦ୍ର ଭିତରେ ବନ୍ଦରରେ ଜାହାଜ ପଶିବାକୁ ବାଟ ଛାଡ଼ି ୬୬ଏକର ଜାଗାରେ ପଥରବନ୍ଧ ଘେରା ହୋଇଛି । ତେଣୁ ବଡ଼ ବଡ଼ ଢେଉ ବନ୍ଦରରେ ପ୍ରବେଶ କରିପାରେ ନାହିଁ । ଏହି କୃତ୍ରିମ ବନ୍ଦର ୧୮୮୫ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ପ୍ରାକୃତିକ ବିଶାଖାପାଟଣା ବନ୍ଦର ଏହାଠାରୁ ବୃହତ୍ତର ଓ ଅଧିକ ମନୋହର । ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ଥାନ ଓ ଆମେରିକାର ଜାହାଜମାନେ ବିଭିନ୍ନ ଧରଣର ପତାକା ଉଡ଼ାଇ ଛିଡ଼ା ହୋଇଥାନ୍ତି । ଛୋଟ ଛୋଟ କ୍ରୀଡ଼ା ନୌକାରେ ସିଂହଳୀ ଯୁବକଯୁବତୀମାନେ ବନ୍ଦର ସମୁଦ୍ରରେ ବୁଲୁଥାନ୍ତି । ବନ୍ଦର ଚତୁର୍ଦ୍ଦିଗରେ ଆକାଶଦର୍ଶୀ କ୍ରେନ୍‍ ସବୁ ଛିଡ଼ା ହୋଇଥାନ୍ତି । କେଉଁ ଜାହାଜରେ ଜିନିଷପତ୍ର ନଦା ହେଉଥାଏ, କେଉଁଥିରୁ ବା ଜିନିଷ ଖଲାସ ହେଉଥାଏ । କେଉଁ ଜାହାଜ ବିଦାୟ ନେଉଥାଏ, କିଏ ବା ଆସି ପହଞ୍ଚୁଥାଏ । ଅଧା ଲଙ୍ଗଳା ତାମିଲ୍‍ କୁଲି ଶତ ଶତ ସଂଖ୍ୟାରେ କାମ କରୁଥାନ୍ତି ଝାଳନାଳ ହୋଇ । ବନ୍ଦରର ନିରାପତ୍ତା ଦୃଷ୍ଟିରୁ ଫଟୋ ନେବା ଆଇନବିରୁଦ୍ଧ । କିନ୍ତୁ ଆମର ପରିଚୟ ପାଇ କର୍ତ୍ତୃପକ୍ଷ ଅନୁମତି ଦେଲେ । ବନ୍ଦରରୁ ଫେରିଲାବେଳକୁ ଦିନ ନଇଁ ଆସିଥାଏ ।

 

ଭିକ୍‍ଟୋରିଆ ପାର୍କକୁ ବୁଲିଗଲୁ । ଏଠାରେ ମହାରାଣୀ ଭିକ୍‍ଟୋରିଆଙ୍କର ମାର୍ବଲପ୍ରସ୍ତର ନିର୍ମିତ ଏକ ବିରାଟ ପ୍ରତିମୂର୍ତ୍ତି ଅଛି । ପାର୍କରେ ଦେଶୀ ବିଦେଶୀ ନାନା କିସମର ଫୁଲ; ଦେବଦାରୁବାଡ଼ ସୁନ୍ଦର ଭାବରେ କଟା ହୋଇଥାଏ । ଗୋଟିଏ ଆମୂଳଚୂଳ ସିମେଟଦିଆ କୃତ୍ରିମ ପୋଖରୀ ଭିତରେ ଜଳ ଭର୍ତ୍ତିକରି ବିଭିନ୍ନ ରଙ୍ଗର ମାଛ ଛାଡ଼ିଦିଆ ହୋଇଥାଏ । ସବୁଜ ଘାସ ଉପରେ ଟିକିଏ ଥକ୍‍କାମାରି ପୁଣି ବୁଲି ବାହାରିଲୁ । ହାତରେ ନେଲି, ଝଡ଼ିପଡ଼ିଥିବା କେତୋଟି କାଠଚମ୍ପା ଫୁଲ ।

 

କଲମ୍ୱୋର କୋଠାବାଡ଼ି କଲିକତା ବା ମାନ୍ଦ୍ରାଜ କୋଠାବାଡ଼ିଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ । ବିଶେଷତଃ କଲମ୍ୱୋ ଟାଉନ ହଲ୍‍ ପରି ବିରାଟ ସାଧାରଣ ଅନୁଷ୍ଠାନ ମୁଁ ଅନ୍ୟ କେଉଁଠାରେ ଦେଖିନାହିଁ । କିନ୍ତୁ ଏଠାରେ ଏହାର ଯଥାର୍ଥ ବ୍ୟବହାର ହୁଏନାହିଁ; ସଭାସମିତି ହୁଏ କ୍ୱଚିତ୍‍ ।

 

କଲମ୍ବୋ ବତୀଘରର ଉଚ୍ଚତା ୯୭ଫୁଟ୍‍ । ସନ୍ଧ୍ୟା ହୋଇ ଆସୁଥିବାରୁ ଏହା ଉପରକୁ ଉଠିବାକୁ ଆଉ ଚେଷ୍ଟା କଲୁନାହିଁ ।

 

କଲମ୍ୱୋ ସମୁଦ୍ରକୂଳ ଠିକ୍‍ ପୁରୀ ସମୁଦ୍ରକୂଳ ପରି । ବହୁ ଭଦ୍ରଲୋକ ମେଳା । ସମୁଦ୍ରକୂଳରେ ଅସଂଖ୍ୟ ଛୋଟ ଛୋଟ ପାହାଡ଼ । ଏଇ ଛୋଟ ପାହାଡ଼ରେ ବସି ଗୋଡ଼ ଲମ୍ୱାଇଲେ ସମୁଦ୍ର ଢେଉ ଗୋଡ଼ରେ ବାଜେ । ଏ ସମୁଦ୍ରରେ ଲୋକେ ହାଙ୍ଗର ଭୟରେ ସ୍ନାନ କରନ୍ତି ନାହିଁ । ସ୍ନାନ ଲାଗି ଖଣ୍ଡିଏ ଖଣ୍ଡିଏ ସମୁଦ୍ର କାଠରେ ଘେରାଉ କରି ଦିଆଯାଇଛି–କାଠଜାଲି ଦିଆଯାଇଥିବାରୁ ହାଙ୍ଗର ତା ମଧ୍ୟରେ ପ୍ରବେଶ କରିପାରେ ନାହିଁ । ଗୋଟିଏ ଛୋଟ ପାହଡ଼ରେ ବସି ଗୋଧୁଳି ସମୁଦ୍ରର ମନୋହର ଶୋଭା ଦେଖୁଁ ଦେଖୁଁ ରାତ୍ରି ନଇଁ ଆସିଲା ।

 

ସିଂହଳର ମୋଟ ଲୋକସଂଖ୍ୟା ୬୬ ଲକ୍ଷ । ଓଡ଼ିଶା ଲୋକସଂଖ୍ୟାର ଅଧିକରୁ ବି କମ୍‍-। ଶତକରା ୨୦ ଜଣ ଶିକ୍ଷିତ । ୭ ଜଣ ମନ୍ତ୍ରୀ ଅଛନ୍ତି । D.S. Senanayak ପ୍ରଧାନମନ୍ତ୍ରୀ । ତାଙ୍କ ସଙ୍ଗେ ସାକ୍ଷାତ୍‍ କରିବା ଅଭିଳାଷ ଥିଲେ ବି ଅବସର ହେଲାନାହିଁ । ଭାରତବର୍ଷ ପରି ଏଠାରେ ବି ଚୋରାବଜାର ଧୁମ୍‍ ଚାଲିଛି । ଜଣେ ମନ୍ତ୍ରୀ ଲାଞ୍ଚ ଅପରାଧରେ ଅଭିଯୁକ୍ତ ହୋଇଥିବା କଥା ସେଦିନ କଲମ୍ୱୋ ଟାଇମ୍‍ସରେ ପଢ଼ିଲି ।

 

ସିଂହଳବାସୀ ଅତ କ୍ରୀଡ଼ାପ୍ରିୟ । ବିଦେଶୀ ସମ୍ପର୍କରେ ସେମାନଙ୍କର ଏହି କ୍ରୀଡ଼ାପ୍ରିୟତା ଜାତ ହୋଇଛି ବୋଲି ମନେହୁଏ । ଖେଳ ପଡ଼ିଆରେ କାମଦାମ ଛାଡ଼ି ଏକାଦିକ୍ରମେ ଅଧଲକ୍ଷେ ଲୋକ ରୁଣ୍ଡ ହୋଇଥାନ୍ତି । ମଦ ପାଣି ପରି ଅତି ମାମୁଲିଭାବରେ ପ୍ରଚଳିତ । ଯେକୌଣସି ଜାଗାରେ ମଦ ବିକ୍ରି ହେବାର ଦେଖିଲୁ । ସେଥିଲାଗି ମାନ୍ଦ୍ରାଜ–କର୍ପୋରେସନ୍‍ର ଚିଫ୍‍ ଇଲେକ୍‍ଟିକ୍‍ ଇଞ୍ଜିନିଅର ପଟ୍ଟନାୟକ ବାବୁ ମନା କରୁଥିଲେ, ଲଙ୍କା ଆସିବାକୁ ।

 

ସାଧାରଣ ଲୋକେ ତାମିଲ୍‍ମାନଙ୍କ ପରି ଲୁଗାକୁ ଲୁଙ୍ଗିକରି ପିନ୍ଧନ୍ତି । ସ୍ତ୍ରୀମାନେ ଘେର ଓ ବ୍ଲାଉସ୍‍ ବ୍ୟବହାର କରନ୍ତି, ଶାଢ଼ୀପିନ୍ଧିବାବାଲୀ ଖୁବ୍‍ କମ୍‍ ଦେଖାଯାନ୍ତି । ତେଲୁଗୁ ସ୍ତ୍ରୀମାନଙ୍କ ପରି ସେମାନେ ମୁଣ୍ଡରେ ଫୁଲ ପିନ୍ଧନ୍ତି ନାହିଁ । ଶିକ୍ଷିତ ସିଂହଳୀ ଓ ତାମିଲମାନେ ବିଲାତି ଫେସନ୍‍ରେ ଆକଣ୍ଠ ଡୁବିଛନ୍ତି । କଣ୍ଟାଚାମୁଚ ବିନା କେହି ଖାଇ ପାରନ୍ତି ନାହିଁ । ଚାକର ଶ୍ରେଣୀର ନ ହେଲେ କେହି ତଳେ ବସେ ନାହିଁ ।

 

ଭାରତୀୟମାନଙ୍କ ପ୍ରତି ସିଂହଳର ପୂର୍ବ ସମ୍ମାନ ନାହିଁ । ଭାରତୀୟମାନେ ବାଣିଜ୍ୟ ବ୍ୟବସାୟ ଓ ଚାକିରିବାକିରିରେ ସେମାନଙ୍କର ପ୍ରତିଯୋଗୀ ହୋଇଛନ୍ତି । ଅଧିକାଂଶ ପୁଞ୍ଜିପତି ବିଦେଶୀ । ଶୋଷଣ ସିଂହଳକୁ ଅନ୍ତଃସାରଶୂନ୍ୟ କରିଦେଇଛି । ସିଂହଳ ରାଜନୀତିକ ସ୍ୱାଧୀନତା ପାଇଲେ ବି ଆର୍ଥନୀତିକ ତଥା ସାଂସ୍କୃତିକ ସ୍ୱାଧୀନତା ପାଇବା ଲାଗି କେତେ ଶତାବ୍ଦୀ ଚାଲିଯିବ । ମାଇଲ ମାଇଲ ଧରି ଯେଉଁ ନଡ଼ିଆ ବଗିଚା. ଚା ବଗିଚା ଓ ରବର ବଗିଚା ଦିଶୁଛି, ସେସବୁ ଜମିଦାରଙ୍କର ବା ବିଦେଶୀ ପୁଞ୍ଜିପତିଙ୍କର । ସାଧାରଣ କୃଷକ ବଡ଼ ଦରିଦ୍ର । ସେମାନେ ଭାଗ ଚଷନ୍ତି ବା ମଜୁରୀ ଲାଗି ଚଳନ୍ତି । ‘ଜମିଦାରୀ ପ୍ରଥା ଉଠିଯାଉ’ ବୋଲି ଏବେ ସିଂହଳରେ କ୍ଷୀଣ ଚିତ୍କାର ଉଠୁଛି ।

 

ସର୍ବହରାର ଆର୍ଥିକ ଅସନ୍ତୋଷକୁ ପୁଞ୍ଜିକରି ଏବେ କମ୍ୟୁନିଷ୍ଟମାନେ ମାତି ଉଠୁଛନ୍ତି । ସ୍ଥାନେ ସ୍ଥାନେ କାନ୍ଥରେ ଲେଖାହେବାର ଦେଖିଲୁ, “China grows Communist, Burma going Communist, why not Ceylone ?”

 

ଏଠରେ ଆଦିବାସୀ ସମସ୍ୟା ନାହିଁ । ସେମାନଙ୍କ ଉପରେ ସବର୍ଣ୍ଣ ହିନ୍ଦୁ ଓ ବୌଦ୍ଧମାନେ ବହୁ ଅତ୍ୟାଚାର କରିଛନ୍ତି । ପାହାଡ଼ ଜଙ୍ଗଲକୁ ସେମାନଙ୍କୁ ତଡ଼ିଦିଆ ହୋଇଛି । ଏ ଦେଶରୁ କ୍ରମେ ସେମାନଙ୍କ ସଂଖ୍ୟା କମି ଆସୁଛି ।

 

Unknown

ଏଠାରେ ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିୟାନ୍‍ ଲୋକେ ଭାଇ ପରି ବାସକରୁଛନ୍ତି, କୌଣସି ଧର୍ମବିଦ୍ୱେଷ ନାହିଁ । ବାଣିଜ୍ୟସୂତ୍ରରେ ରହି ସିଂହଳରେ ବ୍ରିଟିସ୍‍ମାନେ ଭାରତୀୟ ଓ ସିଂହଳବାସୀଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି କରୁଛନ୍ତି ବୋଲି ଶୁଣିଲି ।

 

ଗାଡ଼ି ଚଢ଼ିବାକୁ ହାତରେ ପଇସା ନାହିଁ । ଦ୍ୱିପ୍ରହର ଖରାରେ ଚାଲିଚାଲି ଯାଦୁଘର ଦେଖିବାକୁ ଗଲୁ । Y.M.C.A ଠାରୁ ଯାଦୁଘର ୪ ମାଇଲ୍‍ ବାଟ । କଲମ୍ୱୋ ଯାଦୁଘର ମାନ୍ଦ୍ରାଜ୍‍ ଓ କଲିକତା ଯାଦୁଘରଠାରୁ ଆକାରରେ ଅବଶ୍ୟ କ୍ଷୁଦ୍ର, କିନ୍ତୁ ଏହାର ସ୍ୱାତନ୍ତ୍ର୍ୟ ଅଛି । ଏଠାରେ ଅନେକ ନୂତନ ଧରଣର ମୂର୍ତ୍ତି, ଭିତ୍ତିଚିତ୍ର, ସାମୁଦ୍ରିକ ଜୀବ ଓ ମୋତି ରତ୍ନାଦି ଦେଖିବାକୁ ପାଇଲୁ ।

 

ସିଂହଳର ଶେଷରାଜା ରାଜସିଂହଙ୍କର ସ୍ୱର୍ଣ୍ଣ ସିଂହାସନ, ରାଜଦଣ୍ଡ, ଖଡ୍‍ଗ, କମର, ପାଦପୀଠ କଲମ୍ୱୋ ଯାଦୁଘରେ ସଞ୍ଚିତ ହୋଇ ରହିଥିବାର ଦେଖିଲୁ । ସ୍ୱର୍ଣ୍ଣ ସିଂହାସନରେ ସୁନାର ପରିମାଣ ୫/୬ ମହଣରୁ କମ୍‍ ନୁହେଁ । ହୀରାନୀଳା ମୋତି ମାଣିକ୍ୟ ଆଲୋକରେ ଆଖି ଝଲସି ଉଠୁଛି । ଏପରି ସିଂହାସନ ସ୍ୱପ୍ନରେ ଦେଖାଯାଏ ବୋଲି ମୋର ଧାରଣା ଥିଲା । ଆଖି ଆଗରେ ଦେଖି ବି ବିଶ୍ୱାସ ହେଲା ନାହିଁ । ବ୍ରିଟିସ୍‍ମାନେ କିପରି ଏ ଲୋଭ ସମ୍ୱରଣ କଲେ ବୁଝିପାରିଲି ନାହିଁ-। ପ୍ରାୟ ୧ ମହଣ ସୁନାର ଗୋଟିଏ ବିରାଟ ଘଣ୍ଟି ଦେଖିଲି । ଏତେ ସୁନା ଏକ ଜାଗାରେ ! ବାସ୍ତବିକ୍‍ ଲଙ୍କା ସୁନାର ଦେଶ !

 

ସ୍ୱର୍ଣ୍ଣ ସିଂହାସନ ନିକଟରେ ରାଜାଙ୍କର ବୀରତ୍ୱବ୍ୟଞ୍ଜକ ମୂର୍ତ୍ତି ପ୍ରାଚୀନ ବେଶଭୂଷାରେ ଅପୂର୍ବ ଶ୍ରୀ ଫୁଟି ଉଠୁଛି । ଶେଷ ଜୀବନରେ ବହୁ ଲାଞ୍ଛନା ସହି ସେ ଫୋର୍ଟ ସେଣ୍ଟଜର୍ଜ୍‍ ଦୁର୍ଗରେ ପ୍ରାଣତ୍ୟାଗ କରିଥିଲେ ।

 

ଲଙ୍କାରେ ତ ରାକ୍ଷସ ନାହାନ୍ତି । ଦେଖିଲି ଅସଂଖ୍ୟ ବିକୃତମୁଖା କି ଭୀଷଣ, ବୀଭତ୍ସ ପରିକଳ୍ପନା ! ଏ ଗୁଡ଼ିକ ଦେଖି ରାକ୍ଷସ ରୂପର ଏକ ସ୍ଥୂଳ ଧାରଣା ହେଲା ।

 

ଗୋଟିଏ ବିରାଟ ତିମିର ଅସ୍ଥି ଦେଖିଲି । କଲିକତା ଓ ମାନ୍ଦ୍ରାଜ ଯାଦୁଘର ତିମି ହାଡ଼ଠାରୁ ଯଥେଷ୍ଟ ବଡ଼ । ଶୁଣିଲି, ସିଂହଳ ସମୁଦ୍ର କୂଳରେ ୨/୩ ମାଇଲ୍‍ ଧରି ଅନେକ ତିମି ହାଡ଼ ଫସିଲ୍‍ ହୋଇଯାଇଛି । ବହୁ ଅଦ୍ଭୂତ ଧରଣର ଶୁଷ୍କ ମତ୍ସ୍ୟ ଓ ଅସ୍ଥି ଛଡ଼ା ଆଉ ଗୋଟିଏ ବିଚିତ୍ର ଜୀବ ଦେଖିଲି । ଖଣ୍ଡିଏ ପିଜୁଳି ଡାଳ ବୋତଲ ମଧ୍ୟରେ ମସଲା ଦେଇ ବଞ୍ଚାଇ ରଖାହୋଇଛି । ତା ମଧ୍ୟରେ ଠିକ୍ ପିଜୁଳି ପତ୍ର ପରି ଗୋଟିଏ ଜୀବ ଚାଲବୁଲ୍‍ କରୁଛି । ପତ୍ର ଓ ଜୀବ ମଧ୍ୟରେ କୌଣସି ତାରତମ୍ୟ ଜଣାଯାଉ ନାହିଁ ।

 

ଅଳ୍ପ ସମୟ ମଧ୍ୟରେ ଏତେଗୁଡ଼ିଏ ମନୋମୁଗ୍‍ଧକର ଦୃଶ୍ୟ ଦେଖିବୁ କିପରି ? ତୃପ୍ତି ହେଲା ନାହିଁ । ମ୍ୟୁଜିଅମ୍‍ ବନ୍ଦ ହେବାରୁ ବାଧ୍ୟ ହୋଇ ଫେରିଲୁ ।

 

ସିଂହଳ ରାଜଧାନୀ, କଲମ୍ୱୋରେ ସରକାରୀ ଅଫିସ୍‍, ଅଦାଲତ୍‍, ଯାଦୁଘର, ବନ୍ଦର, ଲାଟଭବନ, କଲ୍ୟାଣୀ ଗଙ୍ଗନଦୀ, କେତୋଟି ବୃହତ୍‍ ଜଳାଧାର, ଗାଲଫେସ୍‍ ନାମକ ଦୁର୍ଗ, ବତୀଘର, ଟାଉନ୍‍ହଲ୍‍, ବିଶ୍ୱବିଦ୍ୟାଳୟ ପ୍ରଭୃତି ଦର୍ଶନୀୟ ।

 

ଏଠାରେ ପ୍ରଚୁର ଆମ୍ୱ ମିଳେ ଏବଂ ମିଷ୍ଟତା ଲାଗି ଏହା ପ୍ରସିଦ୍ଧ । ଏହି ଜାତୀୟ ଆମ୍ୱ ଦକ୍ଷିଣ ଭାରତର ତୋଟାମାନଙ୍କରୁ ଯାଇ ଓଡ଼ିଶାରେ ବାଇଗଣପଲେଇ, ଲାଟସିନ୍ଦୁରୀ ନାମରେ ବିକ୍ରିତ ହୁଏ ଏବଂ ଏହାକୁ ଆମେ କଲମ୍ୱୀ ବା କଲ୍‍ମୀ ଆମ୍ୱ କହୁଁ ।

 

ଆଦିମ ଶୃଙ୍ଗ (Adam’s Peak) :–

 

ଆଦିମ ଶୃଙ୍ଗ ! ଆଦିମଯୁଗରେ ସ୍ୱପ୍ନ ! ନୁହେଁ ସେ ଅତୀତ ଯୁଗର ଏକ ଅସ୍ଫାଳନମୟ ଶିଳାଖଣ୍ଡ–ଅଗଣିତ ମନର ନମସ୍ୟ, କୋଟି କୋଟି ଜୀବନର ଆଶ୍ୱାସନାର ଛବି, ଜୀବନଠାରୁ ଜୀବନ୍ତତର, ଶାଶ୍ୱତରୁ ଅଧିକ ଶାଶ୍ୱତ କାଳଜୟୀ ଆଦିମ ଶୃଙ୍ଗ । କେତେ ଧର୍ମର ପ୍ରଦୀପ ମାନବ ଚିତ୍ତ ଆଲୋକିତ କରି ନିର୍ବାପିତ ହୋଇଛି; କେତେ ରାଷ୍ଟ୍ର କାଳର ଫୁତ୍‍କାରରେ ଟଳିପଡ଼ିଛି, କେତେ ବିପ୍ଲବର ତୋଫାନ ଧ୍ୱଂସର ଚୂର୍ଯ୍ୟ ବଜାଇ ବହିଯାଇଛି; ମାନବ ଯାଉଛି, ମାନବ ଆସୁଛି । ହିଂସା ଈର୍ଷାର ଚିତ୍କାରରେ ସତ୍ୟର ସ୍ୱର ହଜିଯାଇଛି, କେତେବେଳେ ବା ସତ୍ୟମୈତ୍ରୀ ମଧ୍ୟରେ ମାନବର ଚିତ୍ତପଦ୍ମ ବିକଶିତ ହୋଇଛି–ଉନ୍ନତି ଅବନତି ସବୁ ଯାଇଛି । କିଛି ସ୍ଥିର ହୋଇ ନାହିଁ । କିନ୍ତୁ ଆଦିମ ଶୃଙ୍ଗ–ଆଦିମତାର ପ୍ରତୀକ, ଛିଡ଼ା ହୋଇଛି ଦୂର ଧୂସର ଅତୀତର ଘଟଣାମୂଖର ଇତିହାସ ଘେନି ।

 

ଭୂଗୋଳ ପୃଷ୍ଠାରେ ଅବହେଳିତ, କିଶାରକାଳର ଗୋଟିଏ ବିସ୍ମୃତି ମଳିନ ଶବ୍ଦ, ନ ଥିଲା ତା ପ୍ରତି ସ୍ନେହ, ନ ଥିଲା ତା ପ୍ରତି ସହାନୁଭୂତି । ଏଇ ଶବ୍ଦ ମଧ୍ୟରେ କାହିଁ ଲୁକ୍‍କାୟିତ ରହିଥିଲା ଏତେ ଅସରନ୍ତି ଆନନ୍ଦ ? ତାର ନାମ ଶୁଣିଲାମାତ୍ରେ ମନ ଚହଲିଗଲା କି ଭାବରେ କେଜାଣି ?

 

ନଗର ଜୀବନର ଧୂଳିଧୂସର ସାଥୀ ଆମେ । ଜଞ୍ଜାଳଗହଳ କୁହୁଡ଼ି ତଳେ ବିତିଯାଇଛି ଜୀବନର ଅଧାଅଧି । ଆଜି ଡାକୁଛି ଆଦିମ ପ୍ରକୃତି, ସେହି ଆଦିମତା ସଙ୍ଗେ ପୁଣି ଥରେ ପ୍ରାଣ ମିଳାଇଦେବା ଲାଗି । ଜନନୀର ଏ ଆହ୍ୱାନ ଆମେ ଏଡ଼ିଲୁନି–ଏଡ଼ି ପାରିଲୁନି ବୋଲି । ଲଙ୍କାର ବର୍ତ୍ତମାନ ଦେଖାଗଲା କଲମ୍ବୋରେ, ଅତୀତ ଦେଖିବା ଆଦିମ ଶୃଙ୍ଗରେ, ଅତୀତ ଓ ବର୍ତ୍ତମାନ ଦେଖିଲେ ଭବିଷ୍ୟତ କଳନା କରିନେବା । ଏହି ଭାବରେ ଉତ୍ସାହିତ ହୋଇ ଆଦିମ ଶୃଙ୍ଗ ଦେଖିବାକୁ ବାହାରିଲୁ । ଶିକ୍ଷିତ ଜାତି ସବୁଠାରେ ସମାନ । ଜଣେ ଦୁଇଜଣ ବନ୍ଧୁ ଯୋଗାଡ଼ କରିନେବା କଷ୍ଟକର ହେଲା ନାହିଁ ।

 

କଲମ୍ୱୋଠାରୁ ଆଦିମ ଶୃଙ୍ଗର ଦୂରତା ୧୦୦ ମାଇଲ୍‍ । ନବାଆଣିବା ଲାଗି ବସ୍‍ ମାଲିକ ସଙ୍ଗେ ଟ୧୦୦ଙ୍କା ଭଡ଼ା ଛିଡ଼ିଲା । କଲମ୍ୱୋ ଅତିକ୍ରମ କରି ଚାଲିଲା ଆମର ଗାଡ଼ି–ତା ଆଗେ ଧାଇଁଥାଏ ଆମର ମନ–ଶୃଙ୍ଗର କଳ୍ପିତ ଚିତ୍ର ଆଙ୍କି ଆଙ୍କି । ହୃଦୟରେ ଆନନ୍ଦ ଖୁନ୍ଦି ହୋଇଯାଇଥାଏ, ଯାହା ପ୍ରକାଶ ପାଉଥାଏ ହାସ୍ୟମଧୁର ଗଳ୍ପରେ, ସଙ୍ଗୀତର ମୃଦୁ ଗୁଞ୍ଜନରେ; ଆଖି ଶତଶୃଙ୍ଗାୟିତ ଦିଗ୍‍ବଳୟକୁ ଶୂନ୍ୟେ ଶୂନ୍ୟେ ପହଁରି ଯାଉଥାଏ । ଆମରି ଲାଗି ସତେ କି ପ୍ରକୃତିର ଆଜି ନୂଆ ସାଜସଜ୍ଜା !

 

କଲ୍ୟାଣୀଗଙ୍ଗ ନଦୀର ଧାରେ ଧାରେ ଶହ ଶହ ମାଇଲ ଧରି ଅସଂଖ୍ୟ ଉଚ୍ଚ ପର୍ବତଶୃଙ୍ଗ । ପାର୍ବତ୍ୟ ଉପତ୍ୟକାର ପିଚ୍‍ଢ଼ଳା ରାସ୍ତା ଅତି ଅପ୍ରଶସ୍ତ । ତାର ଗତି ଭୁଜଙ୍ଗପରି ବକ୍ର-। ନଦୀ ତୀରରୁ ଏହାର ଉଚ୍ଚତା ୪୦୦ ଫୁଟ୍‍ ଉଚ୍ଚ । ବହୁ କଷ୍ଟରେ ବିପରୀତମୁଖୀ ଦୁଇ ଖଣ୍ଡ ଗାଡ଼ି ପରସ୍ପରକୁ ଅତିକ୍ରମ କରନ୍ତି ।

 

ଟିକିଏ ଅସାବଧାନ ହେଲେ ପାହାଡ଼ ତଳକୁ ଗଡ଼ିପଡ଼ି ବା ପରସ୍ପର ଦେହରେ ଧକ୍‍କା ବାଜି ଗାଡ଼ି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବ । କୋରାପୁଟ୍‍ର ସାଲୁର ଘାଟି ସଙ୍ଗେ ଏ ଦୃଶ୍ୟର ସାମ୍ୟ ଅଛି ।

 

ରବରଜଙ୍ଗଲ ଦେଖିବାଲାଗି ମନରେ ବଡ଼ କୌତୂହଳ ଜାତ ହେଲା । ନୀଳାଭ ପର୍ବତମାଳାରେ ସନ୍ଧ୍ୟାରାଣୀ ବୁଲାଉଥାଏ ତାର ଲୋହିତ ତୂଳୀ । ସୁବର୍ଣ୍ଣ ମୁକୁଟ ପିନ୍ଧି ଲଙ୍କାର ଉଚ୍ଚତମ ଶୃଙ୍ଗରାଜ ଗୌରବରେ ହସି ଉଠୁଥାଏ । ଜଳପ୍ରପାତର ଭୈରବ ନାଦରେ କମ୍ପି ଉଠୁଥାଏ ଅରଣ୍ୟାନୀ । ମୁନିମନଲୋଭନୀୟ ଶାନ୍ତ ବିଜନସ୍ଥଳୀ । ବସ୍‍ ବନ୍ଦକରି ମୁହୂର୍ତ୍ତେ ଏଇ ସାନ୍ଧ୍ୟଦୃଶ୍ୟ ପ୍ରାଣଭରି ଉପଭୋଗ କଲୁଁ । ଜୀବନରେ ଆଉ ଥରେ ଯେ ଏ ସ୍ଥାନ ଆଖିରେ ପଡ଼ିବ ନାହିଁ !

 

ଅଳ୍ପଦୂର ଚାଲି ଯାଉଁ ଯାଉଁ ଦେଖିଲୁ ବିରାଟ ରବର ଜଙ୍ଗଲ । ସରୁ ସରୁ ପତ୍ର, ବହୁତ ବଡ଼ ବଡ଼ ଗଛ । ରବର ଗଛ ମୂଳରୁ ପ୍ରାୟ ହାତେ ଛାଡ଼ି ଆଙ୍ଗୁଳେ ବହଳର ଚୋପା କଟାଯାଇଥାଏ-। ସେହି କ୍ଷତ ଅଂଶରୁ କ୍ଷୀର ବୋହି ଝୁଲା ହୋଇଥିବା ଗୋଟିଏ ନଡ଼ିଆ ଶଢ଼େଇରେ ସଞ୍ଚିତ ହୁଏ । ପ୍ରତିଦିନ ଏହା ସଂଗୃହୀତ ହୋଇ କାରାଖାନାକୁ ଯାଏ । ସେଠାରେ ରନ୍ଧାହୋଇ ମଟର, ସାଇକଲ ଟାୟାର ପ୍ରଭୃତି ବିଭିନ୍ନ ରବର ଜିନିଷ ତିଆରି ହୁଏ ।

 

ନିକଟବର୍ତ୍ତୀ ପାହାଡ଼ମାନଙ୍କରେ ଚା ରୋପିତ ହୋଇଥିବାର ଦେଖିଲୁ । ଚା ଲାଗି ପ୍ରବଳ ବର୍ଷା ଆବଶ୍ୟକ, ଅଥଚ ମୂଳରେ ଜଳ ରହିଲେ ଚା ଖରାପ ହୋଇଯାଏ । ଲଙ୍କା ପାହାଡ଼ପର୍ବତମୟ, ପ୍ରାୟ ପ୍ରତିଦିନ ବର୍ଷା । ତେଣୁ ଚା ରୋପଣ ଲାଗି ଲଙ୍କାର ପାହାଡ଼ ଅନୁକୂଳ କ୍ଷେତ୍ର । ଚା ଗଛ ୩।୪ ଫୁଟ ଉଚ୍ଚ ଛୋଟ ଛୋଟ ଗୁଳ୍ମ । ସେଥିରୁ ବୁଢ଼ା ପତ୍ର ସଂଗୃହୀତ ହୋଇ ଚା ହୁଏ ବୋଲି ମୋର ଧାରଣା ଥିଲା । ଠିକ୍‍ ଓଲଟା । “Two leaves and a bud” ଯୋଡ଼ିଏ ପତ୍ର ଗୋଟିଏ କଡ଼ ଏଇ ହେଉଛି ଚା ତୋଳାରେ ନିୟମ । ଏହି କଢ଼ ଚା ସର୍ବୋକୃଷ୍ଟ । ଏଠା କୁଲିମାନଙ୍କ ମଧ୍ୟରୁ ଅଧିକାଂଶ ତାମିଲ୍‍ । ସର୍ଦ୍ଦାର ଯାଇ ଦଳ ଦଳ କରି ସେମାନଙ୍କୁ ଭାରତରୁ ଅଡ଼ାଇ ଆଣେ ନାନା ପ୍ରଲୋଭନ ଦେଖାଇ ସାହୁକାରଠାରୁ ଧରିଥାନ୍ତି ସେମାନେ । ହଠାତ୍‍ ପାଲରେ ପଡ଼ିଯାନ୍ତି । ଏଠାରେ ଦୈନିକ ମଜୁରୀ ଟ୦୪ ମାତ୍ର; ପେଟକୁ ନିଅଣ୍ଟ । ଦୈନିକ ଯେତେ କାମ ଦିଆଯାଇଥାଏ, ତାହା କରି ନ ପାରିଲେ ସେଥିରୁ ଫେର୍‍ ଅଧେ ଜରୀମାନା କଟିଯାଏ । ବାଟଖର୍ଚ୍ଚ ଋଣ ଶୁଝାଯାଏ ନାହିଁ । ତେଣୁ କୁଲି ଜୀବନଯାକ ବନ୍ଧା ପଡ଼େ । ନାନା ରୋଗବ୍ୟାଧିରେ ସେଠି ମରିଯାଏ ।

 

ଯେଉଁ ଘରେ ରହେ, ସେଠି ଗୋରୁ ବି ରହିବେନି । ପାହାଡ଼ ଉପରେ ଏଡ଼େ ବକଟେ ବକଟେ କୁଡ଼ିଆ, କମ୍ପାନୀ ଦୋକାନରୁ ଚାଉଳର କିଣିବାକୁ ହୁଏ । ସବୁ ମଜୁରୀ କେବଳ ଚାଉଳ କିଣାରେ ଯାଏ । ଚାଉଳର ଦର ଠିକ୍‍ କରିବା ଭାର କମ୍ପାନୀ ଉପରେ । ଏ ଅତ୍ୟାଚାର ସହି ନ ପାରି ଯଦି ସେ ପଳାଏ, ତେବେ ତାକୁ ଜେଲ୍‍ରେ ଭର୍ତ୍ତି କରି ଦିଆଯାଏ । ଏପର୍ଯ୍ୟନ୍ତ ହୃଦୟହୀନ ଗୋରାମାନଙ୍କର ଅତ୍ୟାଚାରର ଅବସାନ ହୋଇନାହିଁ ।

 

ସ୍ୱାସ୍ଥ୍ୟହୀନ ତାମିଲ୍‍ ଝିଅ ସବୁ ପଛଆଡ଼େ ଗୋଟିଏ ଗୋଟିଏ ଛୋଟ ଟୋକେଇ ବାନ୍ଧି ଚା ତୋଳୁଥାନ୍ତି । କାହାରି ମୁହଁରେ ହର୍ଷ ନାହିଁ ।

 

ଆଦିମ ଶୃଙ୍ଗ ଅଳ୍ପ ଦୂରରେ ଅଛି, ଗାଡ଼ି ଅଟକିଲା । ଗୋଟିଏ ହୋଟେଲ୍‍ରେ ଖାଇବାକୁ ଗଲୁ । ରାଗୁଆ ତରକାରୀକି ଗୋଡ଼ିଆ ଭାତ; ତହିଁକି ଯୁଟିଗଲା ଶମ୍ୱର, ଚାରୁପାଣି ଓ ଶୁଖୁଆ ଭଜା-। ହୋଟେଲ୍‍ରୁ ଆଦିମ ଶୃଙ୍ଗର ଦୂରତା ୬।୭ ମାଇଲରୁ ବେଶୀ ହେବ ନାହିଁ । ଏଥିରୁ ପ୍ରାୟ ୫ ମାଇଲ ଚାଲିବାକୁ ହେବ ପାର୍ବତ୍ୟ ଅଞ୍ଚଳରେ । ସମତଳ ଭୂମିରେ ୫୦ ମାଇଲ ଚାଲିଲେ ବି ଏଭଳି କଷ୍ଟ ହୁଅନ୍ତା ନାହିଁ ।

 

ମାଘମାସ ଜାଡ଼ । ପାର୍ବତୀୟ ଅଞ୍ଚଳର କୋହଲା ପବନ ମଞ୍ଜ ଥରେଇ ଦେଉଥାଏ–ଦାନ୍ତ କଡ଼କଡ଼ ବାଜୁଥାଏ । ମୁଣ୍ଡରେ ପଗଡ଼ି ଭିଡ଼ି ଘୋଡ଼ିଘାଡ଼ି ହୋଇ ଖଣ୍ଡେ ଖଣ୍ଡେ ସତରଞ୍ଜି ତକିଆ ଧରି ହାଉଲେ ହାଉଲେ ଚାଲିଲୁ । ଯୋଗକୁ ସେ ଦିନ ଜାଗର ଅମାବାସ୍ୟା । କୁହୁଡ଼ିଆ ଅନ୍ଧାର ଜମାଟ ବାନ୍ଧି ବସିଯାଇଥାଏ ପୃଥିବୀରୁ ଆକାଶ ଯାଏ । ଗୋଟିଏ ଛୁଞ୍ଚି ମାରିଲେ ବି ଗଳିବ ନାହିଁ । ପାହାଡ଼ ଅରଣ୍ୟ, ବନ୍ଧୁର ସମତଳ ସବୁ ଏକାକାର । ଦୈବକୁ ଖଣ୍ଡିଏ ବୋଲି ଡାହାଣୀ ଆଲୁଅ ଆମ ହାତରେ । ସେ ଖଣ୍ଡକ ନଥିଲେ ବି ଭଲ ହୋଇଥାନ୍ତା । ଆଖିରେ ଚାଇଁଜୁଳୁକି ମାରି ସେ ଯେତେବେଳେ ନିଭିଯାଏ ଅନ୍ଧକାର ଆମକୁ ମାଡ଼ି ବସୁଥାଏ । ଯାହା ହାତରେ ସେ ଖଣ୍ଡିକ, ସେ ଛୁଟି ଧାଇଁଥାଏ ଆଗେ ଆଗେ । ରାସ୍ତା ସହିତ ସୁପରିଚିତ ଲଙ୍କାବାସୀ ସେ ।

 

ଆଦିବ ଶୃଙ୍ଗ ଉପରେ ଜଳୁଥାଏ ତିନୋଟି ବିଜୁଳିବତୀ-ତ୍ରିଲୋଚନ ଶିବ ସତେ କି ତପସ୍ୟାରତ ! ଏହି ଆଲୋକକୁ ଲକ୍ଷ୍ୟରଖି ମାଇଲ୍‍ମାଇଲ୍‍ ପଥ ଅନ୍ଧାରରେ ଅତିକ୍ରମ କରିବାକୁ ହେବ । ବାଟଯାକ ପଥର ଢିମା–ଟିକିଏ ଅସାବଧାନ ହେଲେ ଗୋଡ଼ରୁ ଫଡ଼ାଏ ଉଡ଼ିଯିବ କିମ୍ୱା ହଜାର ହଜାର ଫୁଟ ତଳକୁ ଗଡ଼ିପଡ଼ି ନିକାଶ ପାଇଯିବ । ଗୋଟିଏ ଛୋଟ ଛୋଟ ପାହାଡ଼ୀ ଝରଣା ଉପରେ ନଡ଼ିଆ ଗଡ଼ ପଡ଼ିଥାଏ । ଟିକିଏ ଗୋଡ଼ ଖସିଲେ କାହିଁ ରସାନ୍ତଳରେ ପଡ଼ିବ ବା ଉପରକୁ ଚାହିଁଥିବା ବଡ଼ ବଡ଼ ଶିଳାରେ ବାଜି ମୁଣ୍ଡ ଛତୁ ହୋଇଯିବ । ଏସବୁ ମଧ୍ୟରେ ମନ ଶଙ୍କାକୁଳ ହେଲେ ବି ସାହସ ବାଟ କଢ଼ାଇ ନେଉଥାଏ । ଜୀବନକୁ ଫିଙ୍ଗିଦେବା ଭଳି ଏକ ବେପରୁଆ ଭାବ ଆମ ମନରେ ରାଜତ୍ୱ କରୁଥାଏ ।

 

ଦିନସାରା ପଥକ୍ଲାନ୍ତି, ଅଳ୍ପହାରକୁ ଆବଖାବଡ଼ିଆ ପାହାଡ଼ରେ ବାଟଚଲା ବଡ଼ ବାଧୁଥାଏ-। ଚାଲି ଚାଲି ରାତି ୧୧।୧୨ଟା ବେଳକୁ ପାଦ ଅଚଳ । ଉର୍ଦ୍ଧ୍ୱଶ୍ୱାସ ଉଠିଲା, ନାହିଁରେ ବାବା ଆଉ ହବ ନାହିଁ; ନିଦରେ ଆଖିପତା ମାଡ଼ି ମାଡ଼ି ପଡ଼ୁଥାଏ । ଗୋଡ଼ ହାତ ଭାଜି ପଡ଼ୁଥାଏ; ବାଧ୍ୟହୋଇ ପାହାଡ଼-ମଧ୍ୟଭାଗରେ ଥିବା ଏକ ଧର୍ମଶାଳାରେ ଢୋଲେ ଢୋଲେ ପାଣି ପିଇ ସତରଞ୍ଜି ପାରି ଗଡ଼ିଲୁ ।

 

ତଳୁ ହାଲପା ଉଠିଲା–ଆଙ୍ଗୁଠି କୋଲ ମାରିଗଲା । ଏମିତି ଜାଡ଼ କେବେ ଜୀବନରେ ଅନୁଭବ କରିନାହିଁ । କମ୍ୱଳ ପାଣି ହୋଇଗଲା । ଟିକିଏ କଡ଼ ନେଉଟେଇଛୁ କି ନାହିଁ, ଡାକ ପଡ଼ିଲା, ଚାଲ, ଚାଲ, ରାତି ପାହିଯିବ । ସୂର୍ଯ୍ୟୋଦୟ ତ ଦେଖିପାରିବା ନାହିଁ; ଯାଇ ଲାଭ କଣ ?

 

ପାଦ କୋଉଠି ବୋଇଲେ କୋଉଠି ପଡ଼ୁଥାଏ । ଠେଲାପେଲା ହୋଇ ଘୁମେଇ ଘୁମେଇ ଚାଲିଲୁ । ଉର୍ଦ୍ଧ୍ୱଗତି କି କଷ୍ଟକର, ଅଧଃପତନ ଲାଗି ମୁହୂର୍ତ୍ତେ ବି ସମୟ ଲାଗେ ନାହିଁ !

 

ଶତ ଶତ ସିଂହଳବାସୀ ଜାଗର ଜାଳିବା ପାଇଁ ସେ ରାତିରେ ଶୃଙ୍ଗ ଉପରକୁ ଉଠୁଥାନ୍ତି-। ସମସ୍ତଙ୍କ ମୁହଁରେ ଏକ ଦୁହା, ‘‘ସୁମନ ସମନ ଦେବୀ ପିହିଟାଇ’’ । ଦ୍ୱିତୀୟ ଧାଡ଼ିଟି ବଡ଼ କିଟିମିଟିଆ । ମନେ ରହିଲା ନାହିଁ । ଡାକ ଜୋର୍‍ରେ ସବାରି ବୋହିନେଲା ପରି ଏହି ଦୁହା ବଳରେ ଅନେକ ସ୍ତ୍ରୀ ବାଳକ ମଧ୍ୟ ଉପରକୁ ଉଠୁଥାନ୍ତି । ସେମାନଙ୍କ ପାଦ ସତେ କି ଶୂନ୍ୟେ ଶୂନ୍ୟେ ଉଠିଯାଉଥାଏ ! ଆମ ପାଦ କେଡ଼େ ଗରୁ ! ସାକ୍ଷାତ୍‍ ଅଚଳ ମହାମେରୁ ! ବହୁକଷ୍ଟରେ କୁନ୍ଥେଇ ପାଦେ । ସ୍ତ୍ରୀ ଓ ବାଳକମାନଙ୍କର ପର୍ବତ ଆରୋହଣ ଆମ ମନରେ ଭରି ଦେଉଥାଏ ସାହସ । ସେମାନେ ଯାଉଛନ୍ତି, ଆମେ ଯୁବକ, ହଟିବା ? ଚାଲ, ଚାଲ କହି ଥୋଡ଼େ ବାଟ ଉତ୍ସାହରେ ଭିଡ଼ିଯାଇ ଫେର୍‍ ଫା ଗାଳି ବସିପଡ଼ୁଥାଉ ।

 

କାହା ହାତରେ ମସାଲ, କାହା ହାତରେ ନିଆଁହୁଳା, କାହା ହାତରେ ଟର୍ଚ୍ଚ, ଫେର୍‍ ଶୁଣାଯାଉଥାଏ ‘‘ସୁମନ ସମନ ଦେବୀ ପିହିଟାଇ, କରୁଣାବାଇ, କରୁଣାବାଇ’’, ପିମ୍ପୁଡ଼ି ଧାର ପରି ଯାତ୍ରୀ-କି ଧର୍ମବିଶ୍ୱାସର ବଶବର୍ତ୍ତୀ ହୋଇ ଚାଲିଛନ୍ତି ! ସେଥିରୁ ଆମ ମନରେ ଏକ ବିନ୍ଦୁ ଯଦି ଥାନ୍ତା, ଏତେ କ୍ଲେଶ ଜଣାଯାନ୍ତା ନାହିଁ । ଯୁଗ ଯୁଗ ଧରି ଏହି ଅନନ୍ତ ଯାତ୍ରା ଚାଲିଛି–ପୁରୁଣା ମଣିଷ ଟଳି ପଡ଼ୁଛି, ନୂଆ ମଣିଷ ଆସୁଛନ୍ତି ସେହି ବିଶ୍ୱାସ ଓ ସାଂସ୍କୃତିକ ପରମ୍ପରାର ଅଧିକାରୀ ହୋଇ । ସେମାନେ ଯାଉଛନ୍ତି ପରଲୋକ ସକାଶେ ପୁଞ୍ଜି ସଂଗ୍ରହ କରିବା ଲାଗି । ପୁନର୍ଜନ୍ମ ଆଉ ହେବ ନାହିଁ–ତୀର୍ଥକ୍ଷେତ୍ରରେ ଥରେ ସ୍ନାନ କଲେ ସବୁ ପାପ ଧୋଇ ହୋଇଯିବ, ଆପଦ ବିପଦରେ ଧର୍ମ ସାହାପକ୍ଷ ହେବ । ଭୌତିକତାର ସ୍ତାବକ, ଆଧୁନିକତାର କିଙ୍କର ଆମେ ଚାଲିଛୁ କେବଳ ଅନ୍ତରର କୌତୁହଳ ଘେନି । ସେମାନଙ୍କ ଲକ୍ଷ୍ୟ ସ୍ଥିର, ତେଣୁ ପଦ ଶିଥିଳ ନୁହେଁ । ଆମର ଉଭୟ ଶିଥିଳ । କେବଳ ପ୍ରାକୃତିକ ଦୃଶ୍ୟ ଦେଖିବା, ଟିକିଏ ମଉଜ କରିବା, ଆମର ଲକ୍ଷ୍ୟ । ଯାତ୍ରୀମାନେ ଆମର ଦୂରବସ୍ଥା ଦେଖି ଆମକୁ ଆଲୁଅ ଦେଖାନ୍ତି । କଣ ତାଙ୍କ ଭିତରେ କଥାଭାଷା ହେଉଥାନ୍ତି, ବ୍ରହ୍ମାଙ୍କ ବାପା ବି ବୁଝିପାରିବ ନାହିଁ । ପାହାଡ଼ ଚଢ଼ିଲେ ଉର୍ଦ୍ଧ୍ୱଶ୍ୱାସ ଉଠିବା ଫଳରେ ବୋଧେ କଣ୍ଠନାଳୀ ଶୁଷ୍କ ହୋଇଯାଏ । ଯାତ୍ରୀମାନେ ସେଥିଲାଗି ସଙ୍ଗରେ ଆଣିଥାନ୍ତି ଗୋଲମରିଚ ଓ ମିଶ୍ରି ।

 

ନିତାନ୍ତ ଅପରିଚିତ ଆମେ । ଜୀବନରେ କେବେହେଲେ ଋଣ ଶୁଝିବାର ଆଶା ନାହିଁ । ସେମାନେ ଆମକୁ ଯାଚି ଦିଅନ୍ତ ମିଶ୍ରି । ଆହା, ତୀର୍ଥକ୍ଷେତ୍ର ଯେ ସ୍ନେହ ସହନୁଭୂତିଭରା ମଣିଷର ହୃଦୟ । ସେମାନଙ୍କ ମହତ୍ତ୍ୱ ଚିନ୍ତାକରି ମୋ ଆଖିରେ ଦେଖାହେଲା ବିନ୍ଦୁଏ ଅଶ୍ରୁ । ନିଅ ଯାତ୍ରୀ, ଏଇ, ଏଇ ତୁମର ଉପହାର, ଯାହା କେବଳ ପରଲୋକରେ ନୁହେଁ, ଇହଲୋକରେ ମଧ୍ୟ ପାଥେୟ ହେବ ।

 

ମିଶ୍ରିଖାଇ ଆମ ଭିତରୁ ଜଣେ କହୁଥାଏ ‘‘ଅସୁରଙ୍କ ମନରେ କି ଦୟା !’’ ମୁଁ କହିଲି ‘‘ମଣିଷକୁ ପ୍ରକୃତ ମଣିଷ ଚିହ୍ନିପାରେ କିମ୍ୱା ଦେବତା ଚିହ୍ନିପାରେ, ଅସୁର ଚିହ୍ନେନା । ସେମାନଙ୍କ ଦୟା ଓ ସହାନୁଭୂତି ଭବିଷ୍ୟତ ଲାଗି ଆମ ଆଖି ଖୋଲିଦେଇଛି । ସ୍କୁଲ କଲେଜରେ ୨୦ବର୍ଷ ପଢ଼ି ଆମର ଏତିକି ଜ୍ଞାନ ହାସଲ ହୋଇପାରୁନି । ଅଥଚ କେବଳ ସଂସ୍କାର ବଳରେ ମନୁଷ୍ୟର ଶ୍ରେଷ୍ଠ ଆକାଂଖିତ ବସ୍ତୁର ଅଧିକାରୀ ହୋଇଛନ୍ତି ସେମାନେ ।’’

 

ପଥରେ ଶତ ଶତ କ୍ଷୁଦ୍ର ଜଳପ୍ରପାତ ସୃଷ୍ଟିକର ଝରି ଆସୁଥାଏ ଗୋଟିଏ ଝରଣା–ପର୍ବତ ବୁକୁର ଅସରନ୍ତି କବିତା ! ବନର ମର୍ମର ଓ ଜଳର କଳକଳ ନାଦ ଆମର ଯାତ୍ରା ସଙ୍ଗୀତ । ପ୍ରାଣରେ ଆଣି ଦେଉଥାଏ କି ଅପୂର୍ବ ଉନ୍ମାଦନା !

 

ହଠାତ୍‍ ପାହାଡ଼ ତିଖ ହୋଇ ଉଠିଲା । ପାହାଡ଼ଗୁଡ଼ିକ ଅତି ଛୋଟ, ସରୁ ଓ ଉଚ୍ଚ । ପାହାଚ ଦୁଇପଟ ଧରି ଉଠିବାକୁ ଲୁହଧାରଣା ବା ଜଞ୍ଜିର ଦିଆଯାଇଛି । ଦୁଇ ଚାରି ପାହାଚ ଉଠିଲାବେଳକୁ ଗୋଡ଼ ହୁଗୁଳିପଡ଼ୁ ଥାଏ । ଟିକିଏ ଥାକ ମାରୁମାରୁ ପଛରୁ ଡାକପଡ଼ୁଥାଏ ‘‘ଚଲ୍ଲୋ, ଚଲ୍ଲୋ’’; ଆଗରୁ ଓହ୍ଲେଇବା ଲୋକ ପାଟି କରୁଥାନ୍ତି ‘‘ପାଖାଅ, ପାଖାଅ’’; କି ମୁଷ୍କିଲ୍‍ !

 

ଦଳେ ଛାତ୍ର କହିଲେ, ‘‘ଆମେ ଏଇଠି ପଡ଼ି ମରିବୁ ପଛକେ ଆଉ ଏକପାଦ ଆଗେଇବା ଅସମ୍ଭବ ।’’ ମୁଁ କହିଲି, ‘‘ଅସମ୍ଭବ ଶବ୍ଦ କେବଳ ଅଧମଙ୍କ ଅଭିଧାନରେ ସୁଲଭ, ‘‘ଏ କଥା ସୈନ୍ୟମାନଙ୍କ ସହିତ ଆଲ୍‍ପସ୍‍ ଲଙ୍ଘନ କଲାବେଳେ ନେପୋଲିଅନ୍‍ କହିଥିଲେ । ଆଲ୍‍ପସ୍‍ଅପେକ୍ଷା ଆଦିମଶୃଙ୍ଗ ଢେର୍‍ଛୋଟ । ଲକ୍ଷ୍ୟସ୍ଥଳରେ ନ ପହଞ୍ଚିଲା ଏତେ ସାଧନା ଯେ ପଣ୍ଡ ହୋଇଯିବ–ନିଜ ଚରିତ୍ରରେ ଏକ ଦୁର୍ବଳ ତ୍ରୁଟି ରହିଯିବ ! ଭବିଷ୍ୟତରେ ସାମାନ୍ୟ ବିପଦରେ ବି କାତର ହୋଇପଡ଼ିବ । ଦୁଃଖକ୍ଲେଶରେ ଏହି ପର୍ବତ ଆରୋହଣ କଲେ ନିଜ ଶକ୍ତି ଉପରେ ବିଶ୍ୱାସ ଆସିବ, ଅସାଧ୍ୟ ସାଧନ ପ୍ରବୃତ୍ତି ଜାତ ହେବ । ଯେଉଁମାନେ ଜୀବନକୁ ଜଳାଞ୍ଜଳି ଦେଇ ଉଚ୍ଚତମ ଗୌରିଶଙ୍କର ଶୃଙ୍ଗରେ ଆରୋହଣ କରୁଛନ୍ତି, ସେମାନଙ୍କ ତୁଳନାରେ ଆମର ଏ ଉଦ୍ୟମ କି ତୁଚ୍ଛ ! ବୀର ଓଡ଼ିଆଯୁବକ ଅନ୍ୟ ଜାତି ଆଗରେ ଏଇ ଦରିଦ୍ର ଅଭିନୟ ଦେଖାଇବା କି ଲଜ୍ଜାର କଥା !’’

 

ମୋ ବକ୍ତୃତା ଶୁଣି କେତେ ଜଣ ଆସିଲେ । କେତେ ଜଣ ମୃତକଳ୍ପ ପଡ଼ି ରହିଲେ । ମୁଁ ସିନା ବକ୍ତୃତା ଦେଲି, ନିଜ କାନ୍ତି ନିଜେ ବେଶ୍‍ ଅନୁଭବ କରୁଥାଏ, ଖାଲି ମୁହଁ ଧଡ଼ଶ ।

 

ପୃଥିବୀର ନିପୁଣ ଆରୋହୀମାନେ ଏହି ପର୍ବତକୁ ଦୂରରୁ ଜୁହାର କରିଥାନ୍ତି । ସବୁ କ୍ଲେଶ ସତ୍ତ୍ୱେ ଏହି ପୃଥିବୀପ୍ରସିଦ୍ଧ ସୂର୍ଯ୍ୟୋଦୟ ଦେଖି ନ ଫେରିଲେ, ଚିରକାଳ ଏକ ପରାଜୟ ମନୋଭାବ ରହିଯିବ । ଛାତ୍ରମାନଙ୍କ ଆଗରେ ନିଜକୁ କ୍ଷୁଦ୍ର କରି ଦେଖାଇବା ଲାଗି ଲଜ୍ଜା ବୋଧ ହେଉଥାଏ । ତା ଛଡ଼ା ମୁଁ ଅଟକି ଗଲେ, ସେମାନେ ଆଉ ଏକ ପାଦ ଆଗେଇବେ ନାହିଁ । ତେଣୁ ସାହସବାନ୍ଧି ମୁହଁ ଆଣ୍ଟ ଦେଖାଇ ଚାଲିଥାଏ । ଗୋଟିଏ ସ୍ଥାନରେ କ୍ଷୁଧା, ତୃଷା ଓ ଶାନ୍ତ ମୋତେ ଏକଦମ୍‍ ଝାଙ୍କି ଦେଲା । ତୋଟି ଶୁଖି ଫାଟି ପଡ଼ୁଥାଏ । ଦୁର୍ବଳ ବୃଦ୍ଧର ଧଇଁଶ୍ୱାସ ପରି ଦମ୍‍ ଛୁଟି ଯାଉଥାଏ । ଦଣ୍ଡେ ବସିପଡ଼ିଲି । ଗୋଟେ ପାଉଁରୁଟି କପେ ଚା ନ ମିଳିଥିଲେ ସତେ କି ପ୍ରାଣ ବାହାରି ଯାଇଥାନ୍ତା ।

 

ଉଠିଲାବେଳକୁ ପାଦ ଧରିଯାଇଛି–ଢିପେଇ ଢିପେଇ ଧକେଇ ଧକେଇ ଚାଲିଲି । ଆଲୁଅ ଖୁବ୍‍ ପାଖରେ ଦିଶୁଛି । କିନ୍ତୁ କ୍ଲାନ୍ତିବେଳେ ଠିକ୍‍ ପାହୁଣ୍ଡକ କୋଶେ ! ଛିନ୍‍ଛତର ହୋଇ ଦେହର ଯେତେ ବଳ ଯେଉଁଠି ପଡ଼ିଥିଲା, ସବୁ ଏକାଠି ଠୁଳ କଲି । ଏକା ନିଃଶ୍ୱାସରେ ଏଇ ଥର ପହଞ୍ଚିଯିବି ପରା । ଆଲୁଅ ତିନୋଟି ସତେ କି ଘୁଞ୍ଚି ଘୁଞ୍ଚି ଯାଉଥାଏ । କେତେ ଦୂରରେ, ଅଥଚ କେତେ ପାଖରେ ଦିଶୁଥାଏ ! ମନରେ ଚାଲିଥାଏ ଆଶାନିରାଶାର ସଂଗ୍ରାମ ।

 

ସିନ୍ଦୁରା ଫାଟି ଆସୁଛି । ଏହି ସମୟରେ ଆମେ ଆଦିମ ଶୃଙ୍ଗ ଉପରେ ପହଞ୍ଚିଲୁ । ଚାରିଆଡ଼କୁ ଥରେ ଚାହିଁଦେଲା ବେଳକୁ ଆମର ଶ୍ରମ ଯେପରିକି ସାର୍ଥକ ହୋଇଗଲା । ଢେଉ ଢଉକା ହଜାର ହଜାର ନୀଳବର୍ଣ୍ଣର ଶୃଙ୍ଗ । ଉପତ୍ୟକାଗୁଡ଼ିକ ନୀଳ କୁହୁଡ଼ିରେ ଭରା । କୁହୁଡ଼ି ସମୁଦ୍ର ଭିତରୁ ପର୍ବତଗୁଡ଼ିକ ମୁଣ୍ଡ କାଢ଼ିଲା ପରି ଦେଖା ଯାଉଥାନ୍ତି । ସୁବର୍ଣ୍ଣ ପକ୍ଷ ବିସ୍ତାର କରି ଶତ ଶତ ବଉଦ ସନ୍ତରଣ କରୁଥାନ୍ତି ଶୃଙ୍ଗରୁ ଶୃଙ୍ଗାନ୍ତରକୁ । ଏହି ଶୃଙ୍ଗ-ତରଙ୍ଗରାଶି ମଧ୍ୟରୁ ଭାସିଉଠିଲା ସୂର୍ଯ୍ୟ । କ୍ଷୂଦ୍ରରୁ ଉଚ୍ଚତମ ଶୃଙ୍ଗକୁ କିଏ ଯେପରି ଏକ ସୁବର୍ଣ୍ଣ ଗୋଲକ ଶୂନ୍ୟେ ଶୂନ୍ୟେ ଉଠାଇ ନେଉଛି ।

 

ତରଳ ଲୋହିତ କୁଜ୍‍ଝଟୀ ଉପରେ ପ୍ରତିଫଳିତ ହେଲା ଆଦିମ ଶୃଙ୍ଗର ନୀଳାଭ ଛାୟା–ଶୃଙ୍ଗଠାରୁ ଶତଗୁଣେ ଦୀର୍ଘତର । ଶୃଙ୍ଗେ ଶୃଙ୍ଗେ ବ୍ୟାପ୍ତ ଏହି ଗୌରବମୟ ବିସ୍ତୃତି ଦିଗ୍‍ବଳୟରେ ଅବଲୁପ୍ତ ହୋଇଗଲା; ଖୁବ୍‍ ଦୂରରେ ନୀଳ ସମୁଦ୍ର, ବନମଣ୍ଡିତ ପର୍ବତ ମାଳେ ମାଳେ ଆସି ସୂର୍ଯ୍ୟ ନୀଳାକାଶକୁ ତାଙ୍କର ରଥ ଉଠାଇ ନେଲେ । ରକ୍ତ ବାଦଲ ରଥରେ ଯୋଚା ଅଶ୍ୱପରି ଆକାଶକୁ ସତେ କି ଉହୁଙ୍କି ଯାଉଥାନ୍ତି ! ସେଠି କବିତ୍ୱ ଉଛୁଳି ଉଠିବାର କଥା । କିନ୍ତୁ ରୂପ ଦେବାକୁ ଅବସର କାହିଁ ? ରଙ୍ଗୀନ କୁହୁଡ଼ି ହୋଇ ଉଡ଼ିଯାଉଥିବା ଭାବରୁ କେତୋଟି ଗୁନ୍ଥି ଦେଇଛି ମାତ୍ର ।

 

‘‘ଜୀବନର ଏଇ ନୂଆ ଅନୁଭବ

ପାରିବୁ କି ଲେଖି କବିତା ?

ନିଜ ଅନୁଭବେ ନିଜେ ଡୁବେ ମୁହିଁ

କିରଣେ ଯେସନ ସବିତା

ବହିଯାଏ କ୍ଷଣେ ମଳୟେ

ସଉରଭ ସମ ଭାବନା ମୋହର

ମେଘ ଲୋଳ ଦିଗ୍‍ବଳୟେ ।

ଆକାଶର ଲୁହେ ରଚିତ କବିତା

ଧରଣୀ ପଢ଼ଇ ଗୋପନେ

ଧରାଦିଏ କୋଟି ଅତୀତର କଥା

ଆଦିମ ଶୃଙ୍ଗ ସପନେ

ନୁହଁ, ନୁହଁ ତୁମେ ପାଷାଣ,

ପୁରାଣ ବୁଦ୍ଧ ଆଦିମ ଶୃଙ୍ଗ ବିଶ୍ୱ ମୁକତି ନିଶାଣ ।

ଗୋଟିଏ ଧର୍ମ ଗୋଟିଏ ମାନବ–

ଜାତି କଳ୍ପନା ତୁମରି

କନ୍ଦରେ ଗାଏ ନିର୍ଝର ତୁମ

ମହା ଉପଦେଶ ସୁମରି

ବିବାଦେ ଭଗନ ହୃଦୟ

ମିଳାଇବ କୋଟି ମହାଋଷି, ଶତ ଗନ୍ଧେ ଯେସନ ମଳୟ ।

ଆଦିମ ଶୃଙ୍ଗ, ମୈତ୍ରୀ ବାରତା

ଘେନିଯିବ ତବ ଭାରତେ

ଗୋଟିଏ ଧର୍ମ ଗୋଟିଏ ମାନବ

ଜାତି ଏ ନିଖିଳ ଜଗତେ ।

ପାରିବୁ କି ଲେଖି କବିତା ?

ଆଦିମ ଶୃଙ୍ଗେ ଏ ଉଷାର ଆଜି ନବ ନବ ଅନୁଭବିତା ।

ବର୍ଣ୍ଣି ପାରିବୁ ନାହିଁ ଯେବେ କିଆଁ

କ୍ଷୁଦ୍ର କରିବି ତାହାରେ

ସୁନ୍ଦରତମ ହୋଇ ରାଜୁଥାଉ

ସପନମୟ ମୋ ହିଆରେ

କରିବି ନାହିଁ ମୁଁ ବନ୍ଦୀ

ଆଦିମଶୃଙ୍ଗ ରୂପରାଶି ତୋର ମସୀରେଖା ତଳେ ଛନ୍ଦି ।’’

 

ଆଦିମଶୃଙ୍ଗ ଉଚ୍ଚତା ୭୩୬୦ ଫୁଟ୍‍ । ପିଡ଼ୁରୁତଲଗଲ ସିଂହଳର ଉଚ୍ଚତମ ପର୍ବତ । ଏହାର ଉଚ୍ଚତା ୮୨୯୨ ଫୁଟ ।

ଆଦିମଶୃଙ୍ଗ ଅତି ଉଚ୍ଚ ନ ହେଲେହେଁ ଧର୍ମଗତ ବୈଶିଷ୍ଟ ହେତୁରୁ ଏହା ପୃଥିବୀରେ ସୁପ୍ରସିଦ୍ଧ । ପୃଥିବୀର ସର୍ବାଞ୍ଚଳରୁ ହିନ୍ଦୁ, ବୌଦ୍ଧ, ମୁସଲମାନ ଓ ଖ୍ରୀଷ୍ଟିୟାନ୍‍ମାନେ ଏଠାକୁ ଆସନ୍ତି । ଏହା ସର୍ବଧର୍ମର ଏକ ତୀର୍ଥସ୍ଥାନ । ସର୍ବଧର୍ମସମନ୍ୱୟ ଘଟିଥିବା ଏପରି ଅନ୍ୟ ଏକ ସ୍ଥାନ ପୃଥିବୀରେ ନାହିଁ । ଆଦିମଶୃଙ୍ଗର ଶୀର୍ଷତମ ଚୂଡ଼ାରେ ମନୁଷ୍ୟ ପାଦର ଏକ ସଂକେତ ଅଛି–ଏହା ମନୁଷ୍ୟ ପାଦଠାରୁ ଯଥେଷ୍ଟ ବଡ଼–ପ୍ରାୟ ୫ ଫୁଟ ଲମ୍ୱ–ଅଙ୍ଗୁଳି ଚିହ୍ନଗୁଡ଼ିକ ସ୍ପଷ୍ଟଭାବରେ ଉଠିନାହିଁ-। ପ୍ରଳୟ କାଳରେ ସମସ୍ତ ପୃଥିବୀ ଜଳମୟ ହୋଇଯିବାରୁ ଶିବ ତାଣ୍ଡବ ଲାଗି ପଦନ୍ୟାସ କରିବାକୁ ସ୍ଥାନ ପାଇଲେ ନାହିଁ । ଶେଷରେ ଏହି ଦୃଢ଼ତମ ଶୃଙ୍ଗ ଉପରେ ପଦନ୍ୟାସ କରି ନୃତ୍ୟ କରିଥିଲେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଖ୍ରୀଷ୍ଟିୟାନ୍‍ ଓ ମୁସଲମାନମାନଙ୍କ ବିଶ୍ୱାସ ଅନ୍ୟପ୍ରକାର ।

ଆଦିମ ମାନବ ଆଡ଼ାମ୍‍ ଭଗବତ୍‍ ନିବାରିତ ଫଳ ଅସ୍ୱାଦନ କରି କାମନା ଜାଲରେ ଛନ୍ଦି ହୋଇଯାଇଥିଲା । ସଂସାର ଦୁଃଖଶୋକରୁ ଅବ୍ୟାହତି ଦେବା ଲାଗି ସେ ଏହି ପର୍ବତ ଶିଖରରେ ଏକ ପଦରେ ଉଭା ହୋଇ ଭଗବାନଙ୍କୁ ପ୍ରାର୍ଥନା କରିଥିଲା । ସେହି ପଦଚିହ୍ନ ଏପର୍ଯ୍ୟନ୍ତ ରହି ଆସିଛି । ତେଣୁ ସେମାନେ ଭକ୍ତି ନମ୍ରଚିତ୍ତରେ ଏହି ପଦକୁ ପୂଜାକରି ଆସୁଛନ୍ତି । ବୁଦ୍ଧଦେବ ଲଙ୍କା ଆଗମନ ସମୟରେ ଏହି ପର୍ବତ ଉପରେ ପଦନ୍ୟାସ କରିଥିଲେ ଓ ସୁମନ ନାମକ କୌଣସି ଦେବତା ତାଙ୍କର ଗୋଟିଏ ଲୋମ ନେଇ ତାହା ଉପରେ ଗୋଟିଏ ଚୈତ୍ୟ ନିର୍ମାଣ କରିଥିଲେ । ସେହି ଦିନଠାରୁ ଏ ପର୍ବତର ଅନ୍ୟ ନାମ ‘ସୁମନକୂଟ୍‍’ ହେଲା ବୋଲି ବୌଦ୍ଧମାନଙ୍କର ବିଶ୍ୱାସ । ଏଠିସବୁ ଧର୍ମର ପୁରୋହିତ ଅଛନ୍ତି । ଏବଂ ଯେଝା ମତରେ ସେ ପୂଜା କରନ୍ତି ।

ଆଦିମ ଶୃଙ୍ଗର ଶୀର୍ଷଭାଗ ପ୍ରଶସ୍ତ ନୁହେଁ । ପୁଣି ତା ଉପରେ ମନ୍ଦିର ନିର୍ମିତ ହୋଇଛି । ଏକାଦିକ୍ରମେ ଏଠାରେ ୩୦/୪୦ ଲୋକରୁ ବେଶୀ ରହିପାରିବେ ନାହିଁ । ଶୃଙ୍ଗ ଚାରିପଟେ ଲୁହାର ବାଡ଼ ଦିଆଯାଇଛି ।

ଖରା ଟିକିଏ ଟାଣ ହେଲାରୁ ଆମେ ଆଦିମ ଶୃଙ୍ଗକୁ ବିଦାୟ ନମସ୍କାର ଜଣାଇଲୁ । ଆଖୁ, ଚିନାବାଦମ୍‍ ଖାଇ ବାଟ କଟାଇନେଲୁ । ପର୍ବତର ପାଦ ଦେଶରେ ପହଞ୍ଚିଲାବେଳକୁ ସୂର୍ଯ୍ୟ ମୁଣ୍ଡ ଉପରେ ।

ଜୀବନର ସେହି ଗୋଟିଏ ଦିନ, ଯାହା ମନର ବେଳାଭୂମିରେ ଅଭୁଲା ସଂକେତ ଆଙ୍କି ଦେଇଛି, ଯାହା ଆଦିମ ଶୃଙ୍ଗର ପଦ ସଂକେତ ପରି ଏବେ ସ୍ପଷ୍ଟ ରହିଛି–ଚିରକାଳ ରହିଥିବ !

Image

 

ଲଙ୍କାର ସଂକ୍ଷିପ୍ତ ଇତିହାସ

 

ରାମାୟଣ ପ୍ରସିଦ୍ଧ ଲଙ୍କା ନାମ ଭାରତବାସୀ ଭଲଭାବରେ ଜାଣନ୍ତି । ଗ୍ରୀକ୍‍ ଓ ରୋମାନ୍‍ମାନଙ୍କ ନିକଟରେ ଏହା ତାପ୍ରୋବେନ୍‍(ପାଲୀ–ତାମ୍ୱପନ୍ନି, ସଂସ୍କୃତ–ତାମ୍ରପର୍ଣ୍ଣୀ) ବୋଲି ପରିଚିତ ଥିଲା । ସିଂହହନ୍ତା ସିଂହବାହୁଙ୍କ ପୁତ୍ର ବିଜୟ ସିଂହଙ୍କ ନାମାନୁସାରେ ଏହାର ନାମ ସିଂହଳ (ପାଲୀ–ସିଂହଳ) ହେଲା । ସିଂହଳରୁ ଅପଭ୍ରଷ୍ଟ ହୋଇ ଗ୍ରାମ୍ୟ ଭାଷାରେ ଶୀଳମ୍‍ ଏବଂ ତାମିଲ୍‍ ଭାଷାରେ ଇଲମ୍‍ ହୋଇଅଛି । ସିଂହଳୀଭାଷା ‘ଏଲୁ’ ବୋଲି ପରିଚିତ । ସିଂହଳବାସୀ ନିଜ ଦେଶକୁ ଲଙ୍କା ବୋଲି କହନ୍ତି । ତ୍ରୟୋଦଶ ଶତାବ୍ଦୀରୁ ସିଂହଳ ପାଶ୍ଚାତ୍ୟବାସୀଙ୍କ ନିକଟରେ ସିଲୋନ୍‍ ନାମରେ ପରିଚିତ ହୋଇ ଆସୁଅଛି ।

ରାବଣର କନକମୟୀ ଲଙ୍କା ଆଉ ନାହିଁ । ଏହାର ½½ ଅଂଶ ପ୍ରଳୟ ସମୁଦ୍ରରେ ଡୁବିଯାଇଅଛି । ଥରେ ଖ୍ରୀ: ପୂ: ୨୩୮୭ରେ ଏବଂ ଆଉ ଥରେ ଖ୍ରୀ: ପୂ: ୩୦୦ରେ କେଲନିଆ ତିସ୍‍ସଙ୍କ ରାଜତ୍ୱରେ ଏହି ସର୍ବଲୋପୀ ପ୍ରଳୟକାଣ୍ଡ ଘଟିଥିଲା । ବର୍ତ୍ତମାନ ଏହି ଦ୍ୱୀପର ଦୈର୍ଘ୍ୟ ୨୨୦ ମାଇଲ ଓ ବିସ୍ତାର ୧୪୫ ମାଇଲ୍‍ । ୧୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାମ ନିର୍ମିତ ସେତୁବନ୍ଧ ଉପରେ ଲୋକେ ଯାତାୟତ କରୁଥିଲେ । ଝଞ୍ଜା ଓ ତୀବ୍ର ତରଙ୍ଗାଘାତରେ ଏହି ସେତୁ ଭଗ୍ନ ଓ ଜଳମଗ୍ନ ହେଲା । ସେହିଦିନଠାରୁ ସିଂହଳ ଭାରତ ଭୂମିରୁ ପ୍ରାକୃତିକ ଭାବରେ ବିଚ୍ଛିନ୍ନ ହୋଇଅଛି ।

ରାମାୟଣର ପ୍ରଭାବ–

ରାମାୟଣ ଓ ମହାଭାରତ ସଂହଳୀଭାଷାରେ ଅନୁବାଦିତ ହୋଇଅଛି । ରାମ ରାବଣକୁ ହତ୍ୟାକରି ସୀତା ଉଦ୍ଧାର କରିଥିଲେ, ଏହା ଲଙ୍କାବାସୀ ବିସ୍ମୃତ ହୋଇ ନାହାନ୍ତି, ଏହି ଘଟଣା ସତ୍ୟ ବୋଲି ସେମାନେ ବିଶ୍ୱାସ କରନ୍ତି । କିନ୍ତୁ ଭାରତ ପରି ଲଙ୍କାରେ ରାମାୟଣର ଆଦର ନାହିଁ, ନ ଥିବା ମଧ୍ୟ ସ୍ୱାଭାବିକ । ରାବଣ ଓ ତଦୀୟ ଅନୁଚରମାନଙ୍କ କାର୍ଯ୍ୟକଳାପ ଯେପରି, ସେଥିରେ ସିଂହଳୀମାନଙ୍କର ଗୌରବ ଅନୁଭବ କରିବାର କଣ ଅଛି ? ସିଂହଳୀ ବୌଦ୍ଧମାନଙ୍କର ରାମାୟଣ ସହିତ ଧର୍ମଗତ ସଂପର୍କ କିଛି ନାହିଁ । ତେଣୁ ସଂସ୍କୃତି ଦୃଷ୍ଟିରୁ କେହି କେହି ରାମାୟଣ ଅଧ୍ୟୟନ କରନ୍ତି; ତାମିଲହିନ୍ଦୁମାନଙ୍କ ବ୍ୟତୀତ ସାଧାରଣ ସଂହଳୀ ରାମାୟଣର କାହାଣୀ ସହିତ ବି ପରିଚିତ ନୁହେଁ ।

 

ସୀତାସ୍ମୃତି–

 

ରାମାୟଣ କବିକଳ୍ପିତ ଏକ କାହାଣୀ ନୁହେଁ, ରାମରାବଣ ସଂପର୍କିତ ଏକ ଐତିହାସିକ ଘଟଣା ରାମାୟଣରେ କାବ୍ୟାୟିତ ହୋଇଅଛି ମାତ୍ର । ସର୍ବକୀର୍ତ୍ତିଧ୍ୱଂସୀ କାଳ ଏପର୍ଯ୍ୟନ୍ତ ଲଙ୍କାରେ ସତୀ ସୀତାଙ୍କ ସ୍ମୃତି ନିର୍ବାପିତ କରିପାରିନାହିଁ । ନୂଆରାଏଲିଆ ଓ ହକ୍‍ଗଲ୍ଲା ମଧ୍ୟସ୍ଥ ରାବଣୋଦ୍ୟାନରେ ସୀତା ବନ୍ଦିନୀ ହୋଇଥିଲେ । ସୀତା ତଲୱା (ପ୍ରାନ୍ତର), ସୀତା ଇଲା (ଝର), ସୀତାକୁଣ୍ଡ (ପୋଖରୀ) ବର୍ତ୍ତମାନ ସୀତାଙ୍କ କରୁଣ ଅତୀତ ଜୀବନର ମୂକସାକ୍ଷୀ ସ୍ୱରୂପ ରହିଅଛି । ସୀତାୱାକରେ ଇନ୍ଦ୍ରଜିତ୍‍ ମାୟାସୀତା ନିର୍ମାଣ କରି ରାମଲକ୍ଷ୍ମଣଙ୍କ ଆଗରେ ରଣକ୍ଷେତ୍ରରେ ହତ୍ୟା କରିଥିଲା ।

 

ବିଭୀଷଣ ମନ୍ଦିର–

 

ରତ୍ନପୁରର ସାମନାଲ୍‍ ମନ୍ଦିର ଓ କଲ୍ୟାଣୀର ବିଭୀଷଣ ମନ୍ଦିର ଚିତ୍ତରେ ରାମାୟଣ ସ୍ମୃତି ଜାଗ୍ରତ କରାଏ । ବିଭୀଷଣ ରାବଣ ପରେ ସମଗ୍ର ସିଂହଳର ଅଧିପତି ହୋଇଥିଲେ ବୋଲି ବାଲ୍ମୀକି ରାମାୟଣରେ ଲିପିବଦ୍ଧ ହୋଇଅଛି । କିନ୍ତୁ ସ୍ଥାନୀୟ ପ୍ରଚଳିତ କିଂବଦନ୍ତୀରୁ ଜଣାଯାଏ ଯେ ବିଜୟ ପରେ ରାମଚନ୍ଦ୍ର ସିଂହଳକୁ ଦୁଇଭାଗ କରି ଉତ୍ତରାଂଶ ବିଭୀଷଣଙ୍କୁ ଓ ଦକ୍ଷିଣାଂଶ ଲକ୍ଷ୍ମଣଙ୍କୁ ଦେଇଥିଲେ । କଲ୍ୟାଣୀର ବିଭୀଷଣ ମନ୍ଦିରରେ ସାଧାରଣର ପ୍ରବେଶ ଅଧିକାର ନାହିଁ । ବୌଦ୍ଧମାନେ ଏହି ମୂର୍ତ୍ତିକୁ ପୂଜା କରନ୍ତି । ବିଶେଷ ପାର୍ବଣରେ (ବୈଶାଖପୂର୍ଣ୍ଣିମାରେ) ହସ୍ତୀର ପଟୁଆର ବାହାରିଲେ ବିଭୀଷଣମୂର୍ତ୍ତିକୁ ପ୍ରଥମ ହସ୍ତୀରେ ରଖାଯାଏ । ଏହି ହସ୍ତୀ ପଟୁଆରକୁ ‘ପେରହେର’ କହନ୍ତି ।

 

ରାମଲକ୍ଷ୍ମଣ ମନ୍ଦିର–

 

ରତ୍ନପୁରର ସାମନାଲ୍‍ ମନ୍ଦିର ବୌଦ୍ଧମାନଙ୍କଦ୍ୱାରା ପରିଚାଳିତ ଓ ଦେବମୂର୍ତ୍ତି ସଂସ୍କୃତମନ୍ତ୍ରରେ ପୂଜିତ । ରାମଲକ୍ଷ୍ମଣଙ୍କ ମୂର୍ତ୍ତି ନିକଟରେ ଗୋଟିଏ ଧନୁ ଓ ତୀର ଛିଡ଼ାକରି ରଖାଯାଇଛି । ଲକ୍ଷ୍ମଣ ଏହି ଧନୁ ଓ ତୀରରେ ଇନ୍ଦ୍ରଜିତ୍‍କୁ ବିନାଶ କରିଥିଲେ । ମନ୍ଦିର ଅଭ୍ୟନ୍ତରକୁ କୌଣସି ଭକ୍ତକୁ ଛାଡ଼ି ଦିଆହୁଏ ନାହିଁ । ପ୍ରାଙ୍ଗଣରେ ରହି ବାତାୟନ ପଥରେ ମୂର୍ତ୍ତି ଦର୍ଶନ କରିବାକୁ ହୁଏ ।

 

ରାବଣ ରାଜବାଟୀ–

 

ଉତ୍ତର ସିଂହଳରେ ‘ରାବଣକୋଟା’ ନାମକ ଗୋଟିଏ ସ୍ଥାନ ଅଛି । ଶୁଣାଯାଏ ଯେ ଏହିଠାରେ ରାବଣର ପ୍ରାସାଦ ଥିଲା । ରାଜବାଟୀର ଖଣ୍ଡିଏ ଇଷ୍ଟକ ବା ପାଷାଣ ସୁଦ୍ଧା କୃତଜ୍ଞଭାବରେ ରାବଣର ସ୍ମୃତିଚିହ୍ନ ରକ୍ଷା କରିପାରିନାହିଁ । ପାଷଣ୍ଡର ନାମ ଘୃଣାରେ ଲୋକେ ମନେ ରଖିଛନ୍ତି ମାତ୍ର । କେହି କେହି କହନ୍ତି, ଘୋର ପ୍ରଳୟରେ ଦୁର୍ବୃତ୍ତ ରାବଣର ପ୍ରାସାଦ ଜଳମଗ୍ନ ହୋଇଅଛି । ଦୂର ସମୁଦ୍ରରେ ଭଟ୍ଟା ସମୟରେ ଗୋଟିଏ ଉଚ୍ଚ ସ୍ଥାନ ଦୃଷ୍ଟିଗୋଚର ହୁଏ । ଏହି ସ୍ଥାନରେ ରାବଣର ମଣିମୟ ଅଟ୍ଟାଳିକା ଥିଲା ବୋଲି ଲୋକେ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି । କାଳର କରାଳ କବଳରେ ମାତ୍ର ହଜାରେ ବର୍ଷ ତଳର କୀର୍ତ୍ତି ଯେତେବେଳେ ଲୁପ୍ତ ହୋଇଅଛି, ସ୍ୱପ୍ନ ଯୁଗରେ ନିର୍ମିତ ରାବଣ ସୌଧର ଅସ୍ତିତ୍ୱ ବା ନିର୍ଣ୍ଣୀତ ହେବ କିପରି ?

 

Ref

1.

The Early History of Ceylone by G.C. Mendis, B.A., Ph. D.

 

 

2.

Rajabaliya edited by Gunasekhara.

 

ଅନୁରାଧାପୁରର ଉତ୍ତରପୂର୍ବ କୋଣରେ ‘‘ମାରିଚ ଚୁକ୍‍କାଧି’’ ନାମକ ଗୋଟିଏ ସ୍ଥାନ ଅଛି; ରାବଣର ମାତୁଳ ମାରୀଚର ଏହାହିଁ ସ୍ମୃତି ସଂକେତ ।

 

କାଳାତୀତ ଉକ୍ତ ସ୍ମୃତିଚିହ୍ନଗୁଡ଼ିକରୁ ସ୍ପଷ୍ଟଭାବରେ ପ୍ରମାଣିତ ହେଉଅଛି ଯେ ଏହି ଲଙ୍କାରେ ରାବଣେଶ୍ୱର ରାଜତ୍ୱ କରୁଥିଲା ।

 

ବୁଦ୍ଧଦେବଙ୍କ ଆଗମନ–

 

ବୁଦ୍ଧଦେବ ଆସିବା ପୂର୍ବରୁ ଲଙ୍କାରେ ଦେବ, ଯକ୍ଷ ଓ ନାଗମାନେ ବାସ କରୁଥିଲେ । ଦେବମାନେ ହିନ୍ଦୁ ଧର୍ମର ଦେବଦେବୀଙ୍କି, ଯକ୍ଷମାନେ ଅସୁରଙ୍କୁ ଏବଂ ନାଗମାନେ ସର୍ପଙ୍କୁ ପୂଜା କରୁଥିଲେ । ଖ୍ରୀ.ପୂ. ୪୮୩ରେ ବୁଦ୍ଧଦେବ ନିର୍ବାଣପ୍ରାପ୍ତ ହେଲେ । ତା ପୂର୍ବରୁ ସେ ୩ ଥର ସିଂହଳ ଆସିଥିବା କଥା ମହାବଂଶ ଓ ଦାଠାବଂଶରେ ଉଲ୍ଲେଖ ଅଛି । ଖ୍ରୀ:ପୂ. ୩୧୦ରେ ରଚିତ ଦାଠାବଂଶର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

 

ବୋଧିପ୍ରାପ୍ତିର ନଅମାସ ପରେ ଆକାଶମାର୍ଗରେ ବୋଧିସତ୍ୱ ଲଙ୍କାଯାତ୍ରା କରିଥିଲେ । ଯକ୍ଷମାନଙ୍କୁ ଭୟ ଦେଖାଇବା ଉଦ୍ଦେଶ୍ୟରେ ସେ ପ୍ରବଳ ଝଡ଼ବୃଷ୍ଟି ସୃଷ୍ଟି କଲେ । ବହୁ ଦୁଃଖକଷ୍ଟ ପାଇ ହିଂସ୍ରକ ଯକ୍ଷମାନେ ବୁଦ୍ଧଙ୍କର ଶରଣାଗତ ହେଲେ । ଅଦ୍ଭୁତଭାବରେ ବୁଦ୍ଧଙ୍କ ଚର୍ମାସନ ସମଗ୍ର ଲଙ୍କାରେ ବ୍ୟାପ୍ତ ହେଲା ଏବଂ ସେଥିରୁ ଏପରି ଉଷ୍ମରଶ୍ମି ନିର୍ଗତ ହେଲା ଯେ ତାହା ସହ୍ୟକରି ନ ପାରି ଯକ୍ଷମାନେ ସମୁଦ୍ରତୀରକୁ ପଳାୟନ କଲେ । ବୁଦ୍ଧଙ୍କ ଅଲୌକିକ ପ୍ରଭାବରେ ଗୋଟିଏ ବୃକ୍ଷଲତା ପୂର୍ଣ୍ଣ ଗିରିଦ୍ୱୀପ ସମୀପବର୍ତ୍ତୀ ହେବାରୁ ଯକ୍ଷମାନେ ସେଥିରେ ଆଶ୍ରୟ ଗ୍ରହଣ କଲେ । ସେହିଦିନଠାରୁ ଲଙ୍କା ଯକ୍ଷଶୂନ୍ୟ ହେଲା । ତତ୍ପରେ ବୁଦ୍ଧଦେବମାନଙ୍କ ମଧ୍ୟରେ ଧର୍ମପ୍ରଚାର କଲେ । ସୁମନ ନାମକ ଦେବତାଙ୍କୁ ସେ ଗୋଟିଏ ଲୋମ ଦେଇଥିଲେ । ସୁମନ ତାହା ଉପରେ ସୁମନକୂଟ ନାମକ ଗୋଟିଏ ଚୈତ୍ୟ ନିର୍ମାଣ କଲେ । ଦ୍ୱିତୀୟ ସିଂହଳ ଆଗମନରେ ସୁମନକୂଟ (Adam’s peak) ପର୍ବତରେ ବୁଦ୍ଧ ପଦନ୍ୟାସ ରଖିଯାଇଅଛନ୍ତି ।

 

‘ମହାବଂଶ’ରେ ଉଲ୍ଲେଖ ଅଛି ଯେ ବୁଦ୍ଧ ଦ୍ୱିତୀୟବାର ନାଗଦ୍ୱୀପ (ଜାଁପାନା) ଆଗମନ କରିଥିଲେ । ସେତେବେଳେ ମହୋଦର ଓ ଶୂଳୋଦର ନାମକ ଦୁଇଜଣ ଯକ୍ଷରାଜାଙ୍କ ମଧ୍ୟରେ ଗୋଟିଏ ରତ୍ନସିଂହାସନ ଲାଗି କଳହ ଉପସ୍ଥିତ ହୋଇଥିଲା । ବୁଦ୍ଧ କଳହ ମୀମାଂସା କରିଦେଲା ପରେ ଉଭୟେ ଏକମତ ହୋଇ ବୁଦ୍ଧଙ୍କୁ ସେହି ସିଂହାସନଟି ଉପହାର ଦେଇଥିଲେ । କିନ୍ତୁ ବୁଦ୍ଧ ତାଙ୍କ ଶ୍ରଦ୍ଧା ଓ ସ୍ମୃତିର ପ୍ରତୀକସ୍ୱରୂପ ସେମାନଙ୍କୁ ତାହା ପ୍ରତ୍ୟର୍ପଣ କରିଥିଲେ । ନାଗରାଜା ମାନିଆକ୍ଷିଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ପଞ୍ଚଶତ ଅନୁଚରଙ୍କ ସହିତ ବୁଦ୍ଧ ୩ୟ ଥର ସିଂହଳ ଯାତ୍ରା କରିଥିଲେ । ଏଇ ତୃତୀୟ ଥର ସେ ଆଦିମ ଶୃଙ୍ଗରେ ପଦନ୍ୟାସ କରିଥିଲେ ବୋଲି ମହାବଂଶରେ ଉଲ୍ଲେଖ ଅଛି ।

 

‘‘ତଥାଧମ୍ମମ୍‍ ଦଶୟିତ୍ୱା ତଥା ଲୋକାନୁକମ୍ପକୋ

ଭଗ୍‍ଗନତ୍ୱା ସୁମନକୂଟେ ପଦମ୍‍ ଦସ୍‍ସେହି ନାୟକୋ ।’’

 

-ମହାବଂଶ

 

ଦାଠାବଂଶ ଏକ ଐତିହାସିକ ଗ୍ରନ୍ଥ ନୁହେଁ; ବୁଦ୍ଧଙ୍କ ଯକ୍ଷବିତାଡ଼ନ, ମହାବଂଶରେ ଲିଖିତ ଯକ୍ଷମାନଙ୍କ ସହିତ ବିଜୟ ସିଂହଙ୍କ ଯୁଦ୍ଧ, ଉଭୟ ଘଟଣା ମେଳ ଖାଉନାହିଁ । ଇତିହାସରେ କିଂବଦନ୍ତୀର ମୂଲ୍ୟ ଯାହା, ଦାଠାବଂଶ ବିବରଣୀର ମୂଲ୍ୟ ସେଇଆ । ମହାବଂଶ ବରଂ ଅଧିକ ବିଶ୍ୱାସଯୋଗ୍ୟ ।

Image

 

ମହାବଂଶ ଯୁଗ

 

ବିଜୟସିଂହଙ୍କ ଲଙ୍କା ଯାତ୍ରା–

 

ବଙ୍ଗ ଦେଶର ରାଜା କଳିଙ୍ଗ ରାଜକନ୍ୟାଙ୍କୁ ବିବାହ କରିଥିଲେ; ସୁପ୍‍ପାଦେବୀ ବୋଲି ସେମାନଙ୍କର ଗୋଟିଏ କନ୍ୟା ଜାତ ହେଲା । ସେ ଅତ୍ୟନ୍ତ ଇନ୍ଦ୍ରିୟପରାୟଣା ଥିଲା । ଦିନେ କେତେକ ଯାତ୍ରୀଙ୍କ ସହିତ ପଳାୟନ କରିବା ସମୟରେ ଗୋଟିଏ ସିଂହ ହାବୁଡ଼ରେ ପଡ଼ିଲା । ସିଂହ ଓ ସୁପ୍‍ପାଦେବୀଙ୍କ ଔରସରୁ ସୀହବାହୁ ଓ ସୀହସିୱାଲୀ ନାମକ ଦୁଇଟି ସନ୍ତାନ ଜାତ ହେଲେ । ସୀହବାହୁ ତାର ପିତା ସିଂହକୁ ହତ୍ୟାକରି ସିଂହପୁର ନାମକ ଗୋଟିଏ ରାଜ୍ୟ ସ୍ଥାପନ କଲେ । ସେ ନିଜ ଭଉଣୀ ସୀହସିୱାଲୀକୁ ବିବାହ କଲେ । ୧୬ ଥର ପାଇଁ ସେମାନଙ୍କର ଯମଜ ସନ୍ତାନ ଜାତ ହେଲା । ଜ୍ୟେଷ୍ଠପୁତ୍ର ବିଜୟସିଂହ ଓ ତାଙ୍କର ୭୦୦ ଅନୁଚରଙ୍କ ବ୍ୟବହାରରେ ଉତ୍ତ୍ୟକ୍ତ ହୋଇ ପ୍ରଜାମାନେ ଦଣ୍ଡବିଧାନ କରିବା ଲାଗି ରାଜାଙ୍କ ନିକଟରେ ପ୍ରାର୍ଥନା କଲେ । ରାଜା ସେମାନଙ୍କୁ ଅଧେ କ୍ଷୌର କରାଇ ରାଜ୍ୟବାହାର ଆଦେଶ ଦେଲେ । ଗୋଟିଏ ଜାହାଜରେ ପୁରୁଷ, ଗୋଟିକରେ ସ୍ତ୍ରୀ ଓ ଆଉ ଗୋଟିକରେ ପିଲାମାନେ ସମୁଦ୍ରର ବିଭିନ୍ନ ଦିଗରେ ଗତି କଲେ । ପିଲାମାନେ ନାଗଦ୍ୱୀପ, ସ୍ତ୍ରୀମାନେ ମହିନ୍ଦ ଓ ପୁରୁଷମାନେ ସୁପ୍‍ପାରକରେ ପହଞ୍ଚିଲେ । ସ୍ଥାନୀୟ ଶତ୍ରୁତା ଆଶଙ୍କାରେ ବିଜୟସିଂହ ପୁଣି ଜାହାଜ ଚଢ଼ି ତାମ୍ୱପନ୍ନିରେ ପହଞ୍ଚିଲେ । ଲାଲ୍‍ ଦେଶର ରାଜା ବିଜୟସିଂହ ଓ ତାଙ୍କ ଅନୁଚରମାନଙ୍କ ଲଙ୍କା ଆଗମନ ବିଷୟରେ ଦେବମାନଙ୍କୁ ଭବିଷ୍ୟତ ବାଣୀ ଶୁଣାଇଥିଲେ ଏବଂ ସେମାନଙ୍କୁ ରକ୍ଷା କରିବା ଲାଗି ଶକ୍‍କୋ (ଇନ୍ଦ୍ର), ଉପଲ୍ୱନୋ (ବିଷ୍ଣୁ)ଙ୍କୁ ଅନୁରୋଧ କରିଥିଲେ ।

 

ବିଜୟ ପରିବ୍ରାଜକବେଶୀ ବିଷ୍ଣୁଙ୍କୁ ଭେଟି ପଚାରିଲେ, ‘‘ଏ କେଉଁ ଦେଶ ?’’ ‘ଲଙ୍କା’, ବିଷ୍ଣୁ ଉତ୍ତର ଦେଲେ । ତତ୍ପରେ ନିରାପଦତା ଲାଗି ଜଳ ମନ୍ତୁରି ସେମାନଙ୍କ ଉପରେ ଛିଞ୍ଚିଲେ ଓ ମନ୍ତୁରା ପଇତା ପିନ୍ଧାଇଦେଲେ । କାଳୀନାମ୍ନୀ କୌଣସି ଯକ୍ଷିଣୀ କୁକ୍‍କୁରୀ ରୂପରେ ଦେଖାଦେବାରୁ ବିଜୟଙ୍କ ଅନୁଚରମାନେ ନିକଟରେ ଗ୍ରାମ ଥିବାର ଅନୁମାନ କରି ତାର ଅନୁସରଣ କଲେ ।

 

କୁବେଣୀ ନାମ୍ନୀ ଆଉ ଗୋଟିଏ ଯକ୍ଷିଣୀ କୌଣସି ପୁଷ୍କରିଣୀ କୂଳରେ ବସି ସୂତା କାଟୁଥିଲା । ସ୍ନାନ ସାରି ଆହାର କରିବା ସମୟରେ କୁବେଣୀ ଅନୁଚରମାନଙ୍କୁ କହିଲା, ‘‘ତୁମ୍ଭମାନଙ୍କୁ ମୁଁ ଖାଇବି ।’’ ସେମାନେ ତାର ମନ୍ତ୍ରରେ ଅବିଚଳିତ ରହିଲେ । ଉପବୀତ ଥିବାରୁ ଗିଳିବାକୁ ଅସମର୍ଥ ହୋଇ କୁବେଣୀ ସେମାନଙ୍କୁ ଭୂମି ନିମ୍ନରେ ନିକ୍ଷେପ କଲା ।

 

ଅନୁଚରମାନଙ୍କୁ ପ୍ରତ୍ୟାବୃତ୍ତ ନ ହେବାର ଦେଖି ବିଜୟ ୫ଟି ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଲେ ଏବଂ ଶୀଘ୍ର ସେମାନଙ୍କୁ ଆଣି ନ ଦେଲେ ଯକ୍ଷିଣୀକି ହତ୍ୟା କରିବେ ବୋଲି ଧମକାଇଲେ । ଯକ୍ଷିଣୀ କହିଲା, ‘‘ପ୍ରଭୁ, ମୋର ଜୀବନ ରକ୍ଷାକର, ମୁଁ ତୁମକୁ ଲଙ୍କାର ରାଜା ବନାଇ ଦେବି । ଯାହା ଚାହିଁବ ତାହା ଦେବି ।’’ ବିଜୟଙ୍କ ଆଦେଶରେ ଯକ୍ଷିଣୀ ସମସ୍ତ ଅନୁଚରଙ୍କୁ ହାଜର କଲା ଏବଂ ମନ୍ତ୍ରାବିଷ୍ଟ ବିପଥଗାମୀ ଜାହାଜରୁ ଖାଦ୍ୟ ସଂଗ୍ରହ କରି ସେମାନଙ୍କ ଜୀବନ ରକ୍ଷା କଲା ।

 

ତତ୍ପରେ ମାୟାବିନୀ ହଠାତ୍‍ ଷୋଡ଼ଶୀ ରୂପ ଧରି ବିଜୟକୁ ପ୍ରେମ କଟାକ୍ଷରେ ଆକର୍ଷଣ କଲା । ବୃକ୍ଷମୂଳରେ ଗୋଟିଏ ସୁଗନ୍ଧଯୁକ୍ତ ଶଯ୍ୟା ପ୍ରସ୍ତୁତ ହେଲା । ଭବିଷ୍ୟତ ଉପକାର ଚିନ୍ତା କରି ବିଜୟସିଂହ ଯକ୍ଷିଣୀ ସହିତ ରାତ୍ରୀ ଯାପନ କଲେ ।

 

ଏହି ସମୟରେ ହଠାତ୍‍ ଅପୂର୍ବ ସଙ୍ଗୀତ ଧ୍ୱନି ଶ୍ରୁତିଗୋଚର ହେଲା । ବିଜୟ ଏହାର କାରଣ ପଚାରିବାରୁ କୁବେଣୀ କହିଲା, ‘‘ଏହି ଲଙ୍କାଭୂମି ଆଜିଠାରୁ ମନୁଷ୍ୟର ବାସଭୂମିରେ ପରିଣତ ହେବ । କୁଣ୍ଡମିନା (ଜଣେ ରାଣୀ) ତାଙ୍କ କନ୍ୟା ପୁଷ୍ପମିତାଙ୍କୁ ଲଙ୍କାର ପ୍ରତାପଶାଳୀ ଯକ୍ଷରାଜା କାଳସେନଙ୍କ ସହିତ ବିବାହ ଦେଉଛନ୍ତି । ସାତଦିନ କାଳ ଏହି ମହୋତ୍ସବ ଲାଗି ରହିବ-। ଏହାହିଁ ସେମାନଙ୍କର ଶେଷ ଉତ୍ସବ । ଯାଅ, ଆଜି ସମସ୍ତ ଯକ୍ଷଙ୍କୁ ସଂହାର କର ।’’ ବିଜୟ କହିଲେ, ‘‘ଯକ୍ଷମାନେ ତ ଆଖିକି ଦେଖାଯାନ୍ତି ନାହିଁ, ସେମାନଙ୍କୁ ବିନାଶ କରିବି କିପରି ? ଯକ୍ଷିଣୀ କହିଲା, ‘‘ମୁଁ ସେମାନଙ୍କ ପଛରେ ରହି ଚିତ୍କାର କଲାମାତ୍ରେ ତୁମେ ସେମାନଙ୍କୁ ଧ୍ୱଂସ କରିବ ।’’

 

ଯକ୍ଷରାଜ କାଳସେନଙ୍କୁ ବିନାଶ କରି ବିଜୟସିଂହ ଲଙ୍କାରେ ରାଜା ହେଲେ । ଭୂମିର ରଙ୍ଗ ତମ୍ୱାବର୍ଣ୍ଣ ହୋଇଥିବାରୁ ସେ ଲଙ୍କାକୁ ‘ତାମ୍ୱପନ୍ନି’ ନାମ ଦେଲେ ।

 

ରାଜା ବିଜୟ ଅବିବାହିତ; ରାଜକାର୍ଯ୍ୟ ପ୍ରତି ବୀତଶ୍ରଦ୍ଧ ହେବାରୁ ଅନୁଚରମାନେ ମଣିମୁକ୍ତାଦି ଉପଢ଼ୌକନ ସହିତ ମଦୁରା ରାଜା ପଣ୍ଡୁଓଙ୍କୁ ସାକ୍ଷାତ କରି ସ୍ୱ ଅଭିପ୍ରାୟ ଜ୍ଞାପନ କଲେ-। ରାଜା ପ୍ରତ୍ୟେକ ଅନୁଚର ଲାଗି ଗୋଟିଏ ଗୋଟିଏ କନ୍ୟା ନିଜ ରାଜ୍ୟରୁ ପଠାଇଲେ ଓ ନିଜ ଜେମାଙ୍କୁ ବିଜୟସିଂହଙ୍କ ସହିତ ବିବାହ ଦେଲେ । ଏମାନେ ଲଙ୍କାରେ ପହଞ୍ଚିଲାବେଳକୁ ବିଜୟସିଂହ ଓ କୁବେଣୀ ଔରସରୁ ଦୁଇଟି ଅପତ୍ୟ ଜାତ ହୋଇଥିଲେ । ବିଜୟ ଯକ୍ଷିଣୀକି ପତ୍ନୀତ୍ୱରୁ ମୁକ୍ତି ଦେଇ ତାଙ୍କ ରାଜ୍ୟର ଯେ କୌଣସି ଅଞ୍ଚଳରେ ନିରାପଦରେ ବାସ କରିବାକୁ ଆଦେଶ ଦେଲେ । ଯକ୍ଷିଣୀ କହିଲା, ‘‘ବିଶ୍ୱାସଘାତିନୀ ମୁଁ, ତୁମ ଲାଗି ମୋ ଜାତି ବଂଶ ଧ୍ୱଂସ କରିଚି, ପୁଣି ସେମାନଙ୍କ ଆଗରେ ମୁହଁ ଦେଖାଇବି କିପରି ? ଏବେ ଉଭୟ କୁଳରୁ ଗଲି, ବିପଦବେଳେ ତୁମ ମୁହଁରେ ଆହାର ଦେଇ ବଞ୍ଚାଇଲି ମୁଁ; ଏବେ ସୁବିଧା ଦେଖି ତୁମେ ମୋତେ ତଡ଼ିଦେଉଛ ? ଏଇ ସୁଖ ଲାଗି କି ନିଆଁ ଗିଳିଥିଲି ମୁଁ ?’’ ବିଜୟ ସିଂହ ଏଇ କଥାରେ ଉତ୍ତ୍ୟକ୍ତ ହୋଇ କୁବେଣୀ ଯକ୍ଷିଣୀକି ମୁଷ୍ଟି ଆଘାତରେ ବିନାଶ କଲେ । ସନ୍ତାନ ଦୁଇଟି ଭୟରେ ସୁମନକୂଟ ପର୍ବତକୁ ପଳାଇଲେ । ତତ୍ପରେ ବିଜୟ ପଣ୍ଡୁ ଓ ରାଜକନ୍ୟାକୁ ବିବାହ କଲେ ଓ ପ୍ରଜାପାଳକ ସୁବିଚାରକ ରାଜାଭାବରେ ପରିଚିତ ହେଲେ ।

 

-ମହାବଂଶ

 

ହୁଏନ୍‍ସାଙ୍କ ବିବରଣୀ–

 

ହୁଏନ୍‍ସାଙ୍କ ବିବରଣୀ ମହାବଂଶର ବିବରଣୀଠାରୁ କେତେକାଂଶରେ ପୃଥକ୍‍ । ସିଂହଳ ରାଜାଙ୍କ ମୃତ୍ୟୁପରେ ରାଜ୍ୟରେ ଅରାଜକତା ଉପସ୍ଥିତ ହେବାରୁ ହୁଏନ୍‍ସା ସିଂହଳ ଯାଇ ନ ପାରି ବୋଧିମେଘେଶ୍ୱର ଓ ଅଭୟଦଂଷ୍ଟ୍ରା ନାମକ ଦୁଇଜଣ ଆଚାର୍ଯ୍ୟଙ୍କଠାରୁ ବିଜୟସିଂହଙ୍କ ନିମ୍ନଲିଖିତ ବିବରଣୀ ସଂଗ୍ରହ କରିଥିଲେ ।

 

କାଞ୍ଚୀପରରୁ ୩ହଜାର ଲି ଦୂରରେ ସିଂହଳ ଦ୍ୱୀପ । ସିଂହଳର ଆୟତନ ସାତ ହଜାର ଲି ଓ ରାଜଧାନୀର ଆୟତନ ୪୦ ଲି । ଏହା ଏକ ଜନବହୁଳ ଓ ଶସ୍ୟଶାଳୀ ଦେଶ । ଏହାର ଅଧିବାସୀ ଖର୍ବାକାର ଓ କୃଷ୍ଣକାୟ । ଅନ୍ୟନାମ ପୋ-ଚୁ ।

 

କୌଣସି ସ୍ତ୍ରୀ ଶ୍ୱରୁରାଳୟକୁ ଯିବା ସମୟରେ ପଥରେ ଗୋଟିଏ ସିଂହଦ୍ୱାରା ଆକ୍ରାନ୍ତ ହେଲା । ଭୃତ୍ୟ ଓ ଭାରବାହୀମାନେ ଭୟରେ ପଳାୟନ କଲାରୁ ସିଂହ ଉକ୍ତ ସ୍ତ୍ରୀକୁ ନେଇ ଫଳମୂଳାହାର ଦେଇ ପାଳନ କଲା । କେତେ ବର୍ଷ ଉତ୍ତାରେ ସେହି ସ୍ତ୍ରୀ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ପ୍ରସବ କଲା । ସେମାନେ ଆକୃତିରେ ମନୁଷ୍ୟ ହେଲେହେଁ ପ୍ରକୃତିରେ ବଡ଼ ଉଗ୍ର ଥିଲେ । ପୁତ୍ର ବୟଃପ୍ରାପ୍ତ ହେଲାରୁ ଦିନେ ଜନନୀକି ପଚାରିଲା, ‘‘ମୋ ପିତା ତ ପଶୁ, ମାତା ତ ମନୁଷ୍ୟ, ମୁଁ କଣ ?’’ ମାତା ସମସ୍ତ ଘଟଣା ବର୍ଣ୍ଣନା କଲା ଉତ୍ତାରୁ ସୁଯୋଗ ଦେଖି ଦିନେ ପୁତ୍ର ମାତା ଓ ଭଗିନୀକି ସଙ୍ଗରେ ଘେନି ପଳାୟନ କଲା ଏବଂ ନିକଟବର୍ତ୍ତୀ କୌଣସି ଗ୍ରାମରେ ଆଶ୍ରୟ ନେଲା । ତତ୍ପରେ ମାତୁଳାଳୟକୁ ଯାଇ ସନ୍ଧାନ ନେଲା ଯେ ତାଙ୍କର ବଂଶ ଲୋପ ହୋଇଅଛି ।

 

ଏଣେ ସିଂହ ସ୍ତ୍ରୀ ଓ ପୁତ୍ରକନ୍ୟାମାନଙ୍କୁ ନ ଦେଖି ଗ୍ରାମମାନଙ୍କରେ ଘୋର ଉତ୍ପାତ ଆରମ୍ଭ କଲା । ସିଂହକୁ ବିନାଶ କରିବା ସକାଶେ ରାଜା ଏକ ସହସ୍ର ମୁଦ୍ରା ପୁରସ୍କାର ଘୋଷଣା କଲେ ବି କେହି ସାହସ କରି ଦୁର୍ଦ୍ଦାନ୍ତ ଜନ୍ତୁର ସମ୍ମୁଖୀନ ହେଲେ ନାହିଁ ।’’ ଅଭାବ ତାଡ଼ନାରେ ବ୍ୟତିବ୍ୟସ୍ତ ହୋଇ ପୁତ୍ର ସିଂହ ବଧ କରିବାଲାଗି ମାତାର ଅନୁମତି ପ୍ରାର୍ଥନା କରିବାରୁ ମାତା କହିଲା, ‘‘ତାହା ଅସମ୍ଭବ; ସେ ପଶୁ ହେଲେହେଁ ତୋର ପିତା । ତୁ ଯଦି ତାକୁ ବଧ କରୁ, ତୋତେ କେହି ମନୁଷ୍ୟ ବୋଲି କହିବେ ନାହିଁ । ‘‘

 

ପୁତ୍ର ଗ୍ରାମବାସୀଙ୍କର କ୍ଷତି ଆଶଙ୍କା କରି ସିଂହକୁ ଆକ୍ରମଣ କରିବା ସକାଶେ ଅଗ୍ରସର ହେଲା । ସିଂହ ପୁତ୍ର ଦର୍ଶନରେ ହର୍ଷୋତ୍‍ଫୁଲ୍ଲ ମୁଖରେ ଧାଇଁ ଆସୁଆସୁ ପୁତ୍ର ତୀକ୍ଷ୍‍ଣ ଛୁରିକା ଘାତରେ ତାର ବକ୍ଷ ବିଦୀର୍ଣ୍ଣ କରି ଦେଲା । ସିଂହପ୍ରାଣବାୟୁ ଉଡ଼ିଯିବା ପର୍ଯ୍ୟନ୍ତ ନିଶ୍ଚଳ ଭାବରେ ପଡ଼ି ରହିଲା । ସ୍ନେହାର୍ଦ୍ର ଚିତ୍ତରୁ ନେତ୍ର ଦେଇ ଅଶ୍ରୁ ବିଗଳିତ ହେଉଥାଏ । ସିଂହର ଏ ଅଭୁତ ଆଚରଣରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ରାଜା ପୁତ୍ରକୁ ଏହାର କାରଣ ପଚାରିଲେ । ପୁତ୍ର ଅତୀତର ସମସ୍ତ ଘଟଣା ବର୍ଣ୍ଣନା କଲାରୁ ରାଜା କହିଲେ, ‘‘ମୁଁ ପ୍ରତିଶ୍ରୁତ ପୁରସ୍କାର ପ୍ରଦାନ କରିବି, କିନ୍ତୁ ଏ ରାଜ୍ୟରେ ପିତୃହନ୍ତାର ସ୍ଥାନ ନାହିଁ ।

 

ପ୍ରଚୁର ଧନରତ୍ନ ଦେଇ ସିଂହପୁତ୍ରକୁ ରାଜା ରାଜ୍ୟରୁ ବାହାର କରିଦେଲେ । ସେ କେତେକ ଅନୁଚର ସହିତ ଯେଉଁ ଜାହାଜରେ ବସିଥିଲା, ଉତ୍ତାଳ ତରଙ୍ଗରେ ଭାସି ଭାସି ସେହି ଜାହାଜ ‘ପୋ-ଚୁ’ ରେ ପହଞ୍ଚିଲା ।

 

ତତ୍ପରେ କେତେକ ବଣିକ ରତ୍ନାନ୍ୱେଷଣରେ ଭ୍ରମଣ କରୁ କରୁ ଉକ୍ତ ଦ୍ୱୀପକୁ ଆସି ଆବାସ ସ୍ଥାପନ କଲେ । ସିଂହପୁତ୍ର ସେମାନଙ୍କୁ ବଧ କରି ସେମାନଙ୍କର ପତ୍ନୀ ଓ କନ୍ୟାକୁ ବଳପୂର୍ବକ ହରଣ କଲା ।

 

କ୍ରମେ ସେମାନଙ୍କ ଗର୍ଭରୁ ବହୁ ସନ୍ତାନ ଜାତ ହେଲେ ଏବଂ ନିଜ ନିଜ ଭିତରୁ ରାଜା ମନ୍ତ୍ରୀ ବାଛିଲେ । ସେମାନଙ୍କ ବଂଶ ସିଂହବଧ କରିଥିବାରୁ ଉକ୍ତ ଦ୍ୱୀପ ସିଂହଳ ନାମରେ ନାମିତ ହେଲା ।

 

ଐତିହାସିକମାନେ ହୁଏନ୍‍ସାଙ୍କ କାହାଣୀ ଅପେକ୍ଷା ମହାବଂଶର ବିବରଣୀକୁ ଅଧିକ ବିଶ୍ୱାସଯୋଗ୍ୟ ତଥ୍ୟରୂପେ ଗ୍ରହଣ କରନ୍ତି । ଉଭୟ ବିବରଣୀ ମଧ୍ୟରେ ବିଷୟଗତ ସାମ୍ୟ ଅଛି । ଉକ୍ତ ଘଟଣା ବହୁ ଶତ ବର୍ଷ ପର୍ଯ୍ୟନ୍ତ ସିଂହଳରେ ଯେ କିଂବଦନ୍ତୀ ରୂପେ ପ୍ରଚଳିତ ଥିଲା, ଏଥିରେ ସନ୍ଦେହ ନାହିଁ । ଏହି କିଂବଦନ୍ତୀକୁ ମହାବଂଶ ଲେଖକ ଓ ହୁଏନ୍‍ସା ଲିପିବଦ୍ଧ କରିଅଛନ୍ତି । କାଳକ୍ରମେ ବିଷୟବସ୍ତୁ ବର୍ଣ୍ଣନାରେ ତାରତମ୍ୟ ଘଟିବା ସ୍ୱାଭାବିକ ।

 

ସିଂହପୁତ୍ର ସିଂହବାହୁ ଲାଲ୍‍ନାମକ ରାଜ୍ୟ ସ୍ଥାପନ କରି ସେଠାରେ ରାଜା ହୋଇଥିଲେ । ସିଂହପୁର ତାଙ୍କର ରାଜଧାନୀ ଥିଲା । ସିଂହପୁର କେଉଁଠି ? ଶ୍ରୀ ମହତାବ ତାଙ୍କ ଉତ୍କଳ ଇତିହାସରେ ସିଂହପୁର ବିଶାଖାପାଟଣା ଜିଲ୍ଲାରେ ବୋଲି ନିର୍ଦ୍ଦେଶ କରିଅଛନ୍ତି । ସିଂହପୁର ଓ ଲାଲ୍‍ ଦେଶର ଅବସ୍ଥିତି ଘେନି ଭାରତୀୟ ଐତିହାସିକମାନଙ୍କ ମଧ୍ୟରେ ମତାନୈକ୍ୟ ଦୃଷ୍ଟ ହୁଏ । କେହି କେହି କହନ୍ତି ଯେ ଲାଲ୍‍ବା ରାଢ଼ଦେଶ ହେଉଛି ଗୁଜୁରାଟ୍‍–ଏହି ସ୍ଥାନରୁ ବିଜୟ ସିଂହ ଯାତ୍ରା କରି ସିଂହଳ ଜୟ କରିଥିଲେ । ସିଂହଳର ପ୍ରାଚୀନତମ ଇତିହାସ ମହାବଂଶ, ବିଜୟ କଳିଙ୍ଗରୁ ଆସିବା କଥା ସ୍ପଷ୍ଟ ଭାବରେ ନିର୍ଦ୍ଦେଶ କଲେହେଁ ଅନ୍ୟତ୍ର ପ୍ରମାଣ ନ ପାଇ ଆଧୁନିକ ଐତିହାସିକମାନେ ଏହି ମତକୁ କାଟିଦେବା ଆଦୌ ଯୁକ୍ତିସଙ୍ଗତ ନୁହେଁ ।

 

ବଙ୍ଗ ଓ ମଗଧ ପଥରେ ସୁପ୍‍ପାଦେବୀଙ୍କି ସିଂହ ହରଣ କରିନେଇଥିଲେ । ଏହି ଉଭୟ ଦେଶ ମଧ୍ୟରେ ଲାଲ୍‍ ଦେଶ ଅବସ୍ଥିତ ବୋଲି ମହାବଂଶରେ ଉଲ୍ଲେଖ ଅଛି । ଯଯାତିକେଶରୀ ଲାଲ୍‍ ଦେଶ ଜୟ କରିଥିବା କଥା ସୁବର୍ଣ୍ଣପୁର ତାମ୍ରଫଳକରୁ ମିଳିଛି । ସେ ଯେଡ଼େ ବୀର ହୁଅନ୍ତୁ ନା କାହିଁକି, ତାଙ୍କ ରାଜ୍ୟ ଯେ ଗୁଜୁରାଟ୍‍ ପର୍ଯ୍ୟନ୍ତ ବିସ୍ତୃତ ନ ଥିଲା, ଏହା ସୁନିଶ୍ଚିତ । କୌଣସି ଐତିହାସିକ ଯଯାତିଙ୍କ ଗୁଜୁରାଟ ଜୟ କଥା ସମ୍ଭାବନାକୁ ବି ଆଣନ୍ତି ନାହିଁ । ତେଣୁ ଏହି ଲାଲ୍‍ ଦେଶ ଓଡ଼ିଶାର କୌଣସି ଅଞ୍ଚଳ ହେବ । ଖାରବେଳ ଲାଲ୍‍ ଦେଶର କନ୍ୟା ଧୂସୀଙ୍କୁ ବିବାହ କରିଥିଲେ । ଗୁଜୁରାଟ୍‍ ସଙ୍ଗେ ଖାରବେଳଙ୍କ ସମ୍ପର୍କର ସୂଚନା ଇତିହାସ ଦିଏନାହିଁ । ତେଣୁ ଲାଲ୍‍ ଦେଶ ମହବଂଶ ନିର୍ଦ୍ଦେଶିତ ବଙ୍ଗ ଓ ମଗଧ ମଧ୍ୟରେ କୌଣସି ଅଞ୍ଚଳ ହେଇପାରେ । ମୋ ମତରେ ଏହା ମୟୁରଭଞ୍ଜ । କାରଣ ଏହା ବଙ୍ଗ ଓ ମଗଧ ସୀମାନ୍ତରେ ଅବସ୍ଥିତ । ବିଞ୍ଝାରପୁର ଥାନାରେ ସିଂହପୁର ବୋଲି ଗୋଟିଏ ସ୍ଥାନ ଅଛି । ଏଇ ହୁଏତ ଲାଲ୍‍ ଦେଶର ରାଜଧାନୀ ସିଂହପୁର ଥିଲା । ଏଠାରୁ ତାମ୍ରଲିପ୍ତି ବେଶୀ ଦୂର ନୁହେଁ । ରାଜ୍ୟରୁ ବିତାଡ଼ିତ ହୋଇ ବିଜୟ ତାମ୍ରଲିପ୍ତ ବନ୍ଦରରୁ ସିଂହଳ ଯାଇଥିବା ଓ ତାର ଅନୁକରଣରେ ସିଂହଳର ନାମ ତାମ୍ରପର୍ଣ୍ଣୀ ଦେଇଥିବା ସମ୍ଭାବନା । ମୟୁରଭଞ୍ଜ ମହାଭାରତ ପ୍ରସିଦ୍ଧ ବିରାଟରାଜାଙ୍କ ରାଜ୍ୟ ଥିଲା ବୋଲି କିଂବଦନ୍ତୀ ପ୍ରଚଳିତ । ଏଇ ରାଜ୍ୟରେ କିଚକେଶ୍ୱରୀ ଠାକୁରାଣୀ ଅଛନ୍ତି ଓ ଅତି ପ୍ରାଚୀନ ଶମୀବୃକ୍ଷ ପାହାଡ଼ ଅଛି । ଏହି ‘ବିରାଟ’ରୁ ରାଟ୍‍ ଦେଶ, ରାଢ଼ଦେଶ ବା ଲାଲ୍‍ ଦେଶ ହେବା ଖୁବ୍‍ ସମ୍ଭବ ।

 

ଯାହାହେଉ, କଳିଙ୍ଗ ସହିତ ସିଂହପୁର ଓ ବିଜୟ କିମ୍ୱଦନ୍ତୀ ଯେ ନିବିଡ଼ଭାବରେ ସଂପୃକ୍ତ ଏହା ଅଧିକାଂଶ ଐତିହାସିକ ସ୍ୱୀକାର କରନ୍ତି । କଳିଙ୍ଗର ସିଂହପୁରରେ ନିଶଙ୍କମଲ୍ଲ ଜନ୍ମ ହୋଇଥିଲେ ଏବଂ ପରେ ସିଂହଳର ଶ୍ରେଷ୍ଠ ସମ୍ରାଟ୍‍ ପରାକ୍ରମ ବାହୁଙ୍କର ଜାମାତା ହୋଇଥିଲେ । କଳିଙ୍ଗର ବିଜୟ ସିଂହଙ୍କ ବଂଶଧର ଭାବରେ ସେ ସିଂହଳର ସିଂହାସନ ଦାବୀ କରିଥିଲେ ଏବଂ ସେହି ଦାବୀ ଗୃହୀତ ହୋଇଥିଲା । ଏଥିରୁ ସ୍ପଷ୍ଟଭାବରେ ପ୍ରମାଣିତ ହେଉଛି ଯେ ବିଜୟ ବଙ୍ଗାଳୀ କି ଗୁଜରାଟୀ ନୁହନ୍ତି, ସେ ଓଡ଼ିଆ ।

 

ପଣ୍ଡୁବାସ–

 

ବିଜୟ ସିଂହଙ୍କର କୌଣସି ସନ୍ତାନ ଜାତ ନ ହେବାରୁ ସେ ନିଜ ଭାଇ ସୁମିତ୍ତଙ୍କୁ ଲାଲ୍‍ ଦେଶରୁ ଡକାଇଲେ । ସୁମିତ୍ତ ସେତେବେଳେ ଲାଲ୍‍ ଦେଶର ରାଜା ହୋଇଥିବାରୁ ସେ କନିଷ୍ଠ ପୁତ୍ର ପଣ୍ଡୁ ବାସୁଦେବଙ୍କୁ ସିଂହଳର ରାଜା କରି ପଠାଇଲେ । ପଣ୍ଡୁ ସିଂହଳରେ ପହଞ୍ଚିଲାବେଳକୁ ବିଜୟ ପରଲୋକଗାମୀ ହୋଇଥିଲେ । ଯେଉଁ ବର୍ଷ ବୁଦ୍ଧଦେବ ନିର୍ବାଣପ୍ରାପ୍ତ ହେଲେ ସେହି ବର୍ଷ ବିଜୟ ଲଙ୍କାରେ ପହଞ୍ଚିଲେ ବୋଲି କଥିତ ଅଛି; ନିର୍ବାଣ ପ୍ରାପ୍ତି ଖ୍ରୀ:ପୂ: ୫୪୪ ରେ ଘଟିଥିଲା ବୋଲି ଐତିହାସିକମାନଙ୍କର ଅନୁମାନ । ବିଜୟ ୩୮ ବର୍ଷ ରାଜତ୍ୱ କଲାପରେ ପଣ୍ଡୁବାସ ରାଜା ହୋଇ କୌଣସି ଉତ୍ତରଭାରତୀୟା ସୁନ୍ଦରୀ ରାଜଜେମାଙ୍କ ପାଣିଗ୍ରହଣ କରିଥିଲେ । ରାଣୀଙ୍କର ଛଅ ଭାଇ–ରାମ, ଉରୁବେଳ, ଅନୁରୋଧ, ବିଦୀତ, ଦିଘୟ ଓ ରୋହନ । ରାଜାଙ୍କ ନିର୍ଦ୍ଦେଶରେ ସିଂହଳର ବିଭିନ୍ନ ଜିଲାରେ ସାମନ୍ତ ରାଜା ହୋଇ ସେମାନେ ଶାସନ କରିଥିଲେ ଏବଂ ସେମାନଙ୍କ ନାମାନୁସାରେ ସିଂହଳୀୟ ଜିଲାଗୁଡ଼ିକ ନାମିତ ହୋଇଥିଲା ।

 

ଭେଦ ଜାତିର ଉତ୍ପତ୍ତି–

 

କୁବେଣୀ ଯକ୍ଷିଣୀର ପୁତ୍ର ଜୀବହତ ଓ କନ୍ୟା ବିଶାଳା ଜନନୀର ମୃତ୍ୟୁପରେ ଭୟଭୀତ ହୋଇ ଆଦିମଶୃଙ୍ଗ (ସୁମନକୁଟ)କୁ ପଳାୟନ କରିଥିଲେ । ସେଠାରେ ବହୁକାଳ ବାସ କଲାପରେ ଭାଇଭଉଣୀ ପରସ୍ପରକୁ ବିଭା ହେଲେ ଏବଂ ସେମାନଙ୍କଠାରୁ ‘ଭେଦ’ ଜାତିର ଉତ୍ପତ୍ତି ହେଲା ।

 

ଭେଦମାନେ ସିଂହଳୀମାନଙ୍କ ଅପେକ୍ଷା ଜାତି ହିସାବରେ ନିଜକୁ ଶ୍ରେଷ୍ଠତର ମନେ କରନ୍ତି । ସେମାନେ ଦେଖିବାକୁ ଠିକ୍‍ କନ୍ଧ କୋହ୍ଲଙ୍କ ପରି: ବ୍ୟବହାରରେ ଜଙ୍ଗଲୀ, ଜୀବନ ଧାରଣ ଲାଗି ବନ୍ୟ ଫଳମୂଳ ଓ ଶିକାର ଉପରେ ନିର୍ଭର କରନ୍ତି । ଏବେ କେହି କେହି ଗ୍ରାମରେ ରହି ଚାଷବାସ ଆରମ୍ଭ କଲେଣି । କନ୍ଧଜାତିର ବେଜୁଣୀ ବୁଢ଼ୀ ନାଚି ମନ୍ତ୍ର ବୋଲି ଜର ଛଡ଼ାଇଲା ପରି, ସେମାନଙ୍କ ଜାତିର ବୟୋବୃଦ୍ଧ ନାଚି ନାଚି ଜର ଛଡ଼ାଏ । ସେମାନେ ତିବ୍ଦତୀ ଲୋକଙ୍କ ପରି ଆଦୌ ସ୍ନାନ କରନ୍ତି ନାହିଁ । ମୁର୍ଦାର ନ ପୋତି ନଦୀରେ ଫଙ୍ଗି ଦିଅନ୍ତି; ମୃତ ବ୍ୟକ୍ତିର ଡୁମା ଉପରେ ବିଶ୍ୱାସ କରନ୍ତି । ଏବେ ବି ଅଧିକାଂଶ ବକଳ ପତ୍ରାଦି ପରିଧାନ କରନ୍ତି । ସେମାନଙ୍କ ମାଛଧରା ପ୍ରଣାଳୀ ଅଭୁତ । ଖରାଦିନରେ ନଦୀ ପୁଷ୍କରିଣୀରୁ ଜଳ କମିଗଲେ, ସେମାନେ ‘କୁକୁରୁ’ ଫଳ ପକାଇ ଦିଅନ୍ତି । ମାଛସବୁ ଏହି ବିଷ ପ୍ରୟୋଗରେ ଆଲିଜା ହୋଇପଡ଼ିଲେ, ଧରନ୍ତି । କୋରାପୁଟ ଆଦିବାସୀଙ୍କ ମଧ୍ୟରେ ବି ଏହି ପ୍ରଣାଳୀ ପ୍ରଚଳିତ । ଭାରତୀୟ ଓ ସିଂହଳୀ ଆଦିବାସୀ ରୀତିନୀତି ଓ ଆଚାରବ୍ୟବହାରରେ ପ୍ରାୟ ସମାନ ।

 

ଦେବାନାଂ ପିୟତିସ୍‍ସ (ଖ୍ରୀ: ପୁ: ୨୪୭ରୁ ୨୦୭)–

 

ସିଂହଳରେ ଇତିହାସ ବିଜୟ ସିଂହଙ୍କଠାରୁ ଆରମ୍ଭ । ଦେବାନାଂ ପ୍ରିୟ ତିସ୍‍ସ ତାଙ୍କର ତୃତୀୟ ବଂଶଧର । ସେ ସମ୍ରାଟ୍‍ ଅଶୋକଙ୍କର ସମସାମୟିକ । ତିସ୍‍ସଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରିବା ଲାଗି ଧର୍ମାଶୋକ ମହିନ୍ଦଙ୍କୁ ସିଂହଳ ପଠାଇଥିଲେ । ମହିନ୍ଦଙ୍କ ପ୍ରଚାର ଫଳରେ ତିସ୍‍ସଙ୍କୁ ସଙ୍ଗେ ସଙ୍ଗେ ତାଙ୍କର ଅଗଣିତ ପ୍ରଜା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।

 

ରାଣୀ ଅନୁଲାଙ୍କୁ ଦୀକ୍ଷା ଦେବାଲାଗି ସଂଘମିତ୍ରା ଭାରତକୁ ଆସିଲାବେଳେ ଯେଉଁ ବୃକ୍ଷମୂଳରେ ବୃଦ୍ଧ ବୋଧିପ୍ରାପ୍ତ ହୋଇଥିଲେ, ତାର ଗୋଟିଏ ଶାଖା ସଙ୍ଗରେ ଘେନି ଆସିଥିଲେ । ତତ୍‍କାଳୀନ ସିଂହଳ ରାଜଧାନୀ ଅନୁରାଧାପୁରର ମହାମେଘ ଉଦ୍ୟାନରେ ଏହି ବୃକ୍ଷରୋପଣ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା । ବର୍ତ୍ତମାନ ଏହାହିଁ ପୃଥିବୀର ପ୍ରାଚୀନତମ ବୃକ୍ଷ ।

 

୨୨୫୦ ବର୍ଷ ତଳେ ଏହି ବୃକ୍ଷ ରୋପିତ ହୋଇଥିଲା । ବର୍ତ୍ତମାନ ତାହା ହୃଷ୍ଟପୃଷ୍ଟ ଅବସ୍ଥାରେ ଅଛି-। ମହିନ୍ଦଙ୍କ ଅନୁରୋଧରେ ତିସ୍‍ସ ବୁଦ୍ଧଙ୍କ ଅସ୍ଥି ଉପରେ ‘ଥୁପାରାମ’ ସ୍ତୂପ ନିର୍ମାଣ କରିଥିଲେ । ଏହାହିଁ ସିଂହଳର ପ୍ରାଚୀନତମ ସ୍ତୁପ ।

 

3. A Short History of Ceylone by H. W Cordington.

 

4. From Adam’s peak to Elephanta by Edward Carpenter.

 

ଇଲାଲ–

 

ତାମିଲ ସେତାପତି ଇଲାଲ ସିଂହଳରାଜାଙ୍କୁ ପରାଜିତ ଓ ନିହତ କରି ରାଜଗାଦି ଅଧିକାର କରିଥିଲେ । ସେ ବାହାରର ଜଣେ ଆକ୍ରମଣକାରୀ ଥିଲେ ହେଁ ସୁବିଚାର ଓ ସତ୍‍କାର୍ଯ୍ୟ ଫଳରେ ବିଶେଷ ଲୋକପ୍ରିୟ ହୋଇଥିଲେ । ତାଙ୍କ ଦ୍ୱାରରେ ସର୍ବଦା ଗୋଟିଏ ଘଣ୍ଟି ଝୁଲୁଥାଏ । କେହି ପ୍ରଜା ଘଣ୍ଟି ବଜାଇଲେ ରାଜା ତତ୍‍କ୍ଷଣାତ୍‍ ଆସି ତାର ହାରିଗୁହାରି ଶୁଣନ୍ତି । ତାଙ୍କ କଠୋର ନ୍ୟାୟ ବିଚାର ସମ୍ୱନ୍ଧରେ ଗୋଟିଏ ଅତିରଞ୍ଜିତ କିଂବଦନ୍ତୀ ଅଛି । ଯୁବରାଜ ଥରେ ରଥ ବାହିନେଲାବେଳେ ଅନବଧାନତାବଶତଃ ଗୋଟିଏ ବାଛୁରୀ ମଡ଼ାଇଦେଲେ । ଗାଈ ଆସି ଘଣ୍ଟି ବଜାଇବାମାତ୍ରେ ରାଜା ସମସ୍ତ ହାଲ୍‍ ବୁଝି ଉକ୍ତ ରଥଚକରେ ଯୁବରାଜଙ୍କ ମୁଣ୍ଡ ଛତୁ କରିଦେଲେ ।

 

ଦୁଟ୍‍ଟଗାମନୀ–

 

ସିଂହଳ ଇତିହାସରେ ସେ ଜାତୀୟ ବୀରରୂପେ ସମ୍ମାନିତ । ବାହାର ଶତ୍ରୁଙ୍କୁ ଲଙ୍କାରୁ ତଡ଼ିଦେବା ତାଙ୍କ ଜୀବନର ପ୍ରଧାନ ଲକ୍ଷ୍ୟ ଥିଲା । ଇଲାଲଙ୍କ ସଙ୍ଗେ ଯୁଦ୍ଧ କରିବାରେ ସେ ପିତୃବାକ୍ୟ ଲଙ୍ଘନ କରିଥିବାରୁ ପିତା ତାଙ୍କୁ ଦୁଷ୍ଟ ବା ଦୁଟ୍ଟ ବୋଲି ଡାକୁଥିଲେ ।

 

ଦୁଟ୍ଟଗାମନୀ ବହୁ ସୈନ୍ୟ ସଂଗ୍ରହ କରି ଇଲାଲଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ଇଲାଲଙ୍କ ପ୍ରଧାନ ସେନାପତି ଦିଗଜନ୍ତୁ ଯୁଦ୍ଧବିଦ୍ୟାରେ ଅତି ପ୍ରବୀଣ । ମାଲ୍‍ବାରୀ ସୈନ୍ୟଙ୍କ ଭୟାବହ ଆକ୍ରମଣରେ ଗାମନୀ ନିଜ ସୈନ୍ୟମାନଙ୍କୁ ଦୁର୍ଗାଭ୍ୟନ୍ତରକୁ ଘେନି ଯିବାକୁ ବାଧ୍ୟହେଲେ । ତୀବ୍ରତମ ତରବାରୀ ସଂଘର୍ଷ ମଧ୍ୟରେ ଦିଗଜନ୍ତୁ ଦୁର୍ଗ ଅଧିକାର କରିବା ସମୟରେ ହଠାତ୍‍ ଗୋଟିଏ ଦୁର୍ଘଟଣା ଘଟିଲା ଯାହାକି ସମୁଦାୟ ସମର ଆଭିମୁଖ୍ୟ ବଦଳାଇ ଦେଲା । ଏହାକୁ ଦୁର୍ଭାଗ୍ୟ ବ୍ୟତୀତ ଆଉ କଣ ବୋଲାଯାଇପାରେ ?

 

ଗାମନୀ ସମୀପବର୍ତ୍ତୀ ସୁରମିଲଙ୍କୁ ଖଡ଼୍‍ଗାଘାତ କରିବା ସମୟରେ ଦିଗଜନ୍ତୁ ହଠାତ୍‍ ଭୂମିରେ କଚାଡ଼ି ହୋଇ ପଡ଼ିଲେ । ଏହି ଦୁର୍ଘଟଣାର ସଂପୂର୍ଣ୍ଣ ସୁଯୋଗ ନେଇ ସୁରମିଲ୍‍ ତାଙ୍କୁ ବିନାଶ କଲେ । ସେନାପତିଙ୍କ ପତନ ପରେ ଇଲାଲଙ୍କ ଅଦମ୍ୟ ଉଦ୍ୟମ ସତ୍ୱେ ସୈନ୍ୟମାନଙ୍କ ମନବଳ ଭାଙ୍ଗିପଡ଼ିଲା ଓ ସେମାନେ ଛତ୍ରଭଙ୍ଗ ଦେଲେ ।

 

ଗାମନୀ ଏହି ସମୟରେ ଏକ ବୀରୋଚିତ ଘୋଷଣା କଲେ ଯେ ସେ ସ୍ୱୟଂ ଇଲାଲଙ୍କ ସଙ୍ଗେ ତରବାରୀ ଯୁଦ୍ଧ କରିବେ । ସେ ଏକାକୀ ଇଲାଲଙ୍କ ପଶ୍ଚାତ୍‍ଧାବନ କରି ଅନୁରାଧାପୁର ନିକଟରେ ତାଙ୍କର ସମ୍ମୁଖୀନ ହେଲେ । ୨ଘଣ୍ଟାବ୍ୟାପୀ ଘୋରତର ସଂଗ୍ରାମ ମଧ୍ୟରେ ଇଲାଲ୍‍ ନିହତ ହେଲେ । ବୀର ବୀରର ସମ୍ମାନ ଜାଣେ । ଇଲାଲଙ୍କୁ ମହାସମାରୋହରେ ସମାଧି ଦିଆଯାଇଥିଲା ଏବଂ ସମାଧି ବାଟେ ଗଲାବେଳେ ପ୍ରତି ସିଂହଳୀ ସେଠାରେ ମସ୍ତକ ଅବନତ କରିବା ବିଧି ରାଜାଦେଶରେ ପ୍ରଚଳିତ ହେଲା ।

 

ଗାମନୀ ‘ଲୋୟମାହାପାୟ’ ପ୍ରାସାଦ ନିର୍ମାଣ କରିଥିଲେ ଏବଂ ଦୁଇଟି ବିରାଟ ଜଳାଧାର ଖନନ କରିଥିଲେ । ପ୍ରଥମ ପୁଷ୍କରିଣୀ ବନ୍ଧର ଲମ୍ୱ ୯୭୦୦ଫୁଟ୍‍, ଉଚ୍ଚତା ୨୮ଫୁଟ୍‍ ଓ ଓସାର ୧୦ଫୁଟ୍‍ । ଦ୍ୱତୀୟଟିର ବନ୍ଧ 2.1/2ମାଇଲ । ଖ୍ରୀ:ପୂ: ୨ୟ ଶତାବ୍ଦୀରେ ଖୋଦିତ ହେଲେ ବି ଏହା ବର୍ତ୍ତମାନସୁଦ୍ଧା ଜଳସେଚନ କାର୍ଯ୍ୟରେ ବ୍ୟବହୃତ ହେଉଅଛି ।

 

ରାଜ୍ୟର ୧୮ଟି ସ୍ଥାନରେ ରାଜା ଚିକିତ୍ସାଳୟ ସ୍ଥାପନ କରିଥିଲେ ଏବଂ ପ୍ରତି ୧୬ଖଣ୍ଡ ଗ୍ରାମ ପାଇଁ ଜଣେ ଡାକ୍ତର, ଜଣେ ଜ୍ୟୋତିଷୀ ଓ ଜଣେ ଧର୍ମଗୁରୁ ନିଯୁକ୍ତ କରିଥିଲେ । ସେ ଯେପରି ବଡ଼ ବିଚାରକ, ସେହିପରି ସୁଶାସକ ଥିଲେ । ବକ୍ତୃତା ଦେଇ ନ ପାରିବା ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା ବୋଲି ସେ ଦୁଃଖ ପ୍ରକାଶ କରୁଥିଲେ ।

 

ଓ୍ୱାଲ୍‍ଗମ୍‍ବାହୁ–

 

ଖ୍ରୀ:ପୂ: ୧୦୪ରେ ଭାରତୀୟାମାନେ ପୁନର୍ବାର ସିଂହଳ ଆକ୍ରମଣ କରିବାରୁ ଓ୍ୱାଲ୍‍ଗମ୍‍ବାହୁ ଡମ୍ୱୁଲା ଗୁମ୍ଫାରେ ଆଶ୍ରୟ ନେଲେ । ୧୬ ବର୍ଷ ପରେ ହୃତରାଜ୍ୟ ସେ ପୁଣି ଫେରି ପାଇଲେ । ସିଂହଳର ବୃହତ୍ତମ ସ୍ତୂପ ଅଭୟଗିରି ଡାଗୋବା ତାଙ୍କର ପ୍ରଧାନ କୀର୍ତ୍ତ । ଏହାର ଉଚ୍ଚତା ୪୦୫ ଫୁଟ୍‍ । ରାଜଗାଦି ଫେରି ପାଇବା ପରେ ଯେଉଁ ଡମ୍ୱୁଲା କନ୍ଦର ତାଙ୍କୁ ଘୋର ଦୁର୍ଦ୍ଦିନରେ ଆଶ୍ରୟ ଦେଇ ଜୀବନ ରକ୍ଷା କରିଥିଲା, ତାକୁ କାରୁକାର୍ଯ୍ୟରେ ବିଭୂଷିତ କଲେ । ଡମ୍ୱୁଲା ଗୁହ୍ୱାର ମକର ତୋରଣ, ୪୭ଫୁଟ୍‍ ଦୀର୍ଘ ବୌଦ୍ଧମୂର୍ତ୍ତି, ମହାବିହାରର ୫୩ଟି ବୌଦ୍ଧମୂର୍ତ୍ତି, ବୌଦ୍ଧ ଯୋଗସାଧନାରେ ରାକ୍ଷସମାନଙ୍କ ଭୀତି ପ୍ରଦର୍ଶନ, ବୁଦ୍ଧଙ୍କୁ ଦେବତାମାନଙ୍କ ଅର୍ଚ୍ଚନା, ସର୍ପଚନ୍ଦ୍ରାତପ ଓ ବୁଦ୍ଧଙ୍କ ଜୀବନୀର ବିବିଧ ଚିତ୍ର, ଗଣେଶ, କାର୍ତ୍ତିକ ଓ ବିଭୀଷଣଙ୍କ ମୂର୍ତ୍ତି, ଅର୍ହତମାନଙ୍କ ଉତ୍ସବଯାତ୍ରା, ଦୁଟ୍ଟଗାମନୀଙ୍କ ସଙ୍ଗେ ଇଲାଲଙ୍କ ସଂଗ୍ରାମ, ବିଜୟସିଂହଙ୍କ ଅଭିଷେକ, ବୋଧିବୃକ୍ଷ ରୋପଣୋତ୍ସବ ପ୍ରଭୃତି ପୌରାଣିକ ଓ ଐତିହାସିକ ଚିତ୍ର ପର୍ବତ ଗାତ୍ରରେ ନିପୁଣ ଭାବରେ ଖୋଦିତ ହୋଇଅଛି । ପ୍ରତ୍ୟେକ ଚିତ୍ର କାରୁଶ୍ରୀମଣ୍ଡିତ ଓ ଅନବଦ୍ୟ ।

 

ଓ୍ୱାଲ୍‍ଗମ୍‍ବାହୁ ସିଂହଳର ବିଦ୍ୱାନମାନଙ୍କୁ ଡକାଇ ବାନପଥ ଓ ପିଟ୍ଟକଟାୟନ ପ୍ରଭୃତି ବୁଦ୍ଧ ଉପଦେଶ ସମ୍ୱଳିତ ବୌଦ୍ଧଶାସ୍ତ୍ର ପାଲୀ ଭାଷାରେ ସଂକଳନ କରାଇଥିଲେ ।

 

ରୋମ୍‍ ରାଜା କ୍ଲଡ଼ିୟସ୍‍ଙ୍କ ଶାସନ କାଳରେ (ଖ୍ରୀ:ପୂ ୪୧-୫୪) ଜଣେ ଗ୍ରୀକ୍‍ ନାବିକ ପ୍ରବଳ ଝଡ଼ରେ ପଥ ହରାଇ ଲଙ୍କାର ହିପୁରା ବନ୍ଦରରେ ପହଞ୍ଚିଲେ । ଲଙ୍କା ରାଜା ତାଙ୍କୁ ସମାଦରରେ ୬ମାସ ରଖିଲେ ଓ ଗ୍ରୀକ୍‍ ରାଜାଙ୍କ ନିକଟକୁ ଦୂତ ପଠାଇଲେ । ପ୍ଲିନି ତତ୍‍କାଳୀନ ଲଙ୍କାର ଏକ ବିବରଣୀ ଲିପିବଦ୍ଧ କରିଯାଇଛନ୍ତି ଯାହାକି ମାହବଂଶରେ ମିଳେ ନାହିଁ ।

 

‘‘ସେତେବେଳେ ମୋଟରେ ଲଙ୍କାରେ ପାଞ୍ଚଶତ ନଗର ଥିଲା । ବୃହତ୍ତମ ନଗର ଅନୁରାଧାପୁରର ଲୋକସଂଖ୍ୟା ଦୁଇଲକ୍ଷ ଥିଲା । ମାନାର୍‍ ଉପସାଗରରୁ ପ୍ରବାଳ, ମାର୍ବଲପଥର, ମୁକ୍ତା ଓ ବହୁମୂଲ୍ୟ ରତ୍ନ ସବୁ ଉତ୍ତୋଳନ କରାଯାଉଥିଲା । ଅଙ୍ଗୁର ଛଡ଼ା ସବୁପ୍ରକାର ଫଳ ଉତ୍ପନ୍ନ ହେଉଥିଲା । ଲୋକେ ଶହେ ବର୍ଷରୁ ଊର୍ଦ୍ଧ୍ୱ ବଞ୍ଚୁଥିଲେ । ରାଜ୍ୟଶାସନ ଲୋକହିତକର ମାର୍ଗରେ ଗତି କରୁଥିଲା । ବହିର୍ବାଣିଜ୍ୟ ଯୋଗୁଁ ସିଂହଳ ଏକ ବିଭବଶାଳୀ ରାଜ୍ୟ ହୋଇପାରିଥିଲା ।’’

 

ଗଜବାହୁ–

 

ଖ୍ରୀ:ପୂ: ୧୧୩ରେ ତାଞ୍ଜୋର ରାଜା ସିଂହଳ ଆକ୍ରମଣ ଓ ଲୁଣ୍ଠନ କଲେ ଏବଂ ୧୨୦୦୦ ସିଂହଳୀଙ୍କୁ ଦାସରୂପେ ବ୍ୟବହାର କରିବାଲାଗି ସଙ୍ଗରେ ଘେନିଗଲେ । ଗଜବାହୁଙ୍କ ଅନ୍ତରରେ ପ୍ରତିଶୋଧ ବହ୍ନି ଜଳି ଉଠିଲା । ସେ ବିରାଟବାହିନୀ ସହିତ ସେତୁବନ୍ଧ ଉପରେ ଯୁଦ୍ଧଯାତ୍ରା କରି ତାଞ୍ଜୋରରେ ତାମିଲ୍‍ମାନଙ୍କୁ ସଂପୂର୍ଣ୍ଣରୂପେ ପରାସ୍ତ କଲେ । ୧୨୦୦୦ ସିଂହଳଙ୍କୁ ସସମ୍ମାନେ ମୁକ୍ତି ଦେବା ସଙ୍ଗେ ସଙ୍ଗେ ତାର ଦୁଇଗୁଣ ତାମିଲ ଦାସ ନ ଦେଲେ ତାଞ୍ଜୋର ସହରକୁ ଧୂଳିସାତ୍‍ କରିଦେବେ ବୋଲି ଗଜବାହୁ ଧମକାଇଲେ । ବହୁ ଧନରତ୍ନ ଓ ୨୪୦୦୦ ତାମିଲ୍‍ ଦାସ ଘେନି ଗଜବାହୁ ମହାଗୌରବରେ ପ୍ରତ୍ୟାବର୍ତ୍ତନ କଲେ । ଏ ବିଜୟରେ ସିଂହଳୀ ଏପର୍ଯ୍ୟନ୍ତ ଗର୍ବ ଅନୁଭବ କରେ ଓ ବାର୍ଷିକ ‘ପେର୍‍ହେର୍‍’ ଉତ୍ସବ ବର୍ତ୍ତମାନ ସେହି ଗୌରବୋଜ୍ୱଳ ସ୍ମୃତିକି ଜୀବନ୍ତ ରଖିଛି ।

 

5. Sketch of ceylone’s History by Donald Obeysekher.

 

6. The ruined city of Ceylone dy W Cave.

 

ସିଂହଳ ଇତିହାସରେ ଉକ୍ତ ରାଜାମାନଙ୍କ ରାଜତ୍ୱକାଳରୁ ମହାବଂଶଯୁଗ ଆଖ୍ୟା ଦିଆଯାଏ । କାରୁକାର୍ଯ୍ୟଖଚିତ ବିରାଟ ସ୍ତୁପ ଓ ଚୈତ୍ୟ ଏ ଯୁଗର ପ୍ରଧାନ ଆକର୍ଷଣ ।

 

ଦନ୍ତ କାହାଣୀ–

 

ଖ୍ରୀ: ପୂ: ୩୧୦ରେ ଧମ୍ମକୀର୍ତ୍ତି ପାଲୀ ଭାଷାରେ ଦାଠାବଂଶ ନାମକ ପୁସ୍ତକ ରଚନା କରିଥିଲେ । ୧୨୦୦ ଖ୍ରୀଷ୍ଟାବ୍ଦରେ ସିଂହଳୀ ଭାଷାରେ ଏହି ଗ୍ରନ୍ଥ ଅନୁବାଦିତ ହୋଇଥିଲେ । ମୂଳଗ୍ରନ୍ଥ ଓ ଇଂରେଜୀ ଅନୁବାଦ ପାଠକରି ମୁଁ ନିମ୍ନଲିଖିତ ବିବରଣୀ ସଂଗ୍ରହ କରିଅଛି ।

 

ବୈଶାଖ ପୂର୍ଣ୍ଣିମାଦିନ କୁଶୀନରା ନିକଟବର୍ତ୍ତୀ ଉପପତ୍ତନ ନାମକ ଉଦ୍ୟାନରେ ବୁଦ୍ଧଦେବ ପରିନିର୍ବାଣ ଲାଭ କରିଥିଲେ । ବୁଦ୍ଧଙ୍କ ଶବ ୫୦୦ ପରସ୍ତ ବସ୍ତ୍ରରେ ଆବୃତ ହୋଇ ତୈଳପୂର୍ଣ୍ଣ ସୁବର୍ଣ୍ଣ ପାତ୍ରରେ ସୁରକ୍ଷିତ ହୋଇଥିଲା । ବିହିତ ପୁଜାନୁଷ୍ଠାନ ପରେ ଚନ୍ଦନ ଇନ୍ଧନ ଉପରେ ରଖାଯାଇ ତାଙ୍କ ଶରୀର ଦଗ୍‍ଧ କରାଯାଇଥିଲା । ଦାହ ପରେ ଚିତାଭସ୍ମରେ ସୁବର୍ଣ୍ଣମୁକ୍ତା ମଣ୍ଡିତ ଅସ୍ଥି କେବଳ ବାକୀ ରହିଲା । ସେଥିଲାଗି ୮ଜଣ ରାଜାଙ୍କ ମଧ୍ୟରେ ବିଶେଷ ବିବାଦ ଉପସ୍ଥିତ ହେଲା । ଦୋଣ ନାମକ ଭିକ୍ଷୁ ଅସ୍ଥିଗୁଡ଼ିକ ସମାନଭାଗରେ ବାଣ୍ଟି କଳହ ମୀମାଂସା କରିଦେଇଥିଲେ । ଖେମାଥୁର ବୋଲି ଜଣେ ବୌଦ୍ଧ ଅର୍ହତ ବୁଦ୍ଧଙ୍କ ବାମଭାଗର ଏକ ଦନ୍ତ ନେଇ କଳିଙ୍ଗରାଜା ବ୍ରହ୍ମଦତ୍ତଙ୍କୁ ଅର୍ପଣ କଲେ ଏବଂ ରାଜା ତା ଉପରେ ମନୋହର ସ୍ତୂପ ନିର୍ମାଣ କଲେ । କଳିଙ୍ଗର ପରବର୍ତ୍ତୀ ରାଜାମାନେ ଏହି ସ୍ତୂପକୁ ମହା ସମାରୋହରେ ପୂଜା କରୁଥିଲେ । ଗୁହଶିବଙ୍କ ମନ୍ତ୍ରୀ ଦନ୍ତର ଅଲୌକିକ ଶକ୍ତିର ବିଶ୍ୱାସ କରୁ ନଥିଲେ । ଦିନେ ରାଜାଙ୍କ ପ୍ରାର୍ଥନା ପରେ ଅଲୌକିକ ଘଟଣାସବୁ ଘଟିବାରୁ ମନ୍ତ୍ରୀଙ୍କ ନାସ୍ତିକତା ଦୂର ହୋଇଗଲା ଓ ସେହିଦିନଠାରୁ ସେ ବୁଦ୍ଧଙ୍କର ଜଣେ ଭକ୍ତ ହେଲେ । ସେ ସମୟରେ କଳିଙ୍ଗରେ ଅନେକ ନିଗନ୍ଥ (ଜୈନ) ବାସ କରୁଥିଲେ । ଗୁହଶିବ ସେମାନଙ୍କୁ ରାଜ୍ୟବାହାର ଆଦେଶ ଦେବାରୁ ସେମାନେ ପାଟଳୀପୁତ୍ରର କ୍ଷମତାଶାଳୀ ନାସ୍ତିକରାଜା ପଣ୍ଡୁଙ୍କର ଆଶ୍ରୟ ନେଲେ ।

 

ସେମାନେ ଗୁହାରି କଲେ ଯେ ଗୁହଶିବ ପଣ୍ଡୁଙ୍କର ଜଣେ ସାମନ୍ତ ରାଜା ହୋଇ ବ୍ରହ୍ମା, ବିଷ୍ଣୁ ଓ ଶିବ ପ୍ରଭୃତି ଦେବତାମାନଙ୍କୁ ମାନୁନାହାନ୍ତି । ସେ ମଲାମଣିଷର ଅସ୍ଥିକଙ୍କାଳ ପୂଜା କରୁଛନ୍ତି ଓ ପାଣ୍ଡୁଙ୍କ ଅର୍ଚ୍ଚିତ ଦେବଦେବୀମାନଙ୍କୁ ଘୃଣାଚକ୍ଷୁରେ ଦେଖୁଛନ୍ତି । ପାଣ୍ଡୁ ଏଥିରେ କ୍ରୋଧାନ୍ୱିତ ହୋଇ ଚିତ୍ତଯାନ ନାମକ ଜଣେ ସାମନ୍ତରାଜାଙ୍କୁ ଚତୁରଙ୍ଗସୈନ୍ୟ ସହିତ ପଠାଇଲେ । ଗୁହଶିବଙ୍କୁ ବାନ୍ଧିଆଣିବା ଓ ସେହି ଦନ୍ତକୁ ତାଡ଼ି ଆଣିବାଲାଗି ଆଦେଶ ଥିଲା । ଚିତ୍ତଯାନଙ୍କ ଆଗମନ ଉଦ୍ଦେଶ୍ୟ ଅବଗତ ହୋଇ ଗୁହଶିବ ତିଳେମାତ୍ର ବିଚଳିତ ହେଲେ ନାହିଁ । ବରଂ ଚିତ୍ତଯାନଙ୍କୁ ସମାଦର ଅଭ୍ୟର୍ଥନା କଲେ । ଦନ୍ତର ଅଲୌକିକ ଗୁଣ ବୁଝିପାରି ଚିତ୍ତଯାନ ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ । ଗୃହଶିବ ବୁଦ୍ଧଙ୍କ ଦନ୍ତ ମସ୍ତକରେ ରଖି ବହୁ ଧନରତ୍ନ ସହିତ ପାଟଳିପୁତ୍ର ଯାତ୍ରା କଲେ । ନିଗନ୍ଥମାନଙ୍କ ଅନୁରୋଧରେ ପାଣ୍ଡୁ ଗୁହଶିବଙ୍କୁ ବସିବାଲାଗି ଆସନ ସୁଦ୍ଧା ଦେଲେ ନାହିଁ । ପାଣ୍ଡୁ ଦନ୍ତକୁ କ୍ରୋଧରେ ଜଳନ୍ତା ଅଗ୍ନିରେ ଫିଙ୍ଗିଦେବାମାତ୍ରେ ଅଗ୍ନି ଶୀତଳ ହୋଇଗଲା ଏବଂ ଗୋଟିଏ ତେଜୋମୟ ପଦ୍ମଫୁଲ ମଧ୍ୟରେ ଦନ୍ତ ସ୍ଥାପିତ ହେବାର ଦେଖାଗଲା । ଏ ଅଲୌକିକ ଘଟଣା ଦେଖି ଅନେକ ଧର୍ମଛଡ଼ା ବୌଦ୍ଧଧର୍ମ ଗ୍ରହଣ କଲେ । କିନ୍ତୁ ରାଜାଙ୍କର ବିଶ୍ୱାସ ହେଲା ନାହିଁ । ପାଷାଣରେ ଦନ୍ତକୁ ଚୂର୍ଣ୍ଣବିଚୂର୍ଣ୍ଣ କରିବା ଲାଗି ସେ ଆଦେଶ ଦେଲେ । କିନ୍ତୁ ପାଷାଣ ଶୂନ୍ୟରେ ଅଟକି ରହିଲା ।

 

୭.ମହାବଂଶ । ୮. ଦତ୍ତବଂଶ ।

 

ଚିତ୍ତଯାନଙ୍କ ପ୍ରରୋଚନାରେ ଶେଷରେ ପାଣ୍ଡୁ ବୌଦ୍ଧଧର୍ମ ଗ୍ରହଣ କଲେ । ଗୁହଶିବ ସମ୍ମାନିତ ହେଲେ ଓ ଉଭୟ ରାଜା ମିଳି ଜନସାଧାରଣଙ୍କର ବହୁ ଉପକାର ସାଧନ କଲେ ।

 

ଉଜ୍ଜୟିନୀର ଯୁବରାଜ ଦନ୍ତକୁମାର ଦନ୍ତପୂଜା ଲାଗି କଳିଙ୍ଗ ଆସିଥିଲା । ରାଜକନ୍ୟା ହେମାମାଳୀଙ୍କ ସହିତ ତାଙ୍କର ପ୍ରଣୟ ଜାତ ହୋଇ ଶେଷରେ ବିବାହ ହେଲା ।

 

କ୍ଷୀରଧାରା ନାମକ ରାଜାଙ୍କର ଦୁର୍ବୁତ୍ତ ପୁତ୍ରମାନେ ଜବରଦସ୍ତି ବୁଦ୍ଧଙ୍କ ଦନ୍ତ ଅପହରଣ କରିନେବା ଲାଗି ଦନ୍ତପୁର ନିକଟବର୍ତ୍ତୀ ମଳୟ ବନରେ ପହଞ୍ଚିଲେ । ଗୁହଶିବ ନାନା ବିପଦ ଆଶଙ୍କା କରି ଜାମାତା ଦନ୍ତକୁମାର ଓ କନ୍ୟା ହେମମାଳୀ ହସ୍ତରେ ବନ୍ଧୁ ସିଂହଳ ରାଜା ମହାସେନଙ୍କ ନିକଟକୁ ଦନ୍ତ ପ୍ରେରଣ କଲେ । ସିଂହଳୀମାନେ ବୌଦ୍ଧଥିବାରୁ ଦନ୍ତ ସେଠାରେ ନିରାପଦରେ ରହିବ ବୋଲି ତାଙ୍କର ବିଶ୍ୱାସ ଥିଲା । ଦନ୍ତକୁମାର ତାମ୍ରଲିପ୍ତିରୁ ବାଣିଜ୍ୟ ଜାହାଜରେ ସିଂହଳ ଯାତ୍ରା କଲେ ।

 

ମହାସେନ ସେତେବେଳକୁ ପରଲୋକଗାମୀ, କ୍ଷିତିଶିରୀମେଘ ନୂନତ ହୋଇ ରାଜଗାଦିରେ ବସିଥାନ୍ତି । ଜଣଷ ଅର୍ହତଠାରୁ ଦନ୍ତକୁମାରଙ୍କ ଆଗମନ ସମ୍ୱାଦ ପାଇ ବୁଦ୍ଧଦନ୍ତକୁ ସମ୍ୱର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ରାଜା ଓ ରାଣୀ ନଗ୍ନପଦରେ ଅର୍ହତନିବାସ ମେଘଗିରି ବିହାରକୁ ଯାଇଥିଲେ ।

 

ଦନ୍ତକୁ ମଳିନ ଅବସ୍ଥାରେ ଦେଖି ରାଜାଙ୍କର ଅବିଶ୍ୱାସ ଜାତ ହୋଇଥିଲା । କିନ୍ତୁ ହଠାତ୍‍ କେତେକ ଅଲୌକିକ ଘଟଣା ଘଟିବାରେ ତାଙ୍କର ଧାରଣା ବଦଳିଗଲା । ସିଂହଳୀ ଅର୍ହତ ଓ ଗୃହସ୍ଥମାନେ ଦନ୍ତକୁ ପୂଜା କରିବାଲାଗି ବହୁ ସଂଖ୍ୟାରେ ଜମା ହେଲେ । କେଉଁ ସ୍ଥାନରେ ଦନ୍ତ ରକ୍ଷିତ ହେବ ? ରାଜା କହିଲେ, ‘‘ଦନ୍ତ ନିଜର ସ୍ଥାନ ସ୍ଥିର କରିନେଉ ।’’

 

ଗୋଟିଏ ହସ୍ତୀ ପଟୁଆରରେ ସନମାନରେ ଦନ୍ତକୁ ନିଆଗଲା । ଯେଉଁଠାରେ ମହିନ୍ଦ୍ର ଧର୍ମପ୍ରଚାର କରିଥିଲେ, ସେହିଠାରେ ଦନ୍ତ ଅବିଚଳିତ ରହିଲା । ଦନ୍ତ ଉପରେ ମନ୍ଦିର ନିର୍ମିତ ହେବାରେ ୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

 

ଏହି ଦନ୍ତ ଯୋଗୁଁ କଳିଙ୍ଗ ଓ ସିଂହଳର ସଂପର୍କ ସୁଦୃଢ଼ ଧର୍ମଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହି ସଂସ୍କୃତିଗତ ଐକ୍ୟ ବହୁକାଳ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା । ସେ ସମୟରେ ଦନ୍ତ ଯୋଗୁଁ କଳିଙ୍ଗ ରାଜଧାନୀ ନାମ ଦନ୍ତପୁର ଦିଆଯାଇଥିଲା । ଏହାକୁ ଏରଣ୍ଡପଲ୍ଲୀ ନିକଟସ୍ଥ ଦଣ୍ଡଗୁଳ୍‍ ବୋଲି ମହତାବ ତାଙ୍କ ଇତିହାସରେ ନିର୍ଦ୍ଦେଶ କରିଅଛନ୍ତି । ବର୍ତ୍ତମାନ ବୁଦ୍ଧଙ୍କ ଦନ୍ତ କାଣ୍ଡିରେ ପୂଜିତ ହେଉଛି । ସିଂହଳରେ ଯେଉଁ ଦନ୍ତଉତ୍ସବ ପାଳିତ ହୁଏ, ତାହା ଠିକ୍‍ ଓଡ଼ିଶାର ରଥଯାତ୍ରା ପରି ।

 

ବୁଦ୍ଧଦାସ–

 

ଏ ରାଜା ଚିକିତ୍ସାବିଦ୍ୟାରେ ବିଶେଷ ପାରଦର୍ଶୀ ଥିଲେ । ସେ ସଂସ୍କୃତରେ ‘ସାରାର୍ଥ ସଂଗ୍ରହ’ ବୋଲି ଗୋଟିଏ ଉପାଦେୟ ଚିକିତ୍ସାଗ୍ରନ୍ଥ ପ୍ରଣୟନ କରିଥିଲେ ।

 

ବର୍ତ୍ତମାନ ଏହାର ପାଣ୍ଡୁଲିପି କଲମ୍ୱୋଯାଦୁଘରେ ରକ୍ଷିତ ହୋଇଅଛି । ସେଥିରେ ରୋଗନିର୍ଣ୍ଣୟ, ଔଷଧ ତିଆରି ପ୍ରଣାଳୀ, ପଥ୍ୟ, ବ୍ୟବଚ୍ଛେଦ ପ୍ରଭୃତି ବିଷୟ ସଚ୍ଚିତ୍ର ସନ୍ନିବେଶିତ ହୋଇଅଛି । ପ୍ରତି ୧୦ ଖଣ୍ଡ ଗ୍ରାମ ପାଇଁ ସେ ଜଣେ ଜଣେ ଚିକିତ୍ସକ ବ୍ୟବସ୍ଥା କରିଥିଲେ ଏବଂ ଭୂରାଜସ୍ୱର ୨୦ଭାଗରୁ ଏକଭାଗ ଡାକ୍ତରମାନଙ୍କ ଜୀବନ ନିର୍ବାଦାର୍ଥେ ବ୍ୟୟ କରୁଥିଲେ । ପ୍ରଧାନ ପ୍ରଧାନ ରାଜପଥ ସମୀପରେ ସେ ଖଞ୍ଜ, ଅନ୍ଧ ଓ ପତିତଙ୍କ ଲାଗି ଆଶ୍ରମ ନିର୍ମାଣ କରିଥିଲେ ।

 

୯. Budhism in Maghdh & in Ceylone.

 

ଉପତିସ୍‍ସା–

 

ସେ ବୁଦ୍ଧଙ୍କର ପରମ ଭକ୍ତ । ସେ ତାଙ୍କର ଅଷ୍ଟାଜ୍ଞା ନିଷ୍ଠାର ସହିତ ପାଳନ କରିଥିଲେ । (୧) ହିଂସା କରିବ ନାହିଁ, (୨) ଚୋରୀ କରିବ ନାହିଁ, (୩) ସ୍ତ୍ରୀସଙ୍ଗ କରିବ ନାହିଁ, (୪) ମିଥ୍ୟା କହିବ ନାହିଁ, (୫) ମଦ ଖାଇବ ନାହିଁ, (୬) ଦିବସରେ ଭୋଜନ କରିବ ନାହିଁ. (୭) ମଉଜ ମଜଲିସରେ ଯୋଗ ଦେବନାହିଁ, (୮) ମୁଣ୍ଡରେ ଫୁଲ କି ଦେହରେ ସୁଗନ୍ଧ ଦ୍ରବ୍ୟ ବ୍ୟବହାର କରିବ ନାହିଁ ।

 

ମହାନାମ–

 

ଏହାଙ୍କ ସମୟରେ ବୁଦ୍ଧଚରିତ ରଚୟିତା ବୁଦ୍ଧଘୋଷ ଓ ଚୀନପରିବ୍ରାଜକ ଫାଇଆନ୍‍ ସିଂହଳ ଆସିଥିଲେ । ଫାଇଆନ୍ ତାଙ୍କ ବିବରଣୀରେ ଲେଖିଛନ୍ତି ଯେ ସିଂହଳ ଏକ ଧନଶୀଳ ରାଜ୍ୟ ଥିଲା । କେବଳ ଅନୁରାଧାପୁରରେ ୫୦୦୦ ପୁରୋହିତ ବାସ କରୁଥିଲେ । ପଥ ପ୍ରଶସ୍ତ ଥିଲା । ସୌଧ ଓ ଗୃହଗୁଡ଼ିକ ନାନା ଚିତ୍ରରେ ବିଭୂଷିତ ଥିଲା । ପ୍ରଜା ୮ଟି ମୁକ୍ତା ସଂଗ୍ରହ କଲେ ରାଜାଙ୍କୁ ୩ଟି କରସ୍ୱରୂପ ଦେଉଥିଲେ । ପତି ରାସ୍ତା ଛକରେ ଧର୍ମପ୍ରଚାରକମାନଙ୍କ ଲାଗି ପ୍ରଚାରଗୃହ ନିର୍ମିତ ହୋଇଥିଲା ।

 

ରୋଡ଼ିଆଜାତିର ଉତ୍ପତ୍ତି–

 

ଗଞ୍ଜାମଜିଲ୍ଲାର ଦଣ୍ଡାସି ଜାତିପରି ରୋଡ଼ିଆ ସିଂହଳର ଏକ ଦାସୀ ଜାତି; ଯୁଗଯୁଗ ଧରି ଲୋକେ ସେମାନଙ୍କୁ ଘୃଣା କରିଆସିଛନ୍ତି । ମଣିଷ ମଣିଷର ଘୃଣାରେ, ମଣିଷର ପାପରେ ହୋଇଛି ପଶୁ ତ ପଶୁଠାରୁ ଆହୁରି ହୀନ; ଠିକ୍‍ ବଣପଶୁର ଯେତିକି ଅଧିକାର ଅଛି, ଈଶ୍ୱରସୃଷ୍ଟ ଶ୍ରେଷ୍ଠ ଜୀବ ମଣିଷର ବି ସେତିକି ଅଧିକାର ନାହିଁ ସେଠି । ଦୁର୍ବଳ ହୋଇଥିବାରୁ ସେମାନେ ସମସ୍ତ ଅତ୍ୟାଚାର ସହିଆସିଛନ୍ତି ମୁଣ୍ଡପାତି ।

 

କେବେ କେଉଁଯୁଗରେ ସେମାନଙ୍କର କେହି ବଂଶଧର ଶିକାର ଅଭାବରୁ ମଣିଷମାଂସ ରାନ୍ଧି ଖାଇଥିଲେ, ବଂଶପରମ୍ପରାକ୍ରମେ ସେମାନେ ସେହି ପାପର ପ୍ରାୟଶ୍ଚିତ୍ତ କରି ଆସୁଛନ୍ତି, ଆହୁରି କେତେ ଯୁଗ କରିବେ କେଜାଣି ?

 

ନାହିଁ ଚାଷବାସ, ନାହିଁ ବାଣିଜ୍ୟବ୍ୟବସାୟ ଅଧିକାର; ଦେଶର ଆଇନ ସେମାନଙ୍କ ହାତ ଗୋଡ଼ ବାନ୍ଧି ପକାଇଛି । ବାଘ ଭାଲୁଙ୍କୁ ଶିକାର ଛାଡ଼ ଅଛି, କିନ୍ତୁ ଗୋଟିଏ ବଣକୁକୁଡ଼ା ମାରିବାର ଅଧିକାର ନାହିଁ ସେମାନଙ୍କର । ବଡ଼ ହାୟହତମାନ, ବଡ ଛିଛାକର ଜୀବନ !

 

ସବୁଲୋକଙ୍କ ସଙ୍ଗେ ଗାଁରେ ରହିବା ମନା; ବାଧ୍ୟହୋଇ ସେମାନେ ଏକଘରକିଆ ରହନ୍ତି, ଯେଉଁଠି କେହି ରହିବେ ନାହିଁ, ସେଇ ଜାଗାରେ । ଛୋଟ ଛୋଟ ରୋଡ଼ିଆ ବସ୍ତି; ୧୦।୧୫ଟି କରି ଭୂଇଁଲଗା କୁଡ଼ିଆ । ପଲ ପଲ ଘୁଷୁରି, କୁକୁଡ଼ା ସାଲୁରୁ ବାଲୁରୁ ହେଉଥାନ୍ତି । ତାରି ଭିତରେ ସେମାନେ ଚଳବିଚଳ ହୁଅନ୍ତି । ସେମାନେ ନେଉଳ, ଗୁଣ୍ଡୁଚିମୂଷା, ଘୁଷୁରି, ଠେକୁଆ, ମାଙ୍କଡ଼ ଓ ମଲାଗୋରୁ ଖାଆନ୍ତି । ଅସ୍ଫୃଶ୍ୟ; ଛାଇ ପଡ଼ିଲେ ଦୋଷ । ତେଣୁ ରୋଗବଇରାଗରେ କୌଣସି ଚିକିତ୍ସିକ ସେମାନଙ୍କ ଦୁଆର ମାଡ଼ନ୍ତି ନାହିଁ । ଭିକ୍ଷାବୃତ୍ତି ସେମାନଙ୍କର ଅବଲମ୍ୱନ । କେହି କେହି କୁଲା ବାଉଁଶିଆ, ଦଉଡ଼ି, ଚମବାଇଦ ବିକି ପେଟ ପୋଷନ୍ତି । ହରିଜନମାନେ ହିନ୍ଦୁ ହେଲେହେଁ ଯେପରି ବହୁକାଳ ଧରି ସେମାନଙ୍କର ମନ୍ଦିର ପ୍ରବେଶ ଅଧିକାର ଆମ୍ଭେମାନେ ସ୍ୱୀକାର କରି ନ ଥିଲୁ, ସେହିପରି ରୋଡ଼ିଆମାନେ ବୌଦ୍ଧ ହେଲେହେଁ କୌଣସି ଉତ୍ସବ ବା ପୂଜାନୁଷ୍ଠାନରେ ସେମାନଙ୍କ ଯୋଗଦେବା ଅଧିକାର ସ୍ୱୀକୃତ ହୋଇନାହିଁ । ପୀଡ଼ିତ ହେଲେ ସେମାନେ ଗରଯକ୍ଷ ଓ ଓ୍ୱେଦିଯକ୍ଷଙ୍କୁ ତୁଷ୍ଟ କରିବାଲାଗି ଲୁଣୀମାଛ ଓ କୁକୁଡ଼ା ବଳି ଦିଅନ୍ତି । ଘୋର ଅତ୍ୟାଚାର କବଳରୁ ପାଦ୍ରିମାନେ ଏବେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ‘‘ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା ।’’ ଏବେ ଖୀରସ୍ତାନ ହୋଇ ରୋଡ଼ିଆ ସବୁ ଲୋକଙ୍କ ସଙ୍ଗେ ଚଳ ବିଚଳ ହେଲେଣି, କିନ୍ତୁ ଦାଗୀ ଆଇନ୍‍ ଏପର୍ଯ୍ୟନ୍ତ ଉଠିନାହିଁ । ସରକାରଙ୍କ ଉଦ୍ୟମରେ ଏବେ ସେମାନଙ୍କ ଶିକ୍ଷାର ବ୍ୟବସ୍ଥା ହେଉଛି ।

 

ସୁଲୁବଂଶ ଯୁଗ–

 

ମନ୍ଦିର ଓ ଚୈତ୍ୟନିର୍ମାଣ ପରିବର୍ତ୍ତରେ ଉକ୍ତ ଯୁଗର ରାଜାମାନେ ଲୋକମାନଙ୍କ ମଧ୍ୟରେ ଶିକ୍ଷା ସଂସ୍କୃତିର ବିସ୍ତାର ଲାଗି ବିଶେଷ ଯତ୍ନବାନ୍‍ ହୋଇଥିଲେ । ସିଂହଳୀ ସାହିତ୍ୟର ବିକାଶ ଏ ଯୁଗର ଗୋଟିଏ ବଡ଼ ବିଶେଷତ୍ୱ । କବି, ସାହିତ୍ୟିକ ଓ ସଙ୍ଗୀତଜ୍ଞମାନେ ରାଜଦରବାରରେ ବିଶେଷଭାବରେ ଆଦୃତ ହେଉଥିଲେ । ସିଂହଳ ଇତିହାସରେ ଏ ଯୁଗକୁ ସ୍ୱର୍ଣ୍ଣଯୁଗ ବୋଲାଯାଇପାରେ ।

 

ବୁଦ୍ଧଦାସ, କୁମାରଦାସ, ମୋଗଲ୍ଲନ, ଅରାଗବୋଧି ପ୍ରଥମ, କଶ୍‍ଶପ ଦ୍ୱିତୀୟ, ବିଜୟବାହୁ ଦ୍ୱିତୀୟ, ପରାକ୍ରମବାହୁ ପ୍ରଥମ, କଲ୍ୟାଣବତୀ ଲୀଳାବତୀ, ବିଜୟ ରାଜସିଂହ, କୀର୍ତ୍ତିଶିରୀ ରାଜସିଂହ ପ୍ରଭୃତି ରାଜା ଏହି ଯୁଗର ଅନ୍ତର୍ଗତ । ପରାକ୍ରମବାହୁ ପ୍ରଥମ, ସିଂହଳୀରାଜାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ।

 

ପରାକ୍ରମ ବାହୁ–

 

କଳିଙ୍ଗର ଖାରବେଳଙ୍କ ପରି ଦୁର୍ଜ୍ଜୟ, ଧର୍ମାଶୋକଙ୍କ ପରି ଧର୍ମବନ୍ତ, ଆକବରଙ୍କ ପରି ଧର୍ମନିରପେକ୍ଷ, ପରାକ୍ରମବାହୁ କେବଳ ସିଂହଳର ନୁହନ୍ତି, ସମଗ୍ର ପୃଥିବୀର ଶ୍ରେଷ୍ଠ ସମ୍ରାଟ୍‍ମାନଙ୍କ ମଧ୍ୟରେ ଅନ୍ୟତମ ।

 

ସିଂହଳ ସେତେବେଳକୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ଖଣ୍ଡବିଖଣ୍ଡିତ, ରାଜାମାନେ ଗୃହବିବାଦରେ ବ୍ୟାପୃତ, ବହିଃଶତ୍ରୁ ଆକ୍ରମଣରେ ସିଂହଳ ହାହତୋଽସ୍ମି । ଜର୍ମାନ୍‍ ରାଜନୀତିକ ବିସ୍‍ମାର୍କଙ୍କ ପରି ପରାକ୍ରମ ଦୂରଦୃଷ୍ଟି ସମ୍ପନ୍ନ ଥିଲେ । ତାଙ୍କର କୂଟନୀତିକ କୌଶଳ, ଉଦାରତା ଓ ବଳ ପରାକ୍ରମରେ ସମଗ୍ର ସିଂହଳ ଏକ ରାଜଛତ୍ର ତଳେ ଏକତ୍ରିତ ହେଲା ।

 

ପରାକ୍ରମଙ୍କ କିଶୋର ବୟସରେ ପିତା ପରଲୋକଗାମୀ ହେବାରୁ ସନ୍ତାନହୀନ, ଉଦାରମନା, ମାୟାରାତ ରାଜ୍ୟର ଅଧିପତି କୀର୍ତ୍ତିଶିରି ମେଘଙ୍କ ଯତ୍ନରେ ସେ ଲାଳିତପାଳିତ ହୋଇଥିଲେ । ଅଳ୍ପଦିନ ମଧ୍ୟରେ ବେଦାଦି ଧର୍ମଶାସ୍ତ୍ର, ଧନୁର୍ବିଦ୍ୟା, ଖଡ୍‍ଗବିଦ୍ୟା ଓ ଅଶ୍ୱାରୋହଣରେ ସେ ବିଶେଷ ନିପୁଣତା ଅର୍ଜନ କରିଥିଲେ । ପରାକ୍ରମ ଉଚ୍ଚମନା, ଅକ୍ଲାନ୍ତକର୍ମୀ ଓ ନିଷ୍ଠାପର ସାଧକ ଥିଲେ । ରାମାୟଣ ଓ ମହାଭାରତର ବୀରମାନଙ୍କଠାରୁ ଜୀବନ ଗଠନ ଲାଗି ସେ ଯଥେଷ୍ଟ ପ୍ରେରଣା ଲାଭ କରିଥିଲେ । ସେ କହୁଥିଲେ, ‘‘ଉକ୍ତ ବୀରମାନେ ବର୍ତ୍ତମାନ ସଂସାରରେ ନ ଥିଲେହେଁ, ସେମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ ସେମାନଙ୍କୁ ଅମର କରି ରଖିଛି-। ସେମାନଙ୍କ ଜୀବନ ଯଥାର୍ଥରେ ଧନ୍ୟ । ମୁଁ କ୍ଷତ୍ରିୟ କୁଳରେ ଜନ୍ମଗ୍ରହଣ କରି ସେହିପରି ପୌରୁଷପୂର୍ଣ୍ଣ କାର୍ଯ୍ୟ ଯଦି ସାଧନ କରି ନ ପାରେ, ତେବେ ମୋ ଜୀବନ ବୃଥା । ଜ୍ଞାନ ଓ ବିଚାର ଶକ୍ତିରେ ମୁଁ ତ ସେମାନଙ୍କଠାରୁ ଊଣା ନୁହେଁ, ସେହିପରି କାର୍ଯ୍ୟ ସାଧନ କରି ନ ପାରିବି କାହିଁକି-?

 

ଗଭୀର ଆତ୍ମବିଶ୍ୱାସରେ ବଳୀୟାନ ହୋଇ ପରାକ୍ରମ ମହାଉତ୍ସାହରେ କାର୍ଯ୍ୟ ଆରମ୍ଭ କଲେ । ଗଜବାହୁ ଓ ମାନଭରଣଙ୍କ ସହିତ ତାଙ୍କୁ ୫୮ଥର ସଂଗ୍ରାମ କରିବାକୁ ହୋଇଥିଲା । ଶେଷରେ ସେ ଜୟଯୁକ୍ତ ହୋଇ ୧୧୫୩ ଖ୍ରୀଷ୍ଟାବ୍ଦରେ ପଲୋନରୁଆରେ ସମଗ୍ର ଲଙ୍କାର ସମ୍ରାଟ୍‍ ଭାବରେ ଅଭିଷିକ୍ତ ହେଲେ । ତାଙ୍କ ରାଜତ୍ୱର ୩୩ବର୍ଷ ସିଂହଳ ଇତିହାସର ଉଜ୍ଜ୍ୱଳତମ ଅଧ୍ୟାୟ । ବିଭିନ୍ନ ବୌଦ୍ଧ ସମ୍ପ୍ରଦାୟ ମଧ୍ୟରେ ସମସ୍ତ କଳହ ବିବାଦ ମୀମାଂସା କରି ଗତ ୪୪ବର୍ଷ ମଧ୍ୟରେ ଅବହେଳିତ ବୌଦ୍ଧଧର୍ମକୁ ସେ ସିଂହଳରେ ପୁନର୍ବାର ସୁପ୍ରତିଷ୍ଠିତ କଲେ । ଯେଉଁମାନଙ୍କର ଧର୍ମରେ ପ୍ରକୃତରେ ଆଗ୍ରହ ନ ଥିଲା, ବୃଥାରେ ନାନା କନ୍ଦଳ ସୃଷ୍ଟି କରୁଥିଲେ, ସେମାନଙ୍କ କୌଶଳରେ ଧର୍ମପୀଠମାନଙ୍କରୁ ଖସାଇ ବଡ଼ ବଡ଼ ଚାକିରୀରେ ପ୍ରଲୋଭିତ କରି ହାତ କରିନେଲେ । ସେ ଗୋଟିଏ ବିରାଟ ଚିକିତ୍ସାଳୟ ନିର୍ମାଣ କରି ସେଥିରେ ଶତ ଶତ ରୋଗଶଯ୍ୟାର ବ୍ୟବସ୍ଥା କରିଥିଲେ-। ପ୍ରତି ରୋଗୀର ଶୁଶ୍ରୂଷା ଲାଗି ସେ ଦୁଇଜଣ ପରିଚାରିକା ନିଯୁକ୍ତ କରିଥିଲେ । ନିଜେ ଚିକିତ୍ସାଳୟ ପରିଦର୍ଶନ କରି ପ୍ରତି ରୋଗୀର ସମ୍ୱାଦ ବୁଝି ବିହିତ ପ୍ରତିକାର କରୁଥିଲେ ।

 

ତତ୍ପରେ ସମ୍ରାଟ ପଲୋନରୁଆରେ ବିରାଟ ସପ୍ତତଳ ରାଜପ୍ରସାଦ ନିର୍ମାଣ କଲେ । ଏଥିରେ ୧୦୦୦ଟି କୋଠରୀ ଥିଲା । ରାଜବାଟି ନିକଟରେ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଲାଗି ସରସ୍ୱତୀ ମଣ୍ଡପ ନାମକ ଏକ ରଙ୍ଗମଞ୍ଚ ନିର୍ମାଣ କଲେ । ନନ୍ଦନ ନାମକ ଏକ ବୃହତ୍‍ ଉଦ୍ୟାନ, ‘ରାଜବେଶୀ ଭୁଜଙ୍ଗ’ ନାମକ ଏକ ସଭା ଭବନ, ୨୮ଟି ପାଠାଗାର, ୨୮ଟି ପାର୍କ ଓ ଅସଂଖ୍ୟ ରାଜପଥ ନିର୍ମାଣ କଲେ । ତାଙ୍କ ରାଜତ୍ୱରେ ଜଳସେଚନ ଲାଗି ୧୪୭୦ଟି ଜଳଧାର ଖନିତ ହୋଇଥିଲା ଏବଂ ସିଂହଳର ପ୍ରତ୍ୟେକ ଇଞ୍ଚ ଜମିରୁ ଫସଲ ଉତ୍ପାଦନ କରିବା ଲାଗି ସେ ବ୍ୟବସ୍ଥା କରିଥିଲେ ।

 

ଦିଗ୍‍ବିଜୟ–

 

ବର୍ମାର ଅରିଦମନ ବୋଲି ଜଣେ ରାଜା ପରାକ୍ରମଙ୍କ ବୈଦେଶିକ ଦୂତ ଧର୍ମକୀର୍ତ୍ତିଙ୍କୁ ବିଶେଷ ଅପମାନିତ କରିଥଲେ । କୌଣସି ସିଂହଳୀ ରାଜକନ୍ୟା କମ୍ୱୋଡ଼ିଆ ରାଜାଙ୍କୁ ବିଭା କରିବା ଉଦ୍ଦେଶ୍ୟରେ ସମୁଦ୍ର ପଥରେ ଯାତ୍ରା କରିବା ସମୟରେ ଅରିଦମନ ତାଙ୍କୁ ଧରି ନେଇଗଲେ-। ପରାକ୍ରମ ଓ ଦୁଃସମ୍ୱାଦ ପାଇ କ୍ରୋଧରେ ଜଳି ଉଠିଲେ । ଶତ ଶତ ଜାହାଜର ଏକ ବିରାଟ ଭେଳା ପ୍ରସ୍ତୁତ ହେଲା । ସେଥିରେ ଏକ ବର୍ଷ ଲାଗି ଯଥେଷ୍ଟ ଖାଦ୍ୟ, ଔଷଧ, ଅସ୍ତ୍ରଶସ୍ତ୍ର ପ୍ରଭୃତି ଯୁଦ୍ଧୋପକରଣ ସଂଗୃହୀତ ହୋଇ ରାଖାଗଲା । ଜାହାଜ ଭେଳା ସମୁଦ୍ରରେ ଯିବା ସମୟରେ ଗୋଟିଏ ଚଳନ୍ତା ଦ୍ୱୀପ ପରି ଦେଖାଯାଉଥାଏ । କୁସୁମୀ ଓ ପପ୍ୱଲ ନାମକ ଦୁଇଟି ବନ୍ଦରରେ ସୈନ୍ୟମାନେ ନିରାପଦରେ ଅବତରଣ କଲେ । ସଂଗ୍ରାମରେ ବର୍ମାର ରାଜା ପରାଜିତ ଓ ନିହତ ହେଲେ । ତତ୍ପରେ ପରାକ୍ରମ ଡିଣ୍ଡୀମ ବଜାଇ ବର୍ମାର ରାଜା ପରାଜିତ ଓ ନିହତ ହେଲେ-। ତତ୍ପରେ ପରାକ୍ରମ ଡିଣ୍ଡୀମ ବଜାଇ ବର୍ମା ଉପରେ ସିଂହଳର ପ୍ରଭୃତ୍ୱ ଘୋଷଣା କରାଇଲେ । ବର୍ମା ପ୍ରତିବର୍ଷ କର ସ୍ୱରୂପ କେତେକ ହସ୍ତୀ ଦେବାର ସ୍ଥିର ହେଲା ।

 

ଦକ୍ଷିଣ ଭାରତରେ ଚୋଳ ଓ ପାଣ୍ଡୁରାଜାଙ୍କ ମଧ୍ୟରେ ସଂଗ୍ରାମ ଲାଗିବାରୁ ପାଣ୍ଡୁରାଜା ମହାପ୍ରତାପଶାଳୀ ପରାକ୍ରମଙ୍କର ସାହାଯ୍ୟ ଭିକ୍ଷାକଲେ । ସିଂହଳ ରାଜା ସାହାଯ୍ୟ ପଠାଇବା ପୂର୍ବରୁ ପାଣ୍ଡୁରାଜା ଯୁଦ୍ଧରେ ନିହତ ହୋଇଥିଲେ ଏବଂ ଚୋଳମାନେ ଉକ୍ତ ରାଜ୍ୟ ଅଧିକାର କରିନେଇଥିଲେ । ଏ ଦୁଃସମ୍ୱାଦରେ ବିଚଳିତ ନ ହୋଇ ଚୋଳମାନଙ୍କୁ ପାଣ୍ଡୁରାଜ୍ୟରୁ ବିତାଡ଼ିତ କରିବା ଉଦ୍ଦେଶ୍ୟରେ ପରାକ୍ରମ ଏକ ବିରାଟବାହିନୀ ପଠାଇଲେ । ପାଣ୍ଡୁରାଜ୍ୟ ଶତ୍ରୁ କବଳରୁ ମୁକ୍ତ ହେଲା; ଚୋଳ ରାଜ୍ୟ ମଧ୍ୟ ବିଧ୍ୱସ୍ତ ହେଲା । ସେଠାରେ ନିଜ ପ୍ରଭୁତ୍ୱ ବଜାୟ ରଖିବା ଲାଗି ପରାକ୍ରମ ସିଂହଳୀ ମୁଦ୍ରା ଚଳାଇଲେ ।

 

ନିକାୟ ସଂଗ୍ରହରୁ ପରାକ୍ରମଙ୍କ ଶାସନସଂସ୍ଥା ବିଷୟରେ ସ୍ଥୂଳ ଧାରଣା ଜନ୍ମେ । ୧ । ଅଧିକାର (ବିଚାର), ୨ । ସେନାବିରାଟ (ସେନାପତି), ୩ । ଇପା (ଉତ୍ତରାଧିକାରୀ), ୪ । ମାପା (ଦ୍ୱିତୀୟ ଉତ୍ତରାଧିକାରୀ), ୫ । ମହାଲେନ (ରାଜ୍ୟର ସଂସ୍ଥାପକ), ୬ । ମହାରେତ୍ନ (ଘରୋଇବିଭାଗ ମନ୍ତ୍ରୀ), ୭ । ଅନୁନ (ଦ୍ୱତୀୟ ଘରୋଇବିଭାଗ ମନ୍ତ୍ରୀ), ୮ । ସଭାପତିନା (ବ୍ୟବସ୍ଥାସଭାର ବାଚସ୍ପତି), ୯ । ସିତୁନା (ବାଣିଜ୍ୟମନ୍ତ୍ରୀ) ୧୦ । ସିରିଟଲେନା (ପ୍ରଧାନ ପରାମର୍ଶଦାତା), ୧୧ । ଦୁଲେନା (ଅଣ୍ଡର ସେକ୍ରେଟରୀ), ୧୨ । ମହାବେଦେନା (ପ୍ରଧାନ ଡାକ୍ତର) ।

 

ସେତେବେଳେ ଲଙ୍କାର ଲୋକସଂଖ୍ୟା ଏକ କୋଟି ଥିଲା । ବର୍ତ୍ତମାନ ଲୋକସଂଖ୍ୟା ତାର ଅର୍ଦ୍ଧେକରୁ କିଛି ବେଶୀ ।

 

ମୁର ପରିବ୍ରାଜକ ଇଡ୍ରିସିଙ୍କ ବିବରଣୀ–

 

‘‘ଆଦିମଶୃଙ୍ଗର ଚତୁର୍ଦ୍ଦିଗରେ ବହୁ ମୂଲ୍ୟବାନ୍‍ ରତ୍ନ ମିଳୁଥିଲା । ଅରଣ୍ୟରୁ ସୁବାସିତ ଚନ୍ଦନ, ଔଷଧ ଓ କସ୍ତୁରୀ ପ୍ରଭୃତି ସଂଗୃହୀତ ହେଉଥିଲା । ନଦୀ ସଙ୍ଗମାନଙ୍କରୁ ଉଚ୍ଚଶ୍ରେଣୀର ମୁକ୍ତା ଉତ୍ତୋଳନ କରାଯାଉଥିଲା । ସିଂହଳରାଜାଙ୍କ ପରି ସେ ସମୟରେ ଭାରତରେ କୌଣସି ଧନଶାଳୀ ରାଜା ନ ଥିଲେ । ଭାରତ, ଚୀନ, କାମ୍ୱୋଡ଼ିଆ, ବର୍ମା ଓ ଅନ୍ୟାନ୍ୟ ଦ୍ୱୀପପୁଞ୍ଜ ସହିତ ସିଂହଳର ବାଣିଜ୍ୟ ସମ୍ପର୍କ ଥିଲା ।

 

ମନ୍ତ୍ରୀସଭା ଦ୍ୱାରା ରାଜ୍ୟଶାସନ ନିୟନ୍ତ୍ରିତ ହେଉଥିଲା । ଏହି ସଭାରେ ୧୬ଜଣ ମନ୍ତ୍ରୀ ଥଲେ, ୪ଜଣ ଖ୍ରୀଷ୍ଟିଆନ୍‍, ୪ଜଣ ବୌଦ୍ଧ, ୪ ଜଣ ମୁସଲମାନ ଓ ୪ ଜଣ ଜିଉ । ରାଜା ସ୍ୱଦେଶର ପୁଙ୍ଖାନୁପୁଙ୍ଖ ଇତିହାସ ରଚନା ପ୍ରତି ସଚେତନ ଥିଲେ ।’’

 

ତେଣୁ ଭାରତ ଇତିହାସ ପରି ସିଂହଳ ଇତିହାସ ଆଜି ରହସ୍ୟାଚ୍ଛନ୍ନ ନୁହେଁ ବା କେତୋଟି ଶିଳାଲେଖ, ତାମ୍ରଫଳକ, ମୁଦ୍ରା, ମୂର୍ତ୍ତି ଉପରେ ପ୍ରତିଷ୍ଠିତ ହୋଇ ଶତ ସମାନ୍ତର ସମ୍ଭାବନା ଜାଗ୍ରତ କରେ ନାହିଁ । ପରାକ୍ରମବାହୁ ୧୧୮୬ରେ ପରଲୋକଗାମୀ ହେଲେ । ଏହିଠାରୁ ୧୫୦୯ ପର୍ଯ୍ୟନ୍ତ ସିଂହଳରେ ଶିକ୍ଷାର ବିଶେଷ ପ୍ରସାର ହୋଇଥିଲା ଓ ପରାକ୍ରମଙ୍କ ପରି ପରବର୍ତ୍ତୀ ରାଜାମାନେ ପରାକ୍ରମଶାଳୀ ନ ହେଲେହେଁ ରାଜ୍ୟଶାସନ ଉନ୍ନତ ମାର୍ଗରେ ଗତି କରିଥିଲା ।

 

ସିଂହଳର ଓଡ଼ିଆ ରାଜା–

 

ଶ୍ରୀଯୁକ୍ତ ମହତାବ୍‍ ତାଙ୍କ ଓଡ଼ିଶା ଇତିହାସରେ ଲେଖିଛନ୍ତି, ‘‘ସିଂହଳରେ ମେଘବାହନ ଉପାଧିଧାରୀ ରାଜା ଥିଲେ ଏବଂ ଓଡ଼ିଶାର ଐର ରାଜା ମଧ୍ୟ ମେଘବାହନ ଥିବାରୁ ସିଂହଳରାଜା ଓଡ଼ିଆ ବୋଲି ଅନୁମାନ କରିବାପାଇଁ ଯଥେଷ୍ଟ ପ୍ରମାଣ ନାହିଁ ବୋଲି ତାଙ୍କୁ ଆମ୍ଭେମାନେ ଛାଡ଼ି ଦେଇଅଛୁ ।’’

 

ବୈଦଶିକ ତଥା ସିଂହଳବାସୀଙ୍କ ଲିଖିତ ଇତିହାସ ପାଠ କରିଥିଲେ, ଓଡ଼ିଆମାନେ ଯେ ଶତ ଶତ ବର୍ଷ ଧରି ସିଂହଳ ଶାସନ କରିଥିଲେ, ରାଜନୈତିକ, ଧର୍ମଗତ ଓ ବାଣିଜ୍ୟଗତ ସମ୍ପର୍କ ଯେ ଉଭୟ ଦେଶ ମଧ୍ୟରେ ଅତି ନିବିଡ଼ ଥିଲା, ସେ ବିଷୟରେ ସେ ସୁଦୃଢ଼ ପ୍ରମାଣ ପାଇ ପାରିଥାନ୍ତେ । ସେ ସବୁ ଗ୍ରନ୍ଥ ପଢ଼ିଥିଲେ ‘‘ସାଗର ପାରେ ଓଡ଼ିଆ’’ ଅଧ୍ୟାୟଟି ସର୍ବାଙ୍ଗସୁନ୍ଦର ହୋଇ ପାରିଥାନ୍ତା ।

 

ବହିର୍ବାଣିଜ୍ୟରେ ଭାରତୀୟମାନଙ୍କ ମଧ୍ୟରେ କଳିଙ୍ଗବାସୀ ଯେ ଶୀର୍ଷସ୍ଥାନ ଅଧିକାର କରିଥିଲେ, ତାହା ଐତିହାସିକମାନେ ମୁକ୍ତକଣ୍ଠରେ ସ୍ୱୀକାର କରିଅଛନ୍ତି । ବର୍ମା, ଚୀନ, ସିଂହଳ, ଜାଭା, ବାଲି, ମାଲୟ ଉପକୂଳର ଦ୍ୱୀପମାନଙ୍କ ସହିତ ବାଣିଜ୍ୟ କରି ସାଧବପୁଅମାନେ କେବଳ କଳିଙ୍ଗକୁ ସମୃଦ୍ଧିଶାଳୀ କରି ନ ଥିଲେ, ଉକ୍ତ ଅଞ୍ଚଳରେ ଉପନିବେଶ ସ୍ଥାପନ, ଶତ ଶତ ବର୍ଷ ଶାସନ ବି କରିଥିଲେ, ଧ୍ୱଂସାବଶେଷ ଭାସ୍କର୍ଯ୍ୟ, ପ୍ରାପ୍ତ ତାମ୍ରଫଳକ ହିଁ ତାର ପ୍ରମାଣ ଦେଉଛି । ଶ୍ରୀ ରମେଶ ମଜୁମଦାର୍‍ ଲେଖିଛନ୍ତି, ‘‘ମନୁଷ୍ୟର ଅନ୍ତର୍ଗତ ଉନ୍ନତ ଭାବରାଜିକୁ ମନୋହର ଭାବରେ ରୂପାୟନ କରିବା ଯଦି କଳାର ଲକ୍ଷ୍ୟ ହୋଇଥାଏ ତେବେ ବରବୁଦର କୀର୍ତ୍ତି ସମଗ୍ର ପୃଥିବୀରେ ଅତି ଶ୍ରେଷ୍ଠ କୀର୍ତ୍ତିମାନଙ୍କ ମଧ୍ୟରେ ଗଣ୍ୟ ।’’

 

କଳିଙ୍ଗର ଶୈଳୋଭବବଂଶ ସୁବର୍ଣ୍ଣଦ୍ୱୀପରେ ଶୈଳେନ୍ଦ୍ରବଂଶ ନାମରେ ପରିଚିତ ହେବା ଖୁବ୍‍ ସମ୍ଭବ । ଚୀନ୍‍ ବୈଦେଶିମାନେ ଜାଭା (ଯବ) ଦ୍ୱୀପକୁ ହୋ-ଲିଙ୍ଗ (କଳିଙ୍ଗ) ବୋଲି କହୁଥିଲେ-। ଏହାହିଁ ଉକ୍ତ ଦେଶମାନଙ୍କ ସହିତ କଳିଙ୍ଗର ନିବିଡ଼ତମ ସମ୍ପର୍କର ପ୍ରମାଣ ।

 

ରାଖାଲଦାସ ବାନାର୍ଜି ତାଙ୍କ ଓଡ଼ିଶା ଇତିହାସରେ ଲେଖିଅଛନ୍ତି–‘‘The Kalingan origin of the earliest colonists from India does not merely depend on the term now applied to Indians in Indian Archipelago but also on definite historical and archaeological grounds.’’

 

ମାନ୍ଦ୍ରାଜ ଧର୍ମ ସମାଜର ସଭାପତି ସି.ଦିନରାଜ ଦାସ ‘ସିଂହଳ ଓ ଭାରତୀୟ ସଂସ୍କୃତି’ ପ୍ରବନ୍ଧରେ ଲେଖିଛନ୍ତି, ‘‘ବର୍ତ୍ତମାନ ସିଂହଳୀମାନେ ଓଡ଼ିଆଙ୍କର ବଂଶଧର; ଓଡ଼ିଆମାନେ ଜାଭା, ସୁମାତ୍ରା ଓ କାମ୍ୱୋଡ଼ିଆରେ ହିନ୍ଦୁ ସାମ୍ରାଜ୍ୟ ସ୍ଥାପନ କରିବା କଥା ଅତି ଜଣାଶୁଣା ।’’

 

କଳିଙ୍ଗୀମାନେ ବାଣିଜ୍ୟ ବ୍ୟବସାୟରେ ସିଂହଳ ଲୁଟ୍‍ କରୁଥିଲେ ବୋଲି ସିଂହଳବାସୀ ଏବେସୁଦ୍ଧା ସେମାନଙ୍କୁ ସେହି ଦିଗରୁ ଶତ୍ରୁ ଆଖ୍ୟା ଦିଅନ୍ତି ।

 

କଳିଙ୍ଗ ସହିତ ସିଂହଳର ରାଜନୈତିକ ସଂପର୍କ ସଂପର୍କ ବିଜୟ ସିଂହଙ୍କ ସିଂହଳ ଅଧିକାରଠାରୁ ଆରମ୍ଭ ହେଲା । ଏହା ଖ୍ରୀ:ପୂ: ୫୪୪ର ଘଟଣା । ସେହିଦିନଠାରୁ ଖ୍ରୀ:ପୂ: ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗ ରାଜବଂଶ କେତେବେଳେ ସିଂହଳର ଏକାଂଶ, କେତେବେଳେ ବା ସମଗ୍ର ସିଂହଳ ଶାସନ କରିଥିଲେ । ଦୁଇ ହଜାର ବର୍ଷ ପର୍ଯ୍ୟନ୍ତ ସିଂହଳ ଉପରେ ପ୍ରଭୁତ୍ୱ କଳିଙ୍ଗ ପକ୍ଷରେ କମ୍‍ ଗୌରବର କଥା ନୁହେଁ । ଅବଶ୍ୟ କଳିଙ୍ଗମାନେ ଧାରାବାହିକଭାବରେ ଶାସନ କରି ନାହାନ୍ତି, ଏ କଥା ସତ୍ୟ । ସେମାନଙ୍କ ରାଜତ୍ୱର ଧାରା ମଧ୍ୟେ ମଧ୍ୟ ଛିନ୍ନ ହୋଇଛି ।

 

ବିଜୟ ଓ ବିଜୟଙ୍କ ବଂଶଧରମାନେ ଖ୍ରୀ:ପୂ: ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ । ସିଂହଳ ରାଜା ଚତୁର୍ଥ ମହିନ୍ଦ କଳିଙ୍ଗ ରାଜକନ୍ୟାଙ୍କର ପାଣିଗ୍ରହଣ କରିଥିଲେ । ବିଜୟବାହୁ ପ୍ରଥମ ୧୦୭୨ ଖ୍ରୀଷ୍ଟାବ୍ଦରେ କଳିଙ୍ଗ ରାଜକନ୍ୟାଙ୍କ ପାଣିଗ୍ରହଣ କରିଥିଲେ । ବିଜୟବାହୁ ପ୍ରଥମ ୧୦୭୨ ଖ୍ରୀଷ୍ଟାବ୍ଦରେ କଳିଙ୍ଗ ରାଜକନ୍ୟା ତ୍ରିଲୋକ ସୁନ୍ଦରୀଙ୍କି ବିବାହ କରିଥିଲେ । ଗଙ୍ଗାବଂଶର ଦେବେନ୍ଦ୍ରବର୍ମା ରାଜରାଜଦେବ (୧୦୭୦-୧୦୭୭) ସେ ସମୟରେ କଳିଙ୍ଗର ରାଜା ଥିଲେ ।

 

ପଲୋନରୁଆ ରାଜବଂଶ–

 

କଳିଙ୍ଗ ରାଜବଂଶର ରକ୍ତସଂପର୍କୀୟ ବିକ୍ରମବାହୁ ସିଂହଳର ଯଥାର୍ଥ ଉତ୍ତରାଧୀକାରୀ ହେଲେହେଁ ପାଣ୍ୟବଂଶର ଜୟବାହୁ ତାଙ୍କ ରାଜ୍ୟ ଆକ୍ରମଣ କଲେ ଏବଂ ପଲୋନରୁଆରେ ସଂପୂର୍ଣ୍ଣରୂପେ ପରାଭୂତ ହେଲେ । କିନ୍ତୁ ସିଂହଳ ସେତେବେଳକୁ ଖଣ୍ଡବିଖଣ୍ଡିତ ହୋଇ କ୍ଷୁଦ୍ର କ୍ଷୁଦ୍ର ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ବୁଦ୍ଧଙ୍କ ଦନ୍ତକୁ ଯେଉଁ ଦୁର୍ବୃତ୍ତମାନେ ରୋହୁଣକୁ ଘେନିଯାଇଥିଲେ, ବିକ୍ରମବାହୁ ସେମାନଙ୍କ ପ୍ରତି ସମୁଚିତ ଦଣ୍ଡର ବ୍ୟବସ୍ଥା କରିଥିଲେ । ଶ୍ରୀବଲ୍ଲଭ ଓ କୀର୍ତ୍ତିଶ୍ରୀମେଘ ନାମକ ଦୁଇ ଜଣ ରାଜା ତାଙ୍କ ରାଜ୍ୟ ଆକ୍ରମଣ କରି ପରାଭୂତ ହୋଇଥିଲେ । ସେ ୧୧୧୧ରୁ ୧୧୩୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ । ତତ୍ପରେ ତାଙ୍କ ପୁତ୍ର ଗଜବାହୁ ଦ୍ୱିତୀୟ ପଲୋନରୁଆରେ ରାଜା ହେଲେ । ପରାକ୍ରମବାହୁ (ପରେ ସିଂହଳର ଶ୍ରେଷ୍ଠ ସମ୍ରାଟ୍‍) ତାଙ୍କର ଅତିଥି ହୋଇ ଆସି କୂଟନୀତିକ ଦୃଷ୍ଟିରେ ସମଗ୍ର ରାଜ୍ୟର ଅବସ୍ଥିତି କଳନା କରିନେଲେ ଓ ପ୍ରଜାମାନଙ୍କ ସହିତ ମିଶି ରାଜାଙ୍କ ବିରୁଦ୍ଧରେ କ୍ଷଡ଼ଯନ୍ତ୍ର କଲେ । ରାଜଗାଦି ପାଇବା ମାତ୍ରେ ସେ ଗଜବାହୁଙ୍କୁ ଆକ୍ରମଣ କରି ପରାସ୍ତ କଲେ ।

 

ନିଶଙ୍କମଲ୍ଲ ସିଂହଳର ଶ୍ରେଷ୍ଠ ସମ୍ରାଟ୍‍ ପରାକ୍ରମବାହୁଙ୍କର ଜାମାତା । ସେ ୧୧୫୭ ଖ୍ରୀଷ୍ଟାବ୍ଦରେ କଳିଙ୍ଗର ସିଂହପୁରରେ ଜନ୍ମଗ୍ରହଣ କରିଥିଲେ ସେତେବେଳକୁ କଳିଙ୍ଗରେ ଗଙ୍ଗବଂଶର ରାଘବ ରାଜା ହୋଇଥିଲେ । ସେ କାମାର୍ଣ୍ଣବଙ୍କ ବିମାତା ଇନ୍ଦିରାଙ୍କ ଗର୍ଭଜାତ ଭାଇ ।

 

ନିଶଙ୍କମଲ୍ଲଙ୍କ ରକ୍ତ ପୂରା କଳିଙ୍ଗୀ; ପଲୋନରୁଆର ବିଭିନ୍ନ ଶୈଳରେ ତାଙ୍କର ଅନେକ ଶିଳାଲେଖ ଅଛି; ନିଶଙ୍କମଲ୍ଲ ବିଜୟ ସିଂହଙ୍କ ଯଥାର୍ଥ ଉତ୍ତରାଧିକାରୀ ବୋଲି ଶିଳାଲେଖରେ ସିଂହଳର ସିଂହାସନ ଦାବୀ ଉପସ୍ଥାପିତ କରିଅଛନ୍ତି । ତାଙ୍କର ଦାବୀ ସିଂହଳବାସୀଙ୍କ ଦ୍ୱାରା ସମର୍ଥିତ ହୋଇଅଛି । ସେ ୧୧୮୭ ଠାରୁ ୧୧୯୬ ପର୍ଯ୍ୟନ୍ତ ୯ବର୍ଷ ଶାସନ କରିଥିଲେ । ସେ ପ୍ରତାପଶାଳୀ, ସୁବିବେଚକ ଓ ଉଚ୍ଚମନା ରାଜା ଥିଲେ । ତାଙ୍କର ବିରାଟ ବ୍ୟକ୍ତିତ୍ୱ ପ୍ରୟୋଗ କରି ସେ ବିଭିନ୍ନ ବୌଦ୍ଧ ସଂପ୍ରଦାୟର କଳହ ମୀମାଂସା କରି ଦେଇଥିଲେ । ରୂଓ୍ୱାନ୍‍ଆଲୀ ବିହାର, ଦନ୍ତମନ୍ଦିର ଓ ଡାମ୍ୱୁଲାର ଭିତ୍ତିଚିତ୍ର ତାଙ୍କର ପ୍ରଧାନ କୀର୍ତ୍ତି । ସେ ଯେପରି ସୁଶାସକ, ସେହିପରି ବୀର ଥିଲେ । ସେ ତିନି ଥର ପାଣ୍ଡ୍ୟରାଜ୍ୟ ଆକ୍ରମଣ କରିଥିଲେ ।

 

କ୍ଷତ୍ରିୟ ରାଜବଂଶ ବ୍ୟତୀତ ଅନ୍ୟ କେହି ସିଂହଳର ରାଜା ହୋଇପାରିବ ନାହିଁ ବୋଲି ସେ ଆଇନ୍‍ ପ୍ରଣୟନ କରିଥିଲେ । ହିନ୍ଦୁ ଯେପରି ରାଜାଙ୍କୁ ମହତୀ ଦେବତା ଦୃଷ୍ଟିରେ ଦେଖେ, ବୌଦ୍ଧମାନେ ସେହିପରି ରାଜାଙ୍କୁ ବୋଧିସତ୍ୱ ମନେକରି ସମ୍ମାନ କରିବା ବାଞ୍ଛାନୀୟ ବୋଲି ସେ ପ୍ରଚାର କରୁଥିଲେ । ନିଶଙ୍କମଲ୍ଲଙ୍କ ସମୟରେ ରାଜପୁତାନା ଓ କାମ୍ୱୋଡ଼ିଆ ସହିତ ସିଂହଳର ବାଣିଜ୍ୟ ସଂପର୍କ ସ୍ଥାପିତ ହୋଇଥିଲା ।

 

ରାଜାଙ୍କ ବ୍ୟବସ୍ଥା ସଭାରେ ଯୁବରାଜ, ସାମନ୍ତ ରାଜନ୍ୟବର୍ଗ, ସେନାପତି, ବିଭିନ୍ନ ଜିଲାର ଶାସକ ଓ ବଡ଼ ବଡ଼ ବ୍ୟବସାୟୀମାନେ ଉପସ୍ଥିତ ହେଉଥିଲେ । ବାହାର ଆକ୍ରମଣରୁ ରକ୍ଷା ପାଇବା ଲାଗି ପ୍ରତି ଦୁଇ ମାଇଲରେ ପର୍ବତ ଉପରେ ବୃହତ୍‍ ପ୍ରସ୍ତରସବୁ ଖଞ୍ଜା ହୋଇ ରହୁଥିଲା ।

 

ତତ୍ପରେ ତାଙ୍କ ପୁତ୍ର ବୀରବାହୁ ଅଭିଷେକ ଦିବସରେ ନିହତ ହୋଇଥିଲେ; ଅନେକ ଦିନ ସାମରିକ ଶାସନ ଚାଲିବା ପରେ ୧୨୦୦ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୩ ତାରିଖରେ ସାହସମଲ୍ଲ ରାଜା ହେଲେ । ସେ ୧୫ ବର୍ଷ ସିଂହଳ ଶାସନ କରିଥିଲେ । ୧୨୧୫ରେ କଳିଙ୍ଗ ରାଜବଂଶର ମାଘ ଏକ ବିରାଟ କେରଳ ମାଲବାରୀ ସୈନ୍ୟବାହିନୀ ଘେନି ସିଂହଳ ଉପକୂଳରେ ଅବତରଣ କଲେ । ସିଂହାସନ ଉପରେ ତାଙ୍କର ବଂଶାନୁଗତ ଦାବୀ ସାବ୍ୟସ୍ତ ହେଲା । ସେ ନୈଷ୍ଠିକ ହିନ୍ଦୁ ଥିଲେ, କିନ୍ତୁ ନିତାନ୍ତ ଧର୍ମ ଅସହିଷ୍ଣୁ ଥିବାରୁ ବୌଦ୍ଧମାନଙ୍କ ଉପରେ ଅତ୍ୟାଚାର କରି ଅପ୍ରିୟ ହୋଇ ପଡ଼ିଲେ । ତାଙ୍କ ସମୟରେ ଅନେକ ହିନ୍ଦୁ ମନ୍ଦିର ନିର୍ମିତ ହୋଇଥିଲା ।

 

ଜାଫାନା ରାଜବଂଶ–

 

ବିଜୟବାହୁଙ୍କ ପୁତ୍ର ପରାକ୍ରମବାହୁ ଷଷ୍ଠ, କଳିଙ୍ଗ ରାଜକନ୍ୟା ସୁନେତ୍ରା ଦେବୀଙ୍କୁ ବିବାହ କରିଥିଲେ । ସେ ୧୪୧୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ଏହି ରାଜବଂଶର ଆର୍ଯ୍ୟଚକ୍ରବର୍ତ୍ତୀ ଉପାଧି ଥିଲା । ସେମାନେ କଳିଙ୍ଗ-ଗଙ୍ଗରାଜବଂଶର ବୋଲି ଗର୍ବ କରୁଥିଲେ । କଳିଙ୍ଗମାଘ ଓ ତାଙ୍କର ଉତ୍ତରାଧିକାରୀମାନେ ଜାଫାନା ଉପରେ ତାଙ୍କର କର୍ତ୍ତୃତ୍ୱ ବଜାୟ ରଖିଥିଲେ-। (ପୃ: ୯୨ H.W Cordington-A Short History of Ceylone)

 

ଆରବ ପରିବ୍ରାଜକ ଇବୁ ବାଟୁଟ୍‍୧୩୪୪ ରେ କଳିଙ୍ଗ ରାଜବଂଶ ବିଷୟରେ ଲେଖିଛନ୍ତି ‘‘ଜାଫାନା ରାଜାମାନେ ପ୍ରତାପଶାଳୀ; ଏହି ରାଜ୍ୟ ସିଂହଳର ଦକ୍ଷିଣରେ ପୁତ୍ତଳମ୍‍ ପର୍ଯ୍ୟନ୍ତ ବିସ୍ତୃତ ଥିଲା; ମୁକ୍ତା ଉତ୍ତୋଳନ ଅଞ୍ଚଳ ଉପରେ ଜାଫାନା ରାଜାଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ଥିଲା ।’’ (P.71 Mendis–Early History of Ceyloen)

 

ତ୍ରିସିଂହଳାଧିପତି ଉପାଧି ଏହି ରାଜବଂଶ ଗ୍ରହଣ କରିଥିଲେ । ଏହିପରି କଳିଙ୍ଗ ଓ ସିଂହଳ ମଧ୍ୟରେ ବୈବାହିକ, ବାଣିଜ୍ୟିକ, ରାଜନୀତିକ ଓ ସାଂସ୍କୃତିକ ସଂପର୍କ ଖୁବ୍‍ ନିବିଡ଼ ହୋଇଥିଲା ।

 

ପୁର୍ତ୍ତୁଗୀଜ୍‍ମାନଙ୍କ ଆଗମନ–

 

Unknown

କ୍ରମେ ଓଡ଼ିଆମାନଙ୍କର ନୌଶକ୍ତିର ହ୍ରାସ ହେଲା । ପାଶ୍ଚାତ୍ୟ ନୂତନ ଯୁଦ୍ଧ ଜାହାଜ ସଙ୍ଗେ ସେମାନେ ପ୍ରତିଯୋଗିତା କରିପାରି ନ ଥିବା ଖୁବ୍‍ ସମ୍ଭାବନା । ତେଣୁ ବଙ୍ଗୋପସାଗରର କର୍ତ୍ତୃତ୍ୱ କ୍ରମେ ପାଶ୍ଚାତ୍ୟମାନଙ୍କ ମଧ୍ୟରେ ଅଗ୍ରଗାମୀ ପର୍ତ୍ତୃଗୀଜ୍‍ଙ୍କ ହାତକୁ ଚାଲିଗଲା । ପର୍ତ୍ତୃଗୀଜ୍‍ ଜଳଦସ୍ୟୁମାନଙ୍କ ଦ୍ୱାରା ଆକ୍ରାନ୍ତ ଓଡ଼ିଆ ଜାହାଜର କରୁଣ କାହାଣୀ ଆମେ ଫକୀରମୋହନଙ୍କ ‘ଗଳ୍ପସଳ୍ପ’ ରୁ ପାଉଁ ।

 

ବାଣିଜ୍ୟ ଉଦ୍ଦେଶ୍ୟରେ ବଙ୍ଗୋପସାଗରରେ ଭ୍ରମଣ କରୁଁ କରୁଁ ପର୍ତ୍ତୁଗୀଜ୍‍ମାନଙ୍କର ବୋଇତଭେଳା ୧୫୦୫ରେ ସିଂହଳର ‘ଗାଲ୍‍’ ବନ୍ଦରରେ ପହଞ୍ଚିଲା । କଲମ୍ୱୋରେ ବାଣିଜ୍ୟକୋଠି ନିର୍ମାଣର ଅନୁମତି ପାଇ ୧୬୧୮ ରେ ଲୋପୋ ସୋରଷ୍ଟ ଆଲେଜେରିଆ ୭୦୦ଲୋକ ଓ ଗୁଳିଗୋଳା ଘେନି ସିଂହଳରେ ପହଞ୍ଚିଲେ । ବାଣିଜ୍ୟକୋଠି ବଦଳରେ ଦୁର୍ଗ ନିର୍ମାଣ କରିବା ଦେଖି ସିଂହଳବାସୀ ପ୍ରତିବାଦ କଲେ ବି ନୂତନପ୍ରକାର କମାଣ, ବନ୍ଧୁକ ଦେଖି ଡରିଗଲେ ।

 

ବାଣିଜ୍ୟ କରିବା ଓ ସିଂହଳବାସୀଙ୍କି ଖ୍ରୀଷ୍ଟିଆନ୍‍ ଧର୍ମରେ ଦୀକ୍ଷିତ କରିବା ପର୍ତ୍ତୁଗୀଜମାନଙ୍କର ଉଦ୍ଦେଶ୍ୟ ଥିଲା । ସେତେବେଳକୁ ସିଂହଳର କେନ୍ଦ୍ରଶକ୍ତି ନିତାନ୍ତ ଦୁର୍ବଳ, ଦେଶ ଖଣ୍ଡବିଖଣ୍ଡିତ, ରାଜଶକ୍ତିମାନେ ପରସ୍ପର ସହିତ ଯୁଦ୍ଧରେ ବ୍ୟାପୃତ ଥିଲେ । ଏକ ଆଭିମୁଖ୍ୟ ରଚନା କରି ଦୂରଦୃଷ୍ଟି ସମ୍ପନ୍ନ ରାଜାମାନେ ବାହାର ଆକ୍ରମଣ ରୋକିବା ସମ୍ଭବ ହେଲାନାହିଁ । ଫଳରେ ପର୍ତ୍ତୁଗୀଜ୍‍ମାନେ ସିଂହଳବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ ଏବଂ ରାଜକୋଷ ଲୁଣ୍ଠନ କଲେ ଏବଂ ରାଜକୋଷ ଲୁଣ୍ଠନ କଲେ । ମାୟାଧୁନ ଓ ତାଙ୍କ ପୁତ୍ର ରାଜସିଂହ ପର୍ତ୍ତୁଗୀଜଙ୍କ ବିରୁଦ୍ଧରେ ଭୀଷଣ ସଂଗ୍ରାମ କରି ସେମାନଙ୍କୁ କଲମ୍ବୋ ପର୍ଯ୍ୟନ୍ତ ତଡ଼ିନେଲେ । ପର୍ତ୍ତୁଗାଲରେ ଶିକ୍ଷିତ, ଖୀରସ୍ତାନ ଧର୍ମରେ ଦୀକ୍ଷିତ ସିଂହଳ ରାଜା ଧର୍ମପାଳ ମୃତ୍ୟୁ ସମୟରେ ସିଂହଳକୁ ପର୍ତ୍ତୁଗାଲର ରାଜା ଫିଲିପ୍‍ ଦ୍ୱିତୀୟଙ୍କ ନାମରେ ଉଇଲ୍‍ କରିଦେଲେ । ପର୍ତ୍ତୁଗୀଜମାନଙ୍କୁ ଅତ୍ୟାଚାର ଲାଗି ଲାଇସେନ୍‍ସ୍‍ ମିଳିଗଲା । ସେମାନେ ଲଙ୍କାର ଶିଶୁମାନଙ୍କୁ ବର୍ଚ୍ଛା ମୁନରେ ଫୋଡ଼ି କୌତୁକରେ ଆକାଶକୁ ଫିଙ୍ଗିଥିଲେ । ମାଆଙ୍କ ଆଗରେ ପିଲାଙ୍କୁ ଚକରେ ପେଷି ଦେଉଥିଲେ, ଲୋକଙ୍କୁ କିମ୍ଭୀର ଆଗରେ ଫିଙ୍ଗି ଦେଉଥିଲେ, ଲୁଟ୍‍ତରାଜ ତ ସାଧାରଣ କଥା; ଶେଷରେ ଭୀତ ହୋଇ ଲୋକେ ଜଙ୍ଗଲକୁ ପଳାୟନ କଲେ, ମଣିଷ ଅପେକ୍ଷା ହିଂସ୍ରଜନ୍ତୁର ଆଶ୍ରୟ ଅଧିକ ନିରାପଦ ବୋଲି; ସେନେରାଟ୍‍ ପର୍ତ୍ତୁଗୀଜ୍‍ ନାମ ଧାରଣକରି ଖ୍ରୀଷ୍ଟିୟାନ୍‍ ହୋଇ ସିଂହଳର ରାଜା ହେଲେ ଏବଂ ସେ ଡୋନା କଥାରିନାଙ୍କୁ ବିବାହ କଲେ ।

 

ଦିନାମାରମାନଙ୍କ ଆଗମନ–

 

୧୬୧୨ ଖ୍ରୀଷ୍ଟାବ୍ଦର ବସ୍‍ଚାଉଆର୍‍ ହାଲାଣ୍ଡର ରାଷ୍ଟ୍ରସେନାପତିଙ୍କଠାରୁ ଖଣ୍ଡିଏ ପତ୍ର ଘେନି କାଣ୍ଡିରେ ପହଞ୍ଚିଲେ । ସେଥିରେ ଅତ୍ୟାଚାରୀ ପର୍ତ୍ତୁଗୀଜମାନଙ୍କ ବିରୁଦ୍ଧରେ ସେନେରାଟଙ୍କୁ ସାହାଯ୍ୟ ଦେବାକଥା ଉଲ୍ଲେଖ ଥିଲା । ନାନାଭାବେ ଅପମାନିତ ରାଜା ଏ ପ୍ରସ୍ତାବରେ ଅତ୍ୟନ୍ତ ଆନନ୍ଦିତ ହୋଇ ଦିନାମାରମାନଙ୍କୁ କୋଟିଆର୍‍ରେ ଗୋଟିଏ ଦୁର୍ଗ ନିର୍ମାଣ ତଥା ସମଗ୍ର ସିଂହଳରେ ଏକଚାଟିଆ ବାଣିଜ୍ୟ କରିବାର ଅଧିକାର ଦେଲେ । ଦିନାମାର୍‍ ଓ ସିଂହଳର ମିଳିତବାହିନୀ ୭ମାସ କାଳ କଲମ୍ବୋ ଦୁର୍ଗ ଅବରୋଧ କଲାପରେ ପର୍ତ୍ତୁଗୀଜମାନେ ଆତ୍ମସମର୍ପଣ କଲେ । ୧୬୫୬ରେ ପର୍ତ୍ତୁଗୀଜ୍‍ ଶାସନର ଅବସାନ ଘଟିଲା । ସିଂହଳର ବାଣିଜ୍ୟରେ ଏକାଧିପତ୍ୟ ଦିନାମାରମାନଙ୍କ ପ୍ରଧାନ ଲକ୍ଷ୍ୟ ଥିଲା । ହସ୍ତୀ, ଚନ୍ଦନକାଠ, ନାରୀକେଳ, ମୁକ୍ତାରତ୍ନାଦି ସେମାନଙ୍କର ଥିଲା ପ୍ରଧାନ ବାଣିଜ୍ୟ ପଣ୍ୟ ।

 

ଦିନାମାରମାନେ ପର୍ତ୍ତୁଗୀଜ୍‍ଙ୍କ ପରି ଅତ୍ୟାଚାରୀ ନ ଥିଲେହେଁ ଅଳ୍ପଦିନ ମଧ୍ୟରେ ରାଜାଙ୍କର ଅପ୍ରିୟ ହୋଇପଡ଼ିଲେ । ବୌଦ୍ଧଧର୍ମ ରକ୍ଷା ଲାଗି ପ୍ରତିଶ୍ରୁତି ହୋଇଥିଲେହେଁ, ସେମାନେ ଖ୍ରୀଷ୍ଟିୟାନ୍‍ ଧର୍ମ ପ୍ରଚାର କରିବାକୁ ଲାଗିଲେ । ପ୍ରତିଶ୍ରୁତିମତେ ପର୍ତ୍ତୁଗୀଜ୍‍ ବିତାଡ଼ନ ପରେ ରାଜାଙ୍କୁ କଲମ୍ୱୋ ବନ୍ଦର ଛାଡ଼ିଦେଲେ ନାହିଁ । ଏଥିରେ ସିଂହଳରାଜା ରାଜସିଂହ ଉତ୍ୟକ୍ତ ହୋଇ ସଂଯୋଗ ଅପେକ୍ଷା କରି ରହିଲେ ।

 

ଦିନାମାରମାନେ ସିଂହଳର ରାଜ୍ୟ ବିସ୍ତାର ଲାଗି ପ୍ରଚେଷ୍ଠା କରି ନାହାନ୍ତି । ବାଣିଜ୍ୟ ବିସ୍ତାର ଲାଗି ସେମାନେ ରାଜାଙ୍କ ଅପମାନ ବି ନୀରବରେ ବରଦାସ୍ତ କରି ନେଇଥିଲେ ।

 

ଇଂରେଜୀମାନଙ୍କ ଆଗମନ–

 

୧୭୬୩ ଦିନାମାରମାନଙ୍କ ବିରୁଦ୍ଧରେ ମାନ୍ଦ୍ରାଜ ସରକାରଙ୍କ ତରଫରୁ କୀର୍ତ୍ତିଶ୍ରୀ ରାଜ ସିଂହଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ମି:ଫିବସ୍‍ ସିଂହଳରେ ପହଞ୍ଚିଲେ । ରାଜା ତାଙ୍କ ପ୍ରସ୍ତାବରେ ସମ୍ମତ ହୋଇ ଦିନାମାରମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ, କିନ୍ତୁ ଇଂରେଜମାନେ ଆଦୌ ସାହାଯ୍ୟ କଲେନାହିଁ । ୧୭୮୩ ଖ୍ରୀଷ୍ଟାବ୍ଦରେ ମି: ହୁଗ୍‍ସ୍‍ ତ୍ରିକୋମାଲି ଓ ୧୭୯୬ରେ କଲମ୍ୱୋ ଅଧିକାର କଲେ । ଦିନାମାର୍‍ ସୈନ୍ୟମାନଙ୍କ ମଧ୍ୟରେ ଘୋର ଅରାଜକତା ରାଜତ୍ୱ କରୁଥିଲା । ତେଣେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିପ୍ଲବ ହୋଇଥିଲା । ତେଣୁ ଦିନାମାରମାନେ ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ।

 

ସେତେବେଳକୁ ସିଂହଳର ଆଭ୍ୟନ୍ତରୀଣ ଅବସ୍ଥା ଶୋଚନୀୟ । ଦୂରଦୃଷ୍ଟିବିହୀନ ସମାନ୍ତରାଜାମାନେ ବୈଦେଶିକ ସରକାର ସଙ୍ଗରେ କେନ୍ଦ୍ରଶକ୍ତି ବିରୁଦ୍ଧରେ ଚକ୍ରାନ୍ତ କରୁଥିଲେ । ରାଜସିଂହ କ୍ରୋଧୀ ଓ ଅତ୍ୟାଚାରୀ ରାଜା ଥିଲେ । ତାଙ୍କର ସ୍ୱେଚ୍ଛାଚାରୀ ଏକଛତ୍ର ଶାସନ ଲୋକପ୍ରିୟ ହୋଇ ନ ଥିବାରୁ ବ୍ରିଟିଶ୍‍ ସରକାର ଏଥିରୁ ପୁଞ୍ଜି ଉଠେଇବାକୁ ଚେଷ୍ଟାକଲେ । ଆଳ ଖୋଜିବାକୁ ବେଶୀ ଦୂର ଯିବାକୁ ପଡ଼ିଲାନାହିଁ । କେତେକ ବ୍ରିଟିଶ୍‍ ପ୍ରଜାଙ୍କ ଉପରେ ରାଜା ଅତ୍ୟାଚାର କଲେ ବୋଲି ପ୍ରଚାରିତ ହେଲା । ଜଣେ ସାମନ୍ତରାଜା ନିଜ ଦଲାଲ୍‍ଙ୍କ ଦ୍ୱାରା କେତେକ ବ୍ରିଟିଶ୍‍ ବଣିକଙ୍କଠାରୁ ଧନରତ୍ନ ଛଡ଼ାଇନେଇ ରାଜାଙ୍କ ନାଁରେ ବୋଳିଲେ ଏବଂ ବ୍ରିଟିଶ୍‍ ସରକାର ଓ ରାଜାଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଗଲା । ବ୍ରିଟିଶସୈନ୍ୟ ଠିକ୍‍ ଓଡ଼ିଶା ଅଧିକାର କରିବା ସମୟରେ ୧୮୦୩ ଫେବୃୟାରୀ ୨୧ ତାରିଖରେ କାଣ୍ଡି ଅଧିକାର କଲେ ।

 

ରାଜାଙ୍କ ସଙ୍ଗେ କଳହ ଲଗାଇ ମତ୍ତସ୍ୱାମୀ ନାମକ ଜଣେ ସାମନ୍ତ ରାଜା ବ୍ରିଟିଶ୍‍ ପକ୍ଷ ନେଲେ । ତାଙ୍କ ସଙ୍ଗେ ଏହି ସନ୍ଧି ହେଲା ଯେ ସମୁଦାୟ ସିଂହଳ ବ୍ରିଟିଶ୍‍ କର୍ତ୍ତୃତ୍ୱରେ ରହିବ ଓ ସେ ନାମକୁ ମାତ୍ର ରାଜା ରହିବେ । ସ୍ୱାର୍ଥପର କ୍ଷୁଦ୍ରବୁଦ୍ଧି ସାମନ୍ତ ଏହି ଅପମାନଜନକ ସନ୍ଧି କରିବାଲାଗି ତିଳେମାତ୍ର କୁଣ୍ଠିତ ହେଲା ନାହିଁ । ମେଜର୍‍ ଡେଭି ସେନାପତି ହେଲେ ।

 

ବ୍ରିଟିଶ୍‍ କାଣ୍ଡି ଅଧିକାର କରିବା ପରେ ରାଜାଙ୍କ ସୈନ୍ୟମାନେ ସେମାନଙ୍କୁ ଅବରୋଧ କଲେ । ବ୍ରିଟିଶ୍‍ ପକ୍ଷରୁ ବହି ମାଳୟାଳୀ ସିପାହି କ୍ୟାମ୍ପ ଛାଡ଼ି ଚାଲିଗଲେ । ନାନା ରୋଗବ୍ୟାଧିରେ ଆକ୍ରାନ୍ତ ହୋଇ ବହୁ ଇଂରେଜ ପ୍ରାଣତ୍ୟାଗ କଲେ । ଏଥିରେ ସର୍ତ୍ତ ଥିଲା ଯେ ରାଜା ମତ୍ତସ୍ୱାମୀଙ୍କ ନେତୃତ୍ୱରେ ସୁସ୍ଥ ସୈନ୍ୟମାନଙ୍କୁ ନିରାପଦରେ ତ୍ରିକୋମାଲିରେ ପହଞ୍ଚାଇ ଦେବେ । ରାଜା ଅସ୍ତ୍ର ସମର୍ପଣକରି ଯାତ୍ରା କରିବାଲାଗି ଅନୁମତି ଦେଲେ । ଅସ୍ତ୍ରତ୍ୟାଗ ମାତ୍ରେ ରାଜା ବିଶ୍ୱାସଘାତକ ସାମନ୍ତରାଜା ମତ୍ତସ୍ୱାମୀ ସମେତ ସମସ୍ତ ସୈନ୍ୟଙ୍କୁ ନିର୍ଦ୍ଦୟଭାବରେ ହତ୍ୟା କଲେ । ପ୍ରଥମ ବ୍ରିଟିଶ୍‍ ଆକ୍ରମଣ ବିଫଳ ହେଲା ଓ ରାଜା ବିଜୟୀ ହେଲେ ।

 

ଏହି ବିଜୟରେ ଉତ୍ସାହିତ ହୋଇ ରାଜସିଂହ ବାରମ୍ୱାର ବ୍ରିଟିଶ୍‍ ଅଞ୍ଚଳ ଆକ୍ରମଣ କଲେ, କିନ୍ତୁ ପରାଜିତ ହୋଇ ପଳାୟନ କଲେ ।

 

୧୮୦୪ରେ ଚତୁର୍ଦ୍ଦିଗରୁ ଏକାବେଳେକେ ବ୍ରିଟିଶ୍‍ମାନେ ହଠାତ୍‍ କାଣ୍ଡି ଆକ୍ରମଣ କଲେ-। ଏଥର ମଧ୍ୟ ସେମାନେ ବିଫଳ ହେଲେ । ରାଜା ବସନ୍ତରୋଗରେ ପୀଡ଼ିତ ହେବାରୁ ଯୁଦ୍ଧ କିଛିଦିନ ଲାଗି ବନ୍ଦ ରହିଲା ।

 

୧୮୧୫ରେ ଇଂରେଜମାନେ ବିରାଟବାହିନୀ ଘେନି କଲମ୍ୱୋ ଗାଲ୍‍ ଓ ତ୍ରିକୋମାଲି ପ୍ରଭୃତି ଅଞ୍ଚଳରୁ କେନ୍ଦ୍ର ସିଂହଳ ଆକ୍ରମଣ କଲେ । କାଣ୍ଡିବାସୀଙ୍କୁ ଅତ୍ୟାଚାରୀ ରାଜକବଳରୁ ମୁକ୍ତକରି ଉଦାର ବ୍ରିଟିଶ୍‍ ରାଜଛତ୍ର ତଳେ ନିରାପଦରେ ରଖିବା, ପରାଧୀନ ସାମନ୍ତ ରାଜାମାନଙ୍କୁ ସକଳପ୍ରକାର ସୁବିଧା ଦେବା ଆକ୍ରମଣର ଉଦ୍ଦେଶ୍ୟ ବୋଲି ପ୍ରଚାରିତ ହେଲା ।

 

ରାଜସିଂହ ୧୦ଜଣ ବ୍ରିଟିଶ୍‍ ପ୍ରଜାଙ୍କ ହସ୍ତପଦ ଛିନ୍ନ କରିଛନ୍ତି ବୋଲି ଇଂରେଜମାନେ ଅଭିଯୋଗ ଆଣିଲେ ଏବଂ ଅତି ଉତ୍ୟକ୍ତ ହୋଇ ଆତ୍ମସମ୍ମାନ ରକ୍ଷା ଲାଗି ସେମାନେ ଯୁଦ୍ଧ କରିବାକୁ ବାହାରିଲେ । ତା ପୂର୍ବରୁ ସ୍ୱାର୍ଥସର୍ବସ୍ୱ, ଅପରିଣାମଦର୍ଶୀ ସାମନ୍ତ ରାଜାମାନଙ୍କୁ ନାନା ପ୍ରଲୋଭନରେ ସେମାନେ ହାତ କରିନେଲେ । ତେଣୁ କାଣ୍ଡି ଅଧିକାରରେ କୌଣସି ବାଧା ରହିଲା ନାହିଁ । ରାଜସିଂହ ଏକାକୀ ଶେଷ ମୁହୂର୍ତ୍ତରେ ବୀରବିକ୍ରମରେ ଯୁଦ୍ଧ କଲେ । ସେତେବେଳକୁ ଘରେ ଶତ୍ରୁ, ବାହାରେ ଶତ୍ରୁ; ଗୋଟିଏ ନୁହେଁ, ଶତ ଶତ ଜୟଚନ୍ଦ୍ର, ଶତ ଶତ ଶିଖିମନାଇ ମୁଣ୍ଡ ଟେକି ଉଠିଛନ୍ତି; ବ୍ରିଟିଶ୍‍ମାନେ ଜୟୀ ହେଲେ । ଶେଷରେ ଜଣେ ସାମନ୍ତ ରାଜା ପୁରସ୍କାର ଆଶାରେ ରାଜସିଂହଙ୍କୁ ଧରି ବ୍ରିଟିଶ୍‍ ହସ୍ତରେ ସମର୍ପଣ କରେ ।

 

ରାଜବନ୍ଦୀ କଲମ୍ୱୋ ଜେଲରେ କିଛିଦିନ ରହିବା ପରେ ତାଙ୍କୁ ମାନ୍ଦ୍ରାଜର ସେଣ୍ଟଜର୍ଜ୍‍ ଦୁର୍ଗକୁ ପଠାଇ ଦିଆଗଲା । ସେଠାରେ ସ୍ୱାଧୀନତାପ୍ରେମୀ, ସିଂହଳର ଶେଷରାଜା ରାଜସିଂହ ୧୮୩୨ ଜାନୁୟାରୀ ୩୦ ତାରିଖରେ ଦୁଃଖଦୁର୍ଦ୍ଦଶାରେ ହାହାକାର କରି ପ୍ରାଣତ୍ୟାଗ କଲେ । ସିଂହଳର ସ୍ୱାଧୀନତା-ରବି ଏହିପରି ଅସ୍ତମାନ ହେଲା ।

 

କିଛିଦିନ ପରେ ବ୍ରିଟିଶ୍‍ ଅତ୍ୟାଚାର ସହି ନ ପାରି କାଣ୍ଡିବାସୀ ତଥା ସାମନ୍ତରାଜାମାନେ ବିଦ୍ରୋହୀ ହେଲେ, କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣିକି ବୋହିଯାଇଥିଲା; ବ୍ରିଟିଶ୍‍ଙ୍କ ହାତମୁଠା ଟାଣ ହୋଇଯାଇଥିଲା । ଯେ କାଣ୍ଡିକ ରାସ୍ତା ତିଆରି କରିବ, ସିଂହଳ ତାରି ଅଧିନରେ ରହିବ ବୋଲି ଜଣେ ରାଜନୀତିକ ଭବିଷ୍ୟତ୍‍ବକ୍ତା ମତ ପ୍ରକାଶ କରିଥିଲେ । ତାହା ହିଁ ସତ୍ୟ ହେଲା । ବ୍ରିଟିଶ୍‍ କାଣ୍ଡି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କଲେ ଓ କାଣ୍ଡି ସେମାନଙ୍କର ଅଧିକାରରେ ରହିଲା ।

 

ବ୍ରିଟିଶ୍‍ମାନେ ନିଷ୍ଠୁରଭାବରେ ବିଦ୍ରୋହ ଦମନ କଲେ । ସାମନ୍ତରାଜାମାନଙ୍କ ମଧ୍ୟରୁ ଯେଉଁମାନେ ବ୍ରିଟିଶ୍‍ ବିପକ୍ଷରେ ଥିଲେ, ଧରାହୋଇ ଫାଶି ପାଇଲେ, କେତେକ ଯାବତ୍‍ଜୀବନ ଦ୍ୱୀପାନ୍ତର ଗଲେ ବା କାରାଗାରରେ ଦୀନହୀନ ଭାବରେ ପ୍ରାଣତ୍ୟାଗ କଲେ । ହେ ବିଶ୍ୱାସଘାତକଗଣ, ଆଗରୁ ଟିକିଏ ଭାବିଲ ନାହିଁ ! ଦେଶଭାଇ ଯଦି ପର ହୁଏ, ବିଦେଶୀ କେବେ ନିଜର ହୋଇପାରେ ? ଅଣ୍ଟାଛୁରୀ ତୋଟି କାଟି ନଥିଲେ କାହାର ସାଧ୍ୟ ଥିଲା ବାଘନଟାରେ ପଶିବାକୁ ? ପର୍ତ୍ତୁଗୀଜ୍‍ ଯାଇଥିଲେ, ଡଚ୍‍ ଯାଇଥିଲେ । ଇଂରେଜୀ ବି ଯାଇଥାନ୍ତେ । ଭବିଷ୍ୟତର ଜୟଚନ୍ଦ୍ରମାନେ, ସାବଧାନ ହୁଅ; ଦେଶ ବିରୁଦ୍ଧରେ ବିଶ୍ୱାସଘାତକତା କରି କେହି କେବେ ସୁଖଶାନ୍ତି ଭୋଗ କରେ ନାହିଁ ।

 

୧୩୩ ବର୍ଷ କାଳ ଇଂରେଜୀ ଶାସନ ଅଧୀନରେ ରହି ସିଂହଳ ୧୯୪୮ ଫେବୃୟାରୀ ୪ ତାରିଖରେ ସ୍ୱାଧୀନ ହେଲା । ଭାରତର କଂଗ୍ରେସ ଆନ୍ଦୋଳନ ପରି ସିଂହଳରେ ବିଧିବଦ୍ଧଭାବରେ କୌଣସି ସ୍ୱାଧିନତା ଆନ୍ଦୋଳନ ହୋଇନାହିଁ, ଶତ ଶତ ଶହୀଦ ସେଥିଲାଗି ପ୍ରାଣବଳି ଦେଇନାହାନ୍ତି, ରାଜନୀତିକ ନେତାମାନେ କାରାବରଣ କରିନାହାନ୍ତି । ସିଂହଳର ଜନସାଧାରଣ ବିନା ତ୍ୟାଗରେ ସ୍ୱାଧୀନତା ପାଇଥିବାରୁ ଏପର୍ଯ୍ୟନ୍ତ ତାର ଯଥାର୍ଥ ମୂଲ୍ୟ ହୃଦୟଙ୍ଗମ କରିନାହାନ୍ତି । ଚାଷୀମୂଲିଆଙ୍କର ଭାଗ୍ୟ ପରିବର୍ତ୍ତନ ନ ଘଟିଲେ ସେମାନେ ସ୍ୱରାଜର ଅର୍ଥ ବୁଝିବେ ବା କିପରି ?

 

‘‘ବ୍ରିଟିଶ୍‍ ରାଜ୍ୟଗୋଷ୍ଠୀର ଅନ୍ତର୍ଗତ ହୋଇ ସିଂହଳ ସ୍ୱାଧୀନତା ହାସଲ କରିବାରେ ଦକ୍ଷିଣ ପୂର୍ବ ଏସିଆର ପ୍ରଧାନ ସେନାପତି ହିସାବରେ ମୁଁ ମୋର ଅନ୍ତରର ଗଭୀର ଅଭିନନ୍ଦନ ଜଣାଉଛି । ଗତ ଯୁଦ୍ଧରେ ୧୮ମାସ କାଳ ସିଂହଳରେ ସୈନ୍ୟ ଛାଉଣି ପକାଇ ରାଜନୀତିକ ସ୍ୱାଧୀନତା ମାର୍ଗରେ ଏହି ଦ୍ୱୀପର ଅଗ୍ରଗତି ମୁଁ ଆନନ୍ଦର ସହିତ ଲକ୍ଷ୍ୟକରି ଆସିଛି । ବର୍ତ୍ତମାନ ନୂତନ ଯୁଗ ଉପସ୍ଥିତ; ଏହି ସୁଯୋଗରେ ମୁଁ ସିଂହଳର ପ୍ରଧାନମନ୍ତ୍ରୀ ଓ ତାଙ୍କର ସହଯୋଗୀମାନଙ୍କୁ ବର୍ତ୍ତମାନ ଓ ଭବିଷ୍ୟତର ନିରବଚ୍ଛିନ୍ନ ସୌଭାଗ୍ୟ ଲାଗି ଶୁଭେଚ୍ଛା ଜ୍ଞାପନ କରୁଅଛି ।’’

 

ଫେବୃୟାରୀ ୪, ୧୯୪୮

ମାଉଣ୍ଟ୍‍ ବାଟନ୍‍, ବର୍ମା

Image

 

ସିଂହଳର ପ୍ରାଚୀନ ନଗର

 

ଅନୁରାଧାପୁର–

ଭବନେଶ୍ୱର ପରି ଏହି ନଗର ବହୁ ଭଗ୍ନ ଚୈତ୍ୟ, ମନ୍ଦିର ଓ ଅଟ୍ଟାଳୀରେ ପରିପୂର୍ଣ୍ଣ । ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହି କାରୁକଳାପୂର୍ଣ୍ଣ ନଗରର ପୁନରୁଦ୍ଧାର କାମ ଚାଲିଛି । ଅଦ୍ୟାପି ଏହି ସ୍ଥାନ ଭୀଷଣ ଅରଣ୍ୟସଂକୁଳ, ଚୈତ୍ୟ ଭୁଲୁଣ୍ଠିତ, ସୌଧ ବିଚୂର୍ଣ୍ଣିତ, ବିଶାଳ ପାଷାଣଖଣ୍ଡ ଇତସ୍ତତଃ ବିକ୍ଷିପ୍ତ, ବିରାଟ ଜଳଭଣ୍ଡାର, ଗଡ଼ଖାଇ ଶୁଷ୍କ ଗୋଚରରେ ପରିଣି, ବହୁଜନାକୀର୍ଣ୍ଣ ପୃଥିବୀପ୍ରସିଦ୍ଧ ନଗର ଅନୁରାଧାପୁର ବର୍ତ୍ତମାନ ଏକ ନଗଣ୍ୟ ପଲ୍ଲୀ ।

ପଣ୍ଡୁବାସଙ୍କର ଶ୍ୟାମଳ ଅନୁରାଧାଙ୍କ ନାମାନୁସାରେ ଏହି ନଗରର ନାମ ଅନୁରାଧାପୁର ହୋଇଥିଲା । ଦେବାନାଂପ୍ରିୟତିସ୍‍ସାଙ୍କ ସମୟରେ ଖ୍ରୀ:ପୂ: ୩୦୭ର ଏହାର କ୍ରମୋତ୍କର୍ଷ ସାଧିତ ହୋଇଥିଲା । ଏହାର ସମୃଦ୍ଧିରେ ପ୍ରଲୁବ୍‍ଧ ହୋଇ ତାମିଲ୍‍ମାନେ ବାରମ୍ୱାର ଆକ୍ରମଣ ଓ ଲୁଣ୍ଠନ କରିବାରୁ ଅଗ୍‍ଗବୋଧି ୪ର୍ଥ ୭୬୯ ଖ୍ରୀଷ୍ଟାବ୍ଦରେ ଏଠାରୁ ରାଜଧାନୀ ଅପସାରଣ କରିନେଲେ । ସେହି ଦିନଠାରୁ ଏହି ନଗରର କ୍ରମ ଅବନତି ଘଟିଲା ଏବଂ ଶେଷରେ ସଂପୂର୍ଣ୍ଣରୂପେ ପରିତ୍ୟକ୍ତ ହେଲା ।

ନବତଳ ପ୍ରାସାଦ–ଏଠାରେ ପୂର୍ବେ ବାରବାଟି ଦୁର୍ଗ ପରି ପିତ୍ତଳ ଛାତ ବିଶିଷ୍ଟ ଏକ ନବତଳପ୍ରାସାଦ ଥିଲା । ଏହା Brazen palace ନାମରେ ଖ୍ୟାତ । ଏହାର ସ୍ତମ୍ଭସବୁ ସୁବର୍ଣ୍ଣରେ ନିର୍ମିତ ହୋଇଥିଲା ଏବଂ ଏହା ମଧ୍ୟରେ ବହୁ ରତ୍ନଖଚିତ ହାତୀଦାନ୍ତର ଏକ ସିଂହାସନ ଥିଲା ।

ବୋଧିବୃକ୍ଷ–ପୃଥିବୀର ପ୍ରାଚୀନତମ ବୃକ୍ଷ । କଳିଙ୍ଗର ତାମ୍ରଲିପ୍ତ ବନ୍ଦର ବାଟେ ସିଂହଳ ଆସିଲାବେଳେ ମହିନ୍ଦ ଏହି ବୃକ୍ଷ ସଙ୍ଗରେ ଘେନି ଆସିଥିଲେ । ଏହାର ମୂଳ ସୁଦୃଢ଼ କରିବା ଲାଗି ୧୫ ଫୁଟ ପର୍ଯ୍ୟନ୍ତ ମାଟି ପୋତାଯାଇଛି ଏବଂ ଝଞ୍ଜା ଦାଉରୁ ରକ୍ଷା କରିବାଲାଗି ଚତୁର୍ଦ୍ଦିଗରେ ଅନେକ ଅଶ୍ୱତ୍‍ଥ ବୃକ୍ଷ ରୋପଣ କରାଯାଇଅଛି ଏବଂ ଚତୁର୍ଦ୍ଦିଗରେ ଗୋଟିଏ ବୃହତ୍‍ ପ୍ରସ୍ତରପ୍ରାଚୀର ବେଷ୍ଟନ କରାଯାଇଅଛି ।

ଥୂପାରାପଚୈତ୍ୟ–ଖ୍ରୀ: ପୂ: ୩୦୭ ରେ ବେଦନାଂପ୍ରିୟତିସ୍‍ସ ବୁଦ୍ଧଙ୍କ ଗଳା ଅସ୍ଥି ଉପରେ ଏହି ପ୍ରାଚୀନତମ ଚୈତ୍ୟ ନିର୍ମାଣ କରିଥିଲେ । ଏହାର ଉଚ୍ଚତା ୬୦ ଫୁଟ୍‍ ।

ଦନ୍ତମନ୍ଦିର–ଏହାର ସ୍ଥାନୀୟ ନାମ ଡାଲ୍‍ଦାମାଲିଗାଓ୍ୱା; ଏହାର ଭଗ୍ନାବଶେଷ ଇତସ୍ତତଃ ପଡ଼ି ରହିଛି; ବୁଦ୍ଧଙ୍କ ଦନ୍ତ ବର୍ତ୍ତମାନ କାଣ୍ଡିରେ ପୂଜିତ ହେଉଅଛି ।

ଅଭୟଗରିଚୈତ୍ୟ–୩୦୦ ଫୁଟ୍‍ ଉଚ୍ଚ; ଏହା ସିଂହଳର ବୃହତ୍ତମ ଚୈତ୍ୟ । ଅସଂଖ୍ୟ ବୌଦ୍ଧମୂର୍ତ୍ତି ଭୁବନେଶ୍ୱରର ଶିବଲିଙ୍ଗ ପରି ବଣବୁଦାରେ ଇତସ୍ତତଃ ପଡ଼ି ରହିଅଛି । ଅନୁରାଧାପୁର ସ୍ୱସ୍ତ; ତାର ଅତିଥିଶାଳା, ଗୋଶାଳା, ପଶୁଚିକିତ୍ସାଳୟ, ପାଠାଗାର ଏବଂ ଅସଂଖ୍ୟ ଧର୍ମକୀର୍ତ୍ତି ଆଜି ମୃତ୍ତିକାରେ ପରିଣତ । ନିଜ ନାମ ଅମରାକ୍ଷରରେ ଅଙ୍କିତ ହେବ, ଯାବଚ୍ଚନ୍ଦ୍ରାର୍କେ ଉଜ୍ୱଳ କୀର୍ତ୍ତିଗାଥା ଜନମୁଖରେ ଉଦ୍‍ଘୋଷିତ ହେବ, ଏଇ ବିଚାରରେ ଅଗଣିତ ମୁଦ୍ରାବ୍ୟୟରେ ଜଣକୁ ଜଣେ ଆଡ଼ମ୍ୱରରେ ବଳି ରାଜାମାନେ ଅପୂର୍ବ କୀର୍ତ୍ତିସବୁ ନିର୍ମାଣ କରିଯାଇଥିଲେ, ଆଜି ସେହି ରାଜାମାନଙ୍କର ପ୍ରେତ ଯଦି ଶରୀର ଧାରଣ କରନ୍ତା, ଦେଖନ୍ତା ସେମାନଙ୍କର କୀର୍ତ୍ତିର ଅବସ୍ଥା ! ଥିଲା କଣ, ହୋଇଛି କଣ ! ଉକ୍ତ ରାଜାମାନେ ଯେଉଁ ସ୍ଥାନରେ କୀର୍ତ୍ତି ନିର୍ମାଣ କରିଥିଲେ, ସେହି ସ୍ଥାନ ଖୋଜି ପାଆନ୍ତେ କି ନାହିଁ ସନ୍ଦେହ ! ସେମାନେ ବୁଝନ୍ତେ ଗର୍ବ ଆଡ଼ମ୍ୱରର ମୂଲ୍ୟ କେତେ, ସେମାନଙ୍କ ତଥାକଥିତ ସ୍ଥାୟିତ୍ୱର ସୀମାରେଖା କେଉଁଠି ! କେଉଁଟି ସତ୍ୟ, ସୃଷ୍ଟି ନା ଧ୍ୱଂସ, ମୃତ୍ତିକା ନା ପାଷାଣ ?

 

ମଣିଷର ସୁଖଦୁଃଖ ବା ଗର୍ବଗୌରବ ପ୍ରତି କାଳର ତିଳେମାତ୍ର ଚକ୍ଷୁଲଜ୍ଜା ନାହିଁ । କାଳ ସୁବିଚାରକ, କାଳ ବିଜ୍ଞ; ଅନାଦିଯୁଗରୁ ଯଦି ସମୁଦାୟ କୀର୍ତ୍ତି ଏପର୍ଯ୍ୟନ୍ତ ଅକ୍ଷୂର୍ଣ୍ଣ ଥାନ୍ତା, ତେବେ ବର୍ତ୍ତମାନ ଓ ଭବିଷ୍ୟ ମନୁଷ୍ୟର ବାସ ଓ ଚାଷ ଲାଗି ବି ସ୍ଥାନ ମିଳନ୍ତା ନାହିଁ; ବଳୀୟାନ୍‍ ପୁରାତନ ମଣିଷକୁ ଏପରି ପଛକୁ ଟାଣି ଧରନ୍ତା ଯେ ମଣିଷର ଅଗ୍ରଗତି ଆଦୌ ସମ୍ଭବ ହୁଅନ୍ତା ନାହିଁ । କାଳ ପ୍ରଗତିପନ୍ଥୀ; ସେଥିଲାଗି ପ୍ରାଚୀନକୁ ପାଦରେ ଠେଲି ଟାଳିଦେଇ ଯାଉଛି ପରା ! ମଣିଷ, ଆଗକୁ ଚାହାଁ–ଆଗକୁ–ଆହୁରି ଆଗକୁ ।

 

ପଲୋନରୁଆ–

 

ତାମିଲ୍‍ ଆକ୍ରମଣ ଓ ଲୁଣ୍ଠନର ଶିକାର ହୋଇ ସିଂହଳର ରାଜାମାନେ ପଲୋନରୁଆକୁ ରାଜଧାନୀ ଉଠାଇ ଆଣିଥିଲେ । ଏହା ସିଂହଳ ଶାସକ କଳିଙ୍ଗବଂଶୀମାନଙ୍କର ରାଜଧାନୀ ଥିଲା । ସିଂହଳର ଶ୍ରେଷ୍ଠ ରାଜା ପରାକ୍ରମବାହୁଙ୍କ ରାଜତ୍ୱରେ ପଲୋନରୁଆର ବିଶେଷ ଶ୍ରୀବୃଦ୍ଧି ସାଧିତ ହୋଇଥିଲା ଏବଂ କୀର୍ତ୍ତି ଗୌରବରେ ଏହା ଅନୁରାଧାପୁରକୁ ମଧ୍ୟ ଟପି ଯାଇଥିଲା ।

 

ଜେଟାୱାନାରାମ ସୌଧ–ଏହାର ଲମ୍ୱ ୧୭୦ ଫୁଟ୍‍, କାନ୍ଥର ଉଚ୍ଚତା ୮୦ ଫୁଟ୍‍, ବହଳ ୧୨ ଫୁଟ୍‍, ଏଥିରେ ୬୦ ଫୁଟ୍‍ ଉଚ୍ଚ ଏକ ବୃହତ୍‍ ବୌଦ୍ଧମୂର୍ତ୍ତି ଅଛି ।

 

ଥୁପାରାମ ବିହାର–ଏହା ବର୍ତ୍ତମାନ ଏକ ଭଗ୍ନସ୍ତୁପ; ଏଠାରେ ୧୨ଟି ବିରାଟ ବୌଦ୍ଧମୂର୍ତ୍ତିର ଭଗ୍ନାବଶେଷ ଅଛି । ଏଠାକାର ଶିଳାଲିପିରେ ପରାକ୍ରମବାହୁ ନିଜକୁ କଳିଙ୍ଗଚକ୍ରବର୍ତ୍ତୀ ବୋଲି ଉଲ୍ଲେଖ କରିଛନ୍ତି । ଏହା ବର୍ତ୍ତମାନ ଘୋର ଅରଣ୍ୟସଂକୁଳ ।

 

ସାତମହଲ ପ୍ରାସାଦ–ଏହା ଏକ ସପ୍ତତଳ ପ୍ରାସାଦ; ପ୍ରତି ମହଲାରେ ଅସଂଖ୍ୟ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଅଛି ।

 

ଗଲ୍‍ବିହାର–ଏହା ଏକ ଗିରି ମନ୍ଦିର; ଏଥିରେ ୪୬ ଫୁଟ୍‍ର ଏକ ବିରାଟ ବୌଦ୍ଧମୂର୍ତ୍ତି ଖୋଦନ କରାଯାଇଅଛି । ବୁଦ୍ଧଙ୍କ ନିକଟରେ ତାଙ୍କ ପ୍ରିୟଶିଷ୍ୟ ଆନନ୍ଦଙ୍କର ଗୋଟିଏ ୨୩ ଫୁଟ ଉଚ୍ଚ ମୂର୍ତ୍ତି ଅଛି । ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ଗୋଟିଏ ପଥରରେ ଖୋଦିତ ହୋଇଅଛି ।

 

ସେ ଯୁଗର ମଣିଷ ଚାଲିଯାଇଛନ୍ତି, କାହିଁ ନିଭିଗଲାଣି ସେମାନଙ୍କ ଚରଣ ଚିହ୍ନ, ମରୁତ୍‍ମଣ୍ଡଳରେ ମିଳାଇ ଯାଇଛି ସେମାନଙ୍କ ନିଃଶ୍ୱାସ, କ୍ଷୁଦ୍ରବୃହତ୍‍ ସୁଖ ଦୁଃଖର ଅନୁଭୂତି । ଯେଉଁ ସୌନ୍ଦର୍ଯ୍ୟର ଢେଉ ସେମାନଙ୍କ ଅନ୍ତରକୁ ରସସିକ୍ତ କରୁଥିଲା, ତାହା ଆଙ୍କି ହୋଇଯାଇଛି ପାଷାଣରେ–ପାଷାଣ ଅତୀତର ଏକ ବ୍ୟର୍ଥ ଦୂତ ପରି କହୁଛି ସେମାନଙ୍କ ମନର କରୁଣ କାହାଣୀ; ଚାରିଆଡ଼କୁ ଥରେ ଚାହିଁ ମନରେ ଆସୁଛି ନୈରାଶ୍ୟ–

 

‘‘ସ୍ୱର୍ଣ୍ଣ ଦୀପାଲୋକେ ଉଠୁଥିଲା ଯହିଁ

ଅଗରୁ ଧୂପର ଘଟା

ତିମିରକୁ ତହିଁ ବିଜନ୍ତି ବିଜନେ

ପକ୍ଷବାତେ ଚମତଟା ।’’

 

କାଣ୍ଡି–

 

ଅନୁରାଧାପୁର ବା ପଲୋନରୁଆ ପରି କାଣ୍ଡି ପ୍ରାଚୀନ ନୁହେଁ । ଏହା ପର୍ବତବେଷ୍ଟିତ ଏକ ସୁରକ୍ଷିତ ଗିରିଦୁର୍ଗ । ୧୫୯୨ ଖ୍ରୀଷ୍ଟାବ୍ଦରେ ବିମଳ-ଧର୍ମ ନାମକ ଜଣେ ରାଜା ପଲୋନରୁଆକୁ ଏଠାକୁ ରାଜଧାନୀ ଉଠାଇ ଆଣିଥିଲେ ।

 

ପରବର୍ତ୍ତୀ ରାଜାମାନେ ନିରାପଦତା ଦୃଷ୍ଟିରୁ ଏହାକୁ ରାଜଧାନୀ କରିଥିଲେ । ପର୍ତ୍ତୁଗୀଜ୍‍ମାନଙ୍କ ପକ୍ଷରେ ଏହି ନଗର ଚିର ଦୁର୍ଜ୍ଜୟ ରହିଥଲା । ଇଂରେଜମାନେ ବାରମ୍ୱାର ପରାଭୂତ ହୋଇ ରାଜତ୍ୱର ୨୦ ବର୍ଷ ପରେ ରାସ୍ତା ଘାଟ ପ୍ରଭୃତି ନିର୍ମାଣ କରି ଏହାକୁ ଜୟ କରିବାକୁ ସମର୍ଥ ହେଲେ ।

 

ବର୍ତ୍ତମାନ କାଣ୍ଡି ଦାଲ୍‍ଦମାଲିଗାଓ୍ୱା ବା ଦନ୍ତମନ୍ଦିର ନିମିତ୍ତ ବିଶେଷ ପ୍ରସିଦ୍ଧ । ମନ୍ଦିରାଭ୍ୟନ୍ତରରେ ବୁଦ୍ଧଦେବ ପଦ୍ମାସନରେ ବସିଛନ୍ତି; କକ୍ଷ କର୍ପୂର ଧୂପ ଆରତିରେ ଆମୋଦିତ । ଶତ ଶତ ବୌଦ୍ଧ ପୁଷ୍ପାଞ୍ଜଳି ଅର୍ପଣ କରୁଛନ୍ତି । ମନ୍ଦିର ଦରଜା ହସ୍ତୀଦନ୍ତ ଓ ରୌପ୍ୟରେ ନିର୍ମିତ–ଲକ୍ଷ ଲକ୍ଷ ଲୋକଙ୍କ ନିତ୍ୟାରାଧ୍ୟ ପବିତ୍ର ଦନ୍ତ ଏହିଠାରେ ସୁରକ୍ଷିତ ହୋଇଅଛି । ହୀରାନୀଳାମୋତି ପଦ୍ମରାଗଖଚିତ, ବିକଶିତ ସୁବର୍ଣ୍ଣ ପଦ୍ମରେ ରକ୍ଷିତ ହୋଇ ଏହି ଦନ୍ତ ବିଶେଷ ଉତ୍ସବରେ ଭକ୍ତମାନଙ୍କୁ ପ୍ରଦର୍ଶିତ ହୁଏ । ଏଠାରେ ୩ ଇଞ୍ଚ ଲମ୍ୱ ମର୍କତମଣିର ଗୋଟିଏ ବୌଦ୍ଧମୂର୍ତ୍ତି ଅଛି ।

 

କାଣ୍ଡିରେ ଗୋଟିଏ ବିଷ୍ଣୁ ମନ୍ଦିର ଅଛି; ଏଠା ପ୍ରାକୃତିକ ଦୃଶ୍ୟ ଜଗତ୍‍ ପ୍ରସିଦ୍ଧ । ପର୍ବତାରଣ୍ୟବେଷ୍ଟିତ ମନୋହର ହ୍ରଦ, ମହାଓ୍ୱେଲୀ ଗଙ୍ଗନଦୀ ଏହାର ପ୍ରଧାନ ଆକର୍ଷଣ ।

 

ସିଂହଳୀୟ ଭାସ୍କର୍ଯ୍ୟର କ୍ରମବିକାଶ–

 

ପ୍ରାକ୍‍ଐତିହାସିକ ଯୁଗର କେତେକ ଶିଳ୍ପର ନମୁନା କଲମ୍ବୋ ଯାଦୁଘରେ ରଖାଯାଇଛି; ସେଥିରେ କାରୀଗରୀର ଚାତୁରୀ ଚମକ ନାହିଁ କି ସାଧାରଣ ବୈଚିତ୍ର୍ୟ ବି ନାହିଁ । ସେତେବେଳକୁ ଶିଳ୍ପୀ ମନରେ ଶିଳ୍ପ ସମ୍ୱନ୍ଧରେ ସ୍ପଷ୍ଟ ଧାରଣା ଜନ୍ମି ନାହିଁ । ତାର ସୌନ୍ଦର୍ଯ୍ୟାନୁଭୂତି ଯେପରି ଅନିବିଡ଼, ପ୍ରକାଶ ମଧ୍ୟ ସେହିପରି ଦରିଦ୍ର ହୋଇଅଛି ।

 

ଧର୍ମପ୍ରଚାର ଲାଗି ସିଂହଳୀ ଶିଳ୍ପୀ ନେଇଛି ଭାସ୍କର୍ଯ୍ୟର ଆଶ୍ରୟ । ରାଜାର ଧର୍ମ ହିଁ ରାଜ୍ୟର ଧର୍ମ, ଏହି ଧର୍ମକାର୍ଯ୍ୟଲାଗି ଉନ୍ମୁକ୍ତ ହୋଇଛି ସିଂହଳର ସମୃଦ୍ଧ ରାଜକୋଷ । ସିଂହଳବାସୀ ବୌଦ୍ଧଧର୍ମାବଲମ୍ୱୀ ହୋଇଥିବାରୁ ସିଂହଳୀ ଭାଷ୍କର୍ଯ୍ୟ ଭାରତୀୟ ବୌଦ୍ଧଭାଷ୍କର୍ଯ୍ୟର ସରଣୀ ଅନୁସରଣ କରିଅଛି; ସ୍ଥାନେ ସ୍ଥାନେ ପରିପାଟୀରେ ସ୍ୱତନ୍ତ୍ର୍ୟ ଫୁଟିଉଠିଚି ମାତ୍ର ।

 

ମନ୍ଦିର, ମସ୍‍ଜିଦ୍‍, ର୍ଗୀଜ୍ଜା, ଚୈତ୍ୟ ବା ଧର୍ମଶାସ୍ତ୍ର, ପୁରାଣ ପ୍ରଭୃତି କୌଣସି ଅବଲମ୍ୱନରେ ଧର୍ମକୁ ପ୍ରକାଶ ନ କଲେ ଜନସାଧାରଣ ଶୂନ୍ୟ ଧର୍ମ ବିଷୟରେ କୌଣସି ଧାରଣା କରିପାରନ୍ତି ନାହିଁ; ଅନ୍ତରର ସୌନ୍ଦର୍ଯ୍ୟାନୁଭୂତି ପ୍ରକାଶ ସଙ୍ଗେ ସଙ୍ଗେ ଶିଳ୍ପପତି ଜନମନ ଆକର୍ଷଣ କରିବା ପ୍ରବୃତ୍ତି ଶିଳ୍ପୀର ଯଥେଷ୍ଟ ଥାଏ । ତେଣୁ ଶିଳ୍ପଗୁଡ଼ିକରେ ସେ ରଖିଥାଏ ରସାଳ ଅନ୍ତରର ଉଦ୍‍ବେଳନା, ଯୁଗର ସଙ୍କେତ । ବୌଦ୍ଧଧର୍ମ ସିଂହଳୀ ଜୀବନରେ ଆଣିଥିଲା ଏକ ଆଲୋଡ଼ନ, ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ କରିନେଇଥିଲା ସାଧାରଣ ଦୃଷ୍ଟି, ପ୍ରଥମେ ଦେଇଥିଲା ସିଂହଳୀ ଭାଷ୍କରକୁ ସୂର୍ଜନର ପ୍ରେରଣା । ଭାଷ୍କର୍ଯ୍ୟ ଆଜି ସିଂହଳର, ସମୃଦ୍ଧିମନ୍ତ ଯୁଗର, ଅନ୍ତରରବିପୁଳ ଐଶ୍ଚର୍ଯ୍ୟର ପ୍ରତୀକ ହୋଇଅଛି । ଭାରତୀୟ ବୌଦ୍ଧ ଭାସ୍କର୍ଯ୍ୟ ପରି ସିଂହଳୀୟ ଭାଷ୍କର୍ଯ୍ୟ ସମୂଳେ ଧ୍ୱଂସ ପାଇନାହିଁ । ଅଦ୍ୟାପି ଅନେକ କୀର୍ତ୍ତି ସମ୍ପୂର୍ଣ୍ଣ ଅକ୍ଷୂର୍ଣ୍ଣ ରହିଛି ।

 

ମନ୍ଦିର, ଚୈତ୍ୟ, ବିହାର, ଗୁମ୍ଫା, ସୌଧ ଓ ବିଭିନ୍ନ ମୂର୍ତ୍ତି ନିର୍ମାଣରେ ସିଂହଳୀ ଭାସ୍କର ତାର ନିପୁଣତାର ପରିଚୟ ଦେଇଅଛି । ଦେବାନାଂପ୍ରିୟତିସ୍‍ସ, ଦୁଟ୍ଟଗାମନି, ବଟଗାମନି, ମହାସେନ ପ୍ରଭୃତିଙ୍କ କୀର୍ତ୍ତିସବୁ, ଯାହା ଐତିହାସିକ ନଗର ଅନୁରାଧାପୁରରେ ନିର୍ମିତ ହୋଇଥିଲା ଏବଂ ବହୁ ବହିଃଆକ୍ରମଣ ତଥା କାଳର କ୍ରୁର ଅତ୍ୟାଚାରରେ ଧ୍ୱଂସପ୍ରାପ୍ତ ହୋଇଅଛି, ସେ ସକଳ ସିଂହଳୀ ଭାସ୍କରର ପ୍ରାଥମିକ ଅବଦାନ । ସେ ସମୟରେ ଟାଇଲ ପରି ବୃହତ୍‍ ଇଟା ବ୍ୟବହୃତ ହେଉଥିଲା; ସାରନାଥ ଓ ରତ୍ନଗିରିରେ ମଧ୍ୟ ଏହିପ୍ରକାର ଇଟା ଦେଖାଯାଏ । ଏ ଯୁଗ ହିଁ ଇଷ୍ଟକର ଯୁଗ । ସିଂହଳରେ କେବେ ଲୁହା ଓ ଚୂନର ବ୍ୟବହାର ହେଲା, କହିବା କଷ୍ଟକର ।

 

ଡମ୍ୱୁଲା ଗୁମ୍ଫାରେ ବିଜୟ ସିଂହଙ୍କ ସିଂହଳ ଯାତ୍ରା, ପରାକ୍ରମ ବାହୁଙ୍କ ମୁର୍ତ୍ତି, ଇଲାଲା ଓ ଦୁର୍ଟ୍ଟଗାମନିଙ୍କ ସଂଗ୍ରାମଚିତ୍ର ବିବିଧ ବୁଦ୍ଧ, ବିଷ୍ଣୁ ଓ ଶିବଙ୍କ ମୂର୍ତ୍ତି ଏହି ସମୟର ପ୍ରଧାନ କୀର୍ତ୍ତି । ଏହି ଗୁମ୍ଫାରେ ହିନ୍ଦୁ ଓ ବୌଦ୍ଧ ଧର୍ମର ଅପୂର୍ବ ସମ୍ମେଳନ ଘଟିଛି । ଖ୍ରୀଷ୍ଟଜନ୍ମ ପରେ ଚୈତ୍ୟ ମନ୍ଦିରାଦି କାର୍ଯ୍ୟରେ ଶିଳାର ବ୍ୟବହାର ହୋଇଅଛି । ସେ ସମୟରେ ପାଷାଣ ମନ୍ଦିର କ୍ଷୁଦ୍ରାକୃତି । ପ୍ରତି ପାର୍ଶ୍ୱରେ ଗୋଟିଏ ମାତ୍ର ଶିଳା ବ୍ୟବହୃତ ହୋଇଅଛି । ତତ୍ପରେ ଆୟତ କ୍ଷେତ୍ରାକାର ଶିଳା କର୍ତ୍ତିତ ହୋଇ ବୃହଦାକାର ମନ୍ଦିରମାନ ନିର୍ମିତ ହେଲା ।

 

ନବମ, ଦଶମ ଶତାବ୍ଦୀ ବେଳକୁ ପାଷାଣ ମନ୍ଦିରର ଚୂଡ଼ାନ୍ତ ଉତ୍କର୍ଷ ସାଧିତ ହୋଇଅଛି । ରତ୍ନପୁରର ସାମନାଲ ମନ୍ଦିର, କଲ୍ୟାଣୀର ବିଭୀଷଣ ମନ୍ଦିର ଓ ସିଂହଳର ଦକ୍ଷିଣ ପୂର୍ବ କୋଣରେ ହନ୍‍ବନ୍‍ ତୋଟା ବନ୍ଦର ନିକଟସ୍ଥ କତରଗାମ୍‍ ମନ୍ଦିର ଏହି ସମୟର ପ୍ରସିଦ୍ଧ କୀର୍ତ୍ତି । ସଂସ୍କୃତ କାର୍ତ୍ତିକଗ୍ରାମ୍‍ ଶବ୍ଦରୁ ଅପଭ୍ରଷ୍ଟ ହୋଇ ସିଂହଳୀ ଭାଷାରେ କତରଗ୍ରାମ୍‍ ହୋଇଅଛି । ସିଂହଳୀ ବୌଦ୍ଧ ହେଲେ ବି କାର୍ତ୍ତିକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ଆସୁଅଛି । ବୌଦ୍ଧ ରାଜାମାନେ ହିନ୍ଦୁମନ୍ଦିର ରକ୍ଷଣାବେକ୍ଷଣ ଲାଗି ପୂର୍ବେ ବହୁ ଅର୍ଥ ଓ ଭୂମି ଦାନ କରିଯାଇଅଛନ୍ତି । ସିଂହଳରେ ଗଣେଷ ଓ ଦେବ ସେନାଙ୍କର ମନ୍ଦିର ଅଛି । ପୂଜକ କାଶୀଧାମରୁ ଆଗତ ହିନ୍ଦୁ ବ୍ରାହ୍ମଣ । ଏହି ମନ୍ଦିର ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ମିଳନ କ୍ଷେତ୍ର ।

 

ସିଂହଳରେ ବହୁ ପ୍ରାକୃତିକ ଗୁମ୍ଫା ଅଛି । ଖୋଦିତ ଗୁମ୍ଫା ଅତି କ୍ଷୂଦ୍ର ଓ ସେମାନଙ୍କ ସଂଖ୍ୟା ଅତି ଅଳ୍ପ । ଏଠାରେ ତାଞ୍ଜୋର, ରାମେଶ୍ୱର, ମଦୁରା ଓ ପୁରୀର ମନ୍ଦିର ପରି ବିଶାଳ ପାଷାଣ ମନ୍ଦିର ନିର୍ମିତ ହୋଇପାରି ନାହିଁ । କାରଣ ପାଷାଣ ଅତି ଶକ୍ତ; ନିହାଣ ଭାଙ୍ଗିଯାଏ ।

 

ପେଲୋନରୁଆ ଯୁଗ କୀର୍ତ୍ତି ବିଶାଳତା ଲାଗି ଅତି ପ୍ରସିଦ୍ଧ । ଦଣ୍ଡାୟମାନ ବା ଯୋଗାସୀନ ବିଶାଳ ବୌଦ୍ଧମୂର୍ତ୍ତି ଏ ଯୁଗର ବୈଶିଷ୍ଟ୍ୟ । ଏ ମଧ୍ୟରୁ କେତେକ ଇଷ୍ଟକ ଓ ଚୂର୍ଣ୍ଣରେ ନିର୍ମିତ, କେତେକ ପର୍ବତରେ ଖୋଦିତ । ତେବେ ଏକାଦଶ ଦ୍ୱାଦଶ ଶତାବ୍ଦୀର ଅଧିକାଂଶ କୀର୍ତ୍ତିରେ ଇଷ୍ଟକ ବ୍ୟବହୃତ ।

 

ପଲୋନରୁଆ ଯୁଗ ପରେ ସିଂହଳୀ ଭାସ୍କର୍ଯ୍ୟର କ୍ରମ ଅଧୋଗତି ଘଟିଲା । କାଣ୍ଡିର ରାଜାମାନେ କେତେକ ଚୈତ୍ୟ ନିର୍ମାଣ କଲେ, ସେଗୁଡ଼ିକ କାରୁକାର୍ଯ୍ୟରେ ପୂର୍ବବର୍ତ୍ତୀ କୀର୍ତ୍ତିକୁ ବଳିବା ଦୂରେ ଥାଉ, ତା ସହିତ ସମତା ବି ରକ୍ଷା କରିପାରିଲା ନାହିଁ । ଭୁବନେଶ୍ୱର କୋଣାର୍କ ପରି ସୂକ୍ଷ୍ମ କାରୁକାର୍ଯ୍ୟ ସିଂହଳରେ ନ ଥିଲେ ବି ମୋଟରେ ସିଂହଳ ଯେ ଉତ୍କଳ ପରି ଭାସ୍କର୍ଯ୍ୟରେ ସମୃଦ୍ଧ ଏଥିରେ ସନ୍ଦେହ ନାହିଁ ।

 

ସିଂହଳର ଭିତ୍ତିଚିତ୍ର–

 

ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀରେ ସିଗିରିଆ ପର୍ବତରେ ମନୋହର ଭିତ୍ତିଚିତ୍ର ଅଙ୍କିତ ହୋଇଥିଲା, ତାହା ଏବେ ସୁଦ୍ଧା ଅମଳିନ ଅବସ୍ଥାରେ ଅଛି । ସିଗିରିଆ ପର୍ବତ ଅତି ତିଖ; ଆରୋହଣ କଷ୍ଟକର; ଏହି ପର୍ବତରେ ଏକ କରୁଣ ଐତିହାସିକ ସ୍ମୃତି ଅଛି ।

 

ସିଂହଳରେ ଧାତୁସେନ ବୋଲି ଜଣେ ରାଜା ଥିଲେ; ତାଙ୍କର କଶ୍‍ଶପ ଓ ମୋଗଲନ ବୋଲି ଦୁଇପୁତ୍ର ଓ ଗୋଟିଏ କନ୍ୟା ଥିଲା । ରାଜା କନ୍ୟାକୁ ନିଜ ସେନାପତି ସହିତ ବିବାହ ଦେଇଥିଲେ; ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଲା ନାହିଁ । ସେନାପତି ରାଜକନ୍ୟାକୁ ବେତ୍ରାଘାତ କରିବା ସମ୍ୱାଦ ପାଇ ରାଜା ନିଷ୍ଠୁରଭାବରେ ସେନାପତିଙ୍କ ମାଆ ନିଜ ସମୁଦୁଣୀଙ୍କି ହତ୍ୟାକରି ପ୍ରତିଶୋଧ ନେଲେ । ସେନାପତି ରାଜକୁମାର କଶ୍‍ଶପଙ୍କ ସହିତ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ରାଜାଙ୍କୁ କାରାରୁଦ୍ଧ କଲେ । କଶ୍‍ଶପ ପିତାଙ୍କଠାରୁ ଗୁପ୍ତ ଧନ ଦାବୀ କରିଥିଲେ । ରାଜା ତାହା ଦେବାକୁ ଅସମର୍ଥ ହେବାରୁ କଶ୍‍ଶପ ପିତାଙ୍କୁ ହତ୍ୟା କରିବାଲାଗି ସେନାପତିଙ୍କ ହସ୍ତରେ ଅର୍ପଣ କଲେ । ସେନାପତି ରାଜାଙ୍କୁ ଉଲଗ୍ନ କରି ବେତ୍ରାଘାତ କଲେ ଏବଂ ଶେଷରେ ଗୋଟିଏ କାନ୍ଥ ଭିତରେ ରଖି ତା ଉପରେ ମାଟି ଚଲାଇ ଦେଇଥିଲେ ।

 

କଶ୍‍ଶପ ନିଜ ଭାଇ ମୋଗଲଙ୍କର ଆକ୍ରମଣରୁ ନିଜକୁ ରକ୍ଷା କରିବାଲାଗି ଏହି ଦୁର୍ଗମ ସିଗିରିଆ ପର୍ବତ ଉପରେ ଦୁର୍ଗ ନିର୍ମାଣ କରିଥିଲେ ଏବଂ ବହୁ ଧନରତ୍ନ ସଞ୍ଚୟ କରିଥିଲେ । ଶେଷରେ ମୋଗଲନ ଭାରତରୁ ବହୁ ସୈନ୍ୟସାମନ୍ତ ଆଣି ଭାଇଙ୍କୁ ପରାସ୍ତ କରି ସିଂହଳର ରାଜା ହେଲେ । ଏହି ପର୍ବତର ପାଦଦେଶରେ ଗୋଟିଏ ମନୋହର ହ୍ରଦ–ପର୍ବତର ଛାୟା ହ୍ରଦର ତରଙ୍ଗରେ ଦୋଦୁଲ୍ୟମାନ ହୁଏ । ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର ।

 

ଏହି ପର୍ବତର ଶୀର୍ଷଭାଗରେ ଗିରିକନ୍ଦରର ସମତଳ ପାଷାଣ ଭିତ୍ତି ଉପରେ ଚିତ୍ର ଅଙ୍କିତ ହୋଇଅଛି–ଅଧିକାଂଶ ସ୍ତ୍ରୀମୂର୍ତ୍ତି–ବୋଧେ ରାଣୀ ଓ ତାଙ୍କ ସଖୀଗଣ । ଅଜନ୍ତାର ଚିତ୍ରପରି ଏଗୁଡ଼ିକ ଜୀବନ୍ତ ନୁହେଁ ଯେପରିକି ନିପୁଣ ତୂଳି ସ୍ପର୍ଶର ଅଭାବ ରହିଯାଇଛି ।

 

୧୮୮୯ ଖ୍ରୀଷ୍ଟାବ୍ଦରେ ମି: ଏ: ମୂରେ ଏହି ପର୍ବତ ଆରୋହଣ କରି ଚିତ୍ରଗୁଡ଼ିକ ନକଲ କରି ଆଣିଥିଲେ । ଏହା ବର୍ତ୍ତମାନ କଲମ୍ୱୋ ଯାଦୁଘରେ ସଂଗୃହୀତ ହୋଇ ରହିଅଛି ।

 

ଜମ୍ୱୁଲା ପର୍ବତରେ ମଧ୍ୟ ଦୁଇ ହଜାର ବର୍ଷ ତଳର ଭିତ୍ତି ଚିତ୍ର ଅଛି; କାହାକୁ କାଳପକ୍ଷୀ ଝିଙ୍କି ନେଉଛି, କାହାକୁ କଣ୍ଟାରେ ଫୋଡ଼ି ଦିଆଯାଉଛି ଇତ୍ୟାଦି ।

 

ତନ୍ତ୍ରୀମଲାଇରେ ଯେଉଁ ଭିତ୍ତିଚିତ୍ର ଆବିଷ୍କୃତ ହୋଇଅଛି, ସେଥିରେ ସିଂହଳୀ କଳାର ସ୍ୱାତନ୍ତ୍ର୍ୟ ରହିଅଛି ।

 

କାଣ୍ଡି ନିକଟସ୍ଥ ହିଣ୍ଡଗଲ୍‍ର ଭିତ୍ତିଚିତ୍ର ସପ୍ତମ ଶତାବ୍ଦୀର ବୋଲି ଐତିହାସିକମାନେ ଅନୁମାନ କରନ୍ତି ।

 

 

ଓଡ଼ିଆ ସାହିତ୍ୟରେ ସିଂହଳ–

 

ମହାକବି ସାରଳା ଦାସ ଚଣ୍ଡୀପୁରାଣରେ ସିଂହଳର ଅସୁର ରାଜତ୍ୱ କଥା ଉଲ୍ଲେଖ କରିଛନ୍ତି । ଶୁମ୍ଭନିଶୁମ୍ଭ ଜମ୍ୱୁ ଦ୍ୱୀପରେ ଓ ଋଷି କପିଳ ସିଂହଙ୍କ ରାକ୍ଷସପୁତ୍ର ମହିଷାସୁର ସିଂହଳ ଶାସନ କରୁଥିଲେ । ସେତେବେଳେ ଭାରତବର୍ଷରୁ ସିଂହଳ ରାକ୍ଷସପୁତ୍ର ମହିଷାସୁର ସିଂହଳ ଶାସନ କରୁଥିଲେ । ସେତେବେଳେ ଭାରତବର୍ଷରୁ ସିଂହଳ ସମୁଦ୍ରଦ୍ୱାରା ବିଚ୍ଛିନ୍ନ ହୋଇ ନ ଥିଲା ।

 

‘‘ଜମ୍ୱୁଦ୍ୱୀପ ସିଂହଳଦ୍ୱୀପ ନୁହଇଁ ଭିନ୍ନ । ସୁଖେ ରାଜପଣ କରନ୍ତି ସେ ତିନିଜଣ ।’’ ଚଣ୍ଡୀପୁରାଣ ଉପାଖ୍ୟାନ ଉପରେ ବିଜୟସିଂହ କିମ୍ୱଦନ୍ତୀର ପ୍ରଭାବ ପଡ଼ିଲା ପରି ମନେହୁଏ । ସୁପ୍‍ପାଦେବୀଙ୍କ ପରି କପିଳ ସିଂହଙ୍କ ସ୍ତ୍ରୀ ନରଖୀ ଗୃହ ଗୃହ ତ୍ୟାଗ କରି ପଳାୟନ କରିଛି ଏବଂ ସିଂହ ବଦଳରେ ଯମବାହନ ମଇଁଷି ହାବୁଡ଼ରେ ପଡ଼ିଛି । ସିଂହର ଉଗ୍ରସ୍ୱଭାବ ସୀହବାହୁ ଜନ୍ମ ହେଲାପରି ଅର୍ଦ୍ଧମନୁଷ୍ୟ ଓ ଅର୍ଦ୍ଧମହିଷ ମହିଷାସୁର ଜାତ ହୋଇଛି । ନିମ୍ନରେ ସାରଳା ଦାସଙ୍କ କାବ୍ୟାଂଶ ପ୍ରଦତ୍ତ ହେଲା ।

 

‘‘କପିଳ ସିଂହର ନରଖୀ ନାମେ ଭାରିଯା,

ଶୃଙ୍ଗାର ଭୟେ ସ୍ୱାମୀକି କଲାକ ଯେ ତେଜ୍ୟା ।

ମହିଷୀ ରୂପରେ ପଳାଇଲା ସେ ଯୁବତୀ

ସିଂହଳ ଦ୍ୱୀପରେ ଯାଇ କଲାକ ବସତି ।

ଯମର ବାହନ ଅଟଇ ଯେଉଁ ମହିଷ,

ସିଂହଳ ଦ୍ୱୀପେ ସେ ଚରୁଥାଇ କରି ବାସ ।

ସିଂହ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ,

ଭ୍ରମି ଭ୍ରମି ଗୋଡ଼ାଇଲା କରି ସେ ବିକ୍ରମ ।

ସୁବର୍ଣ୍ଣ ପର୍ବତେ ଶିଂକ୍ଷପା ବୃକ୍ଷ ତଳେ,

ଅସୁରୀକି ମହିଷ ଯେ ଧଇଲାକ ବଳେ ।

ମହିଷୀର ଗର୍ଭେ ଯହୁଁ ପଡ଼ିଲାକ ବୀର୍ଯ୍ୟ,

ସଇନ୍ଦୁ ଉତ୍ପତ୍ତି ହେଲା ବଳିଷ୍ଠ ତନୁଜ ।

ମାତାପିତା ଦୁହିଁଙ୍କର ବହିଲା ସେ ଅଂଶ,

ମହିଷୀର ମୁଣ୍ଡ ଗୋଟି ଶରୀର ମନୁଷ୍ୟ ।

କପିଳ ସିଂହ ସେ ପୁତ୍ରକୁ କୋଳେ ଘେନିଣ,

ନାମ ତାର ଦେଲା ଯେ ମହିଷାସୁର ଜାଣ ।

ସିଂହଳ ଦ୍ୱୀପରେ ଥିଲେ ଚାରି ଲକ୍ଷେ ରାୟେ,

ସମସ୍ତେ ଆସି ଖଟିଲେ ମହିଷର ପାୟେ ।

 

ଅଚ୍ୟୁତାନନ୍ଦ ଦାସ ସିଂହଳ ଓ କଳିଙ୍ଗ ସମ୍ପର୍କକୁ ମହାଭାରତର ପୂର୍ବଯୁଗକୁ ଘେନିଯାଇଛନ୍ତି । କଳିଙ୍ଗ ଓ ସିଂହଳ ରାଜପରିବାର ମଧ୍ୟରେ ପ୍ରଚଳିତ ବିବାହ ସମ୍ପର୍କ କଥା ମଧ୍ୟ ସେ ଉଲ୍ଲେଖ କରିଅଛନ୍ତି । ତାଙ୍କ ମତରେ ସିଂହଳର ପ୍ରଥମ ରାଜା ଜଣେ କୈବର୍ତ୍ତ । ପ୍ରଳୟ ପରେ ଦାସରାଜା ଭଗବାନଙ୍କୁ ପଚାରିଲା ‘‘ମୁଁ କେଉଁଠାକୁ ଯିବି ?’’ ଭଗବାନ୍‍ ମନେ ମନେ ବିଚାର କଲେ–

 

 

‘‘ରାଜୁତିପଣ ଏହାକୁ ଯୋଗାଇ ବିଧିରେ

ଏହାକୁ କରିବା ରାଜା ସିଂହଳ ଦ୍ୱୀପରେ ।’’

 

ଦାସ ରାଜା ସିଂହଳି ଯାତ୍ରା କଲେ ଏବଂ ସେଠାରେ ରାଜା ହେଲେ । ସେ ଓଡ଼ିଶାର ଗିରିରାଜକନ୍ୟା ଗିରିମାଙ୍କୁ ବିବାହ କରିଥିଲେ । ସିଂହଳ ଦ୍ୱୀପରେ ତାଙ୍କ କନ୍ୟା ମତ୍ସ୍ୟବତୀ ସଙ୍ଗେ ପରାଶର ମୁନିଙ୍କର ପ୍ରଣୟ ହେଲା ଏବଂ ବ୍ୟାସଦେବ ଜନ୍ମ ହେଲେ । ପରାଶର ଏହି ମତ୍ସ୍ୟବତୀର ନାମ ସତ୍ୟବତୀ ହେଲେ । ଶାୟନ୍ତକୁ ପରେ ସତ୍ୟବତୀଙ୍କି ବିବାହ କରିଥିଲେ । କୈବର୍ତ୍ତ ପୁରାଣ ବର୍ଣ୍ଣନା ବାହୁଲ୍ୟରେ ପରିପୂର୍ଣ୍ଣ । ଏଥିରୁ ଐତିହାସିକ ତଥ୍ୟ ବାହାର କରିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ସିଂହଳ ଓ କଳିଙ୍ଗର ସମ୍ପର୍କ ଏଭଳି ନିବିଡ଼ ଯେ ଓଡ଼ିଆ ଲେଖକ ତାହା ଆଦୌ ଭୁଲି ପାରିନାହିଁ । କୈବର୍ତ୍ତ ପୁରାଣ ତାହାର ପ୍ରମାଣ । ଦାସରାଜ ପ୍ରତିଷ୍ଠିତ ଚୈତ୍ୟ ପର୍ବର ଚୈତୀ ଘୋଡ଼ା ନାଟ ଏପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଚଳିତ ।

 

ଦ୍ୱୀପର ନାମ ସିଂହଳ ହେଲା କାହିଁକି ?

 

ଭଗବାନ୍‍ ଅର୍ଜ୍ଜୁନଙ୍କୁ କହିଛନ୍ତି–

 

ମୀନରୂପେ କାୟା ମୋର ସହସ୍ର ଯୋଜନ

ଗଭୀର ଜଳରେ ଭେଦିଥିବ ହୋ ଅର୍ଜ୍ଜୁନ ।

ମୋହର ଶିରରୁ ବେନି ଶୃଙ୍ଗ ଯେ ହୋଇବ

ମୋଟ ବେନି ସସ୍ର ଦୀର୍ଘ ଦଶସସ୍ର ହେବ ।

ଜଳ ଭେଦି ଦୁଇ ଲୋମ ଉପରେ ଭାସିବ

ସେ ଲୋମେ ବାନ୍ଧିବୁ ନାବ ନିଶ୍ଚଳ ରହିବ ।

ଏହିମତେ କଳପ ପ୍ରଳୟ ହୋଇଥିଲା

ପ୍ରଳୟମତରେ ଶୃଙ୍ଗ ସେଠାରେ ରହିଲା ।

ତେଣୁ କରି ସିଂହଳ ଯେ ଦ୍ୱୀପ ନାମ କହି

ଆଗରୁ ମୁଁ ବିଚାରିଣ ଭିଆଇ ଅଛଇ ।

 

ଏହି ବିବରଣୀ ଅବଶ୍ୟ କୌତୂହଳୋଦ୍ଦୀପକ, କିନ୍ତୁ ଶୃଙ୍ଗ ଶବ୍ଦରୁ ସିଂହଳ ହେବା ଅପେକ୍ଷା ସିଂହ ଶବ୍ଦରୁ ସିଂହଳ ଦେବା ଅଧିକ ବିଶ୍ୱାସ ଯୋଗ୍ୟ । ଗୋଟିକର ପ୍ରମାଣ ପୌରାଣିକ, ଅନ୍ୟଟିର ଭାଷାତତ୍ତ୍ୱିକ ଓ ଐତିହାସିକ ଭିତ୍ତି ଅଛି । ସିଂହଳକୁ ଦାସରାଜାଙ୍କ ଆଗମନରେ ବିଜୟ ସିଂହଙ୍କ ଆଗମନର ପରୋକ୍ଷ ସୂଚନା ଥାଇପାରେ ।

 

କବିସମ୍ରାଟ୍‍ ଉପେନ୍ଦ୍ରଭଞ୍ଜ ବୈଦେହୀଶ ବିଳାସ ଓ ଲାବଣ୍ୟବତୀରେ କଳିଙ୍ଗ ଓ ସିଂହଳ ସଂପର୍କ ପୁନରୁଜ୍ଜୀବିତ କରିଅଛନ୍ତି । ସିଂହଳକନ୍ୟା ଲାବଣ୍ୟବତୀ କେବଳ କାବ୍ୟର ନାୟିକା ନୁହନ୍ତି, ସେ ଆଜି ଉତ୍କଳର ଘରେ ଘରେ ପରିଚିତା ।

 

ସିଂହଳୀ ସାହିତ୍ୟର ଉତ୍ପତ୍ତି ଓ କ୍ରମବିକାଶ

 

ବର୍ତ୍ତମାନ ସିଂହଳରେ ଦୁଇଗୋଟି ପ୍ରଧାନ ଭାଷା ପ୍ରଚଳିତ ସିଂହଳୀ ଓ ତାମିଲ୍‍ । ୧୯୪୬ର ଜନଗଣନା ଅନୁସାରେ ଲଙ୍କାର ଲୋକସଂଖ୍ୟା ୬୬ଲକ୍ଷ । ସେଥିମଧ୍ୟରୁ ଶତକରା ୯୮ ଜଣ ଉକ୍ତ ଦୁଇ ଭାଷାରେ କଥାବର୍ତ୍ତା କରନ୍ତି । ସିଂହଳୀ ଆର୍ଯ୍ୟଭାରତୀୟ ଭାଷାର ଗୋଟିଏ ଶାଖା, ତାମିଲ୍‍ ଦ୍ରାବିଡ଼ ଭାଷାଶ୍ରେଣୀର ଅନ୍ତର୍ଗତ । ଗୋଟିକର ପୂର୍ଣ୍ଣବିକାଶ ଏଇ ଦେଶମାଟିରେ ହୋଇଛି । ଅନ୍ୟଟି ତାମିଲ୍‍ମାନଙ୍କ ଉପନିବେଶ ସ୍ଥାପନ ଓ ବାଣିଜ୍ୟ ବ୍ୟବସାୟ ଚାକିରୀବାକିରି ନିମିତ୍ତ ଆଗମନ ଫଳରେ ଏ ମାଟିରେ ଚେର ଧରିଛି । ଆଜିକୁ ୨୫୦୦ବର୍ଷ ତଳେ ବିଜୟସିଂହଙ୍କ ଆଗମନ ସଙ୍ଗେ ସଙ୍ଗେ ଏ ଦେଶକୁ ସିଂହଳୀଭାଷା ଆସିଲା । ସେତେବେଳେ କଳିଙ୍ଗର ସିଂହପୁରରେ ଯେଉଁ ପ୍ରାକୃତ ପ୍ରଚଳିତ ଥିଲା, ବିଜୟ ସିଂହ ସିଂହଳରେ ସେହି ପ୍ରାକୃତ ଚଳାଇଲେ । କଳିଙ୍ଗ ସିଂହଳର ଠିକ୍‍ ବିପରୀତ ଦିଗରେ ଅବସ୍ଥିତ । ସମୁଦାୟ ବଙ୍ଗୋପସାଗରରେ ସେତେବେଳେ କଳିଙ୍ଗର ନୌପ୍ରଧାନ୍ୟ ଥିଲା । ବହୁ କଳିଙ୍ଗବଣିକ ସେହି ସମୟରେ ସିଂହଳରେ ବସବାସ କରି ରହିଥିଲେ । ତେଣୁ ସେମାନଙ୍କ ଭାଷାର ପ୍ରଭାବ ସିଂହଳୀ ଉପରେ ପଡ଼ିବା ଖୁବ୍‍ ସମ୍ଭବ । କଳିଙ୍ଗରୁ ସିଂହଳକୁ ପାଲୀ ଆସିଥିଲା ବୋଲି ଓଲଡ଼ନ୍‍ବର୍ଗ ବିଶ୍ୱାସ କରନ୍ତି । ଧଉଳିଗିରି ଶିଳାଲିପିର ପାଲୀ ଓ ସିଂହଳୀ ପାଲୀକୁ ତୁଳନା କରି ସେ ଏହି ମତ ପୋଷଣ କରିଛନ୍ତି । ଇ.ମୁଲାର ତାଙ୍କର ଏହି ମତକୁ ଗ୍ରହଣ କରିଛନ୍ତି । ସହିଦୁଲ୍ଲାଙ୍କ ମତ ବି ଏଇଆ । କିନ୍ତୁ ତାମ୍ରଲିପ୍ତି ବଙ୍ଗଳାରେ ବୋଲି ଭୁଲକରି ଓ ସିଂହପୁରର ଅବସ୍ଥିତି ସ୍ଥିରକରି ନ ପାରି ସିଂହଳର ପ୍ରଥମ ଔପନିବେଶିକ ବଙ୍ଗଦେଶରୁ ଆସିଥିଲେ ବୋଲି ସେ ଅନୁମାନ କରନ୍ତି । ଭାରତର ବିଭିନ୍ନ ଅଂଶରେ ମାଗଧୀ, ମହାରାଷ୍ଟ୍ରୀ ଓ ସୌରସେନୀ ପରି କଳିଙ୍ଗରେ ସ୍ୱତନ୍ତ୍ରପ୍ରାକୃତ ପ୍ରଚଳିତ ଥିବାର ସମ୍ଭାବନା ।

 

ବୁଦ୍ଧଦେବ ସିଂହଳର ପାଲୀଭାଷାରେ ଧର୍ମପ୍ରଚାର କରିଥିଲେ । ପ୍ରାୟ ଖ୍ରୀ:ପୂ: ୧୦୦୦ ବର୍ଷ ପର୍ଯ୍ୟନ୍ତ ଏଠାରେ ସଂସ୍କୃତ, ପାଲୀ ଓ ସିଂହଳୀପାକୃତ ପଚଳିତ ଥଲା । ଖ୍ରୀଷ୍ଟିୟାନ୍‍ ଧର୍ମପୁରୋହିତମାନେ ଧର୍ମଗ୍ରନ୍ଥ ରଚନାରେ ଲାଟିନ୍‍ଭାଷା ବ୍ୟବହାର କଲାପରି, ମଧ୍ୟଯୁଗର ସିଂହଳୀ ଭିକ୍ଷୁମାନେ ପାଲୀଭାଷାରେ ବହୁ ବୌଦ୍ଧଶାସ୍ତ୍ର ରଚନା କରିଥିଲେ । ସିଂହଳର ପ୍ରାଚୀନତମ ଇତିହାସ ମହାବଂଶ, ଦୀପବଂଶ ଓ ଦାଠାବଂଶ ପାଲୀରେ ରଚିତ । ବୌଦ୍ଧଧର୍ମ ସଙ୍ଗେ ସଙ୍ଗେ ବିନୟ, ଧମ୍ମ, ଅଭିଧମ୍ମ, ଜାତକ ପ୍ରଭୃତି ଗ୍ରନ୍ଥ ଭାରତରୁ ଆସି ଏଠାରେ ପ୍ରଚାରିତ ହେଲା ।

 

ବୌଦ୍ଧଧର୍ମ ପ୍ରଚଳିତ ହେବା ପୂର୍ବରୁ ସିଂହଳୀମାନେ ଲେଖି ଜାଣି ନ ଥିଲେ । ସିଂହଳର ପ୍ରାଚୀନ ଶିଳାଲିପିଗୁଡ଼ିକ ବ୍ରାହ୍ମୀଅକ୍ଷରରେ ଖୋଦିତ । ଏହି ଅକ୍ଷରରୁ ସିଂହଳୀ ଲିପିର କ୍ରମବିକାଶ ହୋଇଅଛି । ଯେଉଁ କାରଣରୁ ଓଡ଼ିଆ ଅକ୍ଷର ଗୋଲ, ଠିକ୍‍ ସେହି କାରଣରୁ ସିଂହଳୀ ଅକ୍ଷର ବି ଗୋଲ ହୋଇଛି, କିନ୍ତୁ ଏହାର ଗୋଲ ଅଂଶଟି ତଳକୁ ଏବଂ ଏହି ଗୋଲେଇ ଅକ୍ଷରର ଏକ ଅପରିହାର୍ଯ୍ୟ ଅଂଶ ।

 

ବର୍ତ୍ତମାନ ସିଂହଳର ଉତ୍ତର ପୂର୍ବାଂଶରେ ତାମିଲ୍‍, ଦକ୍ଷିଣ ପଶ୍ଚିମାଂଶରେ ସିଂହଳୀ ଓ କେନ୍ଦ୍ର ସିଂହଳରେ ଉଭୟ ଭାଷା ପ୍ରଚଳିତ ।

 

ସିଂହଳୀ ପଣ୍ଡିତମାନେ ପାଲୀ ସଙ୍ଗେ ସଙ୍ଗେ ବହୁ ସଂସ୍କୃତ ଗ୍ରନ୍ଥ ଅଧ୍ୟୟନ କରୁଥିଲେ । ବର୍ତ୍ତମାନ ସିଂହଳୀଭାଷାରେ ବହୁ ସଂସ୍କୃତ, ପାଲୀ ଓ ତାମିଲ୍‍ ଶବ୍ଦ ପ୍ରବେଶ କରିଛି । ସମୃଦ୍ଧିମନ୍ତ ତାମିଲ୍‍ ସାହିତ୍ୟର ପ୍ରଭାବ ସିଂହଳୀ ଉପରେ ପଡ଼ିବା ଅତି ସ୍ୱାଭାବିକ ।

 

ବିଜୟସିଂହଙ୍କ ଆଗମନଠାରୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ସିଂହଳରେ ସଂସ୍କୃତ, ସିଂହଳୀପ୍ରାକୃତ ଓ ପାଲୀ ପ୍ରଚଳିତ ଥିଲା । ୧୦ମରୁ ୧୩ଶ ଶତାବ୍ଦୀ ପର୍ଯ୍ୟନ୍ତ ସିଂହଳୀ ପ୍ରାଦେଶିକ ସାହିତ୍ୟର ନମୁନା ଆମେ ଶିଳାଲିପିରୁ ପାଉଁ । ଏହାର ଭାଷା ସମାସବହୁଳ, କ୍ଲିଷ୍ଟ ଓ ନିତାନ୍ତ ଦୁର୍ବୋଧ୍ୟ । ଜନସାଧାରଣଙ୍କ ମଧ୍ୟରେ ବୌଦ୍ଧଧର୍ମ ପ୍ରଚାର କରିବାଲାଗି ଧର୍ମଗ୍ରନ୍ଥଗୁଡ଼ିକ ଭାଷାସାହିତ୍ୟରେ ପ୍ରକାଶ କରିବାର ପ୍ରଚେଷ୍ଟା ହୋଇଥିଲା । ଧର୍ମରତ୍ନାବଳୀୟ, ଧମ୍ମପ୍ରିୟ ଅତୁଭାଗାତାପଦୀୟ ପ୍ରଭୃତି ଧର୍ମଗ୍ରନ୍ଥ ସେହି ସମୟରେ ରଚିତ । ଏଥିରେ ବହୁ ଧର୍ମୋପଦେଶ ନିହିତ ଅଛି । ୧୩ଶ ଶତାବ୍ଦୀରେ ଜାତକମାଳା ଅମିତ୍ରାକ୍ଷର ଛନ୍ଦରେ ‘ମୁକଦେବଦାବତ’ ଓ ‘ଶଶଦାବତ’ ନାମରେ ରଚିତ ହୋଇଥିଲା । ଗୁରୁଲୁଗୋମିଙ୍କର ‘ଅମାବତାର’ ଓ ‘ଧର୍ମପ୍ରଦୀପିକାଭ’, ଧମ୍ମସେନଙ୍କର ‘ସଧର୍ମରତ୍ନାବଳୀୟ’ ମଧ୍ୟ ଏହି ସମୟର ରଚନା ।

 

୧୩ଶ ଶତାବ୍ଦୀରୁ ବିଂଶତି ଶତାବ୍ଦୀ ମଧ୍ୟରେ ତୋତାଗାମୁରେ (୧୫ଶ ଶତାବ୍ଦୀ) ଏବଂ ମୋହତ୍ତାଳ ହେଉଛନ୍ତି ସିଂହଳର ବଡ଼ କବି । ସିଂହଳର ପ୍ରାଚୀନ ଭାଷା ଦୁର୍ବୋଧ୍ୟ । ଆଧୁନିକ ସାହିତ୍ୟ ଜନସାଧାରଣଙ୍କ ମୁଖ ଭାଷାକୁ ନିଜସ୍ୱ କରି ବିଶେଷ ଲୋକପ୍ରିୟ ହୋଇଛି ।

 

ଏକ ମୂଳ ଉତ୍ସରୁ ହୋଇଥିବାରୁ ଭାରତୀୟମାନଙ୍କ ପକ୍ଷରେ ସିଂହଳୀ ଭାଷା ଶିଖିବା ବଡ଼ ସହଜ । ନିମ୍ନରେ କେତୋଟି ଶବ୍ଦର ଉଦାହରଣ ଦିଆଗଲା ।

 

ଓଡ଼ିଆ

ସିଂହଳୀ

ଓଡ଼ିଆ

ସିଂହଳୀ

ଭାତ

ବତ

ଅପା

ଅକ୍‍କା

ଆମ୍ୱ

ଆମ୍ୱ

ଗଛ

ରସ

ପୋଥି

ପୋତ

ଫୁଲ

ମାଲ

ଦୁଧ

କରି

ଫଳ

ଫଳ

ଗୋରୁ

ଗୋନା

ପତ୍ର

କୋଲେ

ଗାଁ

ଗମ

ତେଲ

ତେଲ

ସ୍ତ୍ରୀ

ସ୍ତ୍ରୀ

ଆକାଶ

ଆକାଶ

ବାଳକ

କୋଲ

ମେଘ

ମେଘ, ଓ୍ୱଲକୁଲ୍‍

ବାଳିକା

କେଲା

ସୂର୍ଯ୍ୟ

ଇର୍‍

ତାରକା

ତାରକା

ଚନ୍ଦ୍ର

ଚନ୍ଦ୍ର, ହିନ୍ଦ

ପର୍ବତ

ପରବତ୍‍, ଖନ୍ଦ

ତାରା

ତାରୁ

 

ଲଙ୍କାର କେତୋଟି ପ୍ରସିଦ୍ଧ ସ୍ଥାନ–

 

ଗାଲ ସହର–ଦକ୍ଷିଣ ସିଂହଳର ଏହ ଏକ ପ୍ରଧାନ ବନ୍ଦର । ତୀର ପ୍ରସ୍ତରମୟ, ବନ୍ଧୁରିତ; ଜାହାଜ ଚଳାଚଳ ଲାଗି ବିପଦ୍‍ଜନକ । ପର୍ତ୍ତୁଗୀଜ କର୍ତ୍ତୃତ୍ୱରେ ଥିଲାବେଳେ ଏହାର ଯଥେଷ୍ଟ ପ୍ରାଧାନ୍ୟ ଥିଲା; ଆଧୁନିକ ବନ୍ଦର କଲମ୍ୱୋ ଏହାର ସମସ୍ତ ଉଜ୍ଜ୍ୱଳ ଗୌରବ ଧୂଳିସାତ୍‍ କରି ଦେଇଅଛି । ଗୋଟିଏ ଦୁର୍ଗର ଭଗ୍ନତୋରଣ ଓ ଗୀର୍ଜା ପର୍ତ୍ତୁଗୀଜ୍‍ ଅଧିକାରର ଐତିହାସିକ ସାକ୍ଷୀ ସ୍ୱରୂପ ରହିଅଛି । ବର୍ତ୍ତମାନ ଏହା ଏକ ବାଣିଜ୍ୟକେନ୍ଦ୍ର; ଲୋକସଂଖ୍ୟା ୩୭ ହଜାର ।

 

ତ୍ରକୋମାଲି–ପୃଥିବୀର ଶ୍ରେଷ୍ଠ ପ୍ରାକୃତିକ ବନ୍ଦରମାନଙ୍କ ମଧ୍ୟରେ ଅନ୍ୟତମ । ଏହା ସିଂହଳର ଉତ୍ତରପୂର୍ବ କୋଣରେ ଅବସ୍ଥିତ । ଏହାର ଶିଳା ଦନ୍ତୁରିତ, ତଟଦେଶରେ ଅସଂଖ୍ୟ ଛୋଟ ଛୋଟ ଦ୍ୱୀପ ଅଛି । ଏକ ଦ୍ୱୀପରୁ ଅନ୍ୟ ଦ୍ୱୀପକୁ ନୌକାରେ ଯାତ୍ରା କରିବା ବିଶେଷ ଆନନ୍ଦଦାୟକ-। ବନ୍ଦର ହିସାବରେ ଏହାର ପ୍ରଧାନ୍ୟ ଦିନକୁ ଦିନ ଲୋପ ପାଉଛି ।

 

ଜାପାନା–ସିଂହଳ ଉତ୍ତର ରାଜଧାନୀ । ଡଚ୍‍ଦୁର୍ଗ ଓ ଗୀର୍ଜା ଛଡ଼ା ଡଚ୍‍ସ୍ଥାପତ୍ୟର କେତେକ ମନୋହର ସଂକେତ ଏଠାରେ ଦେଖିବାକୁ ମିଳେ । ଜଳସେଚନ ଲାଗି ଏଠାରେ ଅନେକ ବୃହତ୍‍ ପୁଷ୍କରିଣୀ ଅଛି । ସେଗୁଡ଼ିକ କୁମ୍ଭୀର ପରିପୂର୍ଣ୍ଣ, ଏହାର ଅରଣ୍ୟ ବ୍ୟାଘ୍ରଭଲ୍ଲୁକାଦୀ ହିଂସ୍ରଜନ୍ତୁସଙ୍କୁଳ । ସ୍ଥାନୀୟ ତାରକଷି ଓ ଦାରୁଶିଳ୍ପ ବୈଦେଶିକମାନଙ୍କର ପ୍ରଶଂସାଭାଜନ ହୋଇଛି ।

 

ବର୍ତ୍ତମାନ ଏହାର ଲୋକସଂଖ୍ୟା ୩୫୦୦୦ । ହୃତ୍‍ରୋଗୀମାନଙ୍କ ଲାଗି ଜାପାନା ଏକ ସ୍ୱାସ୍ଥ୍ୟନିବାସ । ଲଙ୍କା, କଖାରୁ, କନ୍ଦମୂଳ, ଆରାରୁଟ୍‍, ତରଭୁଜ, ଧୂଆଁପତ୍ର ଏଠାରେ ପ୍ରଚୁର ଜନ୍ମେ । କେବଳ ଧୂଆଁପତ୍ରରୁ ଏହାର ବାର୍ଷିକ ଆୟ ୭ ନିଉତ ପାଉଣ୍ଡ । ସାଧାରଣ ଲୋକେ ବଡ଼ ଗରିବ ।

 

ମିହିନ୍ତାଳ–ଏହା ଏକହଜାର ଫୁଟ୍‍ ଉଚ୍ଚ ଏକ ପର୍ବତ । ଶୀର୍ଷରେ ଅନେକ ବୌଦ୍ଧ ବିହାରର ଧ୍ୱଂସାବଶେଷ ଅଛି । ଏହା ବର୍ତ୍ତମାନ ଅରଣ୍ୟସଙ୍କୁଳ ଓ ଦୁର୍ଗମ । ଉପରକୁ ଯିବାଲାଗି ୧୮୪୦ଟି କଳା ମୁଗୁନି ପାହାଚ ଅଛି । ଏହି ପର୍ବତ ଶୃଙ୍ଗରୁ ଅନୁରାଧାପୁର ଲୁପ୍ତ ଭାସ୍କର୍ଯ୍ୟର ଧ୍ୱଂସମୟ ଶ୍ମଶାନ ଦୃଷ୍ଟିଗୋଚର ହୁଏ । ଏଠାରେ ଅନେକ ଶିଳାଲିପି ଅଛି । କିପରି ରୋଗୀସେବା କରିବ, କେଉଁ ସମୟରେ ଶଯ୍ୟାତ୍ୟାଗ, ଚିନ୍ତା ଓ ଉପାସନା କରିବାକୁ ହେବ, କେଉଁ ସ୍ଥାନ ବିଦ୍ୟାର୍ଥୀ ଓ ଗବେଷକମାନଙ୍କ ଲାଗି ଉପଯୁକ୍ତ, ପ୍ରତ୍ୟେକ ସିଂହଳୀକୁ ଅର୍ଘ୍ୟ ଲାଗି କିପରି ପୁଷ୍ପ ସଞ୍ଚୟ କରି ରଖିବାକୁ ହେବ, ଦେବାଳୟର ଆୟବ୍ୟୟ କିପରି ତନଖିବାକୁ ହେବ ଇତ୍ୟାଦି ଅନେକ କଥା ଶିଳାଲିପିରେ ଉଲ୍ଲେଖ ଅଛି । ଯେ ଜୀବହିଂସା କରିବ, ସେ ଏହି ପର୍ବତ ନିକଟରେ ରହି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଅଛି ।

 

ନୂଆର ଏଲିଆ–ଏହା ପୃଥିବୀର ଏକ ଅତି ସ୍ୱାସ୍ଥ୍ୟକର ଓ ମନୋହର ସ୍ଥାନ; ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହାକୁ ସିଂହଳର ସ୍ୱର୍ଗଭୂମି ଆଖ୍ୟା ଦିଆଯାଇପାରେ । ସ୍ୱାସ୍ଥ୍ୟ ପରିବର୍ତ୍ତନ ଲାଗି ଶୀତକାଳରେ ଏଠାକୁ ଶତ ଶତ ଇଉରୋପୀୟ ଆସନ୍ତି । ଏହାର ଜଳବାୟୁ ସମଶୀତୋଷ୍ଣ । ସିଂହଳର ଉଚ୍ଚତମ ପର୍ବତ ପିଡୁରୁଟ୍‍ଲଗଲ୍‍ ମୂଳରେ ଏହା ଅବସ୍ଥିତ; ଏହି ସହରର ଚତୁର୍ଦ୍ଦିଗ ପର୍ବତ ଘେରା ହୋଇ ରହିଛି । ନଦୀ, ଜଳପ୍ରପାତ, ଅରଣ୍ୟ, ଗିରିଉପତ୍ୟକାର ମନୋହର ଦୃଶ୍ୟ ଏଠାକୁ ଶତ ଶତ କବି, ଶିଳ୍ପୀଙ୍କୁ ଆକର୍ଷଣ କରି ନେଇଆସିଛି । ବାସ୍ତବିକ ଥରେ ନୂଆର ଏଲିଆ ଦେଖିଲେ କେହି ଭୁଲି ପାରିବ ନାହିଁ । ‘A thing of beauty is a joy for ever’ ଏହି ସ୍ଥାନ ପ୍ରତି ପ୍ରଯୁଜ୍ୟ ।

 

ସିଂହଳୀ ନାରୀ–

 

‘‘ଆହୁରି କଥାଏ ତୋତେ କହିବା ଅର୍ଜ୍ଜୁନ

ସିଂହଳରେ ଯେତେ ନାରୀ ହୁଅନ୍ତି ଜନମ ।

ସମସ୍ତେ ପଦ୍ମିନୀ ଅଂଶ ଘେନି ଜନମନ୍ତି

ଅତ୍ୟନ୍ତ ସୁନ୍ଦରୀ ଶୋଭା ରୂପ ବର୍ଣ୍ଣ କାନ୍ତି ।

ପୂର୍ଣ୍ଣଚନ୍ଦ୍ର ପ୍ରାୟେ ମୁଖ ଉତ୍ପଳ ନୟନୀ

ଚାହିଁଲେ ହରାନ୍ତି ଜ୍ଞାନ ସୁରସିଦ୍ଧ ମୁନି ।

 

–ଅଚ୍ୟୁତାନନ୍ଦ ଦାସ, କୈବର୍ତ୍ତ ଗୀତା ।

 

ଅପୂର୍ବ ଅମ୍ୱୁଜ ମୁଖକୁ

ଚାହିଁ ଭୃଙ୍ଗ ଚକୋର

ଚୁମ୍ୱିବା ଲୋଭରେ ଧାଇଁଲେ

ଶ୍ରୁତି ଚାହିଁ କାତର ।

କେଶ ଦରଶନେ ରଥାଙ୍ଗ

ଧାଇଁ ଆହାର କଶେ

ବିଚ୍ଛେଦ ଭୟରୁ ପଳାଇ

ଗଲେ ନ ରହି ପାଶେ ।

ନୟନ ଉଜ୍ଜ୍ୱଳ କଜ୍ଜ୍ୱଳ

ଲାଞ୍ଜି ଅନାଇ ଦେଇ

ଗଭୀର ଜଳରେ ପଶିଲେ

ମୀନ ଭୟକୁ ପାଇ ।

 

-ଲାବଣ୍ୟବତୀ

 

ଓଡ଼ିଆ କବି ସିଂହଳୀ ନାରୀ ବର୍ଣ୍ଣନାରେ ଶତମୁଖ ହୋଇଉଠିଛି । ସେ କେବେ ସିଂହଳ ଦେଖିନାହିଁ । ତେଣୁ ସିଂହଳ ବିଷୟରେ ସ୍ୱପ୍ନାବିଷ୍ଟ ଅଭୁତ ଧାରଣା ଜାଗ୍ରତ ହେବା ସ୍ୱାଭାବିକ । ପ୍ରାଚୀନ କବିମାନଙ୍କ ନାରୀ ବର୍ଣ୍ଣନା ବହୁ ସ୍ଥାନରେ ଅତିରଞ୍ଜିତ । ସିଂହଳୀ ନାରୀ ବର୍ଣ୍ଣନାରେ ପୁଣି ସେହି ଅତିରଞ୍ଜିତ ମାତ୍ରା ଅତିକ୍ରମ କରିଛି । ଅଳ୍ପଦିନ ରହଣି ମଧ୍ୟରେ ସୁର ସିଦ୍ଧମୁନି ଜ୍ଞାନ ହରାଇଲା ଭଳି କୌଣସି ସୁନ୍ଦର ଚେହେରା ଆଖିରେ ପଡ଼ିନାହିଁ ।

 

ସିଂହଳୀମାନେ ଖର୍ବାକୃତି ଓ କୃଷ୍ଣକାୟ । ସବୁ ଦେଶରେ ସୁନ୍ଦର ସୁନ୍ଦରୀ ଅଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟ ଦିଗରୁ ସିଂହଳର କୌଣସି ବିଶେଷତ୍ୱ ନାହିଁ, ଏହା ସୁନିଶ୍ଚିତ ।

 

ସ୍ତ୍ରୀ ପୁରୁଷମାନଙ୍କର ପରିଚ୍ଛଦ ପ୍ରାୟ ଏକା ପ୍ରକାର । ପୁରୁଷମାନେ କଚ୍ଛା ମାରନ୍ତି ନାହିଁ, ନିଶ ଦାଢ଼ି ରଖନ୍ତି ନାହିଁ, ମୁଣ୍ଡରେ ଲମ୍ୱା ବାଳ, କଇଁଞ୍ଚ ପାନିଆ ଦେଇ ମାଇପୀଙ୍କ ପରି ଜୁଡ଼ା ବାନ୍ଧନ୍ତି, ଆଧୁନିକ ପୁରୁଷଙ୍କ କଥା ଅବଶ୍ୟ ନିଆରା । ସ୍ତ୍ରୀମାନେ ଶାଢ଼ୀ ପିନ୍ଧନ୍ତି ନାହିଁ, ବୋହୂ ହୋଇ ୩ ହାତ ଓଢ଼ଣା ପକାନ୍ତି ନାହିଁ କି ‘ଚୁ’ ମାରନ୍ତି ନାହିଁ । ମୁଣ୍ଡରେ ପାନିଆ ନ ଦେଇ କଣ୍ଟା ମାରନ୍ତି । ଲୁଙ୍ଗିପରି ଘେର ପିନ୍ଧନ୍ତି । ସମ୍ଭ୍ରାନ୍ତବଂଶୀୟା ସ୍ତ୍ରୀ ଗାଉନ୍‍ ବ୍ୟବହାର କରନ୍ତି । ମୋଟରେ ସ୍ତ୍ରୀମାନଙ୍କ ବସ୍ତ୍ର ଲଜ୍ଜା ନିବାରଣ ଲାଗି ଯଥେଷ୍ଟ ନୁହେଁ ।

 

ମଫସଲିଆଣୀମାନେ ବଳା ଖଡ଼ୁ ପରି ରୂପା ଅଳଙ୍କାର ଦେହରେ ନଦି ହୁଅନ୍ତି । ନାକରେ କିଛି ପିନ୍ଧନ୍ତି ନାହିଁ । କାନରେ ସ୍ୱର୍ଣ୍ଣାଭରଣ ଏତେ ଓଜନ ସେ କାନ ଗାଲର ଅଧ ପର୍ଯ୍ୟନ୍ତ ଓହଳି ପଡ଼ିଥାଏ; ଲଡ଼କା କାନ କଳା ମୁହଁକୁ ବଡ଼ ଅଘଟଣ ଦିଶେ । ଆଧୁନିକାମାନେ ଅତି ଅଳ୍ପ ଅଳଙ୍କାର ବ୍ୟବହାର କରନ୍ତି, ଭାରତୀୟ ଅନୁକରଣରେ ଶାଢ଼ୀ ପିନ୍ଧନ୍ତି । ଏଠାରେ ପର୍ଦ୍ଦା ନାହିଁ ।

 

ବାଲ୍ୟବିବାହ ନାହିଁ, ବିଧବା ବିବାହ ପ୍ରଚଳିତ ଅଛି । କୌଣସି ଜାତିଭେଦ ନାହିଁ । ବିବାହରେ ପଣପ୍ରଥା ନାହିଁ ।

 

ପିତାମାତା ଆଗେ କନ୍ୟାପାତ୍ରୀ ଦେଖିଯାନ୍ତି । ମନୋନୀତ ହେଲେ ବର ନିଜେ କନ୍ୟା ଦେଖିଯାଏ । କନ୍ୟା କେତେକ ପାନ ଭେଟି ଦେଇ ବରକୁ ସାକ୍ଷାତ କରେ । ଉଭୟ ରାଜି ହେଲେ ବିବାହର ଆୟୋଜନ କରାଯାଏ ।

 

କୃଷକ–

 

ସିଂହଳର ଅଧିକାଂଶ ଲୋକ କୃଷିଜୀବୀ । ମୋଟରେ ୮ଶହ ଲକ୍ଷ ଏକର ଧାନଜମି ଅଛି । ଯେଉଁ ଅଞ୍ଚଳରେ ବେଶୀ ବର୍ଷା ହୁଏ, ସେଠି ପାହାଡ଼ ଉପରେ ବି ଧାନଚାଷ କରାଯାଏ । ଭୂମି ଉର୍ବର ନୁହେଁ, ତା ଛଡ଼ା ପ୍ରାଚୀନ ପ୍ରଣାଳୀରେ ଏ ପର୍ଯ୍ୟନ୍ତ ଚାଷବାସ କରାଯାଉଛି । ତେଣୁ ଉତ୍ପାଦନ ବହୁତ କମ୍‍ । ଧାନ ଚାଷ ଛାଡ଼ି ଅନେକେ ବାଜରା, ଧୂଆଁପତ୍ର ପ୍ରଭୃତି ଫସଲ କରନ୍ତି । ଅଧିକାଂଶ ହଳଲାଗି ପଣ୍ଡା ମଇଁଷି ରଖନ୍ତି, ବଳଦ ବ୍ୟବହାର ଅଳ୍ପ । ପ୍ରତି କୃଷକ ଦୁଧଲାଗି ଗାଈ ପୋଷନ୍ତି । ଫଳଫୁଲୁରି ବଗିଚା ପ୍ରତି ବାଡ଼ିରେ । ତେଣୁ ସିଂହଳୀ କୃଷକ ଗରିବ ହେଲେ ବି ଭଲ ଖାଏ । ମୁଗ, ବିରି, କାନ୍ଦୁଲ ଏଠି ହୁଏ ନାହିଁ । ତେଣୁ ଭାତ ସାଙ୍ଗେ ଡାଲି ବ୍ୟବହାର ନାହିଁ ।

 

ଭାତ, ମାଛ ଓ ପରିବା ତରକାରୀ ପ୍ରଧାନ ଖାଦ୍ୟ । ପଖାଳ ବ୍ୟବହାର ନାହିଁ । ବୌଦ୍ଧ କୃଷକମାନେ ମାଛ ମାଂସ ଖାନ୍ତି, କିନ୍ତୁ ମାରନ୍ତି ନାହିଁ ।

 

ଲଙ୍କାର ଗାଁଗୁଡ଼ିକ ଛୋଟ ଛୋଟ । ଘର ଲଗାଲଗି ନୁହେଁ । ପ୍ରତି ଘରର ଚତୁର୍ଦ୍ଦିଗରେ ବଗିଚା । ଗୋଟିଏ ଘର ପୋଡ଼ିଲେ ଗାଁଟିଯାକ ପୋଡ଼ିଯିବାର ଆଶଙ୍କା ନାହିଁ । ଘରଗୁଡ଼ିକ ଛୋଟିଆ କୁଡ଼ିଆ–ନଡ଼ା ଅଭାବରୁ ନଡ଼ିଆ ବରଡ଼ା ବା ତାଳପତ୍ରରେ ଛପର; ଅବସ୍ଥାପନ୍ନ ଲୋକେ ଖପରୁଲୀ ଘରେ ରହନ୍ତି ।

 

ଅଧିକାଂଶ ଲୋକ ନିରକ୍ଷର; ଜମିଦାର, ଚା ବା ରବରବଗିଚା ମାଲିକ ସେମାନଙ୍କୁ ଶୋଷଣ କରନ୍ତି । ସେମାନଙ୍କୁ ଉନ୍ନତ ଅବସ୍ଥାକୁ ଆଣିବାଲାଗି ଏପର୍ଯ୍ୟନ୍ତ କୌଣସି ସଂଘବଦ୍ଧ ପ୍ରଚେଷ୍ଟା ହୋଇନାହିଁ ।

Image

 

ଲଙ୍କା ସମ୍ୱନ୍ଧରେ କେତୋଟି ଜ୍ଞାତବ୍ୟ ବିଷୟ

 

ମୁକ୍ତା ଉତ୍ତୋଳନ–

 

ମାନାର୍‍ ଉପସାଗରରେ ମାନାର୍‍ ଓ ପୁତ୍ତଳମ୍‍ ମଧ୍ୟରେ ମୁକ୍ତା ଉପକୂଳ ଅବସ୍ଥିତ । ପ୍ରାୟ ୩ ହଜାର ବର୍ଷ ପୂର୍ବରୁ ଏହି ମୁକ୍ତା ଉତ୍ତୋଳନ ସିଂହଳବାସୀମାନଙ୍କର ଏକ ପ୍ରଧାନ ବ୍ୟବସାୟରୂପେ ପରିଗଣିତ ହୋଇ ଆସୁଅଛି । ବିଜୟସିଂହ ତାଙ୍କ ଶ୍ୱଶୁରଙ୍କୁ ବହୁ ସିଂହଳୀ ମୁକ୍ତା ଉପହାର ଦେଇଥିଲେ ବୋଲି ମହାବଂଶରେ ଉଲ୍ଲେଖ ଅଛି । ୨୦ ଫୁଟ୍‍ରୁ ୫୦ ଫୁଟ୍‍ ଜଳ ମଧ୍ୟରେ ଏହି ମୁକ୍ତା ଶାମୁକା ଗଭୀର ଜଳରୁ ସେମାନେ ଏହି ଶାମୁକା ଆହରଣ କରିଆଣନ୍ତି । ସବୁ ଶାମୁକାରେ ମୁକ୍ତା ନ ଥାଏ କି ସବୁ ସମୟରେ ମୁକ୍ତା ମିଳେନାହିଁ । କେଉଁ କେଉଁ ବର୍ଷ କୌଣସି ଶାମୁକାରେ ମୁକ୍ତା ନ ଥାଏ । ସେ ବର୍ଷ ବ୍ୟବସାୟୀ ତଥା ସରକାର ବିଶେଷ କ୍ଷତିଗ୍ରସ୍ତ ହୁଅନ୍ତି । ୧୯୦୫ରେ ମୁକ୍ତା ଉତ୍ତୋଳନରୁ ସରକାରୀ ଆୟ ୩୫ ଲକ୍ଷ ଟଙ୍କା ହୋଇଥିଲା । ଯାହା ଆୟ ହୁଏ, ସେଥିରୁ ସରକାର ୨ ଭାଗ ଓ ଉତ୍ତୋଳନକାରୀ ଏକଭାଗ ନିଅନ୍ତି । ସିଂହଳୀ ନାରୀ ପର୍ଯ୍ୟାପ୍ତ ପରିମାଣରେ ଏହି ଦେଶୀୟ ମୁକ୍ତା ବ୍ୟବହାର କରନ୍ତି । ଏହି ମୁକ୍ତା ଭାରତ ତଥା ସିଂହଳରେ ନାନା କବିରାଜୀ ଔଷଧରେ ବ୍ୟବହୃତ ହୁଏ ।

 

ମୁକ୍ତା ବ୍ୟତୀତ ବୈଦୁର୍ଯ୍ୟ, ପଦ୍ମରାଗ, ଇନ୍ଦ୍ରନୀଳ ପ୍ରଭୃତି ଅନେକ ମୂଲ୍ୟବାନ୍‍ ରତ୍ନ ଓ ବହୁମୂଲ୍ୟ ପ୍ରସ୍ତର ସିଂହଳର ଖଣିଜମାନଙ୍କରୁ ଆମଦାନି କରାଯାଏ । ଏହି ରତ୍ନଲାଗି ଗୋଟିଏ ଜିଲାର ନାମ ରତ୍ନପୁର ଦିଆଯାଇଛି । ରତ୍ନାଦିରୁ ସିଂହଳର ବାର୍ଷିକ ଆୟ ୨୦ଲକ୍ଷ ଟଙ୍କା । ଖଣିଜ ମଧ୍ୟରେ ଗ୍ରାଫାଇଟ୍‍, ପ୍ଲୁବାଙ୍ଗୋ, ଥୋରିଅମ୍‍ ଓ ଇଉରାନିଅମ୍‍ ପ୍ରଧାନ ।

 

ଏଠାରେ କୋଇଲା ନାହିଁ, ଲୁହା ବି ନାହିଁ । ତେଣୁ ବୃହତ୍‍ ଶିଳ୍ପର ବିକାଶ ହୋଇପାରୁ ନାହିଁ । ଏବେ ଜଳପ୍ରପାତରୁ ପ୍ରଚୁର ବିଦ୍ୟୁତ୍‍ଶକ୍ତି ଆହରଣ କରାଯାଉଛି । ତେଣୁ କୃଷି ଓ ଶିଳ୍ପର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ବିଶେଷଜ୍ଞମାନଙ୍କ ମୁଖରୁ ଶୁଣିବାକୁ ପାଇଲୁ । ଏଠା ବିଦ୍ୟୁତ୍‍ରେ ଦିନେ ସମୁଦାୟ ଦକ୍ଷିଣ ଭାରତ ଆଲୋକିତ ହେବ ଶୁଣି ବିସ୍ମୟାଭିଭୂତ ହେଲୁ ।

 

ରବର ଚାଷ–

 

୧୮୭୬ ଖ୍ରୀଷ୍ଟାବ୍ଦରେ ପରୀକ୍ଷା ସ୍ୱରୂପ ପ୍ରଥମେ ସିଂହଳରେ ରବର ରୋପଣ କରାଯାଇଥିଲା । ସରକାର ଲାଭବାନ୍‍ ହେବାରୁ ବିସ୍ତୃତଭାବରେ ବର୍ତ୍ତମାନ ଏହି ଚାଷ କରାଯାଉଛି-। ଦୁଇ ହଜାର ଫୁଟ୍‍ରୁ କମ୍‍ ଉଚ୍ଚ ପର୍ବତ ଓ ମାଳଭୂମିମାନଙ୍କରେ ରବର ଚାରା ଲଗାଯାଏ । ଆଠ ମାସ ପର୍ଯ୍ୟନ୍ତ ଗଛ ତାଡ଼ ଅବସ୍ଥାରେ ରହେ । ଯେଉଁ ଗଛରୁ ବେଶୀ ରବର ଉତ୍ପନ୍ନ ହୁଏ, ସେହି ଗଛର ମଞ୍ଜି ରଖାଯାଏ । ମଞ୍ଜି ରଖାଯିବାବେଳେ ଉକ୍ତ ଗଛ ରବର ଲାଗି କଟାଯାଏ ନାହିଁ । ଶୀତ ଆରମ୍ଭ ରବର ରୋପଣ ଲାଗି ପ୍ରଶସ୍ତ ସମୟ । ମାସକେ ୧୨୦ଟି ଗଛ ଲଗାଯାଏ । ସେଥିରୁ ମରି ମରି ୮୦ ଟି ପର୍ଯ୍ୟନ୍ତ ଗଛ ରହିଲେ ରବର ଉତ୍ପାଦନ ଭଲ ହୁଏ । ଗଛ ୬।୭ ବର୍ଷର ହେଲେ ରବର ଆମଦାନୀ ଲାଗି ‘‘V’’ ପରି ଗଛମୂଳର ଗୋଟିଏ ଅଂଶ କଟାଯାଏ । କ୍ଷୀର ଷଢ଼େଇ କିମ୍ୱା ଅନ୍ୟ କୌଣସି ପାତ୍ରରେ ସଂଗୃହୀତ ହୋଇ କାରଖାନାକୁ ପଠାଯାଏ । ସିଂହଳରୁ ବହୁ କଞ୍ଚା ରବର ବିଲାତ ଓ ଆମେରିକା ପ୍ରଭୃତି ଦେଶକୁ ରପ୍ତାନୀ ହୁଏ ।

 

୮୦ ଇଞ୍ଚରୁ କମ୍‍ ବର୍ଷା ହେଲେ ରବର ଗଛ ମରିଯାଏ । ସିଂହଳର ଆର୍ଦ୍ର ଓ ଉଷ୍ଣ ଜଳବାୟୁ ରବର ଲାଗି ଉପଯୁକ୍ତ; ବର୍ତ୍ତମାନ ୪ ଲକ୍ଷ ଏକରରୁ ଊର୍ଦ୍ଧ୍ୱ ଜମିରେ ରବର ଚାଷ କରାଯାଉଛି । କାଣ୍ଡି, ମାନ୍ତାଲ, କାଲତରା, ଶବର ଗାମୁଆ ଏବଂ କଲ୍ୟାଣୀଗଙ୍ଗ ଉପତ୍ୟକାରେ ରବର ରୋପଣ କରାଯାଇଅଛି । ରବର ଗଛ ୩୦ ରୁ ୪୦ ଫୁଟ ପର୍ଯ୍ୟନ୍ତ ବଢ଼େ ।

 

ଡାଳଚିନି–

 

ଗଛଗୁଡ଼ିକ ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ । ପତ୍ର ଲବଙ୍ଗପରି ବାସେ । ଡାଳ ହାତ ବାଡ଼ିପରି ମୋଟା ହେଲେ କୁରାଢ଼ି ମାରି ଦେଖାଯାଏ । ଯଦି ଡାଳ ପାକଳ ହୋଇଥାଏ, ଖୋଳପା ଛାଡ଼ ଛାଡ଼ ହୋଇଯାଏ । ତାପରେ ପଗ ପଗ କରି ଡାଳ କାଟି ଡାଳଚିନି ସଂଗ୍ରହ କରାଯାଏ । ଗଛ ୩ ବର୍ଷର ହେଲେ ସାଧାରଣତଃ ଡାଳ କଟାଯାଏ ।

 

ଏଠାରେ ଅଳେଇଚ, ଜାଇଫଳ, ଗୁଜୁରାତି, ଲବଙ୍ଗ ମଧ୍ୟ ପ୍ରଚୁର ପରିମାଣରେ ଜନ୍ମେ । ଚାରି ଲକ୍ଷ ଏକର ଜମିରେ ଚା ଚାଷ କରାଯାଏ । ଏଠାକାର ଚା ପୃଥିବୀ ମଧ୍ୟରେ ସର୍ବୋକୃଷ୍ଟ । ପାଉଣ୍ଡ ବିଲାତରେ ୪୫ ଟଙ୍କାରେ ବିକ୍ରୀ ହୁଏ । ଚା ଛଡ଼ା କଫି ଓ କୋକୋ ପ୍ରଭୂତ ପରିମାଣରେ ଉତ୍ପନ୍ନ ହୁଏ ।

 

ନାରୀକେଳ–

 

ବର୍ତ୍ତମାନ ୯ ଲକ୍ଷ ଏକରରୁ ଊର୍ଦ୍ଧ୍ୱ ଜମିରେ ନିଡ଼ିଆ ଚାଷ କରାଯାଇଛି । ଏଥିରୁ ୧ କୋଟି ଟଙ୍କା ଆୟ ହୁଏ । ନଡ଼ିଆ ତୋଳିବା ପାଇଁ ଗଛରେ ଚଢ଼ିବାକୁ ପଡ଼େନାହିଁ । ନଡ଼ିଆ ମାଳରେ ଗଛ ଗୁଡ଼ିକ ଲଗାଲଗି; ଗଛକୁ ମୋଟା କତା ଦଉଡ଼ି ବାନ୍ଧି ଦିଆଯାଇଛି । ସେଇ ଦଉଡ଼ିରେ ଚଢ଼ାଳି ଏ ଗଛରୁ ସେ ଗଛ ଚାଲିଯାଏ । ଘଣ୍ଟାଏ ଦୁଇ ଘଣ୍ଟାରେ ସେ ପର୍ବତ ପ୍ରମାଣେ ନଡ଼ିଆ ତୋଳି ଗଦାଇ ଦିଏ । ଏଥିରେ ଚଢ଼ାଳିକୁ ବେଶୀ ବାଧା ବି ହୁଏ ନାହିଁ । ସିଂହଳରେ ଅନେକ ତେଲ କଳ ଅଛି । ତା ସତ୍ୱେ ଗାଁଗହଳରେ ଶତ ଶତ ଘଣାରେ ନଡ଼ିଆ ତେଲେ ପେଡ଼ା ଚାଲିଛି । ଲଙ୍କା ଭାଷାରେ ଘଣାକୁ ‘ସେକୁ’ କହନ୍ତି । ଲଙ୍କା ଘଣା ଓ ଓଡ଼ିଆ ତେଲିସାଇ ଘଣା ମଧ୍ୟରେ ଟିକିଏ ବି ତଫାତ୍‍ ନାହିଁ; ସେମିତି ଗଣ୍ଡି, ସେମିତି ମୂଷଳ, ପଥର ଥୁଆ ହୋଇଛି । ଜଣେ ପାଞ୍ଚଣ ଧରି ବଳଦ ଉଡ଼ାଉଛି । ଘଣା କେଁ କଟକଟ ଡାକୁଛି । ଏଠା ଲୋକେ ନଡ଼ିଆ ଗଛରେ ଶେଣି ରୁଆ କରନ୍ତି, ବରଡ଼ା ପତ୍ରରେ ଘର ଛପର କରନ୍ତି, ଗରିବ ଲୋକେ ଚାଞ୍ଚରେ ଶୁଅନ୍ତି । ନଡ଼ିଆ ତେଲକୁ ସିଂହଳୀମାନେ ଘିଅରୂପେ ବ୍ୟବହାର କରନ୍ତି; ଲଗାଇବା, ତରକାରୀ ଛୁଙ୍କ କରିବା ସବୁଥିରେ ଏହି ନଡ଼ିଆ ତେଲର ବ୍ୟବହାର । ଲାଲ୍‍ ନଡ଼ିଆକୁ ଏଠି ରାଜନଡ଼ିଆ ବୋଲି କହନ୍ତି । ନଡ଼ିଆରୁ ଏଠାରେ ଏକରକମ୍‍ ମଦ ବି ପ୍ରସ୍ତୁତ ହୁଏ । ନଡ଼ିଆପାତି, କତାଦଉଡ଼ି, ତେଲ ସିଂହଳରୁ ବିଦେଶକୁ ବହୁ ପରିମାଣରେ ରପ୍ତାନୀ ହୁଏ ।

 

ନଡ଼ିଆ ଛଡ଼ା ଗାଁ ଦାଣ୍ଡରେ ଅସଂଖ୍ୟ ଗୁଆ ଗଛ ବି ଅଛି । ଏଥିରୁ ବାର୍ଷିକ ଆୟ ୪୦ଲକ୍ଷ ଟଙ୍କା ।

 

ମାଛ–

 

ସିଂହଳୀ ଭାଷାରେ ନଦୀକୁ ଗଙ୍ଗା କହନ୍ତି; ଯଥା–କଲ୍ୟାଣୀ ଗଙ୍ଗ, ମହଓ୍ୱେଲୀ ଗଙ୍ଗ, କେଲୁ ଗଙ୍ଗ ଇତ୍ୟାଦି । ନଦୀ ଓ ଜଳଭଣ୍ଡାରମାନଙ୍କରୁ ବିସ୍ତାର ମାଛ ମରାଯାଏ । ସମୁଦ୍ର ମାଛ ମଧ୍ୟରେ ପୁଟି, ଟାଙ୍ଗରା ଓ ସମୁଦ୍ର ମହୁରାଡ଼ି ପ୍ରସିଦ୍ଧ । ‘ଆରାକୋଲା’ ମାଛ ଇଲିସିଠାରୁ ବେଶୀ ସୁଆଦ ଲାଗେ । ଅସଂଖ୍ୟ ବୃହତ୍‍ମତ୍ସ୍ୟର ନମୁନା କଲମ୍ବୋ ମ୍ୟୁଜିଅମରେ ଅଛି; ତାର ନାମ ନ ଜାଣିଲେ ବି ବିଶାଳ ଆକାର ଓ ଅଭୁତ ପ୍ରକାର ଦେଖି ଦର୍ଶକ ଅଭିଭୂତ ହୋଇଯାଏ । ମାଛଧରା ସିଂହଳର ଏକ ପ୍ରଧାନ ବ୍ୟବସାୟ । ବରଫ ଦିଆହୋଇ ବିସ୍ତାର ମାଛ ବିଦେଶକୁ ରପ୍ତାନୀ ହୁଏ । ତେଲ ଛଡ଼ା ଏଠାରେ ବହୁପରିମାଣରେ ମାଛ ଖତ ବି ପ୍ରସ୍ତୁତ ହୁଏ । ସିଂହଳର କଙ୍କଡ଼ା ଦେଖିବାକୁ ଗୋଟିଏ ଗୋଟିଏ ବଡ଼ ବଡ଼ କଇଞ୍ଚ ପରି । କଇଞ୍ଚ ଖୋଳପା ପାନିଆ ଓ ବାକ୍‍ସ ଅତି ଚମତ୍କାର ।

 

ଲୁଣମରା ସିଂହଳମାନଙ୍କର ବ୍ୟବସାୟ ମଧ୍ୟରେ ଅନ୍ୟତମ । ଏଠାଲୁଣ ଉତ୍କୃଷ୍ଟ । ଏଠାରେ ବୋହୁଚୋରୀ, ବାଗ୍‍ଡୁଗୁଡ଼ୁ, ଲୁଚୁକାଳି ପ୍ରଭୃତି ଭାରତୀୟ ଖେଳଗୁଡ଼ିକ ପ୍ରଚଳିତ । ରଜସଂକ୍ରାନ୍ତିରେ ଓଡ଼ିଶାର ବିଭିନ୍ନ ଗାଁ ମଧ୍ୟରେ ଡୁ ଡୁ ଖେଳ ପ୍ରତିଯୋଗିତା ହେଲାପରି ଏଠାରେ ମଧ୍ୟ ହୁଏ । ଓଡ଼ିଶାର ଶାସନବାଡ଼ମାନଙ୍କ ପରି ‘ନଡ଼ିଆ ନଢ଼େଇ’ ଏଠାକାର ଗୋଟିଏ ଖେଳ । ନଢ଼େଇ ନଡ଼ିଆ ଦୁଇପକ୍ଷ ବାଛି ଆଣିଥାନ୍ତି । ଯେ ଜିଣେ, ସେ ବିପକ୍ଷର ଭଙ୍ଗା ନଡ଼ିଆଟି ନିଏ ।

 

ସିଂହଳୀମାନଙ୍କର ଭୂତ, ପ୍ରେତ, ଚଣ୍ଡୀ, ଚିରୁକୁଣୀକି ଭାରି ଡର । ସେସବୁ ଛଡ଼ାଇବାଲାଗି ଗୁଣିଆ ବି ଅଛନ୍ତି । ହିନ୍ଦୁମାନଙ୍କପରି ସେମାନେ ଶବଦାହ କରନ୍ତି ।

 

ତରବାରୀ ଧରିଥିବା ଏକ ସିଂହର ଚିତ୍ର ସିଂହଳୀ ଜାତୀୟ ପତାକାରେ ଚିତ୍ରିତ ହୋଇଥାଏ । ସିଂହ ଉପାଖ୍ୟାନ ଏହି ସଂକେତରେ ବୋଧହୁଏ ଉଦ୍‍ଜୀବିତ ହୋଇଅଛି ।

 

ଉପସଂହାର–

 

ସବୁଦିନ ଘରେ କିମ୍ୱା ସବୁଦିନ ବାହାରେ ରହିବାକୁ ଭଲ ଲାଗେ ନାହିଁ । ଘରର ଏକ ସଂକୀର୍ଣ୍ଣ ବେଷ୍ଟନୀରେ ଥିଲାବେଳେ ଶ୍ୟାମଳ ଦିଗ୍‍ବଳୟ ଆଖିଠାରି ଡାକିଥିଲା । ନୂତନ ଦୁନିଆର ନୂତନ ଅନୁଭୂତି ମୋହରେ ଭ୍ରମଣ କଲୁ ନଗରରୁ ନଗର, ଗ୍ରାମରୁ ଗ୍ରାମ, ପର୍ବତରୁ ପର୍ବତ; କେତେ ତୀର୍ଥ ଦେବାଳୟ, ହ୍ରଦ ସରୋବର, ପ୍ରାନ୍ତର ଅରଣ୍ୟ, ନଦୀ ଜଳପ୍ରପାତ ଅପୂର୍ବଭାବରେ ଅନ୍ତରକୁ ଭସାଇନେଲା ସୀମାରୁ ଅସୀମକୁ, ସାନ୍ତରୁ ଅନନ୍ତକୁ; କେତେ ନୂତନ ହୃଦୟ ସଙ୍ଗେ ହୃଦୟର ବିନିମୟ ହେଲା, କେତେ ରୂପ ରସ ଗନ୍ଧରେ ପ୍ରାଣ ପରିପୂର୍ଣ୍ଣ ହେଲା; ସବୁ ଆଜି ସ୍ମୃତି, ସବୁ ଆଜି ଛାୟା ।

 

ଡାକୁଛି ନିତ୍ୟନେମତ୍ତିକ ଧୂଳିଧୂସର ପୁରାତନ, ପରମ୍ପରାର ଚେର ତାର ମୂଳକୁ କରିଛି ଦୃଢ଼, ଅଭ୍ୟାସର ରସରେ ପୁଷ୍ଟ ହୋଇଛି ତାର ଶାଖା, ସହାନୁଭୂତିରେ ସବୁଜ ହୋଇଛି ତାର ପତ୍ର, ଦୋଳି ଖେଳୁଛି ସ୍ନେହ ପ୍ରେମର ଫୁଲ । ସେହି ପୁରାତନ ଗୃହ, ଯେ ଦେଖିଛି ଆମର ସୁଖ, ଅଙ୍ଗେ ନିଭେଇଛି ଆମର ଦୁଃଖ, ଯେ ବାଲ୍ୟ କୈଶୋର ମନ ରଙ୍ଗେଇଛି ତାର ସଂସ୍କୃତିରେ, ସେହି ଆଜି ମନରେ ଦରଦ ଭରି ଡାକୁଛି, ପୁଣି ଥରେ ତାର କୋଳକୁ ଫେରିଯିବା ପାଇଁ । ଡାକୁଛି ପୃଥିବୀର ପ୍ରାଚୀନତମ ଅନୁଷ୍ଠାନ, ପବିତ୍ରତମ ତୀର୍ଥକ୍ଷେତ୍ର–ପରିବାର ! ଏଇଠି ଆମର ତପସ୍ୟା ଏଇଠି ଆମର ପରିନିର୍ବାଣ । ଆଜି ଫେରିଯିବାକୁ ହେବ । ନୂତନ ପରି ପୁରାତନ ମୋହ ବି ଖୁବ୍‍ ଦୃଢ଼, ଖୁବ୍‍ ଶକ୍ତ ।

 

ମାର୍ଚ୍ଚ ୨ ତାରିଖ–କଲମ୍ବୋ ଘଣ୍ଟାରେ ବାଜିଲା ଏକ–ଦୁଇ-ତିନି । ପ୍ରକୃତିର ଲୀଳାଭବନ, ରହସ୍ୟର ଗନ୍ତାଘର, ପୃଥିବୀର ଏଇ ସୁନ୍ଦରତମ ଦ୍ୱୀପ ଆଜି ଛାଡ଼ିଯିବାକୁ ହେବ । ଏଇ ଦ୍ୱୀପକୁ ଆସି ଭାବିଥିଲୁ ଆମର ମାତୃଭୂମି, ଯୋଡ଼ିଥିଲୁ ଶତାବ୍ଦୀ ଶତାବ୍ଦୀ ଧରି ଛିନ୍ନ ଆମ ସଂସ୍କୃତିର ଡୋରି-। ବିଜୟ ସିଂହ, ନିଶଙ୍କମଲ୍ଲଙ୍କର ବଂଶଧର ଏଇ ଶତାବ୍ଦୀର ପ୍ରଥମ ଓଡ଼ିଆ ଆମେ ସ୍ପର୍ଶ କରିଥିଲୁ ଆମ ଦେଶର ପ୍ରାଚୀନ ତୀର୍ଥମାଟି, ଜାତୀୟ ବୀରଙ୍କର ଗୌରବ ଶ୍ମଶାନ; ଲଙ୍କା ସଙ୍ଗେ କେତେ ଦିନ ଧରି ଏକାତ୍ମ ହୋଇ ହୋଇଥିଲୁ ଲଙ୍କାବାସୀ; ଦିବସ ଦିବସ ଧରି ଯେ ଆମ ଅନ୍ତରରେ ପରିବେଷଣ କରିଥିଲା ରସ, ସେ ବିଦାୟବେଳେ ନୟନରେ ଦେଲା ଅଶ୍ରୁ ।

 

Y.M.C.A ର ମ୍ୟାନେଜର ବିଜୟସିଂହ ଓ କେତେକ ଲଙ୍କାବାସୀ ଷ୍ଟେସନରେ ଆମକୁ ବିଦାୟ ଦେଇ ଫେରିଲେ; ଗିରିବନ ଜନପଦ ଡେଇଁ ଚାଲିଲା କଲମ୍ବୋ ମେଲ୍‍; ମଧୁରତମ ଭାବନା ମଧ୍ୟରେ ଅପ୍‍ସରା ପରି ଓହ୍ଲେଇ ଆସିଲା ନିଦ୍ରା; ଆଖି ଖୋଲିଲାବେଳକୁ ତଲାଇମାନାର ସାଗର ତରଙ୍ଗରେ ଉଷାଦେବୀ ସ୍ନାନାର୍ଥିନୀ, ‘ଗୋଶ୍ଚିନ୍’ ଜାହାଜର ଡେକରେ ବସି ଭାବନାକୁ ଦେଲି ରୂପ ।

 

ସିଂହଳ ବିଦାୟ–

 

ସ୍ୱର୍ଣ୍ଣଭୂମି ହେ ସ୍ୱପ୍ନଭୂମି ହେ ଭାରତ ସାଗର ଦ୍ୱୀପ

ତାମ୍ରପର୍ଣ୍ଣୀ ସିଂହଭୂମି ହେ ନମେ ସିଂହଳ ଦ୍ୱୀପ ।

ଗୋଶ୍ଚିନପୋତେ ଆଙ୍କିଲ ବସି ଅଭୁତ ତୋର ଛବି

ଗୋଳା ହିଙ୍ଗୁଳ ସାଗରୁ ଉଠଇ ସିନ୍ଦୁରବୋଳା ରବି ।

ଧୂସର ଶଇଳ ଶୃଙ୍ଗେ ଲାଗିଛି ରଙ୍ଗ ବଉଦଖେଳା

ରଶ୍ମି ତଡ଼ିତେ ଚକଚକାୟିତ ତଲାଇମାନାର ବେଳା ।

ଅବଗାହେ ନୀଳତମ କଲ୍ଲୋଳେ ସିଂହଳୀ ବଧୁସମା

ଚାରୁ କାଞ୍ଚନ ଅଞ୍ଚଳ ଖୋଲି ଉଷାଦେବୀ ମନୋରମା ।

ଚାହିଁଛି ମୁଗ୍‍ଧ କବି

ଦୂରେ ଅପସରେ ସ୍ୱର୍ଣ୍ଣବର୍ଣ୍ଣା ଲଙ୍କାର ଚାରୁଛବି ।

 

ସ୍ୱର୍ଣ୍ଣଲଙ୍କା ସ୍ୱପ୍ନଲଙ୍କା ସ୍ୱର୍ଗ ଲଙ୍କାଭୂଇଁ

ପୁଲକ ଛୁଟିଲା ଆଲୋକ ଫୁଟିଲା ମୃତ୍ତିକା ତୋର ଛୁଇଁ ।

ସାଧବ ପୁଅର ସଙ୍ଗୀତେ ଦିନେ ଉଛୁଳିଥିଲା ଏ ବେଳା,

ଶୁଣିବାଲାଗି ତା ଥମି ଯାଇଥିଲା ମୁଖର ଲହରୀଖେଳା ।

ବିଜୟ ସିଂହ ଆସିଥିଲେ ତୋର ମୁକୁତା ମୁକୁଟ ପାଇଁ

ବିକଚ କମଳେ ବନ୍ଦାଇଥିଲୁ ଉଷା କି ଗୋ ମନେ ନାହିଁ ?

ଶତ୍ରୁଏ ତୋର ବକ୍ଷ ଉଜାଡ଼ି ଲୋଡ଼ିଲେ ମୁକୁତା ହେମ

ଆଣିଛି ମୁଁ ତୋତେ ଦେବାଲାଗି ମୋର ଅନ୍ତରଭରା ପ୍ରେମ ।

ଦୃଶ୍ୟ ତୋହର ବାଇ

ଆସିଛି ମୁଁ ତୋର ହୃଦୟେ ମୋ ହୃଦ ଜୁଆର ତାଳିବା ପାଇଁ ।

 

ସୀତା-ମୁଖ-ଶିରୀ ସ୍ମରି ଯହିଁ ସରେ ବିକଶେ କମଳଦଳ

ସିଂହଳୀ ପିକ ଶିଖିଛି ମଧୁର ସୀତାର କଣ୍ଠସ୍ୱର ।

ବଇଦେହୀ ଲୁହ ହୋଇଛି ଶିଶିର, ଶ୍ରାବଣ ବରଷା ଧାରା

ତେବେ ବି ରାବଣ ସ୍ତବରେ ପୂରିତ ହାୟରେ ଦୁନିଆସାରା ।

କବର ନେଇଛି ରାବଣର ଶବ ରବର କାନନ ତଳେ

ଆତ୍ମା ତାହାର ନାରୀ ଧର୍ଷଣେ ଘୋର ଗର୍ଜ୍ଜନେ ଚଳେ ।

ଅମର ହୋଇଛି ବିଭୀଷଣ ଜାତି ହୃଦେ ଜନ୍ମାଇ ତ୍ରାସ

ବନ୍ଦୀ କରଇ ଧରଣୀ ଇନ୍ଦ୍ରଜିତ ମେଲି ନାଗଫାଶ ।

ସର୍ପଣଖାର ରୂପର ଦର୍ପ ଘେରିଅଛି ଚଉପାଶେ

ଶୋଷଣ କୁମ୍ଭକର୍ଣ୍ଣ ସର୍ବଗ୍ରାସେ ଆଜି ଉଲ୍ଲାସେ ।

ମାରିନାହିଁ ମାରି ପାରିନାହିଁ ତୁମେ ରାବଣରେ ରଘୁନାଥ

ତୁମେ କଳ୍ପନା, ରାବଣ ହୋଇଛି ବାସ୍ତବ ରୂପେ ଜାତ ।

ରାମ ନାମ ମୁଖେ ଧରି

ରାବଣ ଶାସଇ ଧରଣୀ ଖଡ଼୍‍ଗ ଲହୁ ରଞ୍ଜିତ କରି ।

 

ରହ କ୍ଷଣେ ରହ ରହରେ ବୋଇତ ଦେଖିନିଏଁ ଶେଷଥର

ଉଷାର କିରଣେ ସିଂହଳ ଭୂମି ସିନ୍ଦୁର ଜରଜର ।

ସ୍ୱର୍ଣ୍ଣଭୂମି ଏ ସ୍ୱପ୍ନଭୂମି ଏ ଦେଖିନିଏଁ ଆଉ ବାରେ

ଆହା ଲୁଚିଗଲା ସିଂହଳ ଭୂମି ଦିଗ୍‍ବଳୟର ପାରେ ।

ସ୍ମୃତିର ଗହନେ ପଶିଲା ସତ୍ୟ, ବୁକୁରେ ବିରହ ଦାଗ

ଦେହ ଚଳିଯାଏ ଗିରି ନଦୀ ବନେ ବୁଲେ ମନ ଅନୁରାଗ ।

ଦୃଶ୍ୟେ ଦୃଶ୍ୟେ ମିଶି ରହିଲା ସେ ମିଶି ରହିଥିବ ଚିର

ହାହାକାର କରେ ଭଙ୍ଗୁର ତୀରେ ଲଙ୍କା ସାଗର ନୀର ।

କଳ କଳ କଳ କଳ

ବୁକୁ ତଳୁ ମୋର ଝରିଝରି ଆସେ ଫେନିଳ ଅଶ୍ରୁଜଳ ।

Image